ଆଫଗାନିସ୍ତାନର ଦୁଇଟି ବଡ ସହର କାନ୍ଦାହାର ଓ ହେରାତ ଉପରେ ତାଲିବାନର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆସି ସାରିଛି । ଏଣେ ହୁଏତ ଆପଣ ଏହି ରିପୋର୍ଟ ପଢିବା ବେଳକୁ ରାଜଧାନୀ କାବୁଲ ଉପରେ ତାଲିବାନର କବଜା ହୋଇ ସାରିଥିବ । କାରଣ ତାଲିବାନ କାବୁଲର ଦୁଆର ମୁହଁରେ ପହଞ୍ଚି ସାରିଥିବା ବେଳେ ରାଷ୍ଟ୍ରପତି ଅଶରଫ ଗନି ପରିବାର ସହିତ ଦେଶ ଛାଡିବାକୁ ପ୍ରସ୍ତୁତ ହେଲେଣି ବୋଲି ଶୁଣିବାକୁ ମିଳୁଛି । କାବୁଲ ଜନତା ତାଲିବାନ ଡରରେ ଥରହର ହେଉଥିବା ବେଳେ କାନ୍ଦାହାର ଓ ହେରାତର ନାଗରିକ ନିଜ ସରକାରକୁ ଅଭିଶାପ ଦେଉଛନ୍ତି । ଏହି ଦୁଇ ସହରର ବାସିନ୍ଦା ବିଶ୍ୱାସ କରି ପାରୁନାହାନ୍ତି ଯେ, ଦେଶର ସେନା ଓ ସରକାର ସେମାନଙ୍କୁ ଏମିତି ତାଲିବାନ ଦୟାରେ ଛାଡିପାରେ । ସରକାର ଏମିତି ତାଲିବାନ ଆଗରେ ଆତ୍ମସମର୍ପଣ କରିବା ସେମାନଙ୍କ ପାଇଁ ଅବିଶ୍ୱସନୀୟ । ଇଂରାଜୀ ନ୍ୟୁଜ୍ ଚ୍ୟାନେଲ ଅଲ ଜଜିରାକୁ ଫୋନ୍ ଯୋଗେ ଦେଇଥିବା ସାକ୍ଷାତକାରରେ ଜଣେ ମହିଳା କହିଛନ୍ତି ଯେ, ତାଲିବାନକୁ ରୋକିବା ପାଇଁ ସରକାର କୌଣସି ଚେଷ୍ଟା କରିନଥିଲେ, ସରକାର ପ୍ରକୃତରେ ଆମକୁ ତାଲିବାନକୁ ବିକ୍ରି କରିଦେଇଛନ୍ତି ।
ତାଲିବାନକୁ ବିକ୍ରି କରିଦେଇଛନ୍ତି
ମହିଳା ଜଣକ କହିଛନ୍ତି ଯେ, ମୁଁ କେବେ ମଧ୍ୟ ଭାବିନଥିଲି ଯେ, କାନ୍ଦାହର ଏତେ ସହଜରେ ପରାଜୟ ସ୍ୱୀକାର କରିବ । ହେରାତର ଜଣେ ତାଲିବାନ ବିରୋଧୀ ବିଦ୍ରୋହୀ ମଧ୍ୟ ସମାନ ମତ ରଖିଛନ୍ତି । ସେ କହିଛନ୍ତି ଯେ, ସତ ହେଉଛି ସବୁ ସ୍ଥାନକୁ ତାଲିବାନ ହାତକୁ ଟେକି ଦିଆଯାଉଛି, କାବୁଲ ଓ ମଜାର-ଏ-ସରିଫର ପରବର୍ତ୍ତି ଟାର୍ଗେଟ୍ ହେବେ । ଅଲ ଜଜିରା ଅନୁସାରେ ଅଗଷ୍ଟ ୬ ତାରିଖ ପରଠାରୁ ମାତ୍ର ୮ଦିନରେ ତାଲିବାନ ଆଫଗାନିସ୍ତାନର ୩୪ ପ୍ରାଦେଶିକ ରାଜଧାନୀ ମଧ୍ୟରୁ ୧୮ ଉପରେ କବଜା କରି ସାରିଛି ।
ଦୁଇଟି ବଡ଼ ସହର ତାଲିବାନ କବଜାରେ
ତାଲିବାନ ହାତରେ ପ୍ରଥମ ପ୍ରାଦେଶିକ ରାଜଧାନୀ ପଡିବା ପରଠାରୁ ରାଷ୍ଟ୍ରପତି ଅଶରଫ ଗନି କିମ୍ବା ସରକାରର କୌଣସି ବଡ ଅଧିକାରୀ ପ୍ରାଦେଶିକ ରାଜଧାନୀର ପତନ ବାବଦରେ ପଦୁଟିଏ ମଧ୍ୟ କହିନାହାନ୍ତି । ତାଲିବାନର ବିଜୟକୁ ନେଇ ସରକାର ଚୁପ ଥିବା ବେଳେ ଗୁରୁବାର ଦିନ ତାଲିବାନ କାନ୍ଦାହର ଓ ହେରାତ୍ ଉପରେ କବଜା କରିଥିଲା । ଅନେକ ତାଲିବାନ ଓ କେନ୍ଦ୍ର ସରକାର ମଧ୍ୟରେ ଚାଲିଥିବା ଲଢେଇର ଏହା ଏକ ଗୁରୁତ୍ୱପୂର୍ଣ୍ଣ ମୋଡ ବୋଲି ମନେ କରନ୍ତି ।
ସିଲ୍ ହୋଇ ସାରିଲାଣି କାବୁଲର ଭାଗ୍ୟ ?
କାବୁଲରେ ରହୁଥିବା ହେରାତର ଜଣେ ସରକାରୀ କର୍ମଚାରୀଙ୍କ କହିବା ହେଉଛି ‘ ଏହା କେମିତି ହେଲା ମୋର ଏବେବି ବିଶ୍ୱାସ ହେଉ ନାହିଁ’’ ୱାଂସିଟନ ପୋଷ୍ଟ ଅନୁସାରେ ଆଗାମୀ ୯୦ ଦିନ ଭିତରେ କାବୁଲର ପତନ ଘଟିବ ବୋଲି ପେଣ୍ଟାଗନର ସାମରିକ ବିଶେଷଜ୍ଞ ଅନୁମାନ କରୁଛନ୍ତି । କିନ୍ତୁ ଯୁଦ୍ଧକ୍ଷେତ୍ରର ସ୍ଥିତି ଦେଖିଲେ ଲାଗୁଛି ଯେ, କାବୁଲର ପତନ ପାଇଁ ୯୦ ଦିନ ନୁହେଁ ୯୦ ଘଣ୍ଟା ମଧ୍ୟ ଅଧିକ ହେବ । ଯେଉଁଭଳି ଭାବେ ଆଫଗାନିସ୍ତାନର ସରକାରୀ ସୈନିକ ଯୁଦ୍ଧକ୍ଷେତ୍ର ତ୍ୟାଗ କରୁଛନ୍ତି ସେଥିରୁ ଲାଗୁଛି ଖୁବଶୀଘ୍ର ତାଲିବାନ ହାତକୁ କାବୁଲ ଆସିଯିବ । କାବୁଲ ଆସିବା ଅର୍ଥ ଆଫଗାନିସ୍ତାନ ସରକାରର ପତନ ।
ଆମେରିକା ଆଫଗାନୀ ସେନାକୁ କ’ଣ ଟ୍ରେନିଂ ଦେଇଥିଲା ?
ଆଫଗାନୀ ସେନା ଯେଉଁଭଳି ଭାବେ ଛତ୍ରଭଙ୍ଗ ଦେଉଛନ୍ତି ସେଥିରୁ ଆମେରିକାର ଟ୍ରେନିଂ ଉପରେ ପ୍ରଶ୍ନ ଉଠୁଛି । ଆମେରିକା ରାଷ୍ଟ୍ରପତି ନିକଟରେ କହିଥିଲ ଯେ, ସାଢେ ତିନି ଲକ୍ଷ ସୈନିକଙ୍କୁ ୭୦ ହଜାର ତାଲିବାନି ହରାଇ ପାରିବେନାହିଁ । କିନ୍ତୁ ଏବେ ଏହା ମିଛ ବୋଲି ଜଣା ପଡିଲାଣି । ଆମେରିକା ଆଫଗାନୀ ସେନାକୁ ଆର୍ଥିକ ସାହାଯ୍ୟ ଦେଉଥିଲା । କିନ୍ତୁ ଯୁଦ୍ଧ ଭୁମିରେ ଏହି ସେନା ପିଠି ଦେଖାଇ ଛତ୍ରଭଙ୍ଗ ଦେଉଛି । ସେନାରେ ଥିବା ଦୁର୍ନିତି ଏଥିପାଇଁ ଦାୟୀ ବୋଲି କୁହାଯାଉଛି । କୁହାଯାଉଛି ଯେ, ଆଫଗାନିସ୍ତାନରେ କେବଳ ଫାଇଲରେ ସୈନିକ ଅଛନ୍ତି । ଏଭଳି ମାମଲା ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ସୈନିକଙ୍କ ନାମରେ ଦରମା ଉଠା ଯାଉଥିଲେ ମଧ୍ୟ ସେହିଭଳି ସୈନିକଙ୍କ ନାଁଗନ୍ଧ ନଥିଲା । ଏମିତିରେ ଦେଶର ଜନତା ଯଦି ସରକାର ସେମାନଙ୍କୁ ବିକ୍ରି କରିଦେଇଛନ୍ତି ବୋଲି କହୁଛନ୍ତି ତେବେ ସେଥିରେ କିଛି ଭୁଲ ନାହିଁ ।