ପାଖାପାଖି ତିନି ଦଶକ ପରେ ମହାଭାରତ ପୁଣି ଥରେ ଫେରୁଛି । ସେତେବେଳେ ଭାରତୀୟ ଦର୍ଶକ ମହାଭାରତର ମାୟାରେ ପଡିଯାଇଥିଲେ । ଏଥର ପୁରା ବିଶ୍ୱ ମହାଭାରତକୁ ଦେଖିବ । କାରଣ ବର୍ଷକ ପରେ ମହାଭାରତ ୱେବ୍ ସିରିଜ୍ ଭାବେ ମୁକ୍ତିଲାଭ କରିବ । ଆଉ ତା’ ପୁଣି ଦୁନିଆର ସବୁଠାରୁ ବଡ଼ ଓଟିଟି ପ୍ଲାଟଫର୍ମ ଡିଜନୀ ହଟଷ୍ଟାରରେ । ଏହାର ନିର୍ମାତା ମହାଭାରତକୁ ଅନ୍ତର୍ଜାତୀୟ ମାନକରେ ଭବ୍ୟ ରୂପ ଦେବାକୁ ଅଣ୍ଟା ଭିଡିଛନ୍ତି । ଏନେଇ ଆମେରିକାରେ ଡିଜନୀପ୍ଲସ ହଟଷ୍ଟାର ପକ୍ଷରୁ ଘୋଷଣା କରାଯାଇଛି ।
ଆମେରିକାରେ ଆୟୋଜିତ ଡି୨୩ ଏକ୍ସପୋରେ ଶୁକ୍ରବାର ଦିନ ମହାଭାରତ ୱେବସିରିଜର ଘୋଷଣା ହୋଇଛି । ଏହାର ଗୋଟିଏ ଦିନ ପରେ ଅର୍ଥାତ ଶନିବାର ଦିନ ଡିଜନି ପକ୍ଷରୁ ନିଜ ଆଧିକାରିକ ଟ୍ୱିଟର ହ୍ୟାଣ୍ଡେଲର ୬ ଗ୍ରାଫିକ୍ସ ସେୟାର କରାଯାଇଛି । ଏହି ଗ୍ରାଫିକ୍ସ ଚିତ୍ରକୁ ଦେଖି ୱେବସିରିଜର ଭବ୍ୟତା ବାରି ହେଉଛି । ଜାଣି ହେଉଛି ଯେ, ମହାଭାରତ ୱେବସିରିଜ ବିଶାଳ ଓ ଭବ୍ୟ ହେବ ।
କିଏ ତିଆରି କରୁଛନ୍ତି ମହାଭାରତ ?
ମହାଭାରତ ୱେବସିରିଜକୁ ପ୍ରଯୋଜକ ମଧୁ ମଣ୍ଟେନା,ମାଇଥୋଭର୍ସ ଷ୍ଟୁଡିଓ ଓ ଅଲୁ ଏଣ୍ଟରଟେନମେଣ୍ଟ ନିର୍ମାଣ କରିବେ । ତେବେ ଏହା ସର୍ବମୋଟ କେତେ ସିରିଜର ହେବ ତାକୁ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ । ଏହି ୱେବ ସିରିଜ୍ ବାବଦରେ ଡିଜନି ପ୍ଲସ ହଟଷ୍ଟାରର କଣ୍ଟେଣ୍ଟ୍ ହେଡ୍ ଗୌରବ ବାନାର୍ଜୀ କହିଛନ୍ତି ଯେ, ଏକଶହ କୋଟିରୁ ଅଧିକ ଲୋକ ଏହି କାହାଣୀ ବାବଦରେ ଜାଣିଛନ୍ତି । ମୋ ଦେଶରେ ଅଧିକାଂଶ ବ୍ୟକ୍ତି ଏହି କାହାଣୀକୁ ନିଜ ଜେଜେବାପା-ଜେଜିମା’ଙ୍କଠାରୁ ଶୁଣିଛନ୍ତି । କିନ୍ତୁ ଏବେ ମଧ୍ୟ ଶହ ଶହ କୋଟି ଲୋକ ଏମିତି ଅଛନ୍ତି ଯେଉଁମାନେ ଏହି କାହାଣୀ ବାବଦରେ ଜାଣି ନାହାନ୍ତି । ସେମାନେ କ’ଣ ହରାଇଛନ୍ତି ତାହା ଜାଣି ନାହାନ୍ତି । ଆସନ୍ତା ବର୍ଷ ଏହି ଅବିଶ୍ୱସନୀୟ କାହାଣୀକୁ ସମଗ୍ର ଦୁନିଆ ସମ୍ମୁଖକୁ ଆଣିବା ବାସ୍ତବରେ ସୌଭାଗ୍ୟର କଥା ହେବ ।
ଖୁବଶୀଘ୍ର ଆରମ୍ଭ ହେବ ପାତ୍ର ଚୟନ
ମହାଭାରତ ଆସନ୍ତା ବର୍ଷ ୱେବ ସିରିଜ୍ ଭାବେ ମୁକ୍ତିଲାଭ କରିବ । ଏହା ଭିତରେ ମହାଭାରତର ବିଭିନ୍ନ ଚରିତ୍ରଙ୍କ ପାଇଁ ପାତ୍ର ଖୋଜା ଆରମ୍ଭ ହୋଇଛି । ସିରିଜ ଭରପୁର ଆକ୍ସନ ଯୁକ୍ତ ହେବାକୁ ଯାଉଛି । ଏହି ସିରିଜ୍ ହିନ୍ଦି ସମେତ କିଛି ଭାରତୀୟ ଭାଷା ଓ ବିଦେଶୀ ଭାଷାରେ ଡବ୍ ହେବ ।
ବିଆର ଚୋପ୍ରାଙ୍କ ମହାଭାରତ
ମହାଭାରତ କହିଲେ ଭାରତରେ ବିଆର ଚୋପ୍ରାଙ୍କ ମହାଭାରତକୁ ବୁଝାଇ ଥାଏ ।୧୯୯୦ ଦଶକରେ ପାଖାପାଖି ୯୦ରୁ ଅଧିକ ସପ୍ତାହ ଧରି ଦୁରଦର୍ଶନରେ ପ୍ରସାରିତ ହୋଇଥିବା ଏହି ଧାରାବାହିକ ସବୁ ରେକର୍ଡ୍ ଭାଙ୍ଗିଥିଲା । ବିଆର ଚୋପ୍ରାଙ୍କ ମହାଭାରତ ପରେ ଷ୍ଟାର ପ୍ଲସରେ ମହାଭାରତ ନାମରେ ନୂଆ ସିରିଜ୍ ଆରମ୍ଭ ହୋଇଥିଲା । ଏହା ମଧ୍ୟ ସଫଳ ହୋଇଥିଲା କିନ୍ତୁ ବିଆର ଚୋପ୍ରାଙ୍କ ମହାଭାରତ ସଫଳତା ଆଗରେ ତିଷ୍ଟିନଥିଲା ।