ମନ୍ତ୍ରୀ ଗୋଖାଦ୍ୟ ଖାଇ ଜେଲ ଯାଇଛନ୍ତି । ମନ୍ତ୍ରୀ ବେଡ୍ ତଳେ ନଗଦ ଲାଂଚ ଟଙ୍କା ଲୁଚାଇ ଧରା ପଡ଼ିଥିବାର ଢେର ନଜିର ରହିଛି । ଏବେ ପଢନ୍ତୁ ବହିଚୋର ମନ୍ତ୍ରୀଙ୍କ କାଣ୍ଡକାରଖାନା । ଦିନେ ମନ୍ତ୍ରୀ ଥିବା ଏହି ପୂର୍ବତନ ଟାଣୁଆ ନେତା ଏବେ ନଗଦାନଗଦି ଜେଲରୁ ବାହାରିଛନ୍ତି । ତେବେ ଜେଲରୁ ବାହାରିବା ପରେ ବି ତାଙ୍କ ଟେନସନ୍ କମ ହେଉନି । ଏବେ ତାଙ୍କ ୟୁନିଭର୍ସିଟି କାନ୍ଥଭିତରୁ ବାହାରିଛି ବହି । ବହି ପୁଣି ଏମିତି ସେମିତି ନୁହେଁ, ୧୭୭୪ ମସିହାରେ ତିଆରି ହୋଇଥିବା ଗୋଟିଏ ଲାଇବ୍ରେରିରୁ ପୂର୍ବତନ ମନ୍ତ୍ରୀ ଜଣକ ୧୦ ହଜାର ବହି ଚୋରାଇଥିଲେ । ଚୋରାଇଥିଲେ ତ ଚୋରାଇଥିଲେ ତାକୁ କାନ୍ଥରେ ସିମେଣ୍ଟ୍ ମାରି ଲୁଚାଇ ଦେଇଥିଲେ ।
କିଏ ବହିଚୋର ନେତା ?
ବହି ଚୋରି ଘଟଣାରେ ଯେଉଁ ମନ୍ତ୍ରୀଙ୍କ ନାମ ଆସୁଛି ସେ ହେଉଛନ୍ତି ଉତ୍ତର ପ୍ରଦେଶର ଦବଙ୍ଗ ନେତା ଆଜମ ଖାନ୍ । ଆଜମ ଖାନ ରାମପୁରର ଅଘୋଷିତ ରାଜା । ଆଜମଙ୍କର ଦୁଇ ଜଣ ପିଆଦା ଅନବର ଓ ସଲିମ ରାମପୁରର ମଦରାସା ଆଲିଆ ମ୍ୟୁଜିୟମରୁ ବହି ଚୋରି କରିଥିଲେ । ଆଜମ ସେହି ବହି ସବୁକୁ ନିଜର ଜୌହର ୟୁନିଭର୍ସିଟିର ଲିଫ୍ଟ କାନ୍ଥ ଭିତରେ ସିମେଣ୍ଟ୍ ମାରି ଲୁଚାଇ ରଖିଥିଲେ ।
କାନ୍ଥ ଭିତରେ ବହି !
କାନ୍ଥ ଭିତରେ ବହି ଲୁଚାଇ ରଖାଯାଇଛି ବୋଲି ପୋଲିସ ୪ ଦିନ ତଳେ ଜାଣିବାକୁ ପାଇଥିଲା । ଅନବର ଓ ସଲିମକୁ ୪ ଦିନ ତଳେ ଅଲଗା ମାମଲାରେ ପୋଲିସ ଗିରଫ କରିଥିଲା । ଏହି ସମୟରେ ମଦରସା ଆଲିୟାର ପ୍ରିନସିପାଲ ପୋଲିସକୁ ଅନବର ଓ ସଲିମକୁ ବହି ବାବଦରେ ଜେରା କରିବାକୁ ଅନୁରୋଧ କରିଥିଲେ । ପୋଲିସ ଅନୁରୋଧ ରକ୍ଷାକରି ଜେରା କରିଥିଲା । ଦୁଇ ଅଭିଯୁକ୍ତ ବରି ଜୌହର ବିଶ୍ୱବିଦ୍ୟାଳୟର କାନ୍ଥ ଭିତରେ ଥିବା କହିଥିଲେ. । ପୋଲିସ କାନ୍ଥ ଭାଙ୍ଗିବାକୁ ଲୋକ ନେଇ ବିଶ୍ୱବିଦ୍ୟାଳୟ ପରିସରରେ ପହଂଚିଥିଲା । ସେଠାରେ କାନ୍ଥ ଭାଙ୍ଗିଥିଲା ଓ ବାହାରିଥିଲା ବହି ।
ମ୍ୟୁଜିୟମର ଇତିହାସ
୧୭୭୪ ମସିହାରେ ରାମପୁରର ନବାବ ଏହି ମଦରାସାକୁ ସ୍ଥାପନ କରିଥିଲେ । ନବାବ ପରିବାରର ବଂଶଧର ବହି ସବୁ ଐତିହାସିକ ବୋଲି ଦାବି କରନ୍ତି । ନବାବ ପରିବାର ସହିତ ଆଜମ ଖାନଙ୍କ ବିବାଦ ମଧ୍ୟ ଐତିହାସିକ । ଦିନେ ଆଜମ ନବାବ ପରିବାର କର୍ମଚାରୀ ଥିଲେ । ପରେ ସେ ରାଜନୈତିକ ପ୍ରତିଦ୍ୱନ୍ଦ୍ବୀ ହୋଇଥିଲେ । ନବାବ ପରିବାର ଅନୁସାରେ ରାମପୁରର ଜାମା ମସଜିଦ ନିର୍ମାଣ କରିଥିବା ନବାବ କଲବେ ଅଲ୍ଲି ଖାନଙ୍କ ‘ଶାୟରୀ କା ଦିବାନ’ ପୁସ୍ତକ ମଧ୍ୟ ଜୋହର ବିଶ୍ୱବିଦ୍ୟାଳୟ କାନ୍ଥ ଭିତରୁ ବାହାରିଛି । କଲବେ ମିର୍ଜା ଗାଲିବଙ୍କ ଶିଶ୍ୟ ଥିଲେ ।୨୦୧୬ ମସିହାରେ ଓରିଏଣ୍ଟାଲ କଲେଜ (ମଦରାସା ଆଲିୟା)ରୁ ୧୦ ହଜାରରୁ ଅଧିକ ବହି ଚୋରି ହୋଇଥିଲା । ଆଜମ ଖାନ,ତାଙ୍କ ପତ୍ନୀ ଓ ପୁଅ ବହି ଚୋରି କରିଥିବା କଥା ସେତେବେଳେ ନବାବ ପରିବାର ଅଭିଯୋଗ କରିଥିଲେ ।
ଖାଲି ବହି ନୁହେଁ ପୋଲିସ ମଧ୍ୟ ବିଶ୍ୱବିଦ୍ୟାଳୟ ପରିସରରୁ ମାଟି ତଳ ପୋତା ହୋଇଥିବା ଗୋଟିଏ ଅଟୋମେଟିକ୍ ସୁଇପିଂ ମେସିନ ମଧ୍ୟ ଉଦ୍ଧାର କରିଛି । ରାମପୁର ମୁନସିପାଲିଟି ଏହି ସୁଇପିଂ ମେସିନକୁ ସହର ଓଳାଇବାକୁ କିଣିଥିଲା । କିନ୍ତୁ ଆଜମ ଖାନ ତାକୁ ଜବରଦସ୍ତ ଆଣି ନିଜ ବିଶ୍ୱବିଦ୍ୟାଳୟ ପରିସର ଓଳାଉଥିଲେ । ସମାଜବାଦୀ ପାର୍ଟି ସରକାର ଗଲା ପରେ ତାକୁ ପୋତି ଦେଇଥିଲେ ।