ମୂଲ୍ୟବୃଦ୍ଧି ଉପରେ ଲଗାମ କସିବାକୁ RBI ରେପୋ ରେଟରେ ଗତ ଏକ ବର୍ଷ ମଧ୍ୟରେ ଭାରି ବୃଦ୍ଧି କରିଛି । କେନ୍ଦ୍ରୀୟ ବ୍ୟାଙ୍କ ଲଗାତର ୬ ଥର ରେପୋ ରେଟ୍ ବଢ଼ାଇଛି । ଗତବର୍ଷ ଏପ୍ରିଲ ମାସରେ ଏହା ୪ ପ୍ରତିଶତ ଥିଲା । ଯାହା ଏବେ ବଢିକରି ହୋଇଛି ୬.୫ ପ୍ରତିଶତ । ଏହି କାରଣରୁ ବ୍ୟାଙ୍କ ମଧ୍ୟ ନିଜ ସୁଧ ଦର ବଢାଇଛନ୍ତି । ଯାହାର ସିଧା ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିଛି । ରେପୋ ରେଟ୍ ବୃଦ୍ଧି କାରଣରୁ ଲୋନ୍ ଉପରେ ସୁଧ ବଢିଛି । ଫଳରେ ଲୋକଙ୍କ ବଜେଟ୍ ବିଗିଡି ଯାଇଛି । ଲୋକ ଠିକ ସମୟରେ ନିଜ କିସ୍ତି ପୈଠ କରି ପାରୁନାହାନ୍ତି । ଡେରିରେ କିସ୍ତି ଦେବା କାରଣରୁ ବ୍ୟାଙ୍କ ନିଜ ଗ୍ରାହକଙ୍କଠାରୁ ଜରିମାନା ଆଦାୟ କରୁଛନ୍ତି । ସାଧରଣତଃ ବ୍ୟାଙ୍କ ଲେଟ୍ ଫିସ୍ ଭାବେ ଇଏମଆଇର ଏକ କିମ୍ବା ଦୁଇ ପ୍ରତିଶତ ପେନାଲ୍ଟି ଅସୁଲ କରିଥାନ୍ତି । ତେବେ ଋଣକାରୀଙ୍କୁ ଖୁବଶୀଘ୍ର ଏହି ଜୋରିମାନରୁ ନିସ୍ତାର ମିଳିପାରେ । RBI କହିଛି ଯେ, ବ୍ୟାଙ୍କ ଏଭଳି ଜରିମାନା ବାବଦରେ ଅଲଗା ଭାବେ ଡିଟେଲ ଦେଉ । କିସ୍ତି ଦେବାରେ ବିଳମ୍ବ କାରଣରୁ ଆଦାୟ କରାଯାଉଥିବା ଜରିମାନା ସମ୍ପୂର୍ଣ୍ଣ ଭାବେ ଅଲଗା ହେବ ବୋଲି RBI କହିଛି ।
ମୁଳ ସହ ମିଶାଇ ଆଦାୟ ହେଉଛି ସୁଧ !
ମିଡିଆ ରିପୋର୍ଟ ଅନୁସାରେ ଲୋନ୍ କିସ୍ତି ସୁଝିବାରେ ବିଳମ୍ବ ଉପରେ ଲାଗଥିବା ପେନାଲ୍ଟି ପାରଦର୍ଶୀ ହେବ । ଫେବୃଆରୀ ୮ ତାରିଖରେ ଏକ ବୈଠକ ପରେ ଆରବିଆଇ କହିଥିଲା ଯେ, ଖୁବଶୀଘ୍ର ଏନେଇ ଏକ ଡ୍ରାଫ୍ଟ ଗାଇଡଲାଇନ୍ ଜାରି ହେବ । ଏହା ଉପରେ ସମସ୍ତ ଷ୍ଟେକ୍ ହୋଲ୍ଡରଙ୍କ ପ୍ରତିକ୍ରିୟା ନିଆଯିବ । କୌଣସି ଜରିମାନା ଦଣ୍ଡାତ୍ମକ ସୁଧ ଭାବେ ଆଦାୟ କରାଯିବ ନାହିଁ ।ବର୍ତ୍ତମାନ କିସ୍ତି ସୁଝିବାରେ ବିଳମ୍ବ ହେଲେ ଦଣ୍ଡାତ୍ମକ ସୁଧ ଭାବେ ଜରିମାନା ଆଦାୟ କରାଯାଉଥିଲା । ସାଧାରଣତଃ ଏହା ଇଏମଆଇର ଏକ କିମ୍ବା ଦୁଇ ପ୍ରତିଶତ ହୋଇଥାଏ । ସବୁ ବ୍ୟାଙ୍କରେ ଏହି ରାଶି ଅଲଗା ହୋଇଥାଏ । ଏହାକୁ ଲୋନର ମୂଳ ରାଶୀ ସହିତ ଯୋଡାଯାଏ । ତେଣୁ ଏହା ଜଣା ପଡେ ନାହିଁ ଯେ, କିସ୍ତି ସୁଝିବାରେ ବିଳମ୍ବ ଉପରେ କେତେ ଜରିମାନା ଲାଗିଲା ।
କ’ଣ କରିବେ ?
ବିଶେଷଜ୍ଞଙ୍କ କହିବା ହେଉଛି ଯେ, ପେନାଲ ଇଣ୍ଟ୍ରେଷ୍ଟ୍ ବା ଦଣ୍ଡାତ୍ମକ ସୁଧ ଲୋନର ସାଇଜ୍ ଓ ପ୍ରକାର ଉପରେ ନିର୍ଭର କରିଥାଏ । ଏହାର ହିସାବ ବାର୍ଷିକ ଆଧାରରେ ହୋଇଥାଏ । ଯଦି ଆପଣଙ୍କ ବାର୍ଷିକ ପେନାଲ ଇଣ୍ଟ୍ରେଷ୍ଟ ୨୪ ପ୍ରତିଶତ ଓ ଆପଣ ୨୫ ହଜାର ଟଙ୍କାର ମାସିକ କିସ୍ତି ଦେବାରେ ବିଫଳ ହୋଇଛନ୍ତି ତେବେ ଦୁଇ ପ୍ରତିଶତ ହିସାବରେ ଆପଣଙ୍କୁ ମାସକୁ ୫ଶହ ଟଙ୍କ ଦେବାକୁ ପଡିବ । ଏବେ ବ୍ୟାଙ୍କଙ୍କୁ ଅଲଗା ଭାବେ ଜରିମାନ ନିର୍ଧାରିତ କରିବାକୁ ପଡ଼ିବ । କିସ୍ତି ସୁଝିବାରେ ବିଳମ୍ବ ଯୋଗୁ ଆପଣଙ୍କ ସିବିଲ୍ ସ୍କୋର ପ୍ରଭାବିତ ହୋଇଥାଏ । ବାରମ୍ବାର କିସ୍ତି ସୁଝିବାରେ ବିଫଳ ହେଲେ ରିକଭରି ଏଜେଣ୍ଟ୍ ମଧ୍ୟ ଆପଣଙ୍କୁ ବିରକ୍ତ କରିବେ । ତେଣୁ ସବୁବେଳ କିସ୍ତି ଟାଇମର ସୁଝନ୍ତି । ଯଦି ଆର୍ଥିକ ଅସୁବିଧା ଅଛି ତେବେ ବ୍ୟାଙ୍କ ସହିତ ସିଧା କଥା ହୁଅନ୍ତୁ । ବ୍ୟାଙ୍କ ଚାହିଁଲେ ଆପଣଙ୍କୁ ୬ ମାସ ପର୍ଯ୍ୟନ୍ତ କିସ୍ତି ନସୁଝିବାର ସୁବିଧା ଦେଇପାରିବ ।