ଭାରତୀୟ ରେଳ। ଏସିଆର ବୃହତ୍ ରେଳ ନେଟୱର୍କ। 1853ରେ 32 କିଲୋମିଟର ଟ୍ରାକରୁ ଆରମ୍ଭ ହୋଇଥିଲା ଭାରତୀୟ ରେଳର ଯାତ୍ରା। ପାଖାପାଖି ଦୁଇ ଶହ ବର୍ଷ ପରେ ବଦଳିଯାଇଛି ଭାରତୀୟ ରେଳର ରୂପରେଖ ।କିନ୍ତୁ ଯାହା ବଦଳିନାହିଁ ତାହା ହେଉଛି ସୁରକ୍ଷାକୁ ନେଇ ଏହାର ଢିଲା ଓ ଦୁର୍ବଳ ରେକର୍ଡ୍। ଭାରତୀୟ ରେଲୱେ ଟ୍ରାକରେ ଆଗରୁ ଦୁର୍ଘଟଣା ହେଉଥିଲା ଓ ଏବେ ମଧ୍ୟ ହେଉଛି। ବୁଲେଟ୍ ଟ୍ରେନ୍ ଚଳାଇବାର ସ୍ୱପ୍ନ ଦେଖୁଥିବା ଭାରତୀୟ ରେଳ ନିଜ ଟ୍ରାକରେ ଦୁର୍ଘଟଣାକୁ ରୋକିପାରୁନାହିଁ। 100ରୁ 150 କିମି ଘଣ୍ଟା ପ୍ରତି ସ୍ପିଡରେ ଦୌଡୁଥିବା ଭାରତୀୟ ଟ୍ରେନ୍ ଟ୍ରାକରୁ ଖସି ଯାଉଛନ୍ତି। ଏମିତିରେ ଚାରି ଶହରୁ 5ଶହ କିଲୋମିଟର ଗତିରେ କେମିତି ଦୌଡ଼ିବ ବୁଲେଟ୍ ଟ୍ରେନ୍ ।
ଏସିଆର ବଡ଼ ରେଲୱେ ନେଟୱର୍କ
ଏସିଆର ବଡ଼ ରେଲୱେ ନେଟୱର୍କ ହେଉଛି ଭାରତୀୟ ରେଲୱେ। ଏକ ଲକ୍ଷ କିଲୋମିଟରର ଟ୍ରାକରେ ଦୌଡନ୍ତି ଦୈନିକ 22 ହଜାର ଟ୍ରେନ୍। ରାସ୍ତରେ ପଡେ 8 ହଜାର ଷ୍ଟେସନ। ଦିନକୁ 2 କୋଟି ଯାତ୍ରୀ ଏଥିରେ ଯାତ୍ରା କରନ୍ତି କିନ୍ତୁ ସୁରକ୍ଷା ଢିଲା। ଗତ ଦଶ ବର୍ଷ ମଧ୍ୟରେ 3 ଲକ୍ଷ ଲୋକଙ୍କ ଜୀବନ ରେଲୱେ ଟ୍ରାକରେ ଯାଇଛି। ଓଡ଼ିଶା ତ୍ରିପଲ ଟ୍ରେନ୍ ଆକ୍ସିଡେଣ୍ଟ୍ ପରେ ଏବେ ସୁରକ୍ଷାକୁ ନେଇ ପୁଣିଥରେ ସମାନ ପ୍ରଶ୍ନ ଉଠିଛି। ବଡ଼ ଦୁର୍ଘଟଣା ପରେ ସବୁବେଳେ ଏହିଭଳି ପ୍ରଶ୍ନ ଉଠିଛି। କିନ୍ତୁ କିଛି ଦିନର ତୁମ୍ଭୀତୁଫାନ ପରେ ସବୁକିଛି ଥଣ୍ଡା ପଡ଼ିଯାଏ। ବାଲେଶ୍ୱର ଦୁର୍ଘଟଣାରେ କବଚ କାମ କଲା ନାହିଁ। ବଡ଼ କଥା ହେଉଛି ସେହି ଟ୍ରାକରେ କବଚ ସିଷ୍ଟମ ଲାଗି ହିଁ ନଥିଲା। 10 ବର୍ଷ ପରେ ଯେଉଁ କବଚ ସିଷ୍ଟମକୁ ପରୀକ୍ଷା କରାଯାଇଥିଲା ସେହି କବଚ ଏବେ କେବଳ 64ଟି ଟ୍ରେନରେ ଲାଗିଛି ବୋଲି କୁହାଯାଉଛି।
ଦେଢ ଲକ୍ଷ କୋଟିର ରାଜସ୍ୱ କିନ୍ତୁ ସୁରକ୍ଷା ଶୁନ
ଇଷ୍ଟ ଇଣ୍ଡିଆ କମ୍ପାନୀ ନିଜ ବ୍ୟବସାୟୀକ ହିତ ପାଇଁ 1853ରେ ଭାରତରେ ରେଳ ଲାଇନ୍ ବିଛାଇଥିଲା। ବ୍ରିଟିଶ ଭାରତ ଛାଡ଼ିବା ବେଳକୁ ଦେଶରେ 14 ହଜାର କିଲୋମିଟରର ରେଲୱେ ନଟୱର୍କ ଥିଲା। ଏବେ ଏକ ଲକ୍ଷ କିମିରୁ ଅଧିକ। ରାଜସ୍ୱରୁ ବାର୍ଷିକ ସରକାର ଦେଢ ଲକ୍ଷ କୋଟି ଟଙ୍କା ଆୟ କରୁଛନ୍ତି। କିନ୍ତୁ ଅଭିଯୋଗ ହୁଏ ଯେ, ସୁରକ୍ଷାକୁ ନେଇ ସରକାର ଗମ୍ଭୀର ନୁହନ୍ତି। ଭାରତୀୟ ରେଳ ଯେମିତି ବିଳମ୍ବର ଚାଲିବା ପାଇଁ କୁଖ୍ୟାତ ସେମିତି ଏହାର ନିୟମିତ ବ୍ୟବଧାନରେ ଘଟୁଥିବା ଦୁର୍ଘଟଣା ପାଇଁ ବି କୁଖ୍ୟାତ। ଜାପାନ ଭଳି ଦେଶ ଯେଉଁଠି 1960 ଦଶକରୁ ବୁଲେଟ୍ ଟ୍ରେନ୍ ଚାଲୁଛି ସେଠାରେ ଦୁର୍ଘଟଣାର ଖବର ବିରଳ ଥିବା ବେଳେ ଭାରତେ ଏହା ନିୟମିତ ଖବର।