କ୍ରାଫ୍ଟ କାମରେ ତାଙ୍କର ପ୍ରଗାଢ଼ ନିଶା

Above Post Content

ଦୁନିଆ ତଥା ସମାଜ ବିଷୟରେ ଅଧିକ ଜାଣିବା ତାଙ୍କ ଦୁନିଆ ବାହାରେ । କଥା କହିବା କି କୌଣସି କଥାକୁ ସହଜରେ ଗ୍ରହଣ କରିବା ତାଙ୍କ ପକ୍ଷେ କଷ୍ଟକର । ଏମିତିକି ନିଜ ଭାବ ପ୍ରକାଶ କରିବାରେ ମଧ୍ୟ ସେ ଅକ୍ଷମମାତ୍ର କ୍ରାଫ୍ଟ ୱାର୍କ ପ୍ରତି ତାଙ୍କର ପ୍ରଗାଢ଼ ନିଶା । ନା ଏଥିପାଇଁ ସେ କୌଣସି ଶିକ୍ଷା ଗ୍ରହଣ କରିଛନ୍ତି ନା ପ୍ରଶିକ୍ଷଣ ନେଇଛନ୍ତି । କେବଳ ଅଭ୍ୟାସ ଯୋଗୁ ହିଁ ସବୁ କିଛି ସମ୍ଭବ ହୋଇପାରିଛି । ଅକ୍ଷମ ହେଲେ ବି ସେ ସକ୍ଷମଦିବ୍ୟାଙ୍ଗ ହେଲେ ମଧ୍ୟ ତାଙ୍କ ଭିତରେ ରହିଛି ଅନେକ ପ୍ରତିଭା । ନିଜର ଦୃଢ଼ ଇଚ୍ଛାଶକ୍ତି ବଦଳରେ ନିଜ ପାଇଁ ତଥା ପରିବାର ଲୋକଙ୍କ ପାଇଁ ସୃଷ୍ଟି କରିପାରିଛନ୍ତି ସ୍ୱତନ୍ତ୍ର ପରିଚୟ । ରଙ୍ଗବେରଙ୍ଗର ଏନ୍‌ଭଲପ୍‌, ଦୀପ, ମାଟିହାଣ୍ଡି, ରାକ୍ଷୀ ଆଦି ଭଳି ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି । ମାତ୍ର ବାପା-ମାଆ ଓ ସମ୍ପର୍କୀୟଙ୍କ ସହଯୋଗରେ ସମାଜରେ ହୋଇପାରିଛି ରୋଲ ମଡେଲ୍ ଓ ସ୍ୱାବଲମ୍ବୀ ।

Middle post content

ରାଜଧାନୀରେ ରହୁଥିବା ୨୭ ବର୍ଷୀୟ ଦିବ୍ୟାଙ୍ଗ ଜଣକ ହେଉଛନ୍ତି ଗୌରବ ଜେନା । ବାପା ପ୍ରଦୀପ୍ତ ଜେନା ଓ ମାଆ ରୀତା ଜେନା । ତାଙ୍କୁ ଦେଖିଲେ କେହି ଜାଣିପାରିବେ ନାହିଁ ସେ ଜଣେ ଭିନ୍ନକ୍ଷମ ବୋଲି । ଜନ୍ମରୁ ଗୌରବ ଅଟିଷ୍ଟିକ୍ । ପୁଅକୁ ଘରେ ବିଭିନ୍ନ ଶିକ୍ଷା ଦେଇ ଭଲ କରିହେବ ବୋଲି ଭାବି ସେହିଦିନଠାରୁ ଗୌରବଙ୍କ ପଛରେ ଲାଗିପଡ଼ିଛନ୍ତି ପୂରା ପରିବାର । ଅବଶ୍ୟ ସେ କୌଣସି ସ୍କୁଲ ପାଠ ପଢ଼ିନାହାନ୍ତି । ବାହାର ଦୁନିଆ ବିଷୟରେ ବେଶୀ କିଛି ବି ଜାଣନ୍ତି । କିନ୍ତୁ କ୍ରାଫ୍ଟ ୱାର୍କରେ ସେ ଅନ୍ୟମାନଙ୍କଠାରୁ ବେଶ୍ ଆଗୁଆ । ବିଭିନ୍ନ ଡିଜାଇନ୍‌ର ଦୀପ, ରଙ୍ଗୀନ ମଟ୍‌କା ଓ କ୍ୟାଣ୍ଡ୍‌ଲ ତିଆରି କରିବା ଆରମ୍ଭ କରିଦେଇଥିଲେ । ଏମିିତି ଧୀରେ ଧୀରେ ଅନେକ କ୍ରାଫ୍ଟ ୱାର୍କ କରିବା ବି ଆରମ୍ଭ କରିଦେଇଥିଲେ । କେବଳ ସେତିକି ନୁହେଁ, ଏବେ ବିଭିନ୍ନ ପ୍ରକାରର ମାଳିରେ ରାକ୍ଷୀ ମଧ୍ୟ ତିଆରି କରୁଛନ୍ତି । ଯାହା ସମସ୍ତଙ୍କ ଦ୍ୱାରା ଆଦୃତ ମଧ୍ୟ ହୋଇଛି । ଜଣେ ଦକ୍ଷ କାରିଗରଙ୍କ ସଦୃଶ ତାଙ୍କ କାରୁକାର୍ଯ୍ୟ । କେହି ଦେଖିଲେ ବି ବିଶ୍ୱାସ କରିପାରିବେ ନାହିଁ । ତାଙ୍କର ଏହି କ୍ରାଫ୍ଟକୁ ଅନ୍‌ଲାଇନ୍‌ରେ ବିକ୍ରି ମଧ୍ୟ କରୁଛନ୍ତି । ଯେଉଁଥିରେ ଏହିସବୁ କଳାକୃତିର ବେଶ୍ ଚାହିଦା ରହିଛି । ଦାମ୍ ବି ସେମିତି ଅଧିକ କିଛି ନାହିଁ । ସେସବୁର ମୂଲ୍ୟ ୧୦ ଟଙ୍କାରୁ ଆରମ୍ଭ ହୋଇ ୫୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଦିନ ଦିନ ଧରି ବସି ସେ ସୃଷ୍ଟି କରୁଛନ୍ତି ସୁନ୍ଦର ସର୍ଜନା । ସେସବୁ ପୁଣି ସୁନ୍ଦରଭାବେ ଫିନିସିଂ ହୋଇଛି । ଅନେକ ସ୍ଥାନରେ ଭିନ୍ନକ୍ଷମଙ୍କୁ ଅବହେଳା କରାଯାଉଥିବାବେଳେ ଗୌରବ ଏବେ ଦିବ୍ୟାଙ୍ଗମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଗତ ୫ ରୁ ୭ ବର୍ଷ ହେଲା ତାଙ୍କର ଏହି କାମ ଆରମ୍ଭ ହୋଇଛି । ପୂରା ପରିବାର ପୁଅ ପାଇଁ ଗର୍ବ ଓ ଗୌରବ ଅନୁଭବ କରନ୍ତି । ପୁଅକୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଯୋଜନା ଆରମ୍ଭ କରିଦେଇଥିଲେ । ସବୁ ସମୟରେ ତା’ ସହ ସମସ୍ତେ ରୁହନ୍ତି ଓ ଘରେ ମଧ୍ୟ ତାକୁ ସବୁ କଥା ଶିଖାନ୍ତି । ବର୍ତମାନ ସେ ୱି ଫର୍ ୟୁ’ ପକ୍ଷରୁ ଆରମ୍ଭ ହୋଇଥିବା ‘ଆବିଲିଟି ବଜାର’ରେ ଗୌରବଙ୍କ କ୍ରାଫ୍ଟକୁ ବିକ୍ରି କରାଯାଉଛି ବୋଲି ଗୌରବଙ୍କ ଭଉଣୀ ଲିପ୍ସା ଜେନା କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami