ଭୁବନେଶ୍ୱର: ଦିନକୁ ଦିନ ତାତିର ପ୍ରକୋପ ବଢୁଥିଲେ ମଧ୍ୟ ରାଜଧାନୀ ଭୁବନେଶ୍ୱରରେ ରାଜନୈତିକ ଉଷ୍ମତା ବି ବଢିଚାଲିଛି । ଏହି ତାତିକୁ ଖାତିର ନ କରି କର୍ମୀଙ୍କ ଗହଣରେ ବିରାଟ ପଟୁଆରେ ଯାଇ ନାମାଙ୍କନପତ୍ର ଦାଖଲ କରିଛନ୍ତି ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ । ଶ୍ରୀ ରାଉତ ପୁରୁଣା ଭୁବନେଶ୍ୱରସ୍ଥିତ ମାଉସୀ ମା’ ଛକସ୍ଥିତ ରାମେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ଦଳୀୟ କର୍ମୀ, ନେତା, ସମର୍ଥକ ଓ ଶୁଭେଚ୍ଛୁଙ୍କ ଗହଣରେ ଚାଲିଚାଲି ଶୋଭାଯାତ୍ରାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଶୋଭାଯାତ୍ରା ସମୟରେ ଆତସବାଜି ସାଙ୍ଗକୁ ଶଙ୍ଖ ଧ୍ୱନିରେ ସାରା ପରିବେଶ ପ୍ରକମ୍ପିତ ହୋଇଉଠିଥିଲା । ଘୋଡ଼ାନାଚ ସାଙ୍ଗକୁ ଓଡ଼ିଶାର ପାରମ୍ପରିକ ନୃତ୍ୟରେ କର୍ମୀମାନେ ତାଙ୍କୁ ପାଛୋଟି ନେଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିଭିନ୍ନ କ୍ଷେତ୍ରରେ ଆସିଛି ଉନ୍ନତି
ଶୋଭାଯାତ୍ରା ସମୟରେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ, ଭୁବନେଶ୍ୱର ମଧ୍ୟ ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା, ବିଏମ୍ସି ମେୟର ସୁଲୋଚନା ଦାସଙ୍କ ସମେତ ନିର୍ବାଚନମଣ୍ଡଳୀର ସମସ୍ତ କର୍ପୋରେଟର, ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟମାନେ ଉପସ୍ଥିତ ଥିଲେ । ନାମାଙ୍କନପତ୍ର ଦାଖଲ ଅବସରରେ ଶ୍ରୀ ରାଉତ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ନିର୍ବାଚନମଣ୍ଡଳୀରେ ବିକାଶ ଧାରା ଜାରି ରହିଛି । ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା, ଗମନାଗମନ କ୍ଷେତ୍ରରେ ବହୁ ଉନ୍ନତି ଆସିଛି । ବିକାଶ ଧାରା କେବେ ଶେଷ ହୁଏନାହିଁ । ତେଣୁ ଆହୁରି ଅନେକ କାର୍ଯ୍ୟ ବାକି ରହିଛି । ମୁଖ୍ୟମନ୍ତ୍ରୀ ପୁଣିଥରେ ମୋ’ ଉପରେ ଆସ୍ଥା ପ୍ରକଟ କରି ଉତ୍ତର ନିର୍ବାଚନମଣ୍ଡଳୀବାସୀଙ୍କ ସେବା କରିବାକୁ ସୁଯୋଗ ଦେଇଛନ୍ତି । ନିର୍ବାଚନମଣ୍ଡଳୀକୁ ରାଜ୍ୟର ଏକ ନମ୍ବରରେ ପହଞ୍ଚାଇବାକୁ ମୁଁ ଅଞ୍ଚଳବାସୀଙ୍କ ଆଶୀର୍ବାଦ କାମନା କରୁଛି ।