ସାୟରେଟ୍ ମଟକାଲ (ଏସଏଏସ) । ଏସଏଏସ ଗାଜାର ଯୁଦ୍ଧଭୂମିକୁ ପ୍ରବେଶ କରିବ । ମଟକଲର ନାମ ଶୁଣି ଏବେଠାରୁ ହମାସର ଆତଙ୍କବାଦୀ ପ୍ରମାଦ ଗଣିଲେଣି । କାରଣ ମଟକଲ ହେଉଛି ଏମିତି ଗୋଟିଏ ସ୍ପେଶାଲ ୟୁନିଟ୍ ଯାହା କେବେ ନିଜ ମିଶନରେ ଫେଲ ହୋଇନି । ମଟକଲ ଉଗାଣ୍ଡାରେ ପସି ଆତଙ୍କବାଦୀଙ୍କୁ ହତ୍ୟା କରି ବିମାନଯାତ୍ରୀଙ୍କୁ ଉଦ୍ଧାର କରିଥିଲା । ମଟକଲ ସେହି ୟୁନିଟ୍ ଯେଉଁଥିରୁ ବାହାରିଛନ୍ତି ଦୁଇ ଦୁଇ ଜଣ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ।
ଶନିବାର ଆକ୍ରମଣ ପରେ ହମାସ ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ୧୪୦ ଇସ୍ରାଏଲୀ ନାଗରିକଙ୍କୁ ଉଦ୍ଧାର କରିବାକୁ ଏହି ୟୁନିଟକୁ ମୁତ୍ତୟନ କରାଯିବ । ତେବେ ବନ୍ଧକଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ରଖାଯାଇଥିବାରୁ ଅପରେସନ୍ ବେସ ମୁସ୍କିଲ ହେବାକୁ ଯାଉଛି । ଏହି ୟୁନିଟର ଗଠନ ୧୯୫୭ ମସିହାରେ ହୋଇଥିଲା । ସେବେଠାରୁ ଏପର୍ଯ୍ୟନ୍ତ ଏହି ୟୁନିଟ୍ ଅନେକ ଯୁଦ୍ଧରେ ସାମିଲ ହୋଇଛି । ଏସଏଏସର ବିଶେଷତା ଏହା ଯେ, ସବୁ ଅପରେସନରେ ଏହା ଶତ ପ୍ରତିଶତ ସଫଳତା ପାଇଛି ।
ଏସଏଏସର ସଫଳ ଅପରେନ
ଏସଏଏସର ପୂର୍ବତନ କମାଣ୍ଡର ହେଉଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ବେଞ୍ଜାମିନଙ୍କ ଭାଇ ୟୋନାତନ ମଧ୍ଯ ଏହି ୟୁନିଟରେ କମାଣ୍ଡୋ ଥିଲେ । ଉଗାଣ୍ଡାରେ ଏକ ଅପରେସନ କାଳରେ ତାଙ୍କର ମୃତ୍ୟୁ ହୋଇଥିଲା । ବେଞ୍ଜାମିନଙ୍କ ବ୍ୟତିତ ଆଉ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ଏହୁଦ ବରାକ ମଧ୍ଯ ଏହି ୟୁନିଟରେ କାମ କରିଛନ୍ତି । ପାଲେଷ୍ଟାଇନ୍ ଆତଙ୍କବାଦୀ ୧୯୭୦ ଦଶକର ମଧ୍ଯଭାଗରେ ଏକ ଇସ୍ରାଏଲି ବିମାନ ଅପହରଣ କରିନେଇଥିଲେ । ବିମାନକୁ ଉଗାଣ୍ଡାରେ ଅବତରଣ କରାଇଥିଲେ । ଉଗାଣ୍ଡାର ଏକଛତ୍ରବାଦୀ ଶାସକ ଇଦି ଆମିନ ଆତଙ୍କବାଦୀଙ୍କୁ ସମର୍ଥନ ଦେଇଥିଲେ । ଏସଏଏସ ୟୁନିଟକୁ ବିମାନଯାତ୍ରୀଙ୍କୁ ଉଦ୍ଧାର କରିବାକୁ ପଠା ଯାଇଥିଲା । ଦୁଇଟି ବିମାନରେ ଯାଇଥିବା କମାଣ୍ଡୋ ଅପହରଣକାରୀଙ୍କୁ ହତ୍ୟା କରି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଅପରେସନରେ ଜଣେ କମାଣ୍ଡୋ-ପ୍ରଧାନମନ୍ତ୍ରୀ ନେତାନ୍ୟୁହଙ୍କ ଭାଇ ୟୋନାତନଙ୍କ ମୃତ୍ୟୁ ହୋଇଥିଲା । ସବୁ ଆତଙ୍କବାଦୀଙ୍କୁ ଏସଏଏସ ନିପାତ କରିଥିଲା । ତେବେ ତିନି ଜଣ ଯାତ୍ରୀ ମଧ୍ଯ ଅପରେସନରେ ପ୍ରାଣ ହରାଇଥିଲେ । ସେବେଠାରୁ ଏହି ୟୁନିଟକୁ ସ୍ପେଶାଲ ଅପରେସନର ବିଶେଷଜ୍ଞ ଭାବେ ଗ୍ରହଣ କରାଯାଉଛି । ଡେଲି ମେଲରେ ପ୍ରକାଶିତ ଏକ ରିପୋର୍ଟରେ ଏହାର ବର୍ତ୍ତମାନ ରିଜର୍ଭ ସଦସ୍ୟଙ୍କ ମଧ୍ଯରୁ ଜଣେ ଇୟାଲ ବିରନ ୟୁନିଟର ପ୍ରଶିକ୍ଷଣକୁ ନେଇ କହିଛନ୍ତି ଯେ, ମଟକଲର କମାଣ୍ଡୋଙ୍କ କ୍ଷମତା,ସେମାନଙ୍କ ଟ୍ରେନିଂର ଗୁଣବତ୍ତା ଓ ପରମ୍ପରା ପ୍ରତି ସେମାନଙ୍କ ସମ୍ମାନକୁ ବାନ୍ଧିଥାଏ । ଏହା ଆମ ସେନାର ସବୁଠାରୁ ଶକ୍ତିଶାଳୀ ସମ୍ପତି ।
ମଟକଲର ମୁକାବିଲା କିଏ କରିପାରିବ ?
ସେ ଆହୁରି ମଧ୍ଯ କହିଛନ୍ତି ଯେ,ମଟକାଲର କୌଣସି ମୁକାବିଲା ନାହିଁ । ଯଦି କେହି ମଟକଲର ମୁକାବିଲା କରିପାରିବ ତେବେ ସେ ନିଜେ ମଟକଲ । ଏହି ୟୁନିଟ୍ ଆତଙ୍କବାଦ ବିରୋଧୀ ଅପରେସନ,ବନ୍ଧକ ମୁକ୍ତ ଅଭିଯାନ ଓ ଗୁଇନ୍ଦା ତଥ୍ଯ ଏକାଠି କରିଥାଏ । ପ୍ରାରମ୍ଭିକ ଟ୍ରେନିଂ ଭାବେ ସେମାନଙ୍କୁ ଏଭଳି ଶିବିରକୁ ପଠାଯାଏ ଯେଉଁଠି କଠୋର ପ୍ରଶିକ୍ଷଣ ଦିଆଯାଏ । ପାହାଡିଆ ଅଚଂଳରେ ଗୁରୁଣ୍ଡି ଗୁରୁଣ୍ଡି ଚାଲିବା,ଦୂର ପର୍ଯ୍ୟନ୍ତ ବାଲି ବ୍ୟାଗ ନେଇ ଦୌଡ଼ିବା ଭଳି ଟ୍ରେନିଂ ସାମିଲ ଥାଏ । କେବଳ ଶାରିରିକ ପ୍ରଶିକ୍ଷଣ ନୁହେ ସେମାନଙ୍କୁ ମାନସିକ ଟ୍ରେନିଂ ମଧ୍ଯ ଦିଆଯାଇଥାଏ ।