ପାନାମ ପେପର୍ସ ପରେ ଏବେ ପାକିସ୍ତାନରେ ସୁଇସ୍ ସିକ୍ରେଟକୁ ନେଇ ଆସିଛି ଝଡ଼ । ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟ ଅଖତର ଅବ୍ଦୁର ରହମାନ ଖାନ୍ ଙ୍କ ନାମରେ ସୁଇସ୍ ବ୍ୟାଙ୍କରେ କୋଟି କୋଟି ଟଙ୍କା ଜମା ଥିବା ଏକ ଜର୍ମାନୀ ଖବରକାଗଜ ଦାବି କରିଛି ।
ସୁଇସ୍ ସିକ୍ରେଟ୍ସ
ସୁଇସ୍ ସିକ୍ରେଟ୍ସ ନାମରେ ଜଣା ଯାଉଥିବା ତଥ୍ୟର ଏହି ବିଶାଳ ଭଣ୍ଡାର ଏକ ଜର୍ମାନୀ ଖବରକାଗଜ ସୁଦେଉତ୍ସେ ଜିତୁଙ୍ଗକୁ ଜଣେ ବ୍ୟକ୍ତି ପ୍ରଦାନ କରିଥିଲେ । ତଥ୍ୟା ପ୍ରଦାନକାରୀଙ୍କ ଦାବି ଯେ, ଏଥିରେ ବିଶ୍ୱର କୁଖ୍ୟାତ ଡ୍ରଗ୍ ମାଫିଆ, ଭ୍ରଷ୍ଟ ନେତା ଓ ଅଧିକାରୀଙ୍କ ସୁଇସ୍ ବ୍ୟାଙ୍କ ଆକାଉଣ୍ଟ୍ ତଥ୍ୟ ରହିଛି । ସଂଗଠିତ ଅପରାଧ ଓ ଦୁର୍ନିତୀ ରିପୋର୍ଟିଂ ପ୍ରୋଜେକ୍ଟ ଅନୁସାରେ ଦୁନିଆର ସାମ୍ବାଦିକଙ୍କ ଏକ ନେଟୱର୍କ ଏହି ତଥ୍ୟର ବିଶ୍ଲେଷଣ କରୁଛି । ସେମାନଙ୍କ ଅନୁସାରେ ୮ ବିଲିୟନ ଡଲାରରୁ ଅଧିକ ଧନ ସୁଇସ୍ ବ୍ୟାଙ୍କରେ ଲୁଚାଇ ରଖାଯାଇଛି ।
ସିଆଇଏ ଦେଇଥିଲା ଟଙ୍କା, ମାରିନେଲେ ଆଇଏସଆଇ ମୁଖ୍ୟ !
ରିପୋର୍ଟରେ କୁହାଯାଇଛି ଯେ,ଡାଟରେ ସେହି ଖାତାକୁ ସାମିଲ କରାଯାଇଥିଲା ଯାହା ୧୯୪୦ରୁ ୨୦୧୦ ପର୍ଯ୍ୟନ୍ତ ଖୋଲାଯାଇଥିଲା । ଦ ନ୍ୟୁୟର୍କ ଟାଇମ୍ସ ଅନୁସାରେ ବରିଷ୍ଠ ଗୁଇନ୍ଦା ଅଧିକାରୀ ଓ ଅନେକ ଦେଶଙ୍କୁ ଏହି ଅବଧିରେ ଆମେରିକା ସାହାଯ୍ୟ କରିଥିଲା । ଖବରକାଗଜ ଅନୁସାରେ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇକୁ ଶିତଳଯୁଦ୍ଧ କାଳରେ ଆମେରିକା ଆର୍ଥିକ ସାହାଯ୍ୟ ଦେଇଥିଲା । ସୋଭିଏତ ଋଷ ବିରୋଧରେ ଆଫଗାନି ମୁଜାହିଦ୍ଦିନଙ୍କୁ ସାହାଯ୍ୟ କରିବା ପାଇଁ ଦିଆଯାଉଥିବା ଟଙ୍କାକୁ ସେସମୟର ଆଇଏସଆଇ ମୁଖ୍ୟ ଜେନରାଲ ଅଖତର ଅବ୍ଦୁର ରହମାନ ହରଣଚାଳ କରିଥିଲେ । ଟାଇମ୍ସ ଅନୁସାରେ ଅଖତର ୧୯୮୫ ମସିହାରେ ନିଜର ତିନି ପୁଅଙ୍କ ନାମରେ ଗୋଟିଏ ଖାତା ଖୋଲିଥିଲେ । ଆଉ ସେହି ଖାତାରେ କୋଟିକୋଟି ଟଙ୍କା ରଖାଯାଇଥିଲା । ତେବେ ଏହାକୁ ନେଇ ଅଖତରଙ୍କ ବିରୋଧରେ କେବେ ମଧ୍ୟ ପାକିସ୍ତାନରେ କୌଣସି ଅଭିଯୋଗ ହୋଇନଥିଲା ।
ଟାଇମ୍ସ ଅନୁସାରେ ୧୯୮୫ରେ ଯେଉଁ ଟଙ୍କା ରଖାଯାଇଥିଲା ତାହା ଏବେ ବଢିକରି ୩.୭ ମିଲିୟନ ଡଲାର ହୋଇଛି । ପାକିସ୍ତାନୀ ମୁଦ୍ରାରେ ଏହା ୨୫ ହଜାର କୋଟି ଟଙ୍କାରୁ ଅଧିକ । ରିପୋର୍ଟ ଅନୁସାରେ ଆଫଗାନିସ୍ତାନରେ ସୋଭିଏତ ଉପସ୍ଥିତି ସମୟରେ ମୁଜାହିଦ୍ଦିନଙ୍କୁ ସହାୟତା ଭାବେ ସାଉଦି ଆରବ ଓ ଆମେରିକା ଟଙ୍କା ଯୋଗାଉଥିଲା । ଏହି କ୍ରମରେ ଟଙ୍କା ଆଇଏସଆଇ ମୁଖ୍ୟଙ୍କ ପାଖକୁ ଆସୁଥିଲା । ଯାହାକୁ ସେ ନିଜ ପୁଅମାନଙ୍କ ନାମରେ ସୁଇସ୍ ବ୍ୟାଙ୍କରେ ରଖିଥିଲେ ।
ହଂକଂର ଷ୍ଟକ୍ କାରବାରୀଙ୍କ ନାମ ମଧ୍ୟ ତାଲିକାରେ ଅଛି
ରିପୋର୍ଟରେ ହଂକଂର ଷ୍ଟକ୍ ବ୍ୟବସାୟୀଙ୍କ ନାମ ମଧ୍ୟ ସାମିଲ ଅଛି । ଯିଏ ଲାଂଚ ନେବା ଅଭିଯୋଗରେ ଥରେ ଜେଲ ମଧ୍ୟ ଯାଇଛନ୍ତି । ସେହିଭଳି ଭାଟିକାନ ସିଟିର ଜଣେ ଧର୍ମଗୁରୁଙ୍କ ନାମ ମଧ୍ୟ ତାଲିକାରେ ରହିଛି । ରିପୋର୍ଟରେ ବିଶ୍ୱର ୧୫ ଗୁଇନ୍ଦା ଏଜେନ୍ସିର ଅଧିକାରୀ କିମ୍ବା ସେମାନଙ୍କ ପରିବାର ଲୋକଙ୍କ ନାମ ରହିଛି, ଯେଉଁମାନେ କ୍ରେଡିଟ୍ ସୁଇସରେ ଖାତା ଖୋଲିଥିଲେ ।