ହେଲ୍ ଫାୟାର ମିଶାଇଲ୍ ମାଡ଼ରେ ଅଲ-କାଏଦା ମୁଖ୍ୟ ଅୟମନ ଅଲ-ଜୱାହିରି ଜନ୍ନତକୁ ଯାତ୍ରା କରିଛି । ଶନିବାର ପୃଥିବୀ ନାମକ ଗ୍ରହରେ ଥିଲା ତା’ର ଶେଷଦିନ । ଏହି ଦିନ ଆକାଶରୁ ତା’ ଲାଗି ଆସିଥିଲା ମୃତ୍ୟୁ ସନ୍ଦେଶ । ବାଲକୋନି ଉପରେ ବସି ଭବିଷ୍ୟତର ଟେରର୍ ଆଟାକର ପ୍ଲାନିଂ କରୁଥିବା ଜୱାହିରି ହେଲ୍ ଫାୟାର ମାଡରେ ଖଣ୍ଡ ଖଣ୍ଡ ହୋଇଯାଇଥିଲା । ଜୱାହିରିକୁ ନରକ ନିଆଁ ଭିତରକୁ ପଠାଇବା ପଛରେ ଅଛି ଆମେରିକା ସେନାର ଏକ ଗୁପ୍ତ ୟୁନିଟ୍ । ଯାହାକୁ ଟାସ୍କ ଫୋର୍ସ ଅରେଂଜ୍ ବୋଲି କୁହାଯାଇଥାଏ । ନାମରୁ ଯଦି ଆପଣ ଏହାକୁ କମଳା ଭଳି ମିଠା ବୋଲି ଭାବୁଛନ୍ତି ତେବେ ଥରେ ପୁଷ୍ପା ଫିଲ୍ମର ସେଇ ଡାଇଲଗ୍ ମନେ ପକାନ୍ତୁ.. ପୁଷ୍ପା ନାମ ଶୁନକର ଫ୍ଲାୱାର ସମଝେ ଥେ କ୍ୟା.. ଫ୍ଲାୱାର ନେହିଁ ଫାୟାର ହୁଁ ମୈ.. । ଆମେରିକା ସେନାର ଅରେଂଜ୍ ଟାସ୍କ ଫୋର୍ସ ସେହିଭଳି ଗୋଟିଏ ୟୁନିଟ୍ ଯାହାର କାମ ହେଲା ମୃତ୍ୟୁଦୂତଙ୍କୁ ମୃତ୍ୟୁ ବାଣ୍ଟିବା । ଆସନ୍ତୁ ଜାଣିବା ଟାସ୍କ ଫୋର୍ସ ଅରେଂଜ୍ କ’ଣ । ତେବେ ତା’ ପୂର୍ବରୁ ଜାଣିନେବା ଆତଙ୍କର ଡାକ୍ତର ଜୱାହିରି କିଏ ।
ଜାୱାହିରି କିଏ ?
ଜୱାହିରି ମିଶର ବା ଇଜିପ୍ଟର ଜଣେ ଫେରାର ଆତଙ୍କବାଦୀ । ଡାକ୍ତରରୁ ଆତଙ୍କବାଦୀ ପାଲଟିଥିବା ଏହି କୁଖ୍ୟାତ ବ୍ୟକ୍ତି ଜଣକ ଆମେରିକାର ମୋଷ୍ଟ୍ ୱାଣ୍ଟେଡ୍ ଲିଷ୍ଟରେ ଏକ ନମ୍ବର ଥିଲା । ନ’ ଏଗାର ଆକ୍ରମଣର ମାଷ୍ଟର ମାଇଣ୍ଡ୍ ଓସମା ବିନ୍ ଲାଦେନର ମୃତ୍ୟୁର ପାଖାପାଖି ୧୦ବର୍ଷ ପରେ ଜୱାହିରିର ଅନ୍ତ ଘଟିଛି । ଲାଦେନ ପରେ ଜୱାହିରି ଅଲକାଏଦାର ମଙ୍ଗ ଧରିଥିଲା । ଜୱାହିରି ଗୋଟିଏ ସମୟରେ ସିଆଇଏର ସାହାଯ୍ୟ ନେଇ ଆଫଗାନିସ୍ତାନରେ ସୋଭିଏତ ଋଷ ବିରୋଧରେ ଲଢିଥିଲା । ସେତେବେଳେ ତା’ର ଲାଦେନ ସହିତ ବନ୍ଧୁତା ହୋଇଥିଲା । ଯେଉଁ ବନ୍ଧୁତା ଲାଦେନର ମୃତ୍ୟୁ ପର୍ଯ୍ୟନ୍ତ ଅତୁଟ ଥିଲା ।ଖାଲି ବନ୍ଧୁତା ନଥିଲା ଉଭୟ ମଧ୍ୟ ସମୁଦି ଥିଲେ । ଶନିବାର ଦିନ ଜୱାହିରିର ମୃତ୍ୟୁ ସହିତ ଆତଙ୍କର ଗୋଟିଏ ଅଧ୍ୟାୟର ଅନ୍ତ ହୋଇଛି । ଜୱାହିରିର ଖାତା ବନ୍ଦ କରିବା ପଛରେ ଅଛି ଟାସ୍କ ଫୋର୍ସ ଅରଂଜ୍ ।
ଟାସ୍କ୍ ଫୋର୍ସ ଅରେଂଜ୍ କ’ଣ ?
ଆସନ୍ତୁ ଏଥର ଜାଣିବା ଟାସ୍କ ଫୋର୍ସ ଅରେଂଜ୍ କ’ଣ । ନାଟୋର ଜଣେ ବରିଷ୍ଠ ସାମରିକ ଅଧିକାରୀଙ୍କ ଅନୁସାରେ ଜୱାହିରିକୁ ଖୋଜି ଶେଷ କରିବା ପାଇଁ ସିଆଇଏ ଏକ ବଡ଼ ଅପରେସନ୍ କରିଥିଲା । ଏଥିରେ ଅନେକ ଏଜେନ୍ସିର ସହଯୋଗ ଥିଲା । କିନ୍ତୁ ଗୋଟିଏ ସଂଗଠନ ଜୱାହିରି ଉପରେ ୨୪ ଘଣ୍ଟା ନଜର ରଖିଥିଲା । ସେହି ସଂଗଠନର ନାମ ହେଉଛି ଟାସ୍କ ଫୋର୍ସ ଅରେଂଜ୍ ।
୧୯୮୦ ମସିହାରେ ଏହି ଟାସ୍କ ଫୋର୍ସର ଗଠନ ହୋଇଥିଲା । ଏହାର ନାମ ଅନେକ ଥର ବଦଳିଛି । ପ୍ରଥମେ ଏହାକୁ ଇଣ୍ଟେଲିଜେନ୍ସ ସପୋର୍ଟ୍ ଆକ୍ଟିଭିଟି ବୋଲି କୁହାଯାଉଥିଲା ।ଏହା ଜଏଣ୍ଟ୍ ସ୍ପେଶାଲ ଅପରେସନ୍ କମାଣ୍ଡ୍ ମଧ୍ୟରେ କାମ କରିଥାଏ । ଏହାର କାମ ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗୁପ୍ତ ଅପରେସନ୍ ପାଇଁ ତଥ୍ୟ ସଂଗ୍ରହ କରିବା । ବର୍ତ୍ତମାନ ଏହି ୟୁନିଟକୁ ଟାସ୍କ ଫୋର୍ସ ଅରେଂଜ୍ ବୋଲି କୁହାଯାଉଛି ।
ଅନେକ ନାମ ,ଗୋଟିଏ କାମ
ଟାସ୍କ ଫୋର୍ସର ଅନେକ ନାମ ରହିଛି । ଅତିତରେ ଏହାର ନାମ ସେମେଟ୍ରି ୱାଇଣ୍ଡ୍,ସେଣ୍ଟ୍ରା ସ୍ପାଇକ୍,ଗ୍ରେ ଫକ୍ସ,ଟର୍ଣ୍ଣିଭିକ୍ଟର ଓ କ୍ୱାଇଟ୍ ଏନେବଲ ଥିଲା । ଆଧିକାରିକ ଭାବେ ଏହାକୁ ଆମେରିକା ସେନା ଇଣ୍ଟେଲିଜେନ୍ସ ସପୋର୍ଟ୍ ଆକ୍ଟିଭିଟି ଓ ଅନୌପଚାରିକ ଭାବେ ଅରେଂଜ୍ ବା ଆକ୍ଟିଭିଟି ବୋଲି କୁହାଯାଇଥାଏ ।
ଆମେରିକା ସେନାର ଜେମ୍ସ ବଣ୍ଡ୍
ସିଆଇଏ ଦେଶ,ସରକାର ଓ ବିରୋଧୀଙ୍କ ବାବଦରେ ଅନେକ ତଥ୍ୟ ଦେଇପାରେ କିନ୍ତୁ ଗୋଟିଏ ନିର୍ଦ୍ଦିଷ୍ଟ ଘରେ କିଏ ରହୁଛି ତା’ର ସଠିକ ତଥ୍ୟ ଖୋଜିବା ବେଳେ ଅରେଂଜକୁ ଡାକରା ଆସିଥାଏ । ଘରେ କେତୋଟି ବଖରା ଅଛି,କେତେ ଜଣ ରହୁଛନ୍ତି ,କେତୋଟି କବାଟ ଅଛି । ଘରର ପ୍ରବେଶ ଓ ପ୍ରସ୍ତାନ ପଥ କେଉଁଠି ରହିଛି ।ଏହିଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଟାସ୍କ ଫୋର୍ସ ଅରେଂଜ୍ ଏକାଠି କରିଥାଏ । କୌଣସି ଅପରେସନ ପୂର୍ବରୁ ଅରେଂଜ୍ ଯେତେ ସମ୍ଭବ ଜରୁରୀ ତଥ୍ୟ ସଂଗ୍ରହ କରିଥାଏ । ଜେମ୍ସ ବଣ୍ଡ୍ ଭଳି ଅରେଂଜ୍ ଟିମ୍ ଟାର୍ଗେଟ୍ ସମ୍ପର୍କିତ ସବୁ ତଥ୍ୟ ସଂଗ୍ରହ କରିଥାଏ ।
ଅଲ୍-ଜୱାହିରି ଉପରେ ଥିଲା ଅରେଂଜ୍ ନଜର
ଅରେଂଜ୍ ଟିମର ଅଲ ଜୱାହିରି ଉପରେ ୨୪ ଘଣ୍ଟା ନଜର ଥିଲା । ଏଥିପାଇଁ ଏହାର ଟିମ୍ ସଦସ୍ୟ ନିଶ୍ଚିତ ଭାବେ ଜୱାହିରି ରହୁଥିବା ଘର ପାଖାପାଖି ସ୍ଥାନରେ ଆସ୍ଥାନ ଜମାଇଥିବେ । ସେଠରୁ ସେମାନେ ଜୱାହିରିର ଦୈନନ୍ଦିନ କାର୍ଯ୍ୟକଳାପ ବା ପ୍ୟାଟର୍ଣ୍ଣ ଅଫ୍ ଲାଇଫ୍ ଉପରେ ନଜର ରଖିଥିବେ । ଜୱାହିରି ବାଲକୋନି ଉପରେ ଥିବା ବେଳେ ହିଁ ତା’ ଉପରେ ଆକ୍ରମଣ ହୋଇଥିଲା । ଜୱାହିରି ସବୁଦିନ ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ବାଲକୋନିକୁ ଯାଉଥିଲା । ଏହି ସୂଚନା ହିଁ ଜୱାହିରି ପାଇଁ କାଳ ହୋଇଥିଲା । ଠିକ ସମୟରେ ଆକାଶରୁ ହେଲ୍ ଫାୟାର ଆସି ଜୱାହିରିକୁ ୯ ଖଣ୍ଡ କରିଦେଇଥିଲା । ଜୱାହିରି କିଛି ବୁଝି ମଧ୍ୟ ପାରିନଥିଲା ଯେ, ତା’ ସହିତ କ’ଣ ଘଟିଲା ।