ଶତକ ପାର କରି ସାରିଛି ପେଟ୍ରୋଲ ଓ ଡିଜେଲ । ତୈଳ ଦର ବୃଦ୍ଧି କାରଣରୁ ସାଧାରଣ ଖାଉଟି ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମିତିରେ କୁହାଯାଉଛି ଯେ, ଯଦି ପେଟ୍ରୋଲିୟମ ଉତ୍ପାଦକୁ ଜିଏସଟି ପରିଧିକୁ ଅଣାଯାଏ ତେବେ ଦର କମିବ । ତେବେ ଏଭଳି ଯୁକ୍ତିରେ କେତେ ସତ୍ୟତା ରହିଛି ? ଚଳିତ ବର୍ଷ ମାର୍ଚ୍ଚ ମାସରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏକ ଅଧ୍ୟୟନରେ ଦାବି କରାଯାଇଥିଲା ଯେ, ଯଦି ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରକୁ ଅଣାଯିବ ତେବେ ଦର କମିବ । ଏସବିଆଇ ଅଧ୍ୟୟନ ଅନୁସାରେ ପେଟ୍ରୋଲିୟମ ଉତ୍ପାଦ ଉପରେ ଜିଏସଟି ଲାଗୁ ହେଲେ ପେଟ୍ରୋଲ ଦର ଲିଟର ପିଛା ୭୫ ଟଙ୍କା ଓ ଡିଜେଲ ଦର ଲିଟର ପିଛା ୬୮ ଟଙ୍କା ପଡିବ ।
ଆର୍ଥିକ ବିଶେଷଜ୍ଞଙ୍କ ଅନୁସାରେ ଜିଏସଟି ପରିଧିକୁ ପେଟ୍ରୋଲ ଓ ଡିଜେଲକୁ ଆଣିବାର ସବୁଠୁ ବଡ଼ ଲାଭ ହେଉଛି ଦେଶ ବ୍ୟାପି ଟ୍ୟାକ୍ସ ଗୋଟିଏ ରହିବ । ପରିବହନ ଖର୍ଚ୍ଚ ଆଧାରରେ ପାଇକାରୀ ମୁଲ୍ୟ ଅଲଗା ରହିବ । ତେବେ ଏତେ ମଧ୍ୟ ଅଲଗା ହେବ ନାହିଁ ଯେ, ଗୋଟିଏ ରାଜ୍ୟରେ ଦୁଇଟି ସହରରେ ଦର ମଧ୍ୟରେ ବିରାଟ ପାର୍ଥକ୍ୟ ରହିବ ।
ଉଦାହରଣ ସ୍ୱରୁପ ଯଦି ଦିଲ୍ଲୀରେ ମୋଟ କର ୧୩୭ ପ୍ରତିଶତ ଓ ଜିଏସଟି ଦର ୫୦ ପ୍ରତିଶତ ରଖାଯାଏ ତେବେ ଦର ୧୦୧.୪୫ ପଇସା ପ୍ରତି ଲିଟର ବଦଳରେ ୬୫ ଟଙ୍କା ୭୧ ପଇସା ହେବ । ସେହିଭଳି ଡିଜେଲ ଉପରେ ୫୦ ପ୍ରତିଶତ ଦରରେ ଯଦି ଜିଏସଟି ଲାଗୁ କରାଯାଏ ତେବେ ତେବେ ଦର ୮୯.୮୭ ପଇସାରୁ କମି ୬୫ଟଙ୍କା ୯୩ ପଇସା ହେବ । ଏହା ଦ୍ୱାରା ସାଧାରଣ ଲୋକ ଫାଇଦାରେ ରହିବେ । କିନ୍ତୁ ସରକାରଙ୍କ ରାଜସ୍ୱ କମିଯିବ ।
ପେଟ୍ରୋଲିୟମ ଉତ୍ପାଦକୁ ଜିଏସଟି ପରିଧିକୁ ଆଣିବାରେ କ’ଣ ବଡ଼ ପ୍ରତିବନ୍ଧକ ?
କୌଣସି ବସ୍ତୁ କିମ୍ବା ସେବା ଉପରେ ଜିଏସଟି ଲାଗୁ କରିବା ପୂର୍ବରୁ ଏହା ଦେଖା ଯାଏ ଯେ, ଜିଏସଟି ପୂର୍ବ ବ୍ୟବସ୍ଥାରେ ସେହି ବସ୍ତୁ ଓ ସେବା ଉପରେ କେନ୍ଦ୍ର ତଥା ରାଜ୍ୟ ସରକାର କେତେ କର ଲଗାଉଥିଲେ । ଏହାର ଉଦ୍ଦେଷ୍ୟ ହେଉଛି ଯେମିତି କେନ୍ଦ୍ର ଓ ରାଜ୍ୟ ସରକାର ତଥା ତିନି କେନ୍ଦ୍ର ଶାସିତ ଅଂଚଳ କ୍ଷତିର ସମ୍ମୁଖୀନ ନହେବେ । ଯାହାକୁ ଆରଏନଆର ବା Revenue Neutral Rate (RNR) କୁହାଯାଏ । ପେଟ୍ରୋଲିୟମ ଉତ୍ପାଦ ଉପରେ ଜିଏସଟି ଲାଗୁ ନହେବାରେ ଏହା ହେଉଛି ସବୁଠାରୁ ବଡ଼ ବାଧା ।
ଏହାକୁ ସହଜ ଭାଷାରେ ବୁଝନ୍ତୁ…
ଜୁଲାଇ ୧୬ ତାରିଖ ଦିନ ଦିଲ୍ଲୀରେ ପେଟ୍ରୋଲର ବେସ୍ ପ୍ରାଇସ୍ (ଲିଟର ପ୍ରତି) ଥିଲା ୪୧ ଟଙ୍କା । ଏହା ଉପରେ କେନ୍ଦ୍ର ସରକାରଙ୍କ ସେଣ୍ଟ୍ରାଲ ଏକ୍ସାଇଜ୍ ଡ୍ୟୁଟି ଥିଲା ୩୨ ଟଙ୍କା ୯୦ ପଇସା ଓ ରାଜ୍ୟ ସରକାରଙ୍କ ଭ୍ୟାଟ୍ ୨୩.୪୩ ପଇସା । ଅର୍ଥାତ ମୋଟ ଟ୍ୟାକ୍ସ ଥିଲା ୫୬ ଟଙ୍କା ୩୩ ପଇସା । ବେସ ପ୍ରାଇସ୍ ର ପ୍ରତିଶତ ହିସାବରେ ଦେଖାଯାଏ ତ ଏହା ପାଖାପାଖି ୧୩୭ ପ୍ରତିଶତ । ଡିଜେଲ ମାମଲା ଏହା ୧୦୭ ପ୍ରତିଶତ ।
ଏବେ RNR ହିସାବରେ ପେଟ୍ରୋଲ ଓ ଡିଜେଲ ଉପରେ GST ଦର କ୍ରମଶଃ ୧୩୭ ପ୍ରତିଶତ ଓ ୧୦୭ ପ୍ରତିଶତ ହେବା କଥା । ଏବେ ଜିଏସଟି ଅନୁସାରେ ସର୍ବାଧିକ ଦର ୨୮ ପ୍ରତିଶତ । ଏଥିରେ ଯଦି ବି ସେସ୍ ମିଳାଯାଏ ତେବେ ତାହା ହେବ ୫୦ ପ୍ରତିଶତ । ଆଉ ଗୋଟିଏ ରାସ୍ତା ହେଉଛି ବିଶେଷ କର ଲାଗୁ କରିବା କିମ୍ବା ତମଖୁ ଭଳି ବିଶେଷ ସେସ୍ ଲାଗୁ କରିବା । ତେବେ ଏଭଳି ବର୍ତ୍ତମାନ ହେବା ସମ୍ଭବ ନୁହେଁ । ଜିଏସଟି ଲାଗୁ ଦ୍ୱାରା ଉଭୟ କେନ୍ଦ୍ର ଓ ରାଜ୍ୟ ରାଜସ୍ୱ ହରାଇବେ । ତେଣୁ ଜିଏସଟିକୁ ନେଇ ସହମତି ତିଆରି ହୋଇ ପାରୁନାହିଁ ।
ପେଟ୍ରୋଲ-ଡିଜେଲ ଉପରେ ଜିଏସଟି ଲାଗୁ ହେଲେ ରାଜ୍ୟଙ୍କର ଲାଭ-କ୍ଷତି କେତେ ?
SBI ଇକୋନମିକ୍ ରିସର୍ଚ୍ଚ ରିପୋର୍ଟ ଅନୁସାରେ ଯଦି ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିଧି ଭିତରକୁ ଅଣାଯାଏ ତେବେ ମହାରାଷ୍ଟ୍ରକୁ ସବୁଠାରୁ ଅଧିକ କ୍ଷତି ସହିବାକୁ ପଡିବ । ମହାରାଷ୍ଟ୍ରକୁ ୧୦ ହଜାର ୪୨୪ କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବାକୁ ପଡିବ । ରାଜସ୍ଥାନକୁ ମଧ୍ୟ ୬ ହଜାର ୩୮୮ କୋଟି ଟଙ୍କା ଓ ମଧ୍ୟପ୍ରଦେଶ ୫ ହଜାର ୪୮୯ କୋଟି ଟଙ୍କାର କ୍ଷତି ସହିବାକୁ ପଡିବ । ତେବେ ଉତ୍ତର ପ୍ରଦେଶ ଭଳି ରାଜ୍ୟକୁ ଲାଭ ମିଳିବ । ଉତ୍ତର ପ୍ରଦେଶ ରାଜକୋଷକୁ ଅତିରିକ୍ତ ୨ ହଜାର ୪୧୯ କୋଟି ଟଙ୍କା, ହରିଆନାକୁ ୧ ହଜାର ୮୩୨ କୋଟି ଟଙ୍କା, ପଶ୍ଚିମବଙ୍ଗକୁ ୧ ହଜାର ୭୪୬ କୋଟି ଓ ବିହାରକୁ ୬୭୨ କୋଟିର ଲାଭ ହେବ ।