ନୋଟ୍ ବ୍ୟାନକୁ ୫ ବର୍ଷ ପୁରିଛି । ୫ ବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ସେହି ସନ୍ଧ୍ୟାରେ ଆସି ଦେଶବାସୀଙ୍କୁ ଲାଇଭ ଟିଭିରେ ୫ଶହ ଓ ୧ ହଜାର ଟଙ୍କା ନୋଟ୍ ଅଚଳ ବୋଲି ଘୋଷଣା କଲେ ତାହା ସେତେବେଳେ ଭାରତୀୟଙ୍କ ପାଇଁ ସର୍ଜିକାଲ ଷ୍ଟ୍ରାଇକ୍ ଥିଲା । ସେହି ସନ୍ଧ୍ୟା ପରଠାରୁ ମୋଦି ଯେତେବେଳେ ବି ରାତିରେ ଲାଇଭ୍ ଆସିବେ ବୋଲି ଘୋଷଣା କରନ୍ତି ସେତେବେଳେ ଉଣା ଅଧିକ ସବୁ ଭାରତୀୟ ଭାବନ୍ତି କିଛି ବଡ଼ ଘଟିବାକୁ ଯାଉଛି । କିନ୍ତୁ୫ ବର୍ଷ ପରେ ଯେତେବେଳେ ଏବେ ସେହି ଐତିହାସିକ ଘଟଣାର ପୋଷ୍ଟମର୍ଟମ କରାଯାଉଛି ସେତେବେଳେ ଜଣା ପଡୁଛି ମୋଦି ମହାଶୟଙ୍କ ସେହି ମାଷ୍ଟର ଷ୍ଟ୍ରୋକ୍ ଫୁସୁକା ବାଣ ସାବ୍ୟସ୍ତ ହୋଇଛି । ଆସନ୍ତୁ ୫ଟି ବିନ୍ଦୁରେ ନୋଟ୍ ବ୍ୟାନ୍ କେମିତି ଫ୍ଲପ୍ ହୋଇଛି ତାହା ଜାଣିବା..
କଳାଧନ ଆସିଲା ନାହିଁ
ନୋଟ୍ ବ୍ୟାନ୍ ବେଳେ ସରକାର କହୁଥିଲେ ଏହା ଦ୍ୱାରା କଳାଧନ ଉପରେ ଅଙ୍କୁଶ ଲାଗିବ । କିନ୍ତୁ ୫ ବର୍ଷ ପରେ ଜଣା ପଡୁଛି କଳା ଧନ ସେମିତି କଳା ହୋଇ ଅଛି । ୨୦୧୬ରେ ଦୁର୍ନିତୀଖୋର ରାଷ୍ଟ୍ରଙ୍କ ତାଲିକାରେ ଭାରତ ୭୯ ନମ୍ବରରେ ଥିଲା, ଏବେ ଏହା ୮୬ ନମ୍ବର ସ୍ଥାନରେ ଅଛି । ଏଇଥିରୁ ଜଣା ପଡୁଛି କଳାଧନ ଉପରେ କେତେ ଅଙ୍କୁଶ ଲାଗିଛି । ନୋଟ୍ ବ୍ୟାନ୍ ସମୟରେ ଦେଶରେ ୧୫ କୋଟି ୪୦ ଲକ୍ଷ ଟଙ୍କାର ୫ଶହ ଟଙ୍କା ଓ ହଜାରେ ଟଙ୍କା ବଜାରରେ ଥିଲା । ତାହା ମଧ୍ୟରୁ ୯୯.୩ ପ୍ରତିଶତ ଗଳା ବାଟ ଦେଇ ବ୍ୟାଙ୍କିଂ ସିଷ୍ଟମକୁ ପ୍ରବେଶ କରିଥିଲେ । ଅର୍ଥାତ କଳାଧନ ଧଳା ହୋଇଯାଇଥିଲା । ମାତ୍ର ୧୦ ହଜାର କୋଟି ଟଙ୍କା ମେନ୍ ଷ୍ଟ୍ରିମକୁ ଆସି ପାରିନଥିଲା । ଯାହାର ଅର୍ଥ ହେଉଛି ଏହା କୌଣସି ମତେ ସଫଳ ହୋଇନାହିଁ ।
କ୍ୟାସଲେସ୍ ଅର୍ଥନୀତି ଏବେବି ସ୍ୱପ୍ନ
ନୋଟ୍ ବ୍ୟାନ୍ ବେଳେ ଭାରତ ଭାବୁଥିଲା ଆମେ କ୍ୟାସଲେସ୍ ଇକୋନମିକୁ ପ୍ରବଶ କରୁଛୁ । କିନ୍ତୁ ସତ ହେଉଛି ନୋଟ୍ ବନ୍ଦ ପରେ ବଜାରରେ ୫୮ ପ୍ରତିଶତ ଅଧିକ କ୍ୟାସ୍ ପ୍ରବେଶ କରିଛି । କ୍ୟାସଲେସ୍ ଟ୍ରାଂଜାକ୍ସନ ଏବେ ମଧ୍ୟ ସ୍ୱପ୍ନ । ନୋଟ୍ ବ୍ୟାନ୍ ପୂର୍ବରୁ ଲୋକଙ୍କ ପାଖରେ ୧୭.୭୦ କୋଟି କ୍ୟାସ୍ ଥିଲା । ଏବେ ଲୋକଙ୍କ ପାଖରେ ୨୮.୩୦ କୋଟି କ୍ୟାସ୍ ଅଛି । ଅର୍ଥାତ ୫୮ ପ୍ରତିଶତ ଅଧିକ କ୍ୟାସ୍ ଏବେ ବଜାରରେ ଅଛି ।
ବଡ଼ ନୋଟ୍ ଭାଗ କମିନି ବଢିଛି
୫ ବର୍ଷ ପରେ ବଡ଼ ନୋଟ୍ ଭାଗ କମିବା ତୁଳନାରେ ବଢିଛି । ୫ ବର୍ଷ ତଳେ ୨୦୧୬ରେ ଦେଶରେ ଥିବା ମୋଟ୍ ନଗଦ ଟଙ୍କାର ୮୫ ପ୍ରତିଶତ ୫ଶହ ଓ ହଜାର ଟଙ୍କିଆ ଥିଲା । ଏବେ ଏହା ବଢି ହୋଇଛି ୮୫.୭ ପ୍ରତିଶତ । ସେତେବେଳ କୁହାଯାଇଥିଲା ଯେ, ହଜାର ଟଙ୍କିଆ ଓ ୫ଶହ ଟଙ୍କିଆ ପାଇଁ ଦୁର୍ନୀତି ସହଜରେ ହେଉଛି । କିନ୍ତୁ ଏବେ ୨ ହଜାର ଟଙ୍କା କ’ଣ ଦୁର୍ନୀତିକୁ ଆହୁରି ଅଧିକ ସହଜ କରିଦେଇ ନାହିଁ କି ?
ନକଲି ନୋଟ୍ ଭିତରୁ ୫୬ ପ୍ରତିଶତ ନୂଆ ୨ ହଜାର ଟଙ୍କା
ନୋଟ୍ ବ୍ୟାନ ହେବାର ପ୍ରଥମ ଦୁଇ ବର୍ଷ ପରେ ଯେତିକି ନକଲି ଟଙ୍କା ଧରା ହୋଇଥିଲା ତା’ ଭିତରୁ ୫୬ ପ୍ରତିଶତ ଥିଲା ନୂଆ ୨ ହଜାର ଟଙ୍କା । ନୋଟ୍ ବ୍ୟାନର ଆଉ ଗୋଟିଏ ଲକ୍ଷ୍ୟ ଥିଲା ନକଲି ନୋଟ୍ କାରବାରକୁ ବନ୍ଦ କରିବା । କିନ୍ତୁ ଏଥିରେ ମଧ୍ୟ ସରକାର ସଫଳ ହେଲା ଭଳି ଲାଗୁନାହିଁ ।
ନୋଟ୍ ବ୍ୟାନ ତୁଳନାରେ ଧାରା ୩୭୦ ଉଛେଦର ପ୍ରଭାବ ଅଧିକ
ନୋଟ୍ ବ୍ୟାନ୍ ବେଳେ ତର୍କ ଦିଆଯାଇଥିଲା ଯେ, ଏହା ଦ୍ୱାରା ଆତଙ୍କବାଦୀଙ୍କ ଫଣ୍ଡିଂ ଉପରେ ଅଙ୍କୁଶ ଲାଗିବ । ହାୱାଲା ଓ ନକଲି ନୋଟ୍ କାରବାର ଜରିଆରେ ପାକିସ୍ତାନୀ ଆତଙ୍କବାଦୀ କାଶ୍ମୀରରେ କରୁଥିବା କାଣ୍ଡ ଉପରେ ବ୍ରେକ୍ ଲାଗିବ । କିନ୍ତୁ ତଥ୍ୟ ଅଲଗା କଥା କହୁଛି । ତଥ୍ୟ ଅନୁସାରେ ନୋଟ୍ ବ୍ୟାନ୍ ଯୋଗୁ ପ୍ରଥମେ ଆତଙ୍କବାଦୀଙ୍କୁ ଝଟକା ଲାଗିଥିଲା ସତ କିନ୍ତୁ ସେମାନେ ସେଥିରୁ ଉଧୁରିବାରେ ସଫଳ ମଧ୍ୟ ହୋଇଥିଲେ । ନୋଟ୍ ବ୍ୟାନ୍ ଅପେକ୍ଷା ଧାରା ୩୭୦ ଉଛେଦର ପ୍ରଭାବ କାଶ୍ମୀର ଆତଙ୍କବାଦ ଉପରେ ଅଧିକ ପଡିଛି ବୋଲି ବିଶେଷଜ୍ଞ କୁହନ୍ତି ।