ପାକିସ୍ତାନ ଘୋର ଆର୍ଥିକ ସଂକଟ ଦେଇ ଗତି କରୁଛି । ଦେଶ ଚଳାଇବା ପାଇଁ ସରକାରଙ୍କ ପାଖରେ ଟଙ୍କା ନାହିଁ । କର୍ମଚାରୀଙ୍କୁ ଦରମା ଦେଇ ପାରୁନାହାନ୍ତି ସରକାର । ଦେଶର ଅନେକ ରାଜ୍ୟରେ ବିଜୁଳି ନାହିଁ । ରାସ୍ତାରେ ଲୋକେ ଅଟା ପାଇଁ ପିଟାପିଟି ହେଉଛନ୍ତି । କିନ୍ତୁ ପାକିସ୍ତାନୀଙ୍କ ସୌକ କମିନି । ସୌକ ଏତେ ଯେ, ଲୋନ୍ ପାଇଁ ଦେଶ ଦେଶ ବୁଲୁଥିବା ପାକିସ୍ତାନୀ ସରକାର ଲଗଜରି କାର ଆମଦାନୀକୁ ଗ୍ରୀନ୍ ସିଗନାଲ ଦେଇଛନ୍ତି । ଯାହାକୁ ଦେଶ ଭିତରେ ସମାଲୋଚନା ହେଉଛି ।
ଅଟା ନାହିଁ,କାର ଆମଦାନୀ
ପାକିସ୍ତାନୀ ଖବର କାଗଜ ଦ ଡନ୍ ରିପୋର୍ଟ ଅନୁସାରେ ଦେଶରେ ଖାଦ୍ୟ ସଂକଟ ଜାରି ଥିବା ବେଳେ ସରକାର ଲଗଜରି କାର ଆମଦାନୀ କରୁଛନ୍ତି । ରିପୋର୍ଟ ଅନୁସାରେ ସରକାର ୨ ହଜାର ଦାମୀ ଲଗଜରି କାର ଆମଦାନୀ କରିବାକୁ ଅନୁମତି ଦେଇଛନ୍ତି । ଯେତେବେଳେ କି ପାକିସ୍ତାନର ବିଭିନ୍ନ ବନ୍ଦରରେ ଖାଦ୍ୟ ସାମଗ୍ରୀ ଟଙ୍କା ଅଭାବରୁ ଅଟକି ରହିଛି । ବର୍ତ୍ତମାନ ପାକିସ୍ତାନ ଆର୍ଥିକ ସଂକଟ ଦେଇ ଗତି କରୁଥିବାରୁ ସବୁ ପ୍ରକାରର ଆମଦାନୀକୁ ରୋକି ଦିଆଯାଇଛି । ତା’ରି ଭିତରେ କେମିତି ଓ କେଉଁ ପରିସ୍ଥିତିରେ ୨ ହଜାର ଲଗଜରି କାର ଆମଦାନୀ କରିବାକୁ ପାକ୍ ସରକାର ଅନୁମତି ଦେଲେ ତାକୁ ନେଇ ପ୍ରଶ୍ନ ଉଠୁଛି ।
ବନ୍ଦରରେ ଅଟକି ରହିଛି ଜରୁରୀ ସାମଗ୍ରୀ
ଡନ୍ ରିପୋର୍ଟ ଅନୁସାରେ ପାକିସ୍ତାନ ଜୁଲାଇରୁ ଡିସେମ୍ବର ୨୦୨୨ ମଧ୍ୟରେ ୧୬୪ ଲଗଜରି କାର ଆମଦାନୀ କରିଛି । ପୁରୁଣା ଲଗଜରି କାର ଆମଦାନୀ ମଧ୍ୟ ବଢିଛି ।ରିପୋର୍ଟ୍ ଅନୁସାରେ ଗତ ୬ ମାସ ମଧ୍ୟରେ ପାକିସ୍ତାନ ୧୯୯୦ ଲଗଜରି କାର ଆମଦାନୀ କରିଛି । ଜୈନକ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ଅଧିକାଂଶ ଆମଦାନୀ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ହୋଇଛି । ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ବହୁତ କମ କାର ଆମଦାନୀ ହୋଇଥିଲା । ଅନ୍ୟପକ୍ଷରେ ବନ୍ଦରରେ ଉପଭୋକ୍ତା ଓ ଶିଳ୍ପ ସାମଗ୍ରୀ ଆଣିଥିବା ୫ ହଜାରରୁ ଅଧିକ କ୍ୟାଣ୍ଟେନର ଏବେ ବି ଅନଲୋଡିଂ ପାଇଁ ସରକାରଙ୍କ ଅନୁମତି ଅପେକ୍ଷାରେ ଅଛନ୍ତି ।
ପାକିସ୍ତାନ ପାଖରେ ଆଉ କେଇଦିନ ପାଇଁ ସାମଗ୍ରୀ ବଂଚିଛି
ପାକିସ୍ତାନର ବୈଦେଶିକ ମୁଦ୍ରାଭଣ୍ଡାର ହ୍ରାସ ପାଇ ମାତ୍ର ୩.୭ ଶହ କୋଟି ଟଙ୍କା ରହିଛି । ଦେଶରେ ଦରଦାମ ବୃଦ୍ଧି ପାଇଛି । ୨୦୨୨ରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ପରେ ଆର୍ଥିକ ସଂକଟ ଅଧିକ ବୃଦ୍ଧି ପାଇଛି । ଏହା ସହିତ ରାଜନୈତିକ ଅସ୍ଥିରତା କାରଣରୁ ବ୍ୟବସାୟ ପ୍ରଭାବିତ ହୋଇଛି । ପାକିସ୍ତାନ ପାଖରେ ମାତ୍ର କେଇଦିନର ଫଣ୍ଡ୍ ରହିଛି । ଯଦି ଆଇଏମଏଫ୍ କିମ୍ବା ସାଉଦି ଆରବ ଭଳି ଦେଶ ଅଧିକ ଲୋନ୍ ନଦିଅନ୍ତି ତେବେ ପାକିସ୍ତାନର ଅବସ୍ଥା ଶ୍ରୀଲଙ୍କା ଭଳି ହେବ ବୋଲି ଭବିଷ୍ୟବାଣୀ ହେଉଛି ।