ଉତ୍ତର କୋରିଆ ,ଏମିତି ଗୋଟିଏ ଦେଶ ଯେଉଁଠି କିଛି ମଧ୍ୟ ଘଟିପାରେ । ଯେଉଁଠି ଗୋଟିଏ ପରିବାର ଅଧିନରେ ଗୋଟିଏ ଦେଶ ଗଲା ୭୦ ବର୍ଷ ଧରି ଅଛି । ଗୋଟିଏ ପରିବାର ହାତରେ କୋଟି କୋଟି ଲୋକଙ୍କ ଭାଗ୍ୟ । କିମ୍ ପରିବାର ନିଜେ ତ’ ଅଏସ ଆରାମ ଭିତରେ ରୁହେ କିନ୍ତୁ ଏହି ଦେଶର ନାଗରିକ ଦୁଇ ଓଳି ପେଟପୁରା ଖାଦ୍ୟ ପାଆନ୍ତି ନାହିଁ । କମ୍ୟୁନିଷ୍ଟ ଶାସନର ଲୌହ ପରଦା ଭିତରେ ରହିଥିବା ଏହି ଦେଶରେ ଶାସକଙ୍କ ଶବ୍ଦ ହିଁ ଆଇନ । ସିଏ ଯାହା କହିବେ ତାହା ହିଁ ଅନ୍ତିମ ବାକ୍ୟ ।
ଏବେ ଉତ୍ତର କୋରିଆ ଶାସକ ତାନାଶାହ କିମ ଜୋଙ୍ଗ ଉନ ତାଙ୍କର ନୂଆ ଆଦେଶକୁ ନେଇ ପୁଣିଥରେ ଚର୍ଚ୍ଚା ଭିତରକୁ ଆସିଛନ୍ତି । ସେହି ଆଦେଶରୁ ଜଣା ପଡୁଛି ମିଶାଇଲ ପରେ ମିଶାଇଲ ପରୀକ୍ଷଣ କରୁଥିବା ସର୍ବୋଚ୍ଚ ନେତାଙ୍କ ପାଖରେ ଲୋକଙ୍କୁ ଦେବାକୁ ଖାଦ୍ୟ ନାହିଁ କିମ୍ ଦେଶବାସୀଙ୍କୁ ୨୦୨୫ ପର୍ଯ୍ୟନ୍ତ କମ୍ ଖାଇବାକୁ କହିଛନ୍ତି । ଆବଶ୍ୟକ ପରିମାଣର ଖାଦ୍ୟ ବିତରଣ ହୋଇପାରୁନଥିବାରୁ ଲୋକଙ୍କ ନିକଟରେ ଖାଦ୍ୟ ପହଞ୍ଚି ପାରୁନାହିଁ । ଯେଉଁଥିପାଇଁ ଉତ୍ତର କୋରିଆର ଖାଦ୍ୟ ବଜାରରେ ନିଆଁ ଲାଗିଛି । ଖାଦ୍ୟ ସାମଗ୍ରୀ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି ।
ରିପୋର୍ଟ ଅନୁସାରେ ପ୍ରାକୃତିକ ଦୁର୍ବପାକ, ଅସୁସ୍ଥତା, କୃଷି ଯନ୍ତ୍ରପାତିର ଅଭାବ ଏବଂ ନୂତନ ଜ୍ଞାନ କୌଶଳର ଘୋର ଅଭାବ ଉତ୍ତର କୋରିଆରେ ଏଭଳି ପରିସ୍ଥିତି ସୃଷ୍ଟି ହେବାର ଏକ ପ୍ରମୁଖ କାରଣ । ତେବେ ଦେଶ ତା’ର ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଯୋଗାଇବାରେ ଅସମର୍ଥ ଥିବାରୁ ଲୋକଙ୍କ ପାଇଁ ଖାଦ୍ୟାଭାବ ସମସ୍ୟା ଚିନ୍ତାର କାରଣ ସାଜିଛି । ଗୋଟିଏ ପଟେ ଏତେ ସମସ୍ୟା ଥିବାବେଳେ ଗତବର୍ଷ ଟାଇଫୁନ ଏବଂ କରୋନା ଭାଇରସ୍ ଖାଦ୍ୟାଭାବ ସମସ୍ୟାକୁ ଅଧିକ ବଢ଼ାଇ ଦେଇଛି ବୋଲି କହିଛନ୍ତି କିମ୍ ।
ନିକଟରେ ପ୍ରଚୁର ବୃଷ୍ଟିପାତ ଉତ୍ତର କୋରିଆ ଉପରେ ଦୁଃଖର ପାହାଡ଼ ଲଦି ଦେଇଛି । ଏହି ଅଞ୍ଚଳରେ ଫସି ରହିଥିବା ଲୋକଙ୍କ ସୁରକ୍ଷା ପାଇଁ ଉଦ୍ଧାରକାରୀ ଦଳକୁ ପଠାଇଛନ୍ତି କିମ୍ । UNର ରିପୋର୍ଟ ଅନୁସାରେ ଅନାହାର ଯୋଗୁଁ ଉତ୍ତର କୋରିଆର ପ୍ରାୟ ୪୦ ପ୍ରତିଶତଙ୍କ ନିକଟରେ ପୋଷଣର ଅଭାବ ରହିଛି ।
RFAର ରିପୋର୍ଟ ଅନୁସାରେ ଚଳିତ ବର୍ଷ ଉତ୍ତର କୋରିଆରେ ୮ ଲକ୍ଷ ୬୦ ହଜାର ଟନ୍ ଖାଦ୍ୟ ଅଭାବ ହୋଇଛି । ତେଣୁ ଶୋଚନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି କମ୍ ଖାଦ୍ୟ ଖାଇବା ପାଇଁ ଦେଶବାସୀଙ୍କୁ କହିଛନ୍ତି କିମ୍ ।