ପାକିସ୍ତାନରେ ଆର୍ଥିକ ସଂକଟ ଗମ୍ଭୀର ଥିବା କଥା ସମସ୍ତେ ଜାଣିଛନ୍ତି । ଅଟା,ଗ୍ୟାସ,ଟମାଟୋ ଦର ଆକାଶ ଛୁଆଁ ହୋଇ ଲୋକଙ୍କ ରୋଷେଇ ଘରୁ ଉଭାନ ହୋଇ ଯାଇଛି । ଆର୍ଥିକ ସଂକଟ କାରଣରୁ ଖାଲି ସାଧାରଣ ପାକିସ୍ତାନୀ ନାଗରିକ ହନ୍ତସନ୍ତ ହେଉଛନ୍ତି ତା’ନୁହେଁ ଏହାର ପ୍ରଭାବରେ ପାକିସ୍ତାନୀ ସରକାର ମଧ୍ୟ ଖର୍ଚ୍ଚ କାଟ କରିବାକୁ ବାଧ୍ୟ ହୋଇଛନ୍ତି । ଦେଶରେ ପେଟ୍ରୋଲ ରେଟ୍ ତ’ ଆଗରୁ ମହଙ୍ଗା ଥିଲା ଏବେ ଟଙ୍କା ଦେଲେ ମଧ୍ୟ ପେଟ୍ରୋଲ ମିଳୁନି । ଖୋଦ ସରକାର ଦେଖିଚାହିଁ ପେଟ୍ରୋଲ ପୋଡୁଛନ୍ତି । ଯାହାର ନଗଦ ଉଦାହରଣ ହେଉଛି ଯେ, ଆସନ୍ତା ନ୍ୟାସନାଲ ଡେ’ ପ୍ୟାରେଡରୁ ସେନାର ହତିଆର ବୁହା ଗାଡି଼ ସାମିଲ ହେବେ ନାହିଁ । ଠିକ୍ ପଢିଛନ୍ତି । ପାକିସ୍ତାନୀ ସେନା ପାଖରେ ନିଜ ଗାଡିରେ ତେଲ ଭର୍ତ୍ତି କରିବାକୁ ମଧ୍ୟ ଟଙ୍କା ନାହିଁ । ତେଣୁ ମାର୍ଚ୍ଚ୍ ୨୩ ତାରିଖରେ ହେବାକୁ ଥିବା ନ୍ୟାସନାଲ ଡେ’ ପ୍ୟାରେଡରେ ସେନାର ଗାଡ଼ି ସାମିଲ ହେବେ ନାହିଁ । କେବଳ ଏତିକି ନୁହେଁ ସମାରୋହକୁ କାଣ୍ଟଛାଣ୍ଟ କରି ଏହାକୁ ରାଷ୍ଟ୍ରପତି ଭବନରେ ଆୟୋଜିତ କରାଯିବ ବୋଲି ଶୁଣିବାକୁ ମିଳୁଛି ।
ପାକିସ୍ତାନ ଡେ’ରେ ଛୋଟ ପ୍ୟାରେଡ୍
ପାକିସ୍ତାନୀ ସେନା ପାକ୍ ଡେ’ ଅବସରରେ ଆୟୋଜିତ ହେବାକୁ ଥିବା ଜଏଣ୍ଟ୍ ସର୍ଭିସ ପ୍ୟାରେଡର ଆୟୋଜନ ଇସଲାମାବାଦ ସ୍ଥିତ ରାଷ୍ଟ୍ରପତି ଭବନ ଏବାର-ଏ-ସଦରରେ ଆୟୋଜିତ କରିବ । ଏଥିରେ ସୈନିକ ଅଂଶଗ୍ରହଣ କରିବେ କିନ୍ତୁ କୌଣସି ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରାଯିବ ନାହିଁ । କମ ସଂଖ୍ୟାରେ ଏୟାର କ୍ରାଫ୍ଟ ଫ୍ଲାଇଁ ପାଷ୍ଟ କରିବେ । ପାକିସ୍ତାନୀ ରାଷ୍ଟ୍ରପତି ଆରିଫ୍ ଅଲଭି ଏଥିରେ ମୁଖ୍ୟ ଅତିଥି ହେବେ । ତେବେ ଉତ୍ସବକୁ ସୀମିତ ସଂଖ୍ୟକ ଅତିଥିଙ୍କୁ ନିମନ୍ତ୍ରିତ କରାଯାଇଇଛି । କୌଣସି ବିଦେଶୀ ରାଷ୍ଟ୍ର ଅତିଥି ଛାଡନ୍ତୁ ପାକିସ୍ତାନର ବିଭିନ୍ନ ରାଜ୍ୟର ନେତା ଓ ସରକାରୀ କର୍ମଚାରୀଙ୍କୁ ମଧ୍ୟ ଉତ୍ସବକୁ ନିମନ୍ତ୍ରଣ କରାଯିବ ନାହିଁ ।
ଗମ୍ଭୀର ହେବାରେ ଲାଗିଛି ପାକିସ୍ତାନର ଆର୍ଥିକ ସଂକଟ
ପାକିସ୍ତାନରେ ଆର୍ଥିକ ସଂକଟ ଗମ୍ଭୀର ହେବାରେ ଲାଗିଛି । ଯାହାର ପ୍ରଭାବ ଲୋକଙ୍କ ଉପରେ ପଡ଼ୁଛି । ଆଗକୁ ଅଧିକ ପଡିବ । କାରଣ ସରକାର ମିନି ବଜେଟ୍ ଆଣି ଟ୍ୟାକ୍ସ ବଢାଇବାକୁ ମନ ସ୍ଥିର କରି ସାରିଛନ୍ତି । ରୋଷେଇ ଗ୍ୟାସ ଦର ଏତେ ଅଧିକ ଯେ, ଏହା ସାଧାରଣ ଲୋକଙ୍କ ହାତପାହନ୍ତାରେ ନାହିଁ । ଅଟା,ଡାଲି,ଚିନି,ପରିବା ଓ ମାଂସ ଦର ଆକାଶ ଛୁଆଁ ହୋଇ ସାରିଛି । ବୈଦେଶିକ ମୁଦ୍ରା ଅଭାବ କାରଣରୁ କୌଣସି ସାମଗ୍ରୀ ପାକିସ୍ତାନ ବିଦେଶରୁ ଆମଦାନୀ ମଧ୍ୟ କରିପାରୁନାହିଁ । ଅନ୍ୟପକ୍ଷରେ ପାକିସ୍ତାନର ଶେଷ ଭରସା ଆଇଏମଏଫ୍ ମଧ୍ୟ ଋଣ ଦେବା ପୂର୍ବରୁ ଅଧିକ ବିଚାର କରିବା ଉପରେ ଜୋର ଦେଇଛି । ଆଇଏମଏଫ୍ ଯଦି ମଧ୍ୟ ଋଣ ଦିଏ ତେବେ ଏହା ଟ୍ୟାକ୍ସ ବଢାଇବା ପାଇଁ ଚାପ ପ୍ରୟୋଗ କରିବ । ଏମିତିରେ ପାକିସ୍ତାନର ସାଧାରଣ ନାଗରିକଙ୍କ ଅବସ୍ଥା କ’ଣ ହେବା ତାହା ସମସ୍ତଙ୍କୁ ଜଣା ।
ପାକ୍ ସେନା ମୁଖ୍ୟଙ୍କ ଦାବୀ ମଧ୍ୟ ଫେଲ୍
ପାକ୍ ସେନା ମୁଖ୍ୟ ଅସିମ ମୁନିର ମଧ୍ୟ ଦେଶର ଆର୍ଥିକ ସଂକଟର ସମାଧାନ କରିବାକୁ ଅନେକ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କୁ ମଧ୍ୟ ବିଫଳ ହେବାକୁ ପଡ଼ିଛି । ପାକ୍ ସେନା ମୁଖ୍ୟ ଆମେରିକା,ସାଉଦି ଆରବ ଓ ମିଳିତ ଆରବ ଏମିରଟକୁ ଲୋନ୍ ଦେବାକୁ ନିବେଦନ କରିଥିଲେ । କିନ୍ତୁ ତାଙ୍କୁ କୌଣସି ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ମିଳିନାହିଁ । ସେ ଏହି ସବୁ ଦେଶ ଗସ୍ତ କରି ଆର୍ଥିକ ପ୍ୟାକେଜ ମାଗିଥିଲେ କିନ୍ତୁ ତାଙ୍କୁ ନିରାଶ ହେବାକୁ ପଡ଼ିଛି । ଏମିତିରେ ନିରାଶ ହୋଇ ସେନା ମୁଖ୍ୟ ଫଣ୍ଡରେ କାଣ୍ଟଛାଣ୍ଟ କରିବାକୁ ଘୋଷଣା କରିଛନ୍ତି ।