ମାର୍ଚ୍ଚ ୯ ତାରିଖ ଦିନ ଯୁଦ୍ଧାସ୍ତ୍ର ବିହିନ ଏକ ଭାରତୀୟ କ୍ଷେପଣାସ୍ତ୍ର ପାକ୍ ସୀମା ଭିତରେ ପଡିଥିଲା । ଏହି କ୍ଷେପଣାସ୍ତ୍ର ପାକିସ୍ତାନ ଭିତରେ ୧୨୪ କିଲୋମିଟର ମଧ୍ୟକୁ ପ୍ରବେଶ କରି ମିଆଁ ଚନ୍ନୁ ନାମକ ସ୍ଥାନରେ ପଡିଥିଲା । କ୍ଷେପଣାସ୍ତ୍ରକୁ ପାକିସ୍ତାନୀ ସେନା ଠାବ କରିଥିଲେ ମଧ୍ୟ ଏହାର ଗତି ଏତେ ତୀବ୍ର ଥିଲା ଯେ, ଏହାକୁ ସେମାନେ ଖସାଇ ପାରିନଥିଲେ । ଏହି କ୍ଷେପଣାସ୍ତ୍ରକୁ ନେଇ ଏବେ ପାକିସ୍ତାନ ଅନ୍ତର୍ଜାତୀୟ ସ୍ତରରେ ପ୍ରଶ୍ନ ଉଠାଇବାରେ ଲାଗିଛି । ଭାରତ ପକ୍ଷରୁ ଏହା ଦୁର୍ଘଟଣାବଶତଃ ଘଟିଥିବା ଘଟଣା ବୋଲି କୁହାଯାଉଛି । ଅନ୍ୟପକ୍ଷରେ ଏହାକୁ ଆଳ କରି ପାକିସ୍ତାନ ଭାରତୀୟ ପରମାଣୁ ଅସ୍ତ୍ର ଓ କ୍ଷେପଣାସ୍ତ୍ର କେତେ ସୁରକ୍ଷିତ ବୋଲି ପ୍ରଶ୍ନ କରିବାରେ ଲାଗିଛି । ଏହାଭିତରେ ଆଉ ଗୋଟିଏ ସୂଚନା ମିଳିଛି । ଏହି ସୂଚନା ଅନୁସାରେ ଯେତେବେଳେ କ୍ଷେପଣାସ୍ତ୍ର ପାକିସ୍ତାନ ସୀମା ମଧ୍ୟକୁ ପ୍ରବେଶ କଲା ସେତେବେଳେ ପାକ୍ ସେନା ଏହାକୁ ଭାରତର ଆକ୍ରମଣ ଭାବେ ଗ୍ରହଣ କରିଥିଲା । କୁହାଯାଉଛି ଯେ, ପାକିସ୍ତାନୀ ସେନା ଭାରତକୁ ଯବାବ ଦେବା ପାଇଁ ପ୍ରସ୍ତୁତ ହୋଇଥିଲା କିନ୍ତୁ ଶେଷ ମୂହୁର୍ତ୍ତରେ ପାକ୍ ସେନା ଆକ୍ରମଣକୁ ରୋକିଥିଲା ।
ପାକିସ୍ତାନ ଯବାବି ହମଲା ପାଇଁ ହୋଇଥିଲା ପ୍ରସ୍ତୁତ
ମାର୍ଚ୍ଚ ୯ ତାରିଖ ରାତି ନ’ଟାରେ ପାକିସ୍ତାନରେ ଭାରତୀୟ ମିଶାଇଲ ପଡିଥିଲା । ଏହାକୁ ଆକ୍ରମଣ ଭାବେ ଗ୍ରହଣ କରି ପାକ୍ ସେନା ଉତ୍ତର ଦେବାକୁ ପ୍ରସ୍ତୁତ ହୋଇଥିଲା । କିନ୍ତୁ ଅନ୍ତିମ କ୍ଷଣରେ ଆକ୍ରମଣକୁ ରୋକା ଯାଇଥିଲା । ଏକ ରିପୋର୍ଟ ଅନୁସାରେ ପାକ୍ ସେନା ଶେଷ ମୁହୁର୍ତ୍ତରେ ଆକ୍ରମଣ ଯୋଜନାକୁ ରଦ୍ଦ କରିଥିଲା । ଏହାର ଦୁଇଟି କାରଣ ରହିଛି । ପ୍ରଥମ କାରଣ ହେଉଛି ଯେ, କ୍ଷପଣାସ୍ତ୍ରରେ କୌଣସି ୱାରହେଡ୍ ବା ଯୁଦ୍ଧାସ୍ତ୍ର ନଥିଲା । କ୍ଷେପଣାସ୍ତ୍ରକୁ ଦେଖି ଲାଗୁଥିଲା ଯେ, ଏହାକୁ ଜାଣିଶୁଣି ପ୍ରକ୍ଷେପିତ କରାଯାଇ ନାହି । ଦ୍ୱିତୀୟ କାରଣ ଯେ, ଏଭଳି କୌଣସି ଦୁର୍ଘଟଣାକୁ ଏଡାଇବାକୁ ଦୁଇ ଦେଶ ମଧ୍ୟରେ ହଟ୍ ଲାଇନ୍ ବ୍ୟବସ୍ଥା ରହିଛି । ତେବେ ସମସ୍ୟା ଥିଲା ଯେ, ଭାରତ ଏବାବଦରେ ହଟ୍ ଲାଇନରେ ମଧ୍ୟ ପାକିସ୍ତାନକୁ କୌଣସି ଖବର ଦେଇନଥିଲା । ତେବେ ପାକ୍ ସେନାର ବରିଷ୍ଠ ଅଧିକାରୀ ଘଟଣାରେ ଗଡବଡି ଥିବା ଅନୁଭବ କରି ଆକ୍ରମଣ ନକରିବାକୁ ନିଷ୍ପତ୍ତି ନେଇଥିଲେ ।
ହଟ୍ ଲାଇନ୍ ବ୍ୟବହାର କାହିଁକି କରିନଥିଲା ଭାରତ ?
ଭାରତ ଓ ପାକିସ୍ତାନ ମଧ୍ୟରେ ଏଭଳି ଦୁର୍ଘଟଣା ରୋକିବା ପାଇଁ ହଟଲାଇନ୍ ବ୍ୟବସ୍ଥା ରହିଛି । କିନ୍ତୁ ଘଟଣା ଘାଟିବା ପରେ ମଧ୍ୟ ଭାରତ ପକ୍ଷରୁ ଏହି ହଟ୍ ଲାଇନର କୌଣସି ବ୍ୟବହାର ହୋଇନଥିଲା । ପାକିସ୍ତାନ ଏହାକୁ ନେଇ ଚକିତ ହୋଇଥିଲା । ରିପୋର୍ଟରେ ଦାବି କରାଯାଉଛିଯେ, ଭାରତ ହଟଲାଇନ୍ ମାଧ୍ୟମରେ ପାକ୍ ସେନାକୁ ଏବାବଦରେ ସୂଚିତ କରିବା ଅପେକ୍ଷା କିଛି ସମୟ ପାଇଁ ନିଜ କ୍ଷେପଣାସ୍ତ୍ର ସିଷ୍ଟମକୁ ବନ୍ଦ କରିଦେଇଥିଲା । କାଳେ ଆହୁରି କିଛି କ୍ଷେପଣାସ୍ତ୍ର ପାକିସ୍ତାନ ଆଡକୁ ଚାଲିଯିବ ସେହି ଭୟରେ ସିଷ୍ଟମକୁ ବନ୍ଦ କରାଯାଇଥିଲା । କିନ୍ତୁ ଏହାର ଦୁଇ ଦିନ ପର୍ଯ୍ୟନ୍ତ ମଧ୍ୟ ଭାରତ ତରଫରୁ ଏନେଇ କୌଣସି ବୟାନ ଆସିନଥିଲା । ପାକିସ୍ତାନୀ ମିଡିଆରେ ଏହି କଥା ଉଠିବା ପରେ ୧୧ ତାରିଖରେ ଭାରତ ପକ୍ଷରୁ ସ୍ପଷ୍ଟୀକରଣ ରଖା ଯାଇଥିଲା ।
ପାକିସ୍ତାନୀ ବାୟୁସୀମାରେ ୩.୪୭ ସେକେଣ୍ଡ୍ ପର୍ଯ୍ୟନ୍ତ ଥିଲା ମିଶାଇଲ
ପାକିସ୍ତାନୀ ପ୍ରତିରକ୍ଷା ବିଶେଷଜ୍ଞ କମର ଚିମା ନିଜ ୟୁଟ୍ୟୁବ୍ ଚାନେଲରେ ଦାବି କରିଛନ୍ତି ଯେ, ଭାରତୀୟ କ୍ଷେପଣାସ୍ତ୍ର ପାକ୍ ବାୟୁସୀମାରେ ୩.୪୭ ସେକେଣ୍ଡ ପର୍ଯ୍ୟନ୍ତ ଥିବା ସେନା ଦାବି କରୁଛି । ଏହି କ୍ଷେପଣସ୍ତ୍ର ଖାଲି ଥିଲା କି ନଥିଲା ତା ପ୍ରଶ୍ନ ନୁହେଁ । ପ୍ରଶ୍ନ ହେଉଛି ପାକ୍ ବାୟୁସେନା ଏହାକୁ ଇଣ୍ଟରସେପ୍ଟ କାହିଁକି କରିପାରିନଥିଲା । ଅନ୍ୟପକ୍ଷରେ ଆଉ ଜଣେ ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା ହେଉଛି ମିଶାଇଲ ତାକୁ କୁହାଯାଏ ଯେଉଁଥିରେ ୱାରହେଡ଼୍ ଲାଗିଥାଏ । ଏହି ମିଶାଇଲରେ ୱାରହେଡ୍ ନଥିଲା । ଗୋଟିଏ ଦେଶ ଖାଲି ମିଶାଇଲ କାହିଁକି ଫାୟାର କରିବ ? ଏହା ସହିତ ଖୋଦ ପାକ୍ ସେନା ମଧ୍ୟ ମିଶାଇଲ ଶବ୍ଦ ପରିବର୍ତ୍ତେ ପ୍ରଜେକ୍ଟାଇଲ ଶବ୍ଦ ବ୍ୟବହାର କରିଛି । ଯାହାର ଅର୍ଥ ହେଉଛି ଏହା ମିଶାଇଲ ନଥିଲା । ତେଣୁ ରାଜନୈତିକ ନେତା ଯାହା କୁହାନ୍ତୁ ନା କାହିଁକି ସେନା ଜାଣିଛି କେଉଁଟା ଅସ୍ତ୍ର କେଉଁଟା ଅସ୍ତ୍ର ନୁହେଁ ।