ବିହାରରେ ମଣିଷଖିଆ ବାଘ ଟି-୧୦୫ ଶିକାରୀ ଗୁଳିରେ ଟଳି ପଡ଼ିଛି । ଏହି ବାଘ ଓ ତା’ ବାପା ମଧ୍ୟରେ ଜଙ୍ଗଲ ଉପରେ ଚାଲିଥିବା ଅଧିକାର ଯୁଦ୍ଧ ପାଇଁ ପାଲଟି ଯାଇଥିଲା ମଣିଷଖିଆ । ବାପା ବାଘ ଟି-୫ ଡରରେ ଟି-୧୦୫ ଜଙ୍ଗଲ ଭିତରକୁ ଯାଇ ପାରୁନଥିଲା । ଜଙ୍ଗଲ ସୀମା ବାହାରେ ରହୁଥିଲା । ଆଉ ଶିକାର ନପାଇ ପାଲଟିଯାଇଥିଲା ମଣିଷଖିଆ । ୫ଶହ ଜଙ୍ଗଲ ଅଧିକାରୀ ବିହାରର ଚମ୍ପାରଣରେ ଏହି ବାଘକୁ ଖୋଜୁଥିଲେ । ଶେଷରେ ଶନିବାର ଦିନ ତା’ର ଅନ୍ତ ଘଟିଛି । ୨ ହଜାରୁ କିଛି ଶହ ଅଧିକ ବାଘ ଭାରତରେ ଅଛନ୍ତି । ବ୍ୟାଘ୍ର ସଂରକ୍ଷଣ ପାଇଁ ସରକାର ଢେର ଉଦ୍ୟମ କରୁଛନ୍ତି । ଏହାରି ଭିତରେ ଗୋଟିଏ ବାଘକୁ ସରକାରୀ ଆଦେଶରେ ହତ୍ୟା କରିବା ନିଷ୍ପତି କେଉଁ ପରିସ୍ଥିତିରେ ନିଆଯାଇଥିବ ତା’ ସହଜରେ ଅନୁମେୟ । ଭାରତରେ ବାଘ ଆତଙ୍କ କିଛି ନୂଆ ନୁହେଁ । ଆସନ୍ତୁ ଆଜି ଜାଣିବା ଏମିତି ଗୋଟିଏ ବାଘୁଣୀ ବାବଦରେ ଯିଏ ଦିନେ ୪ଶହରୁ ଅଧିକ ଲୋକଙ୍କୁ ମାରିଥିଲା । ଚମ୍ପାବତର ବାଘୁଣୀ ନାମରେ ପରିଚିତ ସେହି ମଣିଷଖିଆ ବାଘୁଣୀର ନାଁ ଗିନିଜ୍ ବୁକ୍ ଅଫ୍ ରେକର୍ଡସରେ ମଧ୍ୟ ରହିଛି । କାରଣ ତା’ ଭଳି ଅନ୍ୟକୌଣସି ପଶୁ ଏତେ ସଂଖ୍ୟକ ମଣିଷ ମାରିନାହାନ୍ତି ।
ଚମ୍ପାବତର ବାଘୁଣୀ
ତା’ର ଆତଙ୍କ ବିଂଶ ଶତାବ୍ଦୀର ଆରମ୍ଭରୁ ଆରମ୍ଭ ହୋଇଥିଲା । ଆତଙ୍କ ଏମିତି ଥିଲା ଯେ, ତାକୁ ଗୋଟିଏ ନାଁ ମଧ୍ୟ ମିଳିଥିଲା । ଚମ୍ପାବତର ରାକ୍ଷସୀ । ଚମ୍ପାବତର ରାକ୍ଷସୀର ଅନେକ ନାମ ଥିଲା । ନେପାଳରୁ ଭାରତର କୁମାୟୁଁ ପର୍ଯ୍ୟନ୍ତ ସେ ଥିଲା ଆତଙ୍କର ପର୍ଯ୍ୟାୟ । ଜଙ୍ଗଲରେ ମହିଳା ଓ ଶିଶୁ ଥିଲେ ତା’ର ଟାର୍ଗେଟ୍ । ତାକୁ ଯିଏ ଦେଖୁଥିଲା ସେ ଜୀବିତ ରହୁନଥିଲା । ଚମ୍ପାବତର ରାକ୍ଷସୀ ନେଇଥିଲା ୪୩୬ ଜୀବନ । ପୁରା ବିଶ୍ୱରେ ଏତେ ସଂଖ୍ୟାରେ କୌଣସି ପଶୁ ମଣିଷଙ୍କୁ ମାରିବାର ରେକର୍ଡ ନାହିଁ ।
କୁହାଯାଏ ଯେ, ଥରେ ଚମ୍ପାବତର ବାଘୁଣୀକୁ କିଏ ଗୁଳି କରିଥିଲା । ଗୁଳି ମାଡରେ ତା’ର ମୁହଁର ଡାହାଣ ପଟର ଥୋଡି ଭାଙ୍ଗି ଯାଇଥିଲା । ଚମ୍ପାବତର ବାଘୁଣୀ ବଂଚି ଯାଇଥିଲା କିନ୍ତୁ ଜନ୍ମ ନେଇଥିଲା ଚମ୍ପାବତର ରାକ୍ଷସୀ । ଯେଉଁ ମଣିଷର ଗୁଳିରେ ତା’ର ଥୋଡି ଭାଙ୍ଗିଥିଲା ସେଇ ମଣିଷକୁ ସେ ଶିକାର କରିବା ଆରମ୍ଭ କରିଥିଲା । ପ୍ରଥମେ ପ୍ରଥମେ ଲାଗିଲା ଯେ, ଗୋଟିଏ ନୁହେଁ ଏକରୁ ଅଧିକ ମଣିଷଖିଆ ବାଘ ମାତିଛନ୍ତି । କିନ୍ତୁ ପରେ ଜଣା ପଡି଼ଲା ଏସବୁ ହତ୍ୟା ପଛରେ ଅଛି ଗୋଟିଏ ବାଘୁଣୀ । ନେପାଳରେ ଚମ୍ପାବତର ରାକ୍ଷସୀର ଆତଙ୍କ ଚରମରେ ଥିଲା ।୨ଶହରୁ ଅଧିକ ଲୋକଙ୍କୁ ନେପାଳରେ ଏହି ବାଘୁଣୀ ମାରିଥିଲା । ନେପାଳ ରାଜା ଏହି ଆତଙ୍କର ଅନ୍ତ ପାଇଁ ସେନା ମୁତୟନ କଲେ । କିନ୍ତୁ ବାଘୁଣୀ ମଣିଷ ଶିକାର କରି କରି ଚାଲାକ ହୋଇଯାଇଥିଲା । ସେନା ମଧ୍ୟ ତାକୁ ମାରି ପାରିଲା ନାହିଁ । ହଁ,ସେନା କିନ୍ତୁ ତାକୁ ନେପାଳ ଜଙ୍ଗଲରୁ ବାହାର କରିବାରେ ସକ୍ଷମ ହୋଇଥିଲା । ଚମ୍ପାବତର ରାକ୍ଷସୀ ନେପାଳ ଜଙ୍ଗଲରୁ ବାହାରି ଭାରତ ସୀମା ଭିତରେ ପହଂଚିଲା ।
କୁମାୟୁଁ ଆସିଲା ମଣିଷଖିଆ ବାଘୁଣୀ
ନେପାଳର ଜଙ୍ଗଲରୁ ବାହାରି ଆସି ସେହି ମଣିଷଖିଆ ବାଘୁଣୀ ଭାରତର କୁମାୟୁଁ ଜଙ୍ଗଲରେ ପହଂଚିଥିଲା । କୁମାୟୁଁରେ ପହଂଚିବା ବେଳକୁ ବାଘୁଣୀ ଅଧିକ ନିଡ଼ର ହୋଇ ସାରିଥିଲା । ସେ ଆଉ ରାତିରେ ଶିକାର କରୁନଥିଲା । ସେ ଦିନରେ ବି ଆକ୍ରମଣ କରୁଥିଲା । ନିର୍ଭିକ ଭାବରେ ସେ କୁମାୟୁଁର ଜଙ୍ଗଲ ଭିତରେ ଘୁରି ବୁଲୁଥିଲା । କୁମାୟୁଁରେ ତା’ର ଆତଙ୍କ ବଢିବା ସହିତ ଖୋଜା ପଡିଥିଲେ ସେ ସମୟର ବଡ଼ ଜଙ୍ଗଲ ସଂରକ୍ଷକ ତଥା ଶିକାରୀ ଜିମ୍ କର୍ବେଟ୍ । ବ୍ରିଟିଶ ପ୍ରଶସାନର ଅନୁରୋଧରେ କର୍ବେଟ୍ ଚମ୍ପାବତର ରାକ୍ଷସୀକୁ ଶିକାର କରିବା ପାଇଁ ବାହାରିଥିଲେ । ଆଗରୁ ଅନେକ ମଣିଷଖିଆ ବାଘ ମାରିଥିବା ଜିମ୍ କର୍ବେଟଙ୍କର କୁମାୟୁଁ ଅଂଚଳରେ ଅଲଗା ପରିଚୟ ଥିଲା । ଦିନେ ସେଇ ବାଘୁଣୀ ଗୋଟିଏ ଶିଶୁକୁ ମାରିଥିଲା । ସେହି ଶିଶୁର ମାଂସ ଖଣ୍ଡ ଓ ରକ୍ତର ଅନୁସରଣ କରି ଜିମ୍ କର୍ବେଟ୍ ଚମ୍ପାବତର ରାକ୍ଷସୀ ପାଖରେ ପହଂଚିଥିଲେ । କାର୍ବେଟଙ୍କ ଅବ୍ୟର୍ଥ ଗୁଳିର ଶିକାର ହୋଇଥିଲା ବାଘୁଣୀ । ଆଉ ତା’ ସହିତ ଏହି ବାଘୁଣୀ ଆତଙ୍କର ଅନ୍ତ ହୋଇଥିଲା । ୧୯୧୧ ମସିହାରେ ୪୩୬ ଜଣଙ୍କୁ ମାରି ଖାଇଥିବା ବାଘୁଣୀ ସବୁଦିନ ପାଇଁ ନିରବ ହୋଇଯାଇଥିଲା । ବାଘୁଣୀକୁ ମାରିବା ପରେ କୁମାୟୁଁର ଲୋକ ଜିମ୍ କାର୍ବେଟଙ୍କୁ ହ୍ୱାଇଟ୍ ସେଣ୍ଟ୍ ବା ଧବଳ ସାଧୁ ବୋଲି ସମ୍ବୋଧନ କରିବା ଆରମ୍ଭ କରିଥିଲେ ।