ଅକସାଇ ଚୀନରୁ ବାହାରୁଛି ସୁନା । ଖାଲି ସୁନା ନୁହେଁ ଜିଙ୍କ୍ ସହିତ ଆହୁରି ଅନେକ ଦୁର୍ଲଭ ଖଣିଜ ସମ୍ପଦ । ଯାହା ଚୀନକୁ ମାଲାମାଲ କରିବ । ଦେଶ ସ୍ୱାଧିନତା ପାଇବା ସମୟରେ ପ୍ରଥମ ପ୍ରଧାନମନ୍ତ୍ରୀ ଜୱାହରଲାଲ ନେହେରୁଙ୍କ ଅମଳରେ ହୋଇଥିବା ଦୁଇଟି ଯୁଦ୍ଧର ପରିଣାମ ଏବେ ଭାରତକୁ ହଜାର ହଜାର କୋଟି ଟଙ୍କା ହରାଇ ଶୁଝିବାକୁ ପଡ଼ୁଛି । ୧୯୪୮ରେ ପାକିସ୍ତାନ ସହିତ ଯୁଦ୍ଧ ବେଳେ ଭାରତ ଲଦ୍ଦାଖରେ ହରାଇଥିବା ଅଂଚଳ ପାକିସ୍ତାନ କବଜାରେ ଥିଲା । ଯାହାକୁ ପରେ ପାକିସ୍ତାନ ଚୀନକୁ ଦେଇ ଦେଇଥିଲା । ସେହି ସ୍ଥାନ ଅକସାଇ ଚୀନ୍ ଭାବେ ପରିଚିତ । ଭାରତ ଏହାକୁ ନିଜର ଅଂଚଳ କହୁଥିବା ବେଳେ ଏବେ ଏହା ଚୀନ୍ କବଜାରେ ଅଛି । ସେହି ଅଂଚଳରେ ଚୀନ୍ ଏବେ ବିପୁଳ ଖଣିଜ ପଦାର୍ଥର ସନ୍ଧାନ ପାଇଛି । ରିପୋର୍ଟ ଅନୁସାରେ ଅକସାଇ ଚୀନରୁ ଡ୍ରାଗନ ଜିଙ୍କ୍ ଖନନ କରୁଛି । ଅକସାଇ ଚୀନରୁ ମିଳିଥିବା ଜିଙ୍କ ଭଣ୍ଡାର ଏସୀୟାର ସବୁଠାରୁ ବଡ଼ ଭଣ୍ଡାର ବୋଲି କୁହାଯାଉଛି ।
ଅକସାଇ ଚୀନରେ ଜିଙ୍କ୍ ଭଣ୍ଡାର
ପ୍ରାୟ ୪୦ ହଜାର ବର୍ଗ କିଲୋମିଟରର ଭାରତୀୟ ଭୂଭାଗ ଉପରେ ଚୀନର କବଜା ରହିଛି । ଏହି ଅଂଚଳରେ ୧୦ ହଜାର ଲୋକ ରୁହନ୍ତି । ସେଠାରେ ଯେଉଁ ଜିଙ୍କ୍ ଭଣ୍ଡାର ଠାବ ହୋଇଛି ତାହା ଏସିଆର ସବୁଠାରୁ ବୃହତମ ଭଣ୍ଡାର । କେବଳ ଏତିକି ନୁହେଁ ଅରୁଣାଚଳ ପ୍ରଦେଶକୁ ଲାଗିଥିବା ଅଂଚଳରେ ମଧ୍ୟ ଚୀନ୍ ସୁନା ଓ ରୂପାର ଭଣ୍ଡାର ପାଇଥିବା କୁହାଯାଉଛି । ଏହି ସୁନା ଓ ରୂପା ଖଣିର ମୂଲ୍ୟ ୬୦ ଶହ କୋଟି ଡଲାର ବୋଲି ଅନୁମାନ କରାଯାଉଛି ।
ଜିଙ୍କ୍ ଲିଡ୍ ଖନନ ପାଇଁ ଡ୍ରାଗନ ଯୋଜନା
ନେଦରଲ୍ୟାଣ୍ଡର ନର୍ଥ ୱେଷ୍ଟର୍ଣ୍ଣ ବିଶ୍ୱବିଦ୍ୟାଳୟ ଓ ନେଦରଲାଣ୍ଡ ଡିଫେନ୍ସ ଆକାଡେମୀର ରାଇଜିଂ ଟେନସନ୍ ଇନ୍ ଦ ହିମାଲୟ ନାମକ ରିପୋର୍ଟ ଅନୁସାରେ ଆକସାଇ ଚୀନରେ ଡ୍ରାଗନ ଜିଙ୍କ ଓ ଲିଡ୍ ଖନନ ପାଇଁ ଯୋଜନା କରିଥିବା କୁହାଯାଇଛି । ସେହିଭଳି ଅରୁଣାଚଳ ପ୍ରଦେଶର ମ୍ୟାକମୋହନ୍ ଲାଇନଠାରୁ ମାତ୍ର ୫୦ କିମି ଦୂରରେ ଥିବା ଥିବା ଲୁଜେ କାଉଣ୍ଟିରେ ଚୀନ୍ ସେନା ସୁନା ଓ ରୂପା ଖଣିର ସନ୍ଧାନ ପାଇଥିବା ମଧ୍ୟ ଏଥିରେ ଉଲ୍ଲେଖ ଅଛି । ଏହା ସହିତ ଏହି ଅଂଚଳରେ ଚୀନ୍ ବ୍ରହ୍ମପୁତ୍ର ନଦୀରେ ବନ୍ଧ ବାନ୍ଧି ଭାରତକୁ ପାଣି ରୋକିବା ଯୋଜନା ଉପରେ କାମ କରୁଛି ।
ଅକସାଇ ଚୀନରେ ଏସିଆର ସବୁଠାରୁ ବଡ଼ ଜିଙ୍କ୍ ଭଣ୍ଡାର
ଚୀନକୁ ଅକସାଇ ଚୀନରେ ଏସୀଆର ସବୁଠାରୁ ବଡ଼ ଜିଙ୍କ୍ ଭଣ୍ଡାର ମିଳିଛି । ଏହା ଦୁନିଆର ସପ୍ତମ ବୃହତ୍ ଜିଙ୍କ୍ ଭଣ୍ଡାର । ଏହି ଭଣ୍ଡାରରୁ ଅତିକମରେ ୧ କୋଟି ୯୦ଲକ୍ଷ ଟନ୍ ଉଚ୍ଚ ଗୁଣବତା ବିଶିଷ୍ଟ ଜିଙ୍କ୍ ଓ ଲିଡ୍ ଖନନ କରାଯାଇ ପାରିବ । ଚୀନ୍ ଏବେ ଜିଙ୍କ୍ ଓ ଲିଡ୍ ପାଇଁ ଲାଟିନ୍ ଆମେରିକୀୟ ଦେଶଙ୍କ ଉପରେ ନିର୍ଭରଶୀଳ । ଏହି ଜିଙ୍କ ଭଣ୍ଡାର ଚୀନକୁ ଅନ୍ୟ ଦେଶ ଉପେର ନିର୍ଭରଶୀଳତା ଉପରୁ ମୁକ୍ତି ଦେବ ।
ଭାରତ ପାଇଁ ବିରାଟ କ୍ଷତି
ଆକସାଇ ଚୀନ୍ ଯଦି ଏବେ ଭାରତ କବଜାରେ ଥାନ୍ତା ତେବେ ଭାରତକୁ ଜିଙ୍କ୍ ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡୁନଥାନ୍ତା । ଜିଙ୍କ୍ ଓ ଲିଡ ପାଇଁ ଦୁନିଆରେ ଏବେ ଢେର ଚାହିଦା ରହିଛି । ଇଲେକ୍ଟ୍ରୋନିକ୍ସ,ମେସିନାରି,କେମିକାଲ,ସାର ଆଦିରେ ଜିଙ୍କ୍ ଓ ଲିଡ୍ ବ୍ୟବହୃତ ହୋଇଥାଏ । ଭାରତ ଏବେ ବିଦେଶରୁ ଏସବୁ ଆମଦାନୀ କରୁଛି ।