ୟୁକ୍ରେନ୍ ଓ ଋଷ ଯୁଦ୍ଧ ପରେ ହଜାର ହଜାର ସଂଖ୍ୟାରେ ଭାରତୀୟ ଛାତ୍ର ନିଜ ଦେଶକୁ ଫେରିଥିଲେ । ମେଡିକାଲ ପଢିବାକୁ ଯାଇଥିବା ଏହି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗୋଟିଏ ଯୁଦ୍ଧ ବରବାଦ କରି ଦେଇଥିଲା । ପ୍ରତିବର୍ଷ ଭାରତରୁ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ ମେଡିକାଲ ପଢିବା ପାଇଁ ବିଦେଶକୁ ଯାଇଥାନ୍ତି । ଭାରତୀୟ ବିଦ୍ୟାର୍ଥୀଙ୍କ ମଧ୍ୟରୁ ଅନେକ ମଧ୍ୟ ଏଥିପାଇଁ ଚୀନକୁ ବାଛିଥାନ୍ତି । ତେବେ ଏବେ ଭାରତ ସରକାରଙ୍କ ପକ୍ଷରୁ ଏକ ବିସ୍ତୃତ ଗାଇଡଲାଇନ୍ ଜାରି କରାଯାଇଛି । ଯେଉଁଥିରେ ଚୀନରେ ମେଡିକାଲ ଶିକ୍ଷା ପରେ ଯେଉଁ ସବୁ ସମସ୍ୟା ଆସିଥାଏ ସେବାବଦରେ ସତର୍କ କରାଯାଇଛି । ପରାମର୍ଶରେ କମ ମାର୍କ ରଖି ପାସ ହେବା,ଆଧିକାରିକ ଭାଷା ଭବେ ମାଣ୍ଡାରିନ୍ ଶିଖିବାର ବାଧ୍ୟତା ଓ ଭାରତରେ ପ୍ରାକ୍ଟିସ କରିବା ପାଇଁ ଥିବା କଠୋର ନିୟମ ବାବଦରେ ସୂଚନା ଦିଆଯାଇଛି ।
ଏହି ପରାମର୍ଶ ସେହି ସମୟରେ ଜାରି କରାଯାଇଛି ଯେତେବେଳେ ଚୀନର ମେଡିକାଲ କଲେଜରେ ପଢୁଥିବା ଭାରତୀୟ ଛାତ୍ର କୋଭିଡ୍ କାରଣରୁ ଗତ ଦୁଇ ବର୍ଷ ହେବ ଘରେ ବସିଛନ୍ତି । କାରଣ ଚୀନ ଏବେ ଭିସା ଦେବାରେ କଠୋରତା ଅବଲମ୍ବନ କରୁଛି । ଏକ ଅନୁମାନ ଅନୁସାରେ ଚୀନର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ବର୍ତ୍ତମାନ ୨୩ ହଜାରରୁ ଅଧିକ ଭାରତୀୟ ବିଦ୍ୟାର୍ଥୀ ପଢୁଛନ୍ତି । ଯେଉଁମାନଙ୍କ ମଧ୍ୟରୁ ଅଧିକ ସଂଖ୍ୟକ ହେଉଛନ୍ତି ମେଡିକାଲ ଛାତ୍ର । କୋଭିଡର ଦୁଇ ବର୍ଷ ପରେ ଚୀନ୍ ମାତ୍ର କିଛି ବଛାବଛା ଛାତ୍ରଙ୍କୁ ତା’ ଦେଶକୁ ଯିବା ପାଇଁ ଭିସା ପ୍ରଦାନ କରିଛି ।
ପୁରୁଣା ଛାତ୍ରା ଯାଇ ପାରୁନାହାନ୍ତି ଚୀନ
ଦୁଇ ବର୍ଷ ଧରି ଚୀନ୍ ଯାଇ ପାରୁନଥିବା ଅନେକ ଛାତ୍ର ଏବେ ସେଠାକୁ ଫେରିବାକୁ ସଂଘର୍ଷ କରୁଛନ୍ତି । କାରଣ ଚୀନକୁ ସିଧାସଳଖ ବିମାନ ଚଳାଚଳ ବନ୍ଦ ରହିଛି । କ୍ୱାରେଣ୍ଟାଇନ୍ କଟକଣାକୁ ଦେଖି ଦୁଇ ଦେଶ ମଧ୍ୟରେ ସୀମିତ ସଂଖ୍ୟକ ଉଡ଼ାଣ ପାଇଁ ଏବେ ଆଲୋଚନା ଚାଲିଛି । ଏହା ମଧ୍ୟରେ ଚୀନ କିନ୍ତୁ ନୂଆ ଛାତ୍ରାଙ୍କ ଆଡମିଶନ ଆରମ୍ଭ କଲାଣି । ଭାରତ ସମେତ ବିଦେଶରୁ ନୂଆ ଛାତ୍ର ସେଠାରେ ଆଡମିଶନ ନେଲେଣି । ଚୀନ୍ ପୁରୁଣା ଛାତ୍ରଙ୍କୁ ନିଜ ଦେଶକୁ ଆସିବା ପାଇଁ ଅନୁମତି ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ବେଳେ ନୂଆ ଆଡମିଶନକୁ କେମିତି ଅନୁମତି ଦେଉଛି ତାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି । ଏହି କାରଣରୁ ବେଜିଂ ସ୍ଥିତ ଭାରତୀୟ ଦୂତାବାସ ଗୁରୁବାର ଦିନ ସେହି ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ପରାମର୍ଶ ଜାରି କରିଛି ଯେଉଁମାନେ ଚୀନରେ ମେଡିକାଲ ଶିକ୍ଷା ନେବାକୁ ଚାହୁଁଛନ୍ତି । ପରାମର୍ଶରେ ଚୀନରେ ମେଡିକାଲ ପଢିବାରେ ଯେଉଁ ସବୁ ସମସ୍ୟା ଆସିପାରେ ତା’ ବାବଦରେ କୁହାଯାଇଛି ।
ଭାରତରେ ପ୍ରାକ୍ଟିସ କରିବାରେ ସମସ୍ୟା
ପଢା ସରିବା ପରେ ଭାରତରେ ପ୍ରାକ୍ଟିସ ପାଇଁ ଯେଉଁ ସବୁ ଯୋଗ୍ୟତା ହାସଲ କରିବାକୁ ପଡେ ଓ ସେଥିପାଇଁ ଥିବା କଠୋର ନିୟମ ବାବଦରେ ମଧ୍ୟ ସୂଚନା ଏହି ପରାମର୍ଶରେ ଦିଆଯାଇଛି । ପରାମର୍ଶରେ କୁହାଯାଇଛି ଯେ, ଚୀନରେ ପଢା ସାରିଥିବା ମେଡିକାଲ ଛାତ୍ରଙ୍କ ମଧ୍ୟରୁ ୨୦୧୫ରୁ ୨୦୨୧ ମଧ୍ୟରେ ମାତ୍ର ୧୬ ପ୍ରତିଶତ ହିଁ ଯୋଗ୍ୟତା ଅର୍ଜନ କରିପାରିଥିଲେ । ବାକି ୮୪ ପ୍ରତିଶତଙ୍କୁ ପ୍ରାକ୍ଟିସ ପାଇଁ ଅନୁମତି ମିଳିନଥିଲା । ଏହି ସମୟସୀମା ମଧ୍ୟରେ ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ ଦ୍ୱାରା ଆୟୋଜିତ ବିଦେଶୀ ଚିକିତ୍ସା ସ୍ମାତକ ପରିକ୍ଷାରେ ଚୀନରୁ ପଢା ସାରିଥିବା ୪୦ ହଜାର ୪୧୭ ଜଣଙ୍କ ମଧ୍ୟରୁ ମାତ୍ର ୬ ହଜାର ୩୮୭ ଜଣ ସଫଳ ହୋଇଥିଲେ । ବାକିଙ୍କୁ ଭାରତରେ ପ୍ରାକ୍ଟିସ କରିବାକୁ ଅନୁମତି ମିଳିନଥିଲା । ପରାମର୍ଶରେ ଭାରତୀୟ ଅଭିଭାବକଙ୍କୁ ଏହି ତଥ୍ୟକୁ ଗୁରୁତ୍ୱ ଦେଇ ନିଷ୍ପତି ନେବାକୁ କୁହାଯାଇଛି ।