ନୂଆଦିଲ୍ଲୀ: ଗତକାଲି ନୂଆଦିଲ୍ଲୀ-ଦରଭଙ୍ଗା ସୁପରଫାଷ୍ଟ ଏକ୍ସପ୍ରେସରେ ଲାଗିଛି ଭୟଙ୍କର ନିଆଁ । ହୁତୁହୁତୁ ହୋଇ ଜଳି ଯାଇଛି ସୁପରଫାଷ୍ଟ ଏକ୍ସପ୍ରେସର ଗୋଟିଏ ଯାତ୍ରୀବାହୀ ବଗି । ନିଆଁରେ ବଗିଟି ସଂପୂର୍ଣ୍ଣ ଭାବେ ଜଳି ଯାଇଛି । ନିଆଁ ଲାଗିଥିବା ଦେଖି ଯାତ୍ରୀମାନେ ତଳକୁ ଡ଼େଇଁ ପଡ଼ିଥିଲେ । ହେଲେ ଏଥିରେ କେହି ମୃତାହତ ହୋଇ ନାହାନ୍ତି । ସେହିପରି ବିଳମ୍ବିତ ରାତିରେ ଦିଲ୍ଲୀ- ସାହାରସା ବୈଶାଳୀ ସୁପରଫାଷ୍ଟ ଏକ୍ସପ୍ରେସରେ ନିଆଁ ଲାଗିଯାଇଥିଲା । ଫଳରେ ୧୯ ଜଣ ଆହତ ହୋଇଛନ୍ତି ।
ବଗିରୁ ଡ଼ିଆଁ ମାରିଲେ ଯାତ୍ରୀ
ନୂଆଦିଲ୍ଲୀ-ଦରଭଙ୍ଗା ସୁପରଫାଷ୍ଟ ଏକ୍ସପ୍ରେର ଗୋଟିଏ ବଗି ଉତ୍ତର ପ୍ରଦେଶର ଇଟାୱା ଠାରେ ଜଳି ଯାଇଛି । ଟ୍ରେନଟି ସରାଇ ଭୂପାଟ ଷ୍ଟେସନ ଅତିକ୍ରମ କରୁଥିବା ବେଳେ ଗୋଟିଏ ସ୍ଲିପର କୋଚ୍ରୁ ଧୂଆଁ ବାହାରୁ ଥିବା ଦେଖିବାକୁ ମିଳିଥିଲା ।ଷ୍ଟେସନ ମାଷ୍ଟର ଧୂଆଁ ଦେଖି ତୁରନ୍ତ ଲୋକୋ ପାଇଲଟଙ୍କୁ ଖବର ଦେଇଥିଲେ । ଲୋକୋ ପାଇଲଟ ଓ ଗାର୍ଡ ତୁରନ୍ତ ଟ୍ରେନକୁ ଅଟକାଇ ଦେଇଥିଲେ । ସଙ୍ଗେ ସଙ୍ଗେ ଯାତ୍ରୀମାନେ ମଧ୍ୟ ବଗିରୁ ଡିଆଁ ମାରିଥିଲେ । ଆଉ କିଛି ଯାତ୍ରୀଙ୍କୁ ବାହାର କରାଯାଇଥିଲା । ଯାତ୍ରୀମାନେ ବାହାରିବା କ୍ଷଣି ବଗିଟି ସଂପୂର୍ଣ୍ଣ ଭାବେ ଜଳି ଯାଇଥିଲା । କୁହାଯାଉଛି ଯେ ସ୍ଲିପର କୋଚରେ କ୍ଷମତା ଠାରୁ ଅଧିକ ଯାତ୍ରୀ ଥିଲେ । ତଥାପି ସମସ୍ତେ ସୁରକ୍ଷିତ ରହିଛନ୍ତି । କିନ୍ତୁ ସେମାନଙ୍କ ଆସବବାପତ୍ର ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି । ରେଳ କର୍ମଚାରୀ ଓ ଅଗ୍ନିଶମ ବାହିନୀ ଘଣ୍ଟା ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ । ହେଲେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ ।
#WATCH | While train number 02570 Darbhanga Clone Special was passing through Sarai Bhopat Railway station in Uttar Pradesh, the station master immediately stopped the train after seeing smoke in the S1 coach. All passengers were disembarked safely. There are no injuries or… pic.twitter.com/U6LfewBsrx
— ANI (@ANI) November 15, 2023
ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର
ଟ୍ରେନ୍ଟି ଦିଲ୍ଲୀରୁ ବିହାରର ସାହରସା ଅଭିମୁଖେ ଯାତ୍ରା କରୁଥିଲା । ରାତି ପ୍ରାୟ ଅଢେଇଟାରେ ପ୍ରଥମେ ଟ୍ରେନ୍ର ପ୍ୟାଣ୍ଟ୍ରି କାର ନିକଟ ଏସ୬ ବଗିରେ ନିଆଁ ଲାଗି ଯାଇଥିଲା । ନିଆଁ ହୁତୁହୁତୁ ହୋଇ ସମ୍ପୂର୍ଣ୍ଣ ବଗିକୁ ମାଡ଼ି ଯାଇଥିବା ବେଳେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।ତେବେ ଏହି ଅଗ୍ନିକାଣ୍ଡରେ ମୋଟ ୧୯ ଜଣ ଆହତ ହୋଇଛନ୍ତି । ନିଶ୍ୱାସ ନେବାରେ ଅସୁବିଧା ହେବାରୁ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅବଶିଷ୍ଟ ୮ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିବା ବେଳେ ଏହାର ତଦନ୍ତ ଆରମ୍ଭ ହୋଇଛି ।