ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଲାଗୁଛି ୨୦୨୩ରେ ସରିବ ନାହିଁ । କିନ୍ତୁ ଲମ୍ବା ଚାଲିଥିବା ଏହି ଯୁଦ୍ଧ ଗୋଟିଏ ଯକ୍ଷ ପ୍ରଶ୍ନ ଭାରତ ଭଳି ଦେଶଙ୍କ ଆଗରେ ଛିଡା କରାଇଛି । ଭାରତ ଭଳି ଦେଶ ଯେଉଁମାନେ ଋଷୀୟ ସାମରିକ ସାରଞ୍ଜମ ଉପରେ ନିର୍ଭରଶୀଳ ସେମାନଙ୍କ ପାଇଁ ୟୁକ୍ରେନ ଯୁଦ୍ଧ ଆଖି ଖୋଲିଲା ଭଳି । ୟୁକ୍ରେନରେ ଟି-୭୨ ଓ ଟି-୯୨ ଭଳି ଟ୍ୟାଙ୍କ ସବୁ ବିଫଳ ହୋଇଛନ୍ତି । ପାଶ୍ଚାତ୍ୟ ଦେଶର ଆଣ୍ଟି ଟ୍ୟାଙ୍କ ମିଶାଇଲ ଆଗରେ ଏହି ଋଷୀୟ ଟ୍ୟାଙ୍କ ସବୁ ଫେଲ ହୋଇଛନ୍ତି । ମଧ୍ୟଯୁଗରେ ହାତୀ ଯୁଦ୍ଧରେ ମୁଖ୍ୟ ଭୂମିକା ନିର୍ବାହ କରୁଥିଲା । କିନ୍ତୁ ବାରୁଦର ଆବିଷ୍କାର ପରେ ହାତୀ ଯୁଦ୍ଧକ୍ଷେତ୍ରରୁ ଗାଏବ ହୋଇଗଲା । ସେହିଭଳି ଆଗକୁ ଯୁଦ୍ଧରୁ ଟ୍ୟାଙ୍କ ମଧ୍ୟ ଗାଏବ ହୋଇଯିବ କି ? କାରଣ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଟ୍ୟାଙ୍କ ସବୁ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସିଛନ୍ତି । କିନ୍ତୁ ଋଷ ଓ ୟୁକ୍ରେନ ଯୁଦ୍ଧ ପୁରା ଚିତ୍ରପଟ ବଦଳାଇ ଦେଇଛି । ଆମେରିକାର ଜ୍ୟାଭଲିନ୍,ସ୍ୱିଡେନ ଓ ବ୍ରିଟେନର ଏନଏଲଡବ୍ଲୁ ଆଣ୍ଟି ଟ୍ୟାଙ୍କ ମିଶାଇଲ ତଥା ଡ୍ରୋନ୍ ଆକ୍ରମଣରେ ଋଷର ପ୍ରାୟ ୧୪ଶହ ଟ୍ୟାଙ୍କ ନଷ୍ଟ ହୋଇଛନ୍ତି ।
ୟୁକ୍ରେନ ଯୁଦ୍ଧର କାହିଁକି ଫେଲ୍ ହେଲେ ଋଷ୍ ଟ୍ୟାଙ୍କ ?
୧୯୬୭ ମସିହାର ଇସ୍ରାଏଲ-ଆରବ ଯୁଦ୍ଧ ପରେ ୟୁକ୍ରେନ ଯୁଦ୍ଧରେ ସର୍ବାଧିକ ଟ୍ୟାଙ୍କ କ୍ଷତିଗ୍ରସ୍ତ ହୋଇଛନ୍ତି । ଋଷ ପାଖରେ ଆଧୁନିକ ଅସ୍ତ୍ରଶସ୍ତ୍ର ଥିବା ବେଳେ କେମିତି ଏମିତି ହେଲା ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ବୈଶୟକି କିମ୍ବା ରଣନୈତିକ କାରଣରୁ ଟ୍ୟାଙ୍କ ନଷ୍ଟ ହେଲେ ତାକୁ ନେଇ ଆଲୋଚନା ଚାଲିଛି । ଏହା ଭିତରେ ଟ୍ୟାଙ୍କ ଦାମି ବୋଝ ବୋଲି କିଛି କହିବାକୁ ଆରମ୍ଭ କଲେଣି । ଏମିତିରେ ଭାରତ ଭଳି ଦେଶ ଯାହା ପାଖରେ ଋଷ ନିର୍ମିତ ଟ୍ୟାଙ୍କ ଅଛି ସେମାନେ ମଧ୍ୟ ଭାବିବାକୁ ଆରମ୍ଭ କଲେଣି ଯେ, ଭବିଷ୍ୟତ ଯୁଦ୍ଦ ପାଇଁ ନିଜକୁ କେମିତି ପ୍ରସ୍ତୁତ କରାଯିବ ।
ଋଷ ଟ୍ୟାଙ୍କ ଫେଲ୍ ହେବାକୁ ନେଇ ପ୍ରତିରକ୍ଷା ବିଶେଷଜ୍ଞ ଭିନ୍ନ ମତ ରଖନ୍ତି । ସାମରିକ ବିଶେଷଜ୍ଞ ରମ୍ ଲିଙ୍କ ଅନୁସାରେ ଏହି ବିଫଳତା ପାଇଁ ଟ୍ୟାଙ୍କ ଦାୟୀ ନୁହନ୍ତି । ଏହା ମାନବୀୟ ଭୁଲ । କେଉଁଠି କେମିତି ଟ୍ୟାଙ୍କ ମୁତୟନ କରାଯିବ ତା’ର ପ୍ଲାନିଂରେ ଭୁଲକୁ ସେ ଦାୟୀ କରିଛନ୍ତି । ଏହା ସହିତ ଇନଫାଣ୍ଟ୍ରିର ସହଯୋଗ ଅଭାବକୁ ମଧ୍ୟ ସେ ଦାୟୀ କରିଛନ୍ତି ।
ଡ୍ରୋନ୍ ହେଉଛି ଟ୍ୟାଙ୍କର ବଡ଼ ଶତ୍ରୁ
ରବ ଲି’ଙ୍କ ଅନୁସାରେ ଋଷ ଟ୍ୟାଙ୍କ ନଷ୍ଟ କରୁଥିବା ୟୁକ୍ରେନ୍ କିନ୍ତୁ ପାଶ୍ଚାତ୍ୟ ରାଷ୍ଟ୍ରଙ୍କଠାରୁ ଟ୍ୟାଙ୍କ ଦାବି କରୁଛି । କାରଣ ୟୁକ୍ରେନ ଜାଣିଛି ଯେ, ଏହି ଟ୍ୟାଙ୍କକୁ ହିମାରସ ଭଳି ରକେଟ୍ ଲଂଚର ସହାୟତା ମିଳିଥାଏ । ଅନ୍ୟ ବିଶେଷଜ୍ଞଙ୍କ କହିବା ହେଉଛି ୟୁକ୍ରେନ ଯୁଦ୍ଧ ପୁରା ପରିଦୃଷ୍ୟ ବଦଳାଇ ଦେଇଛି । ଏଥର ଯୁଦ୍ଧ ଭାରି ଅସ୍ତ୍ର ଅପେକ୍ଷା ସ୍ମାର୍ଟ୍ ଅସ୍ତ୍ର ଦ୍ୱାରା ଲଢାଯିବ । ଟ୍ୟାଙ୍କ ସହିତ ଯୁଦ୍ଧ ପୋତ ଓ ଫାଇଟର ପ୍ଲେନ୍ ମଧ୍ୟ ପୁରୁଣାକାଳିଆ ହୋଇ ଗଲେଣି । ତେବେ ଏହାର କୌଣସି ସିଧା ଓ ସରଳ ଉତ୍ତର ନାହିଁ ।
ଋଷ ସେନା କିଛି ଭୁଲ ନିଶ୍ଚୟ କରିଛନ୍ତି । ଏହା ମଧ୍ୟ ସତ ଯେ, ଋଷୀୟ ଟ୍ୟାଙ୍କ କାଦୁଅରେ ଫସି ଯାଇଥିଲେ । ତେଣୁ ସେମାନେ ସହଜ ଶିକାର ହୋଇଥିଲେ । ୧୪ଶହ ଟ୍ୟାଙ୍କ ମଧ୍ୟରୁ ଅନେକକୁ ତ ତେଲ ସରିବା କାରଣରୁ ସୈନିକ ଛାଡି ଯାଇଥିଲେ । ଏହା ସହିତ ଋଷୀୟ ଟ୍ୟାଙ୍କର ଡିଜାଇନ୍ ଏମିତି ଯେ, ତାକୁ ସହଜରେ ଆମେରିକା ମିଶାଇଲ ଟାର୍ଗେଟ୍ କରିପାରିବେ । ବିଶେଷଜ୍ଞଙ୍କ କହିବା ହେଉଛି ଆଧୁନିକ ଯୁଦ୍ଧରେ ଟ୍ୟାଙ୍କର ସବୁଠାରୁ ବଡ଼ ଶତ୍ରୁ ହେଉଛି ଡ୍ରୋନ୍ । ଡ୍ରୋନ୍ ଆକ୍ରମଣରୁ ଟ୍ୟାଙ୍କକୁ ବଂଚାଇବାକୁ ହେଲେ ତାକୁ ଇଲେକଟ୍ରୋନିକ୍ ଆଖି ଓ କାନ ଦେବାକୁ ପଡିବ ।
ଭାରତ ପାଇଁ ଯକ୍ଷ ପ୍ରଶ୍ନ
ଭାରତର ଟ୍ୟାଙ୍କ ଟ୍ରୁପ୍ ମଧ୍ୟରୁ ଅଧିକାଂଶ ଋଷ ନିର୍ମିତ । ୟୁକ୍ରେନ୍ ଯୁଦ୍ଧରେ ଯଦି ଏହି ଟ୍ୟାଙ୍କ ସବୁ ଆମେରିକୀୟ ମିଶାଇଲର ସହଜ ଶିକାର ହୋଇଛନ୍ତି ତେବେ ଭବିଷ୍ୟତ ଯୁଦ୍ଧରେ ଭାରତକୁ ମଧ୍ୟ ସମାନ ସମସ୍ୟା ଓ ସଂକଟର ସମ୍ମୁଖୀନ ହେବାକୁ ପଡ଼ିବ । ଏବେ ଭାରତ ପାଇଁ ବଡ଼ ପ୍ରଶ୍ନ ହେଉଛି ସବୁ ଋଷ ଟ୍ୟାଙ୍କକୁ ବଦଳାଇବ ନା ଏହାର ଆଧୁନିକିକରଣ କରିବ ।