ଆଫଗାନିସ୍ତାନରୁ ଯେଉଁଭଳି ତରବରିଆ ଭାବେ ଅଙ୍କଲ ସାମ୍ ନିଜ ସୈନିକଙ୍କୁ ଫେରାଇ ଆଣିଲେ ତାହା ୪୬ ବର୍ଷ ତଳର ଘଟଣାକୁ ମନେ ପକାଇ ଦେଉଛି । ପୂର୍ବ ଏସିଆର ଭିଏତନାମରେ ଆମେରିକା ଠିକ ଏକାଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିଲା । ସେତେବେଳେ ଆମେରିକା ଭିଏତନାମ ଆସିଥିଲା କମ୍ୟୁନିଜମ ନାମକ ରୋଗରୁ ଏସିଆକୁ ବଞ୍ଚାଇବାକୁ । କିନ୍ତୁ ପରିସ୍ଥିତି ଏମିତି ହୋଇଥିଲା ଯେ, ଆମେରିକା ଅସ୍ତବ୍ୟସ୍ତ ହୋଇ ଭିଏତନାମ ଛାଡିଥିଲା । ସେତେବେଳେ ନିଜର କୂଟନିତିଜ୍ଞଙ୍କୁ ସାଇଗନ ସ୍ଥିତ ଦୂତାବାସରୁ ବାହାର କରିବା ପାଇଁ ଆମେରିକାକୁ ସେନା ହେଲିକପ୍ଟର ବ୍ୟବହାର କରିବାକୁ ପଡିଥିଲା । ଆଉ ଏବେ ଆମେରିକା କାବୁଲରେ ନିଜ ଦୂତାବାସର ସୁରକ୍ଷା ପାଇଁ ୩ ହଜାର ସୈନିକଙ୍କୁ ମୁତ୍ତୟନ କରିଛି । ଦୁନିଆର ସବୁଠାରୁ ଶକ୍ତିଶାଳୀ ସେନା ୪୬ ବର୍ଷ ତଳେ କମ୍ୟୁନିଷ୍ଟଙ୍କୁ ହରାଇ ପାରିନଥିଲା କି ଏବେ ତାଲିବାନକୁ ।
ଭିଏତନାମ ସହିତ ଆଫଗାନିସ୍ତାନର ତୁଳନା
ରାଷ୍ଟ୍ରପତି ଜୋ ବାଇଡେନଙ୍କ ବିରୋଧୀ ସିନେଟର ମିଚ୍ ମ୍ୟାକକୋନେଲଙ୍କ ସହିତ ଅନେକ ସାଂସଦ ଆଫଗାନିସ୍ତାନରୁ ବର୍ତ୍ତମାନ ଆମେରିକା ସୈନିକଙ୍କ ପ୍ରତ୍ୟାହାରକୁ ୧୯୭୫ର ଶେଷ ଭାଗରେ ଭିଏତନାମରୁ ସେନା ପ୍ରତ୍ୟାହାର ସହିତ ତୁଳନା କରୁଛନ୍ତି । ୨୯ ଏପ୍ରିଲ ୧୯୭୫ରେ ସାଇଗନ ସ୍ଥିତ ଆମେରିକୀୟ ଦୂତାବାସର ଛାତ ଉପରେ ହେଲିକପ୍ଟର ଅବତରଣ କରିଥିଲା । ଏହି ହେଲିକପ୍ଟରରେ ଦୂତାବାସ କର୍ମଚାରୀଙ୍କ ସହିତ କିଛି ଭିଏତନାମୀ ନାଗରିକଙ୍କୁ ସୁରକ୍ଷିତ ଭାବେ ଦେଶ ବାହାରକୁ ନିଆଯାଇଥିଲା । ସେତେବେଳେ ଆମେରିକା ମୋଟ ୭ ହଜାର ଲୋକଙ୍କୁ ଏୟାରଲିଫ୍ଟ କରିଥିଲା । ଯେଉଁମାନଙ୍କ ମଧ୍ୟରୁ ୫ ହଜାରରୁ ଅଧିକ ଭିଏତନାମୀ ନାଗରିକ ଥିଲେ । ଏବେ କାବୁଲ ଦୂତାବାସର ସୁରକ୍ଷା ପାଇଁ ଆମେରିକା ତିନି ହଜାର ସୈନିକ ମୁତ୍ତୟନ କରିଛି । ତେବେ ରାଷ୍ଟ୍ରପତି ବାଇଡେନ୍ କିଛିଦିନ ତଳେ କହିଥିଲେ ଯେ, ସାଇଗନ ସ୍ଥିତି କାବୁଲରେ ଦୋହରା ଯିବନି । କିନ୍ତୁ ଏବେ କାବୁଲରେ ଯେଉଁଭଳି ଭାବେ ଆମେରିକାକୁ ସେନା ମୁତୟନ କରିବାକୁ ପଡିଛି ସେଥିରୁ ଲାଗୁଛି ସାଇଗନ ସ୍ଥିତି କାବୁଲରେ ପୁଣି ଦୋହରା ଯାଇପାରେ ।
ଭିଏତନାମ ଯୁଦ୍ଧର ଇତିହାସ
ଭିଏତନାମ ଯୁଦ୍ଧ ୧୯୫୫ରୁ ୧୯୭୫ ପର୍ଯ୍ୟନ୍ତ ଚାଲିଥିଲା । ଦକ୍ଷୀଣ ଭିଏତନାମ ଉପରେ କମ୍ୟୁନିଷ୍ଟ ଉତ୍ତର ଭିଏତନାମ ଆକ୍ରମଣ ପରେ ଯୁଦ୍ଧ ଆରମ୍ଭ ହୋଇଥିଲା । ଆମେରିକା ନିଜ ସହଯୋଗୀ ଦକ୍ଷୀଣ ଭିଏତନାମକୁ ସାହାଯ୍ୟ କରିବା ସହିତ ସୋଭିଏତ ଋଷକୁ ଚ୍ୟାଲେଂଜ୍ କରିବାକୁ ଯୁଦ୍ଧକୁ ଓହ୍ଲାଇଥିଲା । ୧୯୬୫ରେ ଆମେରିକା ଯୁଦ୍ଧରେ ଯୋଗ ଦେଇଥିଲା । ମୋଟ ୩ ଲକ୍ଷ ଆମେରିକୀୟ ସୈନିକ ଯୁଦ୍ଧରେ ଯୋଗ ଦେଇଥିଲେ । ୧୯୬୯ ରିଚାର୍ଡ ନିକ୍ସନ ରାଷ୍ଟ୍ରପତି ହେବା ପରେ ଭିଏତନାମରୁ ସେନା ପ୍ରତ୍ୟାହାର ପାଇଁ ତାଙ୍କ ଉପରେ ଚାପ ପଡିଥିଲା । ଜାନୁଆରୀ ୧୯୭୪ରେ ଆମେରିକା ଉତ୍ତର ଭିଏତନାମ ସହିତ ଶାନ୍ତିଚୁକ୍ତି ସ୍ୱାକ୍ଷର କରିଥିଲା । ଏହାପରେ ସେଠାରୁ ଆମେରିକୀୟ ସୈନିକଙ୍କୁ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା ।
ତେବେ ଆମେରିକା ଭିଏତନାମରୁ ହଟିବା ପରେ ଉତ୍ତର ଭିଏତନାମ ଚୁକ୍ତି ଭଙ୍ଗ କରି ଦ.ଭିଏତନାମ ଉପରେ ଆକ୍ରମଣ କରିଥିଲା । ସେତେବେଳକୁ ମାତ୍ର ଅଳ୍ପକିଛି ଆମେରିକୀୟ ସୈନିକ ସାଇଗନରେ ଥିଲେ । ନିଜ ଦୂତାବାସ କର୍ମଚାରୀଙ୍କ ସୁରକ୍ଷା ପାଇଁ ଆମେରିକାକୁ ବାଧ୍ୟ ହୋଇ ଦୂତାବାସ ଛାତ ଉପରେ ହେଲିକପ୍ଟର ଓହ୍ଲାଇବାକୁ ପଡିଥିଲା ।
ଆମେରିକାର ଅପରେସନ ଫ୍ରିକ୍ୱେଣ୍ଟ୍ ୱାଇଣ୍ଡ୍
ଏପ୍ରିଲ ୩୦ ୧୯୭୫ରେ ଉତ୍ତର ଭିଏତନାମୀ ସେନା ଦ.ଭିଏତନାମର ରାଜଧାନୀ ସାଇଗନ ଉପରେ କବଜା କରିଥିଲା । ୨୯ ଓ ୩୦ ଏପ୍ରିଲ ୧୯୭୫ରେ ଆମେରିକା ନିଜ ଦୂତାବାସ କର୍ମଚାରୀ ଓ ପୂର୍ବତନ ଦକ୍ଷୀଣ ଭିଏତନାମର କିଛି ଅଧିକାରୀ ଓ ସେମାନଙ୍କ ପରିବାରକୁ ସୁରକ୍ଷିତ ଫେରାଇ ନେବାକୁ ଦୂତାବାସ ଛାତ ଉପରେ ହେଲିକପ୍ଟର ଅବତରଣ କରିଥିଲା । ପ୍ରତି ୧୦ ମିନଟରେ ଥରେ ଗୋଟିଏ ହେଲିକପ୍ଟର ଛାତ ଉପରେ ଲ୍ୟାଣ୍ଡ୍ କରୁଥିଲା । ତେଣୁ ଏହାର ନାମ ଅପରେସନ ଫ୍ରିକ୍ୱେଣ୍ଟ୍ ୱାଇଣ୍ଡ୍ ଦିଆଯାଇଥିଲା । ଏହି ଅପରେସନ୍ ଜରିଆରେ ୭ ହଜାର ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ଯେଉଁମାନଙ୍କ ମଧ୍ୟରେ ୫ ହଜାର ୫ଶହ ଭିଏତନାମୀ ସାମିଲ ଥିଲେ ।