୧୯୮୯ ମସିହାରେ ଚୀନ ରାଜଧାନୀ ବେଂଜିରେ ଛାତ୍ର ଗଣତାନ୍ତ୍ରିକ ଅଧିକାର ଦାବିରେ ବ୍ୟାପକ ବିକ୍ଷୋଭ କରିଥିଲେ । ସରକାରଙ୍କ ଦମନ ସତ୍ୱେ ଛାତ୍ରଛାତ୍ରୀ ରାସ୍ତା ଉପରେ କମ୍ୟୁନିଷ୍ଟ ସରକାରକୁ ବିରୋଧ କରିଥିଲେ । କମ୍ୟୁନିଷ୍ଟ ସରକାର ସେତେବେଳେ ଆନ୍ଦୋଳନକାରୀ ଛାତ୍ରଙ୍କ ଉପରେ ଟ୍ୟାଙ୍କ ଚଢାଇ ଆନ୍ଦୋଳନକୁ ଦାବି ଦେଇଥିଲେ । ସେହି ଆନ୍ଦୋଳନରେ ୧୦ ହଜାରରୁ ଅଧିକ ଛାତ୍ର ଓ ସାଧାରଣ ଜନତା ନିହତ ହୋଇଥିବା କୁହାଯାଏ । ତିଆନମେନ୍ ସ୍କୋୟାର ଆନ୍ଦୋଳନ ପରଠାରୁ ଚୀନରେ କମ୍ୟୁନିଷ୍ଟ ଶାସନ ବିରୋଧରେ ବଡ଼ ସ୍ୱର କେବେ ଶୁଣାଯାଇନଥିଲା । କିନ୍ତୁ କୋଭିଡ୍ ସବୁ ବଦଳାଇ ଦେଇଛି । ଚୀନ୍ ସରକାରଙ୍କ କଠୋର ଲକଡାଉନ୍ ନିଷ୍ପତି ବିରୋଧରେ ସାଧାରଣ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି । ରାସ୍ତା ଉପରେ ସି ଜିନ ପିଙ୍ଗ ଇସ୍ତଫା ଦିଅର ନାରା ଶୁଣିବାକୁ ମିଳୁଛି । କମ୍ୟୁନିଷ୍ଟ ସରକାର ଡାଉନ୍ ଡାଉନ୍ ସ୍ଲୋଗାନରେ କମ୍ପୁଛି ବେଜିଂ,ଝୁଆଙ୍ଗଝୋଉ ଭଳି ସହର । ଯାହାକୁ ନେଇ ଚୀନ୍ କମ୍ୟୁନିଷ୍ଟ ପାର୍ଟି ଓ ରାଷ୍ଟ୍ରପତି ସି ଜିନପିଙ୍ଗ ଭୟଭିତ ଥିବା କୁହାଯାଉଛି ।
ପୁଣିଥରେ ରାଜରାସ୍ତାରେ ଛାତ୍ର
ବେଜିଂର ସିନଗୁଆ ବିଶ୍ୱବିଦ୍ୟାଳୟର ହଜାର ହଜାର ଛାତ୍ର କମ୍ୟୁନିଷ୍ଟ ସରକାର ବିରୋଧରେ ବିଦ୍ରୋହର ସ୍ୱର ଉତ୍ତୋଳନ କରିଛନ୍ତି । ଏହି ଛାତ୍ରମାନଙ୍କ ହାତରେ ଥିବା ପ୍ଲାକର୍ଡରେ ସିନ୍ ଜିନ୍ ପିଙ୍ଗ ଓ କମ୍ୟୁନିଷ୍ଟ ସରକାର ବିରୋଧରେ ନାରା ରହିଛି । ଛାତ୍ର ସ୍ୱାଧିନ ଅଭିବ୍ୟକ୍ତି ଓ ଗଣତାନ୍ତ୍ରିକ ଅଧିକାର କଥା କହି ରାସ୍ତାରେ ଜମା ହେଉଛନ୍ତି । ଠିକ୍ ଏହିଭଳି ଆନ୍ଦୋଳନ ୫ ଏପ୍ରିଲ ୧୯୮୯ରେ ତିଆନମେନ୍ ସ୍କୋୟାରରେ ହୋଇଥିଲା । ଯାହାକୁ ଦମନ କରିବାକୁ ଚୀନ ସରକାରଙ୍କୁ ତିନି ମାସ ଲାଗିଥିଲା । ଛାତ୍ର ସି ଜିନ ପିଙ୍ଗଙ୍କୁ କ୍ଷମତା ଛାଡିବାକୁ ଦାବି କରୁଛନ୍ତି । ନୋ ଟୁ ଲକଡାଉନ୍,ଆମେ ଚାହୁଁ ସ୍ୱାଧିନତା ଭଳି ନାରା ଦେଇ ଛାତ୍ର ସି ଓ କମ୍ୟନିଷ୍ଟ ପାର୍ଟିକୁ ବିରୋଧ କରୁଛନ୍ତି ।
ମନେ ପଡ଼ୁଛି ତିଆନମେନ୍
ସାଂଘାଇ,ନାନଜିଙ୍ଗ ଓ ଗୁଆଙ୍ଗଝୋରେ ବିକ୍ଷୋଭ ବେଳେ ହିଂସର ଖବର ମିଳୁଛି । ସ୍ଥାନୀୟ ପୋଲିସ ସହିତ ଛାତ୍ରଙ୍କ ସଂଘର୍ଷ ହୋଇଥିବା ମଧ୍ୟ ଶୁଣିବାକୁ ମିଳୁଛି । ଏଣେ ବିଶେଷଜ୍ଞଙ୍କ ଅନୁସାରେ ତିଆନମେନ୍ ସ୍କୋୟାର ଆନ୍ଦୋଳନ ସହିତ ସାମଂଜସ୍ୟ ଥିବା ଏହି ବିରୋଧକୁ ଦବାଇବା ପାଇଁ ଜିନ ପିଙ୍ଗ୍ କଠୋର ପଦକ୍ଷେପ ନେବା ଏକରକମ ନିଶ୍ଚିତ ।
ସାଙ୍ଘାଇରେ ବେକାବୁ ଭିଡ଼
ଅଢେଇ କୋଟି ଜନସଂଖ୍ୟା ବିଶିଷ୍ଟ ସାଙ୍ଘାଇରେ ସ୍ଥିତି ନିୟନ୍ତ୍ରଣ ବାହାରେ ଥିବା କୁହାଯାଉଛି । ଏହି ମହାନଗରରେ ଜିନପିଙ୍ଗଙ୍କ ଇସ୍ତଫା ଦାବି ଜୋର ଧରିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଅନୁସାରେ ଗତ ତିନି ଦିନ ଧରି ସାଙ୍ଘାଇରେ ଗିରଫଦାରୀ ଜାରି ରହିଛି । ବିକ୍ଷୋଭକାରୀଙ୍କ ଉପରକୁ ଏବେ ଲଙ୍କା ଗୁଣ୍ଡ ପୋଲିସ ଫୋପାଡୁଛି । ଆଗକୁ ଗୁଳି ମାଡ଼ ମଧ୍ୟ ହୋଇପାରେ । ସାଂଘାଇରେ ବିକ୍ଷୋଭକାରୀ ‘ସିନଜିଆଙ୍ଗକୁ ଅନଲକ୍ କର’ ଜିନ ପିଙ୍ଗ୍ ଗାଦି ଛାଡ଼’,କମ୍ୟୁନିଷ୍ଟ ପାର୍ଟି ଗାଦି ଛାଡ଼ ଭଳି ନାରା ଦେଉଛନ୍ତି ।
ଜିରୋ କୋଭିଡ୍ ପଲିସି କ’ଣ ?
୨୦୨୦ରେ କୋଭିଡ ବିଶ୍ୱ ବ୍ୟାପି ଆତଙ୍କ ସୃଷ୍ଟି କରିଥିଲା । ସେହି ସମୟରେ ଚୀନ୍ ଉପରେ ଅସାବଧନତା ଓ ବୁହାନକୁ ଲକ୍ ନକରିବା ଆରୋପ ଲାଗିଥିଲା । ସେହି ସମୟରେ ଚୀନକୁ ଅଧିକ ଲଜ୍ଜିତ ନକରିବାକୁ ଜିନ ପିଙ୍ଗ୍ ଜିରୋ କୋଭିଡ୍ ନୀତି ଲାଗୁ କରିଥିଲେ । ଏହି ନୀତି କ୍ରମରେ ବ୍ୟାପକ କୋଭିଡ୍ ଟେଷ୍ଟିଂ ହୋଇଥାଏ । କଡା ଆଇସୋଲେସନ୍ ନିୟମ ପ୍ରଣୟନ କରାଯାଇଛି । ଯାତ୍ରା ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି ।ଏପରିକି ଲୋକାଲ ଲକଡାଉନ୍ ମଧ୍ୟ ଲାଗୁ ହେଉଛି । ଚୀନର ମାନିବା ହେଉଛି ଯେପର୍ଯ୍ୟନ୍ତ ଗୋଟିଏ ବି କୋଭିଡ୍ ମାମଲା ରହିବ ସେପର୍ଯ୍ୟନ୍ତ ଲକଡାଉନ୍ ଲାଗୁ ରହିବ । ସରକାର ଏହାକୁ ବିଜ୍ଞାନ ସମ୍ମତ କହୁଥିବା ବେଳେ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ଚୀନରେ ଅସନ୍ତୋଷ ଦାନା ବାନ୍ଧୁଛି ।