ୟୁକ୍ରେନ ଉପରେ ଋଷ ଆକ୍ରମଣକୁ ଏକ ମାସରୁ ଅଧିକ ସମୟ ହେଲାଣି । କେଇ ଘଣ୍ଟାରୁ କେଇ ଦିନ ମଧ୍ୟରେ ୟୁକ୍ରେନ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲର ସ୍ୱପ୍ନ ଦେଖିଥିବା ଭ୍ଲାଦିମିର ପୁଟିନଙ୍କ ପାଇଁ ଏହି ଯୁଦ୍ଧ ଏବେ ଦୁଃସ୍ୱପ୍ନରେ ପରିଣତ ହେଲାଣି । ବିଶ୍ୱର ଦୁଇ ନମ୍ବର ମହାଶକ୍ତି ଋଷ ୟୁକ୍ରେନରେ ଯେଉଁଭଳି ହରଡ଼ଘଣାରେ ପଡିଛି ତାହା ଦେଖିଲେ ଲାଗୁଛି ପୁଟିନଙ୍କ ପାଇଁ ତାଙ୍କ ଅଧିକ ଆତ୍ମବିଶ୍ୱାସ କାଳ ହୋଇଛି । ତେବେ ବିଶେଷଜ୍ଞଙ୍କ ଅନୁସାରେ ୭ଟି କାରଣ ପାଇଁ ଋଷ ୟୁକ୍ରେନ ଉପରେ ନିର୍ଣ୍ଣାୟକ ବିଜୟ ପାଇ ନାହିଁ । ଆସନ୍ତୁ ଜାଣିବା ଏହି ୭ କାରଣ ସବୁ କ’ଣ ।
୧. ଋଷର ସେନା ଉପରେ କମ ଖର୍ଚ୍ଚ
ଋଷ ଯଦିଓ ବିଶ୍ୱର ଦୁଇ ନମ୍ବର ସୁପରପାୱାର ତଥାପି ପ୍ରତିରକ୍ଷା ଖର୍ଚ୍ଚ ମାମଲାରେ ଏହା ଆମେରିକା,ଚୀନ୍ ଓ ଭାରତଠାରୁ ଢେର ପଛରେ ଅଛି । ପ୍ରତିରକ୍ଷା କ୍ଷେତ୍ରରେ କମ ଖର୍ଚ୍ଚର ଅର୍ଥ ହେଉଛି ସେନାର ଆଧୁନିକୀକରଣର ଅଭାବ । ୨୦୨୧ରେ ଆମେରିକାର ସାମରିକ ଖର୍ଚ୍ଚ ସବୁଠାରୁ ଅଧିକ ଥିଲା । ଆମେରିକା ଏହି ସମୟରେ ମୋଟ ୭୭୮ ଶହ କୋଟି ଡଲାର ଖର୍ଚ୍ଚ କରିଥିବା ବେଳେ ଚୀନ ୨୫୩ ଶହ କୋଟି ଡଲାର ଓ ଭାରତ ୭୨ ଶହ କୋଟି ଡଲାର ଖର୍ଚ୍ଚ କରିଥିଲା । ଅନ୍ୟପକ୍ଷରେ ଋଷ ଏହି ସମୟରେ ୬୧ ଶହ କୋଟି ଡଲାର ଖର୍ଚ୍ଚ କରିଥିଲା । ଋଷ ସୁପପାୱାର ଇମେଜ ଦୃଷ୍ଟିରୁ ଏହାକୁ ଆହୁରି ଖର୍ଚ୍ଚ କରିବାକୁ ପଡିବ ।
୨. ଆକାଶରେ ଆଧିପତ୍ୟ ବିସ୍ତାର କରିପାରିଲାନି ଋଷ
ଆଧୁନିକ ଯୁଦ୍ଧରେ ବାୟୁସେନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଯେଉଁ ଦେଶ ଆକାଶ ଉପରେ ନିଜ ବର୍ଚ୍ଚସ୍ୱ ସ୍ଥାପନ କରେ ସେହି ଦେଶ ହିଁ ଯୁଦ୍ଧ ଜିତେ । କିନ୍ତୁ ଯୁଦ୍ଧକୁ ମାସେ ବିତି ସାରିଥିଲେ ବି ଋଷ ବାୟୁସେନା ୟୁକ୍ରେନ୍ ଆକାଶ ଉପରେ ଏକାଧିପତ୍ୟ ପ୍ରତିଷ୍ଠା କରିବାରେ ବିଫଳ ହୋଇଛି । ଏୟାର ସୁପରିଅରିଟି ବା ବାୟୁ ଆଧିପତ୍ୟର ଅର୍ଥ ହେଉଛି କୌଣସି ଦେଶର ବାୟୁକ୍ଷେତ୍ର ଉପରେ ନିଜ ଅଧିକାର ପ୍ରତିଷ୍ଠା କରିବା,ଯେମିତି ବିରୋଧୀ ସେନାଆଡୁ ପ୍ରତିରୋଧର ସମ୍ଭାବନା ରହିବ ନାହିଁ । ଋଷ ପାଖରେ ସୁଖୋଇ-୩୦.,ସୁଖୋଇ ୩୫ ଓ ସୁଖୋଇ ୩୪ ଅଛି କିନ୍ତୁ ୟୁକ୍ରେନ୍ ଆକାଶ ଉପରେ ଏହା ନିଜ ଏକାଧିପତ୍ୟ ପ୍ରତିଷ୍ଠା କରିବାରେ ବିଫଳ ହୋଇଛି ।
ପୁଟିନ୍ ଯୁଦ୍ଧରେ ନିଜ ବାୟୁସେନାକୁ ଅଧିକ ବ୍ୟବହାର କରିବାକୁ ଚାହୁଁନଥିଲେ । ଏହାର ସୁଯୋଗ ନେଇ ୟୁକ୍ରେନ୍ ଋଷ ମିସାଇଲ ଲଂଚର ଓ ଟ୍ୟାଙ୍କକୁ ଧ୍ୱଂସ କରିଥିଲା । ତୁର୍କିର ଡ୍ରୋନ୍ ଏଥିରେ ୟୁକ୍ରେନକୁ ସାହାଯ୍ୟ କରିଥିଲା ।ଋଷ ବାୟୁସେନା ପାଖରେ ମଧ୍ୟ ପ୍ରିସିସନ୍ ଗାଇଡେଡ୍ ବମର ଅଭାବ ଥିଲା । ସିରିଆ ଯୁଦ୍ଧରେ ଅସଦ ସରକାରକୁ ଏହି ବମ ଋଷ ଯୋଗାଇ ଦେଇଥିଲା । ଫଳରେ ଋଷ ପାଖରେ ଷ୍ଟକର ଅଭାବ ଥିଲା । ଯାହା ଋଷକୁ ମହଙ୍ଗା ପଡିଛି ।
୩. ଋଷର ଯୋଜନା ଓ ସେନା ଟ୍ରେନିଂରେ ଅଭାବ
ୟୁକ୍ରେନ୍ ଯୁଦ୍ଧ ଋଷ ସୋର ଯୋଜନା ଓ ଟ୍ରେନିଂ ଅଭାବକୁ ପଦାରେ ପକାଇ ଦେଇଛି । ବିଶେଷଜ୍ଞଙ୍କ କହିବା ହେଉଛି ଯେ, ଋଷ ତା’ର ସୈନିକଙ୍କୁ ଯୁଦ୍ଧ ବାବଦରେ ଅନ୍ଧକାରରେ ରଖିଥିଲା । ଯୁଦ୍ଧ ଆରମ୍ଭ ହେବା ପରେ ମଧ୍ୟ ସେମାନଙ୍କୁ ଏହା ବାବଦରେ କିଛି ବି କୁହାଯାଇନଥିଲା । କେଉଁଠିକି ସେମାନେ ଯୁଦ୍ଧ ଲଢିବାକୁ ଯାଉଛନ୍ତି ସେ ବାବଦରେ ସୈନିକ ଜାଣିନଥିଲେ । ତେଣୁ ସୁଯୋଗ ମିଳିବା ମାତ୍ରେ ସୈନିକ ଆତ୍ମସମର୍ପଣ କରୁଛନ୍ତି । ଯୋଜନାର ଅଭାବ ଏହିଥିରୁ ଅନୁମାନିତ ହୁଏ ଯେ, ଯୁଦ୍ଧ ଆରମ୍ଭ ପ୍ରଥମ ଦୁଇ ସପ୍ତାହରେ ଋଷର ୫ରୁ ୬ ହଜାର ସୈନିକ ପ୍ରାଣ ହରାଇଥିଲେ । ଯାହାର ଅର୍ଥ ହେଉଛି ଦୈନିକ ୪ଶହରୁ ଅଧିକ ସୈନିକଙ୍କ ପ୍ରାଣହାନୀ । ଋଷର ଆଫଗାନିସ୍ତାନ ଯୁଦ୍ଧ କାଳରେ ମଧ୍ୟ ଦୈନିକ ଏତେ ସଂଖ୍ୟକ ସୈନିକ ପ୍ରାଣ ହରାଇନଥିଲେ । ସେତେବେଳେ ଦୈନିକ ସୈନିକଙ୍କ ମୃତ୍ୟୁ ସଂଖ୍ୟା ଥିଲା ହାରାହାରି ୫ ।
୪. ଲଜିସ୍ଟିକ୍ସ ଓ ସପ୍ଲାଏ ଲାଇନ୍
ୟୁକ୍ରେନ୍ ସେନା ଯୁଦ୍ଧରେ ଋଷର ଲଜିଷ୍ଟିକ୍ ଓ ସପ୍ଲାଏ ଲାଇନକୁ ଅଧିକ ଟାର୍ଗେଟ୍ କରିଛି । ଫଳରେ ଋଷର ଆଡଭାନ୍ସ ଟ୍ରୁପ ପାଖରେ ରଶଦ ପହଂଚିବାରେ ଅସୁବିଧା ସୃଷ୍ଟି ହୋଇଛି । ୟୁକ୍ରେନ ଋଷର ୬୦ ଫୁଏଲ ଟାଙ୍କକୁ ନଷ୍ଟ କରି ସାରିଛି । ଲଜିଷ୍ଟିକ ଲାଇନ୍ ଉପରେ ଆକ୍ରମଣ ପାଇଁ ଋଷ ସୈନିକ ସେତିକି ରପ୍ତାରରେ ଅଗ୍ରସର ହୋଇପାରୁନାହିଁ ଯେତିକି ଦ୍ରୁତ ଗତିରେ ଏହା ଗତି କରିବାର ଥିଲା । ଫଳରେ ଯୁଦ୍ଧ ଲମ୍ବା ଭିଡିଛି ।
୫.ପୁଟିନ୍ ୟୁକ୍ରେନକୁ କମ କରି ଦେଖିଥିଲେ
ନିଜଠାରୁ ୩୦ଗୁଣ ଛୋଟ ଦେଶକୁ ନେଇ ପୁଟିନ୍ ନିଶ୍ଚିତ ଥିଲେ । ପୁଟିନ୍ ଭାବୁଥିଲେ ଯେ, ୟୁକ୍ରେନକୁ ସହଜରେ ଅଧିକାର କରିହେବ । ସେ କେବେ ମଧ୍ୟ ଭାବିନଥିଲେ ଯେ, ୟୁକ୍ରେନର ସେନା ତାଙ୍କ ସେନାକୁ ଏମିତି କଡା ଟକ୍କର ଦେବ । ପୁଟିନ ଭାବିଥିଲେ ଯେ,ତାଙ୍କ ସେନା ମାତ୍ର କେଇ ଘଣ୍ଟା ମଧ୍ୟରେ ୟୁକ୍ରେନ ଉପରେ କବଜା କରିନେବ । ଏବେ କିନ୍ତୁ ମାସକ ପରେ ପୁଟିନ ଚକ୍ରବ୍ୟୁହରେ ଫସିଥିବା ଲାଗୁଛି । ୟୁକ୍ରେନର ୮୦ ଲକ୍ଷ ଋଷୀୟ ବଂଶୋଦ୍ଭବ ଋଷକୁ ସମର୍ଥନ କରିବେ ବୋଲି ପୁଟିନ୍ ଭାବିଥିଲେ କିନ୍ତୁ ସେଭଳି ହେଲା ନାହିଁ ।
୬. ୟୁକ୍ରେନୀୟଙ୍କ ମନୋବଳ ଓ ରାଷ୍ଟ୍ରପତିଙ୍କ ରଣନୀତି
ଋଷ ପାଇଁ ଯୁଦ୍ଧ ଏତେ ଲମ୍ବା ହେବା ପଛରେ ବଡ଼ କାରଣ ହେଉଛି ୟୁକ୍ରେନୀୟ ନାଗରିକଙ୍କ ମନୋବଳ ଓ ରାଷ୍ଟପତି ଜେଲେନସ୍କିଙ୍କ ନେତୃତ୍ୱ । କମେଡିଆନରୁ ରାଷ୍ଟ୍ରପତି ହୋଇଥିବା ଜେଲେନସ୍କିଙ୍କୁ ପୁଟିନ୍ କମ କରି ଆଙ୍କିଥିଲେ । କିନ୍ତୁ ଜେଲେନେସ୍କି ଯେଉଁଭଳି ନେତୃତ୍ୱ ଦେଲେ,ଆମେରିକାର ଦେଶତ୍ୟାଗ କରିବା ପ୍ରସ୍ତାବକୁ ପ୍ରତ୍ୟାଖାନ କରି ଦେଶରେ ରହିଲେ-ତାହା ୟୁକ୍ରେନର ସାଧାରଣ ନାଗରିକଙ୍କୁ ନୂଆ ବଳ ଓ ସାହସ ଦେଇଥିଲା । ୟୁକ୍ରେନର ସାଧାରଣ ନାଗରିକ ଅସ୍ତ୍ର ଉଠାଇବା ଦ୍ୱାରା ଋଷ ସେନା ପାଇଁ ସହରି ଯୁଦ୍ଧ ମରଣଯନ୍ତା ପାଲଟିଛି ।
୭. ନାଟୋ ଓ ଆମେରିକାର ସମର୍ଥନ
ଯେଉଁ ନାଟୋ ପାଇଁ ସବୁ ନାଟକ ଆରମ୍ଭ ହୋଇଥିଲା , ସେହି ନାଟୋ ଓ ଆମେରିକା ୟୁକ୍ରେନକୁ ଖୋଲାଖୋଲି ସମର୍ଥନ ଦେଇ ନାହିଁ । କିମ୍ବା ଏହାର ସୈନିକ ଋଷ ବିରୋଧରେ ଯୁଦ୍ଧକୁ ଓହ୍ଲାଇ ନାହାନ୍ତି କିନ୍ତୁ ନାଟୋ ଓ ଆମେରିକା ଅର୍ଥ ଓ ଶସ୍ତ୍ର ଯୋଗାଇ ଦେବା ମଧ୍ୟ ଯୁଦ୍ଧକୁ ଲମ୍ବା କରିଛି । ଋଷ ବିଜୟ ରାସ୍ତାରେ ନାଟୋ କଣ୍ଟା ହୋଇଛି ।