ନୂଆଦିଲ୍ଲୀ: ସରକାର ନେଇଯିବେ ସାହାରାର ସବୁ ଟଙ୍କା । ଏହି ଟଙ୍କାକୁ ଆବଶ୍ୟକ ପଡ଼ିଲେ ବାହାର କରି ନିବେଶକଙ୍କୁ ଫେରସ୍ତ କରାଯିବ । ବଳକା ଟଙ୍କାକୁ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମରେ ବ୍ୟବହାର କରାଯିବ ବୋଲି ଜଣାଯାଇଛି । ସାହାରା ଗ୍ରୁପ୍ର ମୁଖ୍ୟ ସୁବ୍ରତ ରାୟଙ୍କ ଦେହାନ୍ତ ପରେ ସାହାରା-ସେବି ଖାତାରେ ପଡ଼ିରହିଥିବା ୨୫,୧୬୩ କୋଟି ଟଙ୍କା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ସେହି ଟଙ୍କାକୁ କେନ୍ଦ୍ର ସରକାର ‘ସଂଗଠିତ ପାଣ୍ଠି’ରେ ଜମା କରିବା ଉପରେ ବିଚାର କରୁଛନ୍ତି । ଏନେଇ କ’ଣ ଆଇନଗତ ବ୍ୟବସ୍ଥା ରହିଛି ତାହା ଜାଣିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି । ନିବେଶକଙ୍କୁ ଟଙ୍କା ଫେରସ୍ତ ବ୍ୟବସ୍ଥା ୧୧ ବର୍ଷ ପୂର୍ବରୁ ଆରମ୍ଭ ହୋଇ ସୁଦ୍ଧା ଅଳ୍ପ କିଛି ଟଙ୍କା ଫେରସ୍ତ କରାଯାଇଛି । ଅବଶିଷ୍ଟ ଟଙ୍କା ସେବି-ସାହାରା ଖାତାରେ ରହିଛି । ସେବି ପକ୍ଷରୁ ବାରମ୍ବାର ବିଜ୍ଞାପନ ଜରିଆରେ ନିବେଶକମାନଙ୍କୁ ସୂଚିତ କରାଯିବତ୍ତସତ୍ତ୍ୱେ ବିଶେଷ ଦାବି ଆସୁନାହିଁ ।ଏହି ମାମଲାର ବିଚାର ବେଳେ ସୁପ୍ରିମକୋର୍ଟ କହିଥିଲେ ଯେ ଯଦି ଏକାଧିକ ଉଦ୍ୟମ କରିବା ପରେ ମଧ୍ୟ ନିବେଶକମାନଙ୍କୁ ସବୁ ଟଙ୍କା ଫେରସ୍ତ କରାଯାଇପାରିବ ନାହିଁ ତେବେ ସେହି ଟଙ୍କାକୁ ଭାରତ ସରକାରଙ୍କୁ ହସ୍ତାନ୍ତର କରାଯିବ । ତାହାକୁ ନଜରରେ ରଖି ଏବେ ସାହାରା ପାଣ୍ଠିକୁ ଭାରତ ସରକାରଙ୍କ ସଂଗଠିତ ପାଣ୍ଠିରେ ଜମା କରିବା ବିକଳ୍ପ ଉପରେ ବିଚାର କରାଯାଉଛି ।
ଜନକଲ୍ୟାଣକାରୀ କାର୍ଯ୍ୟକ୍ରମରେ ଲାଗିବ ଟଙ୍କା
ଏହିସବୁ ଟଙ୍କାକୁ ଅଲଗା ଭାବେ ରଖାଯିବ । ଦରକାର ପଡ଼ିଲେ ସେଥିରୁ ଟଙ୍କା ବାହାର କରି ନିବେଶକଙ୍କୁ ଫେରସ୍ତ କରାଯିବ । ବଳକା ଟଙ୍କାକୁ ଗରିବଙ୍କ କଲ୍ୟାଣ, କଲ୍ୟାଣମୂଳକ କାଯ୍ୟକ୍ରମ ଓ ଅନ୍ୟାନ୍ୟ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଲାଗି ବ୍ୟବହାର କରାଯିବ । ଗତ ୧୧ ବର୍ଷ ଭିତରେ ସାହାରା ଜମାକାରୀଙ୍କ ୧୭,୫୨୬ ଆବେଦନ ବାବଦରେ ୧୩୮ କୋଟି ଟଙ୍କା ଫେରସ୍ତ କରାଯାଇଛି । ଆସନ୍ତା ବର୍ଷ ନିର୍ବାଚନ ହେବାକୁ ଯାଉଥିବା ବେଳେ ବ୍ୟୟ ବଢ଼ାଇ ଭୋଟରଙ୍କ ମନ ଜିଣିବାକୁ ପ୍ରୟାସ କରୁଥିବା କେନ୍ଦ୍ର ସରକାରଙ୍କ ପାଇଁ ସାହାରା ଟଙ୍କା ବିଶେଷ ଲାଭଦାୟକ ହେବ ।
ସଂସ୍ଥା ପେସାଦାର ଢଙ୍ଗରେ ପରିଚାଳିତ ହେଉଛି: ସାହାରା
ସାହାରା ଗ୍ରୁପ୍ର ମୁଖ୍ୟ ସୁବ୍ରତ ରାୟଙ୍କ ଦେହାନ୍ତ ପରେ କମ୍ପାନିର ଭବିଷ୍ୟତ କ’ଣ ହେବ ତାହାକୁ ନେଇ ନିବେଶକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏବେ ଏହାର ଉତ୍ତର ରଖିଛି କମ୍ପାନି । କଂପାନି ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତିରେ କୁହାଯାଇଛି ଯେ, ସାହାରା ଇଣ୍ଡିଆ ପରିବାର ହେଉଛି ପେସାଦାର ଢଙ୍ଗରେ ପରିଚାଳିତ ହେଉଥିବା ଏକ ସଂସ୍ଥା । ସଂସ୍ଥାର ମୂଳଦୁଆ ବେଶ ଦୃଢ଼ । ସଂସ୍ଥାର ଢାଞ୍ଚା ବହୁତ ଭଲ ଭାବେ ନିର୍ଧାରଣ କରାଯାଇଛି । ସବୁ ବ୍ୟବସାୟ କ୍ଷେତ୍ରକୁ ଦକ୍ଷ ପେସାଦାରମାନେ ପରିଚାଳନା କରୁଛନ୍ତି । ସାହାରାଶ୍ରୀ ସୁବ୍ରତ ରାୟ ସବୁଦିନ ପାଇଁ ଆମ ପ୍ରେରଣାର ଉତ୍ସ ହୋଇରହିବେ । ତାଙ୍କ ପରମ୍ପରାକୁ ବଜାୟ ରଖିବା ଏବଂ ତାଙ୍କ ଦୃଷ୍ଟିକୋଣକୁ ସମ୍ମାନ ଜଣାଇ ସମାନ ଶକ୍ତି ଓ ନିଷ୍ଠାର ସହ ଆଗକୁ ବଢ଼ିବା ଲାଗି ସାହାରା ଇଣ୍ଡିଆ ପରିବାର ପ୍ରତିବଦ୍ଧ ଥିବା କଂପାନି ପକ୍ଷରୁ କୁହାଯାଇଛି ।