ଅରୁଣାଚଳ ପ୍ରଦେଶକୁ ଲାଗିଥିବା ସୀମାରେ ଚୀନ୍ ସେନାର ଗତିବିଧି ପୁଣି ବଢିବାରେ ଲାଗିଛି । ନିକଟରେ ବୁମ ଲା’ ଖାଇ ନିକଟରେ ଚୀନ୍ ସେନା ଓ ଭାରତୀୟ ସୈନିକ ମୁହାଁମୁହିଁ ହୋଇଥିବା ଜଣା ପଡିଛି । ବୁମ୍ ଲା’ ମଧ୍ୟକୁ ଅନୁପ୍ରବେଶ କରିଥିବା ଚୀନ୍ ସେନାର ଏକ ଦଳକୁ ଭାରତୀୟ ସେନା ପଛକୁ ଫେରିବାକୁ ବାଧ୍ୟ କରିଥିଲେ । ଏହି ଘଟଣାର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଭାରତୀୟ ସେନା ପକ୍ଷରୁ ଏନେଇ ଆଧିକାରିକ ଭାବେ କିଛି ମଧ୍ୟ କୁହାଯାଇ ନାହିଁ ।
ବୁମ୍ ଲା’ ଖାଇର ଭିଡିଓ ବୋଲି କୁହାଯାଉଛି
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଅରୁଣାଚଳ ପ୍ରଦେଶର ବୁମ୍ ଲା’ ପାଖରେ ସୁଟ୍ କରାଯାଇଥିବା କୁହାଯାଇଛି । ୧୯୬୨ ଯୁଦ୍ଧ କାଳରେ ବୁମ୍ ଲା’ରେ ଦୁଇ ଦେଶର ସେନା ମଧ୍ୟରେ ସେଠାରେ ଭୟାବହ ଯୁଦ୍ଧ ହୋଇଥିଲା । ବର୍ତ୍ତମାନ ଏହି ଅଂଚଳରେ ଭାରତୀୟ ସେନା ଓ ଇଣ୍ଡୋ-ତିବତ୍ ବର୍ଡର ପୋଲିସ (ଆଇଟିବିପି) ମୁତ୍ତୟନ ଅଛି । ଭିଡିଓରେ ଗୋଟିଏ ଛୋଟ ନଦୀର ଗୋଟିଏ ପାର୍ଶ୍ୱରେ ଭାରତୀୟ ସୈନିକ ଓ ଆରପାଖରେ ଚୀନ୍ ସୈନିକ ଥିବାର ଦେଖାଯାଇଛି । ଏହି ଭିଡିଓରେ ଦୁଇ ଦେଶ ସୈନିକଙ୍କ ମଧ୍ୟରେ କଥାବାର୍ତ୍ତା ଚାଲୁଥିବା ଦେଖିବାକୁ ମିଳିଛି ।
ଭିଡିଓରେ କ’ଣ କଥା ହେଉଛନ୍ତି ଦୁଇ ଦେଶର ସୈନିକ ?
ଭିଡିଓରେ ଭାରତୀୟ ସେନାର ଜଣେ ଅଧିକାରୀ ଚୀନ୍ ସୈନିକଙ୍କ ଇଂରାଜୀରେ ଏହା କହୁଥିବାର ଶୁଣିବାକୁ ମିଳିଛି ଯେ, ଆମେ ସ୍ଥିତାବସ୍ଥା ବଜାୟ ରଖିବାରେ ବିଶ୍ୱାସ କରୁ । ଆପଣ ମଧ୍ୟ ବଜାୟ ରଖନ୍ତୁ । ଚୀନ୍ ସୈନିକ ଯବାବରେ କହୁଛନ୍ତି ଯେ, ହଁ,ହଁ ମୁଁ ବୁଝି ପାରୁଛି । ତା’ପରେ ଚୀନ ସୈନିକ ଜଣକ କହୁଛନ୍ତି ଯେ, ଆପଣଙ୍କ କମାଣ୍ଡର କହିଛନ୍ତି ଯେ ଆମେ ବୁମ୍ ଲା’ ପର୍ଯ୍ୟନ୍ତ ପଂହଚି ପାରିବୁ ଓ ଆପଣମାନେ ମଧ୍ୟ ସେଠାକୁ ଯାଇପାରିବେ । ଏହାଦ୍ୱାରା କିଛି ମଧ୍ୟ ଫରକ ପଡିବ ନାହିଁ । ଏହାର ଉତ୍ତରରେ ଭାରତୀୟ ସୈନିକ କହୁଛନ୍ତି ଯେ, ମୁଁ ଏ ବାବଦରେ ମୋ କମାଣ୍ଡରଙ୍କୁ ସ୍ପଷ୍ଟ କରିବି ।
ଅରୁଣାଚଳ ପ୍ରଦେଶରେ ୧୫ ସ୍ଥାନର ନାମ ବଦଳାଇ ସାରିଲାଣି ଚୀନ୍
ତାଜା ଭିଡିଓରେ କୌଣସି ତାରିଖର ଉଲ୍ଲେଖ ନାହିଁ । ତେବେ ଭିଡିଓ ନିକଟରେ ସୁଟ୍ ହୋଇଥିବା ଦାବି ହେଉଛି । କିଛିଦିନ ତଳେ ଚୀନ୍ ଅରୁଣାଚଳ ପ୍ରଦେଶର ୧୫ ସ୍ଥାନର ନାମ ବଦଳାଇ ଦେଇଥିଲା । ଏହି ସ୍ଥାନ ସବୁକୁ ଚୀନ୍ ନିଜ ମ୍ୟାପରେ ଦେଖାଇବାକୁ ଯୋଜନା କରୁଛି । ଭାରତୀୟ ଅଂଚଳ ଉପରେ ନିଜ ଦାବିକୁ ଅଧିକ ମଜବୁତ କରିବାକୁ ଚୀନ୍ ଏଭଳି କରୁଛି ।
ସୀମାରେ ଗାଁ ସ୍ଥାପନା କରୁଛି ଚୀନ୍
ଚୀନ୍ ବାସ୍ତବିକ ନିୟନ୍ତ୍ରଣରେଖା ନିକଟରେ ଆଧୁନିକ ଗାଁ ସ୍ଥାପନା କରୁଛି । ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ଭିତରେ ଏହି ଗାଁରେ ରହିବାକୁ ଚୀନ୍ ନାଗରିକ ଅମଙ୍ଗ ହେଉଛନ୍ତି । ତେବେ ଚୀନର କମ୍ୟୁନିଷ୍ଟ ସରକାର ଲୋଭ ଓ ଭୟ ଦେଖାଇ ଲୋକଙ୍କୁ ସେଠାରେ ରହିବାକୁ ବାଧ୍ୟ କରୁଛି । ଆମେରିକା ମଧ୍ୟ ଗୋଟିଏ ରିପୋର୍ଟରେ ଚୀନ୍ ଭାରତୀୟ ସୀମାକୁ ଲାଗି ନୂଆ ଗାଁ ପ୍ରତିଷ୍ଠା କରୁଥିବା ଦାବି କରିଥିଲା ।