କୁକୁର ଓ ମଣିଷର ବନ୍ଧୁତାକୁ ନେଇ ଅନେକ କାହାଣୀ ରହିଛି । ନିଜ ଜୀବନ ବଦଳରେ କୁକୁର ମାଲିକର ଜୀବନ ବଂଚାଇବାର ଅନେକ ନଜର ରହିଛି । ମଣିଷ ଶିକାରୀ ଜୀବନ ଛାଡ଼ି କୃଷି ଆପଣାଇବା ଦିନଠାରୁ କୁକୁରକୁ ପୋଷା ମନେଇ ଥିଲା ବୋଲି କୁହାଯାଏ । କୁକୁର ଓ ମଣିଷର ବନ୍ଧୁତାର ବିଶ୍ୱାସ ଭରା ଏହି କାହଣୀ ଭିତରେ କିନ୍ତୁ ଗୋଟିଏ ବିଷ ବି ରହିଛି । ଏମିତି ବିଷ ଯାହା ଗଲା ୪ ହଜାର ୫ଶହ ବର୍ଷ ଧରି ମଣିଷକୁ ମାରୁଛି । କିନ୍ତୁ ଗ୍ରହଗ୍ରହାନ୍ତର ଯାତ୍ରା ଓ ମହାକାଶରେ ବସତି ସ୍ଥାପନର ସ୍ୱପ୍ନ ଦେଖୁଥିବା ମଣିଷ ସେହି ବିଷର ଉପଚାର ବାହାର କରିପାରିନାହିଁ । ସେହି ବିଷର ନାଁ ହେଉଛି ଜଳାନ୍ତକ ବା ରାବିସ । ଯାହା ଗତ ୪ହଜାରରୁ ଅଧିକ ବର୍ଷ ଧରି ମଣିଷକୁ ମାରିଚାଲିଛି ।
୪ ହଜାର ୫ଶହ ବର୍ଷର ଅଭିଶାପ
୪ ହଜାର ୫ଶହ ବର୍ଷରୁ ଅଧିକ ସମୟ ଧରି ଜଳାନ୍ତକ ବା ରାବିସ ଆମ ପାଖରେ ରହି ଆସିଛି । କୁକୁର ଓ ବିଲେଇ କାମୁଡିବା ଦ୍ୱାରା ଏହି ରୋଗ ହୋଇଥାଏ । ଏହା ଏତେ ମାରାତ୍ମକ ଯେ, ଥରେ ରାବିସ ହେଲେ ତାହେ ଆଉ କେବେ ଭଲ ହୁଏନା । ମୃତ୍ୟୁରେ ହିଁ ରୋଗିର କଷ୍ଟ ମରିଥାଏ । ଏହି ରୋଗ ଆଗରେ ମେଡିକାଲ ସାଇନ୍ସ ଫେଲ୍ ମାରିଛି । ପ୍ରତି ୧୦ ମିନଟରେ ଦୁନିଆରେ ଜଣେ ବ୍ୟକ୍ତି କୁକୁର ଓ ବିରାଡ଼ି କାମୁଡାରୁ ରାବିସର ଶିକାର ହୋଇଥାନ୍ତି । ବର୍ଷକୁ ୫୯ ହଜାର ବ୍ୟକ୍ତି ସମଗ୍ର ବିଶ୍ୱରେ ଜଳାନ୍ତକ କାରଣରୁ ପ୍ରାଣ ହରାଇଥାନ୍ତି । ଏସିଆ ଓ ଆଫ୍ରିକାରେ ରାବିସର ୯୫ ପ୍ରତିଶତ ମାମଲା ଦେଖିବାକୁ ମିଳିଥାଏ । ୯୦ ପ୍ରତିଶତ ଲୋକଙ୍କୁ କୁକୁର କାମୁଡା ଦ୍ୱାରା ଜଳାନ୍ତକ ହୋଇଥାଏ । ଦୁନିଆରେ ପ୍ରତି ୧୫ ମିନଟରେ ଜଣେ ବ୍ୟକ୍ତିଙ୍କର ଜଳାନ୍ତକ ନେଇଥାଏ ଜୀବନ । ଜଳାନ୍ତକରେ ମରୁଥିବା ୧୦ ଜଣଙ୍କ ମଧ୍ୟରୁ ୪ ଜଣ ଶିଶୁ ହୋଇଥାନ୍ତି ।
୭୨ ଘଣ୍ଟା ମଧ୍ୟରେ ଟିକା ନେବା ଜରୁରୀ,
କୁକୁର କିମ୍ବା ବିଲେଇ ଯଦି କାମୁଡେ ତେବେ ୭୨ ଘଣ୍ଟା ମଧ୍ୟରେ ଟିକା ନେବା ନିହାତି ଜରୁରୀ । ଏହାକୁ ଗୋଲ୍ଡେନ୍ ଆୱାର କୁହାଯାଏ । ଏହା ପରେ ଇଂଜକସନ୍ ନେବା ଦ୍ୱାରା କୌଣସି ଲାଭ ହୋଇନଥାଏ । ଆଗରୁ କୁକୁର କାମୁଡା ପାଇଁ ୧୪ରୁ ୧୬ ଇଂଜକସନ୍ ନେବାକୁ ପଡୁଥିଲା । ଏବେ କିନ୍ତୁ ଏହାର ସଂଖ୍ୟା କମି ୫ ହୋଇଯାଇଛି । ଅନେକ କିନ୍ତୁ ଅବହେଳା କାରଣରୁ ପୁରା କୋର୍ସ ନେଇନଥାନ୍ତି । ଯାହା ପରେ ମହଙ୍ଗା ପଡିଥାଏ । ତେଣୁ ସବୁବେଳେ ମନେ ରଖନ୍ତୁ କୁକୁର କିମ୍ବା ବିଲେଇ କାମୁଡି଼ଲେ ୭୨ ଘଣ୍ଟା ମଧ୍ୟରେ ଆଣ୍ଟି ରାବିସ୍ ଇଂଜକସନ୍ ନିଅନ୍ତୁ । ଏହାହିଁ ବଂଚିବାର ଏକମାତ୍ର ଉପାୟ ।
୨୫ ବର୍ଷ ପରେ ଫେରିଥାଏ ଜଳାନ୍ତକ !
ଅନେକ ସମୟରେ ଦେଖିବାକୁ ମିଳିଥାଏ ଯେ, କୁକୁର କିମ୍ବା ବିଲେଇ କାମୁଡି଼ବା ଦ୍ୱାରା ସଙ୍ଗେ ସଙ୍ଗେ କିଛି ହୋଇନଥାଏ । ଏପରିକି ବର୍ଷେ ପର୍ଯ୍ୟନ୍ତ ମଧ୍ୟ ଏହାର ଲକ୍ଷଣ ଦେଖିବାକୁ ମିଳିନଥାଏ । ବୈଜ୍ଞାନିକଙ୍କ ଅନୁସାରେ ଜଣେ ବ୍ୟକ୍ତିଙ୍କର ଇମ୍ୟୁନିଟି ସିଷ୍ଟମ ଯଦି ଶକ୍ତିଶାଳୀ ହୋଇଥାଏ ତେବେ ରାବିସର ଲକ୍ଷଣ ତୁରନ୍ତ ଦେଖିବାକୁ ମିଳିନଥାଏ । ଏହା ଶରିରରେ ଅନେକ ବର୍ଷ ଧରି ରହିଥାଏ । କିନ୍ତୁ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା ସହିତ ଏହା ଫେରିଥାଏ । ଗୋଆରେ ଏଭଳି ଗୋଟିଏ ମାମଲା ସାମ୍ନାକୁ ଆସିଥିଲା ଯେତେବେଳେ ଜଣେ ବ୍ୟକ୍ତିଙ୍କର କୁକୁର କାମୁଡିବାର ୨୫ ବର୍ଷ ପରେ ମୃତ୍ୟୁ ହୋଇଥିଲା ।
କୁକୁର କାମୁଡା ଦ୍ୱାରା ରକ୍ତାକ୍ତ ଭାରତ
ଦୁନିଆରେ ଯେତିକି ଜଳାନ୍ତକର ଶିକାର ହୁଅନ୍ତି ସେମାନଙ୍କ ମଧ୍ୟରୁ ୩୬ ପ୍ରତିଶତ ଭାରତର । ପ୍ରତିବର୍ଷ ଭାରତରେ ୧ କୋଟି ୭୪ ଲକ୍ଷ ଲୋକଙ୍କୁ କୁକୁର କାମୁଡି ଥାଏ । ସେମାନଙ୍କ ମଧ୍ୟରୁ ୨୦ ହଜାର ପ୍ରାଣ ହରାଇଥାନ୍ତି । ମୋଟ ଜଳାନ୍ତକ ମାମଲାର ୬୦ ପ୍ରତିଶତଙ୍କ ବୟସ ୧୫ ବର୍ଷରୁ କମ ହୋଇଥାଏ । ତେବେ କେବଳ କୁକୁର କିମ୍ବା ବିଲେଇ କାମୁଡା ଦ୍ୱାରା ରାବିସ ହୋଇନଥାଏ । ମାଙ୍କଡ କାମୁଡିଲେ ମଧ୍ୟ ଜଳାନ୍ତକ ହୋଇଥାଏ । ତେଣୁ ଯଦି ଆପଣଙ୍କୁ କେବେ ମାଙ୍କଡ,କୁକୁର କିମ୍ବା ବିଲେଇ କାମୁଡୁଛନ୍ତି ତେବେ ତୁରନ୍ତ ଆଣ୍ଟି ରାବିସ୍ ଇଂଜେକ୍ସନ ନିଅନ୍ତୁ । କାରଣ ଥରେ ଏହା ହେଲେ ଏଥିରୁ ବଂଚିବାର ଆଉ କୌଣସି ଉପାୟ ନାହିଁ ।