ଫେବ୍ରୁଆରୀ ୧ ତାରିଖରେ ଆସେ ଭାରତ ସରକାରଙ୍କ ବଜେଟ । ବର୍ଷକ ପାଇଁ ସରକାରଙ୍କ ଆୟ ଓ ବ୍ୟୟର ଲେଖାଯୋଖା ହେଉଛି ବଜେଟ୍ । ସରକାର ଟଙ୍କାଏ ଆୟ କଲେ କେମିତି ସେହି ଟଙ୍କାକ ଖର୍ଚ୍ଚ କରନ୍ତି ଏହା ହେଉଛି ବଜେଟ୍ । ସାଧାରଣ ଜନତାଠାରୁ ଶିଳ୍ପପତି ସମସ୍ତଙ୍କ ଅପକ୍ଷା ଥାଏ ବଜେଟକୁ । କାରଣ ବଜେଟ ସେମାନଙ୍କ ଖର୍ଚ୍ଚ କମାଏ କିମ୍ବା ବଢାଏ । ତେବେ ଭାରତର ବଜେଟ୍ ଇତିହାସ କ’ଣ ? ରାଜାରାଜୁଡା ଅମଳରେ ମଧ୍ୟ ବଜେଟ୍ ବ୍ୟବସ୍ଥା ଥିଲା ନା ମନଇଛା ଖର୍ଚ୍ଚ ହେଉଥିଲା ? ଆସନ୍ତୁ ଜାଣିବା ଭାରତରେ ବଜେଟର ଇତିହାସ ବାବଦରେ ।
ବଜେଟ୍ କ’ଣ ?
ବଜେଟ୍ ଶବ୍ଦ ଆସିଛି ବଜ୍ ଶବ୍ଦରୁ । ଯାହାର ଅର୍ଥ ହେଉଛି ଛୋଟ ବ୍ୟାଗ୍ ବା ପର୍ସ । ୧୭୭୩ ମସିହାରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ସାର ରବର୍ଟ ୱାଲପୁଲ୍ ପ୍ରଥମ ଥର ପାଇଁ ଏହି ଶବ୍ଦକୁ ବ୍ୟବହାର କରିଥିଲେ । ସେ ସରକାରଙ୍କ ବର୍ଷକର ଆୟବ୍ୟୟର ଲେଖାଯୋଖା ହାଉସ୍ ଅଫ୍ ଲର୍ଡସରେ ରଖିବାକ ପାଇଁ ଦସ୍ତାବିଜ୍ ଗୋଟିଏ ଛୋଟିଆ ବ୍ୟାଗରେ ନେଇକି ଆସିଥିଲେ । ଆଉ ସଦସ୍ୟଙ୍କୁ ଦେଖାଇ କହିଥିଲେ ବଜେଟ୍ । ସେହିଠାରୁ ବଜେଟ୍ ଶବ୍ଦ ବ୍ୟବହାରକୁ ଆସିଥିଲା ।
ଭାରତରେ ବ୍ରଟିଶ ବଜେଟ୍
ସେହିସମୟରେ ଭାରତର ଗୋଟିଏ ବଡ଼ ଭାଗ ଉପରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀର ଅଧିକାର ହୋଇ ସାରିଥିଲା । ଏହାର ପାଖାପାଖି ୫୦ ବର୍ଷ ପରେ ୧୮୩୩ରେ ଇଷ୍ଟ୍ ଇଣ୍ଡିଆ କମ୍ପାନୀ ଏକ ଚାର୍ଟର ଆକ୍ଟ ଆଣିଥିଲା । ଏହି ଆଇନ୍ ଅନୁସାରେ ଭାରତରେ ଇଷ୍ଟ ଇଣ୍ଡିଆ କମ୍ପାନୀର ଗଭର୍ଣ୍ଣର ଜେନରାଲଙ୍କୁ ରାଜସ୍ୱ ନିୟନ୍ତ୍ରଣର ଅଧିକାରୀ ଦିଆଯାଇଥିଲା । ୧୮୫୭ର ସିପାହୀ ବିଦ୍ରୋହ ପରେ ଭାରତର ଶାସନ ଭାର ଇଷ୍ଟ ଇଣ୍ଡିଆ କମ୍ପାନୀ ହାତରୁ ମହାରାଣୀଙ୍କ ହାତକୁ ଯାଇଥିଲା । ୧୮ ଫେବ୍ରୁଆରୀ ୧୮୬୯ରେ ପ୍ରଥମ ଥର ପାଇଁ ଗଭର୍ଣ୍ଣର ଜେନରାଲଙ୍କ ଫାଇନାନ୍ସ ସଦସ୍ୟ ସାର ଜେମ୍ସ ୱିଲସନ୍ ଭାରତର ପ୍ରଥମ ବଜେଟ୍ ଉପସ୍ଥାପନ କରିଥିଲେ ।
ଭାରତରେ ବଜେଟ୍ ଇତିହାସ
ସ୍ୱାଧୀନ ଭାରତର ପ୍ରଥମ ବଜେଟକୁ ସନମୁଖମ୍ ସେଟ୍ଟି ପାର୍ଲାମେଣ୍ଟରେ ଉପସ୍ଥାପନ କରିଥିଲେ । ତେବେ ଇତିହାସରେ ଭାରତୀୟ ବଜେଟ୍ କଥା ଢେର ପୁରୁଣା । କୌଟଲ୍ୟଙ୍କ ଅର୍ଥଶାସ୍ତ୍ରରେ ବଜେଟକୁ ନେଇ ବିସ୍ତୃତ ଆଲୋଚନା ହୋଇଛି । ଅର୍ଥଶାସ୍ତ୍ର ଅନୁସାରେ ପ୍ରତିବର୍ଷ ଆରମ୍ଭରେ ଅର୍ଥମନ୍ତ୍ରୀ ରାଜାଙ୍କ ସାମ୍ନାରେ ବର୍ଷକର ଆୟବ୍ୟୟର ହିସାବ ରଖୁଥିଲେ । ହିସାବ ଖାତରେ ବର୍ଷ ଆରମ୍ଭରେ ରାଜକୋଶରେ କେତେ ଟଙ୍କା ଅଛି,ଗତବର୍ଷ କେତେ ଖର୍ଚ୍ଚ ହୋଇଛି ସେବାବଦରେ ତଥ୍ୟ ଥାଏ । ବଜେଟ୍ ଅନୁସାରେ ଯେଉଁ କାମ ପୁରା ହୋଇଯାଇଥାଏ ତାକୁ ‘ସିଦ୍ଧମ’ ଓ ଯାହା ସରିନଥାଏ ତାକୁ ‘କର୍ଣ୍ଣିୟ’ ବୋଲି କୁହାଯାଉଥିଲା ।
ତେବେ ମୌର୍ଯ୍ୟ ଶାସନର ବହୁ ପୂର୍ବରୁ ମଧ୍ୟ ବଜେଟ ଭାରତରେ ପ୍ରଚଳିତ ଥିଲା । ସିନ୍ଧ ସଭ୍ୟତାର ଧ୍ୱଂସାବଶେଷରୁ ଏହାର ପ୍ରମାଣ ମିଳିଥାଏ । ସିନ୍ଧ ସଭ୍ୟତାର ଧ୍ବଂସବଶେଷରୁ ସଭାଗୃହ ଆବିଷ୍କୃତ ହୋଇଛି । ଯାହାର ଅର୍ଥ ହେଉଛି ସେତେବେଳେ ମଧ୍ୟ ଲୋକ ଶାସନ ପାଇଁ ଏକାଠି ହେଉଥିଲେ । ଆଉ ଯଦି ଏକାଠି ହେଉଥିଲେ ତେବେ ନଗରର ବିଭିନ୍ନ ବିକାଶମୁଳକ କାର୍ଯ୍ୟ ବିଶୟରେ ଆଲୋଚନା କରୁଥିବେ । ଏହି ଆଲୋଚନାରେ ଆଗକୁ କ’ଣ କାମ ହେବ,କେମିତି ଖର୍ଚ୍ଚ ହେବ ତା’ଉପରେ ମଧ୍ୟ ଆଲୋଚନା ହେଉଥିବ । ତେଣୁ ସିନ୍ଧୁ ଘାଟିରେ ମଧ୍ୟ ବଜେଟ୍ ପ୍ରଚଳିତ ଥିଲା ବୋଲି କୁହାଯାଇପାରେ ।