ୟୁକ୍ରେନ୍ ଓ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଶନିବାର ଦିନ ଦଶମ ଦିନରେ ପ୍ରବେଶ କରିଛି । ଏହି ଦିନ ମଧ୍ୟ ଋଷ ତରଫରୁ ୟୁକ୍ରେନର ଦୁଇଟି ସହର ଉପରେ ଦୁଇ ଘଣ୍ଟା ପାଇଁ ଆକ୍ରମଣ ବନ୍ଦ କରିଥିଲା । ଫଳରେ ୟୁକ୍ରେନ୍ ମାରିୟୁପୋଲ ଓ ଭୋଲନୋଭୋଖା ସହରରେ ଅଟକ ଥିବା ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ଅପସାରଣ କରିଛି । ଅନ୍ୟପକ୍ଷରେ ଋଷ ସେନାର ଯେଉଁ ୬୪ କିମି ଲମ୍ବା ସେନା ଲାଇନକୁ ନେଇ ଚର୍ଚ୍ଚା ଚାଲିଥିଲା ତାକୁ ନେଇ ନୂଆ ସୂଚନା ମିଳିଛି । ନୂଆ ସୂଚନା ଋଷ ପାଇଁ ଭଲ ନୁହେଁ । କିଭ୍ ସିଟି ସେଣ୍ଟରଠାରୁ ୩୨ କିମି ଦୂରରେ ଅଟକି ଥିବା ଏହି ସେନା କନଭୟ ଚୀନ ପାଇଁ ଅଟକି ରହିଥିବା କୁହାଯାଉଛି ।
ଚୀନର ଶସ୍ତା ଟାୟାର ଋଷ ପାଇଁ ମହଙ୍ଗା ପଡିଲା
ବ୍ରିଟିଶ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ ଋଷର ଏହି ବିଶାଳକାୟ ସେନା କନଭୟ ୟୁକ୍ରେନ ପ୍ରତିରୋଧ, ଯାନ୍ତ୍ରିକ ତ୍ରୁଟି ଓ ଭିଡ କାରଣରୁ ଅଟକି ରହିଛି । ସେନାର ଏହି ଦଳ ଗତ ତିନି ଦିନରେ ମାତ୍ର କେଇ କିଲୋମିଟର ରାସ୍ତା ଅତିକ୍ରମ କରିଛି । ଆମେରିକା ଅନୁସାରେ ଋଷ ସେନାର ଏହି ଦଳ ଗତ ୨୪ରୁ ୩୬ ଘଣ୍ଟା ମଧ୍ୟରେ ମାତ୍ର କେଇ କିଲୋମିଟର ରାସ୍ତା ଅତିକ୍ରମ କରିଛି । ଆମେରିକା ଅନୁସାରେ ଋଷ ସୈନିକ ନିଜକୁ ପୁଣିଥର ସଂଗଠିତ କରୁଛନ୍ତି । ଋଷ ଚୀନଠାରୁ କିଣିଥିବା ଶସ୍ତା ଟାୟାର ପାଇଁ ଏହାର ଅନେକ ଗାଡି ରାସ୍ତାରେ ଅଟକି ରହିଛି । ଟାୟାର ପମ୍ପଚର କାରଣରୁ ଋଷ ସେନା ଆଗକୁ ବଢି ପାରୁନାହିଁ ।
ଆମେରିକୀୟ ସାମରିକ ଐତିହାସିକଙ୍କ ଘୋଷଣା
ପେଣ୍ଟାଗନରୁ ଅବସର ଗ୍ରହଣ କରିଥିବା ଆମେରିକୀୟ ସାମରିକ ଐତିହାସିକ ତଥା ବ୍ଲଗର ଟେଣ୍ଟ୍ ଟେଲେଙ୍କୋଙ୍କ ଅନୁସାରେ ଚୀନ ତିଆରି ଟାୟାର କାରଣରୁ ଋଷ ସେନାର ଗତି ଧିମା ପଡିଛି । ଟେଣ୍ଟ୍ ଦୀର୍ଘ ୧୦ ବର୍ଷ ଧରି ଆମେରିକା ସେନାର ବାହନ ଅଡିଟର ଭାବେ କାର୍ଯ୍ୟ କରିଥିଲେ । ସେ କହିଛନ୍ତି ଯେ, ଋଷର ଏହି ବିଶାଳ ସେନା ଲାଇନ୍ ରାସ୍ତାରେ ଅଟକି ରହିବାର ଗୋଟିଏ କାରଣ ଶସ୍ତା ଚୀନ୍ ଟାୟାର ହୋଇପାରେ । ସେ କାଦୁଅରେ ଫସିଥିବା ଋଷ ସେନାର ପେଣ୍ଟିର-ଏସ୍ ୧ କ୍ଷେପଣାସ୍ତ୍ର ସିଷ୍ଟମର ଏକ ଚିତ୍ର ସେୟାର କରିଛନ୍ତି । ତାଙ୍କ ଅନୁସାରେ ଅଧିକ ଦିନ ପାଇଁ ସେନା ଟ୍ରକକୁ ଗୋଟିଏ ସ୍ଥାନରେ ରଖିଲେ ଟାୟାର ଖରାପ ହୋଇଯାଏ ।
ଚୀନ ଟାୟାର ଗୁଣବତ୍ତା ପାଇଁ କୁଖ୍ୟାତ
ଆମେରିକୀୟ ଅର୍ଥନିତିଜ୍ଞ, ସରକାରୀ ପରାମର୍ଶଦାତ୍ତା ଓ ନିଜକୁ ଟାୟାର ଏକ୍ସପର୍ଟ ଭାବେ ଦାବି କରୁଥିବା ଆମେରିକୀୟ ନାଗରିକ କାର୍ଲ ମୁଥ ମଧ୍ୟ ଟେଣ୍ଟଙ୍କ ଦାବିକୁ ସମର୍ଥନ କରନ୍ତି । ସେ କହିଛନ୍ତି ଯେ, ଚୀନ ଟାୟାର କ୍ୱାଲିଟି ଦୁନିଆରେ ସବୁଠାରୁ ନିକୃଷ୍ଟ । ଚୀନ ଟାୟାର ଖୁବଶୀଘ୍ର ଘସି ହୋଇ ସରିଯାଏ ଓ ବାତାବରଣ ପ୍ରଭାବ ଦ୍ୱାରା ଅନ୍ୟ ଦେଶର ଟାୟାରଙ୍କ ତୁଳନାରେ ଅଧିକ ପ୍ରଭାବିତ ହୋଇଥାନ୍ତି । ଅଧିକ ଦିନ ପର୍ଯ୍ୟନ୍ତ ଭୂମି ସମ୍ପର୍କରେ ଆସିବା ଦ୍ୱାରା ଚୀନ୍ ଟାୟାର ଦୁର୍ବଳ ହୋଇଯାନ୍ତି । ଫଳରେ କାଦୁଅରେ ଫସିବାର ଅଧିକ ଆଶଙ୍କା ରହିଥାଏ । ଏହି କାରଣରୁ ଋଷ ସେନାର ବିଶାଳକାୟ କନଭୟ ତୀବ୍ର ଗତିରେ ଆଗକୁ ବଢି ପାରୁନାହିଁ ।