ସାରା ବିଶ୍ୱ ପାଇଁ ଖୋଳିଥିବା ଗାତରେ ନିଜେ ପଡ଼ିଯାଇଛି ଚୀନ । ବିଶ୍ୱ ସହ ଜୈବିକ ଯୁଦ୍ଧ ମାନସିକ ନେଇ ଭୂତାଣୁ ଆବିଷ୍କାର କରିଥିବା ଚୀନରେ ଆଜି ଭୟଙ୍କର ସ୍ଥିତି । ସାରା ବିଶ୍ୱରେ କରୋନାର ପ୍ରକୋପ କମ୍ ଥିବା ବେଳେ ଚୀନରେ ଉଗ୍ରରୂପ ନେଉଛି ନୂଆ ଭାରିଆଣ୍ଟ । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି । ଏମିତିକି ପ୍ରତିଦିନ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଛି । ମେଡିକାଲରେ ରୋଗୀଙ୍କୁ ଭର୍ତ୍ତି ପାଇଁ ଯାଗା ମିଳୁନି । ଏଣେତେଣେ ପଡ଼ି ମୃ୍ତ୍ୟୁବରଣ କରୁଛନ୍ତି ଲୋକେ । ସେହିପରି ଅନ୍ତିମ ସଂସ୍କାର ପାଇଁ ମଧ୍ୟ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି । ସବୁଠି ହାହାକାର ସ୍ଥିତି । ଦେଶରେ ଏପରି ସ୍ଥିତିକୁ ନେଇ ଲୋକ ରାଜରାସ୍ତାକୁ ଓହ୍ଲାଇ ବିଦ୍ରୋହ କରୁଛନ୍ତି ।
ମହାମାରୀ ବିଶେଷଜ୍ଞ ମଧ୍ୟ ଅନୁମାନ କରିଛନ୍ତି ଯେ ଚୀନର ଅଧାରୁ ଅଧିକ ଜନସଂଖ୍ୟା କରୋନାର କବଳରେ ଆସିପାରନ୍ତି । ସଂକ୍ରମଣର ବୃଦ୍ଧି ଗତି ନେଇ ମହାମାରୀ ବିଶେଷଜ୍ଞ ଭୟଙ୍କର ଅନୁମାନ କରିଛନ୍ତି । ବ୍ଲୁମବର୍ଗ ନିଜର ଏକ ରିପୋର୍ଟରେ କହିଛି ଯେ ଚଳିତ ସପ୍ତାହରେ ଚୀନରେ ଗୋଟିଏ ଦିନରେ ୩.୭ କୋଟି ମାମଲା ସାମ୍ନାକୁ ଆସିପାରେ । ଏହି ସଂଖ୍ୟା ଏପର୍ଯ୍ୟନ୍ତ ସୁଦ୍ଧା ସବୁଠୁ ଅଧିକ ରହିବ । ବିଶେଷଜ୍ଞଙ୍କ କହିବା ଅନୁସାରେ ଜିରୋ କୋଭିଡ ପଲିସି ଆଧାରରେ ଚୀନ ସରକାର ପ୍ରଥମେ ଲୋକଙ୍କୁ ଘରେ ବନ୍ଦୀ ରଖିଥିଲେ । ଯେଉଁ କାରଣରୁ ସେମାନଙ୍କଠାରେ ଭୂତାଣୁରୋଧୀ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇପାରିନଥିଲା । ଏବେ ସବୁକିଛି ଅଚାନକ ଖୋଲିଦେଲେ, ଯେଉଁ କାରଣରୁ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ ଲିକ୍ ଦସ୍ତାବିଜର ଉଲ୍ଲେଖ କରି କହିଛି ଯେ ଚୀନର ନ୍ୟାସନାଲ ହେଲ୍ଥ କମିଶନଙ୍କ ଅନୁସାରେ ୧ରୁ ୨୦ ଡିସେମ୍ବର ମଧ୍ୟରେ ଦେଶରେ ପ୍ରାୟ ୨୫ କୋଟି ଲୋକ ସଂକ୍ରମିତ ହୋଇସାରିଛନ୍ତି । ଆଗକୁ କରୋନା ଭୟଙ୍କର ହେବ । ମହାମାରୀ ବିଶେଷଜ୍ଞ ଏରିକ ଫିଙ୍ଗଲ ଡିଙ୍ଗ ମଧ୍ୟ ଅନୁମାନ କରିଛନ୍ତି ଯେ ଆଗାମୀ ୯୦ ଦିନରେ ଚୀନର ୬୦ ପ୍ରତିଶତ ଏବଂ ବିଶ୍ୱର ୧୦ ପ୍ରତିଶତ ଜନସଂଖ୍ୟା କରୋନା ସଂକ୍ରମିତ ହେବାର ଆଶଙ୍କା ରହିଛି । ଯଦି ଏପରି ହୁଏ ତେବେ ଆଗାମୀ ତିନି ମାସରେ ହିଁ ଚୀନର ପ୍ରାୟ ୯୦ କୋଟି ଲୋକ କରୋନା ସଂକ୍ରମିତ ମିଳିବେ । ଏହି ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେବାର ମଧ୍ୟ ଆଶଙ୍କା ରହିଛି । ତେବେ ଏହାକୁ ଚୀନ କିପରୁ ମୁକାବିଲା କରିବ ସେନେଇ ମଧ୍ୟ କୌଣସି ସଠିକ ବାଟ ମିଳିନାହିଁ । ଚୀନ ସରକାର ଡିସେମ୍ବର ଆରମ୍ଭରେ ଜିରୋ କୋଭିଡ ପିଲିସି ହଟାଇ ଦେଇଥିଲେ । ସେବେଠୁ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଚୀନ ସରକାର କିନ୍ତୁ କରୋନା ମାମଲାର ସଠିକ ରେକର୍ଡ ସାର୍ବଜନୀନ କରିନାହାନ୍ତି । କିନ୍ତୁ ଚୀନ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁସାରେ ସହରରେ ପ୍ରତି ଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ମାମଲା ସାମ୍ନାକୁ ଆସିଛି । ଇଜୋୟାଙ୍ଗ ସହରରେ ରବିବାର ୧୦ ଲକ୍ଷରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି । ଅଧିକାରୀ ଆଶଙ୍କା କରିଛନ୍ତି ଯେ କିଛି ଦିନରେ ଏହି ସଂଖ୍ୟା ଡବଲ ହୋଇପାରେ । ଅର୍ଥାତ ଗୋଟିଏ ଦିନରେ ୨୦ ଲକ୍ଷ ଲେଖାଏଁ ମାମଲା ସାମ୍ନାକୁ ଆସିବ ।