ମଧ୍ୟପ୍ରଦେଶର କ୍ରୁନୋ ନ୍ୟାସନାଲ ପାର୍କ ହୋଇଛି ଆଫ୍ରିକାରୁ ଆସିଥିବା ଚିତାଙ୍କ ନୂଆ ଘର । ଆଶା କରାଯାଉଛି ସେଇଠୁ ଆରମ୍ଭ ହେବ ଇତିହାସର ନୂଆ ଏକ ଅଧ୍ୟାୟ । କିନ୍ତୁ ଇତିହାସର ଫର୍ଦ୍ଦ ଲେଉଟାଇଲେ ସାମ୍ନାକୁ ଆସେ ଆଉ ଏକ କାହାଣୀ । ମଧ୍ୟପ୍ରଦେଶରେ ହିଁ ଲେଖାଯାଇଥିଲା ଭାରତୀୟ ଚିତାଙ୍କ ଅନ୍ତର ଅଧ୍ୟାୟ । ୭୦ ବର୍ଷ ତଳେ ଭାରତର ଶେଷ ଚିତା ମଧ୍ୟପ୍ରଦେଶର ଗୋଟିଏ ଜଙ୍ଗଲରେ ଶିକାରୀ ଗୁଳିର ଶିକାର ହୁଏ । ଆଉ ଏହା ସହିତ ଭାରତୀୟ ଜଙ୍ଗଲରୁ ଚିତା ପ୍ରଜାତି ଲୋପ ପାଇଥିଲା । ଶହ ଶହ ବର୍ଷ ଧରି ଚିତାଙ୍କୁ ପାଳି ଶିକାରର ଶୌକ ପୁରଣ କରୁଥିଲେ ଭାରତର ରାଜା ମହାରାଜ । ଆଉ ଘଟଣାଚକ୍ରରେ ଭାରତୀୟ ଜଙ୍ଗଲର ଶେଷ ତିନି ଚିତା ମଧ୍ୟ ଜଣେ ରାଜାଙ୍କ ଗୁଳିର ଶିକାର ହୋଇଥିଲେ । ଆସନ୍ତୁ ଜାଣିବା କେମିତି ଭାରତର ଶେଷ ତିନି ଚିତା ଶିକାରୀ ଗୁଳିର ଶିକାର ହୋଇଥିଲେ ।
ଜଣେ ରାଜା ଯିଏ ଦୁରଦ୍ରଷ୍ଟା ଥିଲେ କିନ୍ତୁ ଚିତାକୁ ଲୋପ କରିଦେଲ !
୧୯୪୭ କିମ୍ବା ୧୯୪୮ ମସିହାରେ ଭାରତର ଜଙ୍ଗଲରେ ଥିବା ଶେଷ ୩ ଜଙ୍ଗଲି ଚିତା ଶିକାରୀ ଗୁଳିରେ ପ୍ରାଣ ହରାଇଥିଲେ । ୧୯୪୭ କେହି କେହି ୧୯୪୮ରେ ଭାରତର ଶେଷ ୩ ଚିତା ଶିକାରି ଗୁଳିରେ ଟଳି ପଡ଼ିଥିଲେ ବୋଲି ଦାବି କରନ୍ତି । ଏହି ବର୍ଷ ସବୁଦିନ ପାଇଁ ଇତିହାସ ପାଲଟି ଯାଇଥିଲେ ଭାରତୀୟ ଚିତା । ଗୋଟିଏ ପ୍ରଜାତି ପୃଥିବୀ ପୃଷ୍ଠରୁ ଲୋପ ପାଇଯାଇଥିଲା । ଶିକାରୀ ଥିଲେ ଜଣେ ରାଜା । ଦେଶ ସ୍ୱାଧୀନ ହୋଇ ସାରିଥିଲା କିନ୍ତୁ ରାଜାଙ୍କ ହାତରୁ ପୁରା କ୍ଷମତା ଯାଇଥିଲା । ଶେଷ ଭାରତୀୟ ଚିତାକୁ ଗୁଳି କରିଥିବା ରାଜାଙ୍କ ନାମ ଥିଲା ରାମାନୁଜ ପ୍ରତାପ ସିଂହ ଦେବ । କୋରିୟା ରାଜ୍ୟର ରାଜା ରାମାନୁଜ ଦେଶର ଶେଷ ତିନି ଚିତାଙ୍କୁ ଗୁଳି କରିଥିଲେ । ତିନି ମୃତ ଚିତାଙ୍କ ସହିତ ତାଙ୍କର ଫଟୋ ଏବେ ଖୁବ ଭାଇରାଲ ହେଉଛି । ଟ୍ରୋଲର୍ସ ରାଜପରିବାରକୁ ଏଥିପାଇଁ ଟ୍ରୋଲ୍ କରୁଛନ୍ତି । ଶେଷ ଚିତାର ରକ୍ତଛିଟା ରାଜ ପରିବାର ଉପରେ ପଡିଛି, ଭାରତୀୟ ଚିତାଙ୍କ ଅନ୍ତ ପାଇଁ ଏହି ପରିବାରକୁ ଦାୟୀ କରାଯାଉଛି । ଚିତା ଶିକାରର ସେହି ଐତିହାସିକ ଫଟୋ ଏବେ ବମ୍ବେ ନେଚୁରାଲ ହିଷ୍ଟ୍ରି ସୋସାଇଟି ପାଖରେ ରହିଛି । କିନ୍ତୁ ରାଜ ପରିବାର ଏହାକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି । ରାଜପରିବାରର କହିବା ହେଉଛି ଲୋକଙ୍କ ଅନୁରୋଧରେ ରାଜା ଚିତା ଶିକାର କରିଥିଲେ । କାରଣ ବୈକୁଣ୍ଠପୁର ନିକଟରେ ଥିବା ଗାଁରେ ଚିତାବାଘକୁ ନେଇ ଆତଙ୍କ ସୃଷ୍ଟି ହୋଇଥିଲା । ଏହି ଚିତା ବାଘ ଗୃହପାଳିତ ପଶୁ ମାରିବ ସହିତ ଲୋକଉଙ୍କ ଉପରେ ଆକ୍ରମଣ କରୁଥିଲେ । କୁହାଯାଏ ଯେ, ଲୋକଙ୍କଠାରୁ ଅଭିଯୋଗ ପାଇବା ପରେ ରାଜା ବୈକୁଣ୍ଠପୁରରେ ପହଂଚିଥିଲେ । ସେଠାରେ ସେ ଅନ୍ତିମ ତିନି ଚିତାଙ୍କୁ ଶିକାର କରିଥିଲେ । ରାଜାଙ୍କ ଗୁଳିରେ ମରିଥିବା ତିନି ଚିତାଙ୍କ ମଧ୍ୟରୁ ଗୋଟିକର ମୁଣ୍ଡକୁ ବସ୍ତର ରାଜା ପ୍ରବୀର ଚନ୍ଦ୍ର ଭଂଜଦେବଙ୍କୁ ଉପହାର ଭାବେ ଦିଆଯାଇଥିଲା । ବସ୍ତର ରାଜ ମହଲରେ ଏବେ ମଧ୍ୟ ସେହି ଚିନ୍ତାର ମୁଣ୍ଡ ରହିଛି ।
କିଏ ଥିଲେ ରାଜା ରାମାନୁଜ ପ୍ରତାପ ସିଂହଦେବ ?
୧୯୦୧ରେ ଜନ୍ମିତ ରାଜା ରାମାନୁଜ ମାତ୍ର ୯ ବର୍ଷରେ ସିଂହାସନ ଆରୋହଣ କରିଥିଲେ । ସେ ନିଜ ସମୟଠାରୁ ଢେର ଆଗରେ ଥିଲେ । ନିଜ ରାଜ୍ୟରେ ସେ ବୟସ୍କ ଶିକ୍ଷାକୁ ବାଧ୍ୟତାମୁଳକ କରିଥିଲେ । ସହରରେ ସମସ୍ତେ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ପଢିବା ବାଧ୍ୟତାମୁଳକ କରିଥିଲେ ଏହି ରାଜା । ବ୍ରିଟେନରୁ ଶିକ୍ଷାଲାଭ କରି ଫେରିଥିବା ଏହି ରାଜା ବେସ ଆଧୁନିକ ଥିଲେ । ନିଜ ସମୟଠାରୁ ଢେର ଆଗର ଚିନ୍ତା କରିପାରୁଥିଲେ । କିନ୍ତୁ ସମ୍ଭବତଃ ଜଂଗଲ ଓ ଜନ୍ତୁଙ୍କୁ ନେଇ ସେ ଏତେଟା ଦୁରଦ୍ରଷ୍ଟା ନଥିଲେ । ଫଳରେ ତାଙ୍କରି ହାତରେ ମରିଥିଲେ ଭାରତର ଅନ୍ତିମ ଚିତା । ଏହି ରାଜା ଜଙ୍ଗଲ ଭିତରେ ରହୁଥିବା ନିଜ ପ୍ରଜାଙ୍କ ଅସୁବିଧା ଜାଣିବାକୁ ଫୋନ୍ ଲାଇନ୍ ମଧ୍ୟ ବିଛାଇଥିଲେ । ଗଡ଼ଜାତ ମିଶ୍ରଣ ପରେ ରାମାନୁଜଙ୍କ ରାଜ୍ୟ ସେଣ୍ଟ୍ରାଲ ପ୍ରୋଭିନ୍ସ ବା ଆଜିର ମଧ୍ୟପ୍ରଦେଶରେ ସାମିଲ ହୋଇଥିଲା । ପରେ ଛତିଶଗଡରେ ତାଙ୍କ ରାଜ୍ୟ ସ୍ଥାନ ପାଇଥିଲା । ୧୯୫୪ ମସିହାରେ ରାଜା ରାମାନୁଜଙ୍କ ମୃତ୍ୟୁ ହୋଇଥିଲା । ନିଜ ରାଜ୍ୟରେ ପ୍ରଜା ହିତକର କାର୍ଯ୍ୟ ପାଇଁ ରାଜାଙ୍କ ଆଜି ଯେତିକି ମନେ ପକାଯାଏ ନାହିଁ ସେତିକି ତାଙ୍କୁ ଚିତାବଂଶ ଲୋପକାରୀ ଭାବେ ମନେ ପକାଯାଏ । ସୋସିଆଲ ମିଡିଆର ଯୁଗରେ ଏବେ ଲୋକ ଖୋଜି ଖୋଜି ତାଙ୍କ ଫଟୋ ଭାଇରା କରୁଛନ୍ତି । ଯେଉଁ ଫଟୋରେ ରାଜାଙ୍କୁ ଅନ୍ତିମ ତିନି ଚିତାଙ୍କ ସହିତ ଦେଖିବାକୁ ମିଳିଥାଏ । ରାଜା କୋର୍ଟ୍,ହ୍ୟାଟ୍ ପିନ୍ଧି ହାତରେ ବନ୍ଧୁକ ଧରି ତିନି ମୃତ ଚିତାଙ୍କ ସହି ଫଟୋ ପୋଜ୍ ଦେଇଥିଲେ । ଜାଣିନଥିଲେ ଦିନେ ଇତିହାସ ଏଥିପାଇଁ ତାଙ୍କୁ ଉତ୍ତର ମାଗିବ ।
ରାଜା ମହାରାଜାଙ୍କ ସୌକ,ଚିତାର କାଳ
ଭାରତରେ ଚିତାଙ୍କୁ ପୋଷା ମନାଇ ଶିକାରରେ ବ୍ୟବହାରର ଇତିହାସ ଢେର ପୁରୁଣା । ଏହା ଇସଲାମିକ୍ ଶାସକଙ୍କ ଆଗମନ ସହିତ ଅଧିକ ହୋଇଥିଲା । ଚିତାଙ୍କୁ ପୋଷା ମନେଇବା ପାଇଁ ବାଦଶାହା ମାନଙ୍କ ଇଛା ବି ସେମାନଙ୍କ ବିଲୁପ୍ତିର କାରଣ ଥିଲା । ମୋଗଲ ସମ୍ରାଟ ଆକବର ପାଖରେ ୯ ହଜାର ପୋଷା ଚିତା ଥିଲେ । ଜାହାଙ୍ଗିର ପାଖରେ ମଧ୍ୟ ଥିଲେ ହଜାର ସଂଖ୍ୟାରେ ଚିତା । ଏହି ଧାରା ବ୍ରିଟିଶ ଶାସନ ପର୍ଯ୍ୟନ୍ତ ଜାରି ରହିଥିଲା । ରାଜାମାନେ ଚିତାକୁ ପୋଷା ମନାଉଥିଲେ । ଆଉ ଚିତାକୁ ନେଇ ଖେଳୁଥିଲେ ଶିକାର ଖେଳ । ପ୍ରାକୃତିକ ପରିବେଶରୁ ଦୁରରେ ଏହି ଚିତାଙ୍କ ମଧ୍ୟରେ ପ୍ରଜନନ ନାମକୁ ମାତ୍ର ଥିଲା । ରାଜାରାଜୁଡାଙ୍କ ପାଖରେ ଶିକୁଳି ବନ୍ଧା ଚିତା ଥିଲେ କିନ୍ତୁ ଜଙ୍ଗଲ ଚିତା ଶୂନ୍ୟ ହେବାରେ ଲାଗିଥିଲା । ଶେଷରେ ରାମାନୁଜଙ୍କ ଗୁଳି ପୁରା ପ୍ରଜାତିକୁ ଲୋପ କରିଦେଲା ।