ଆଛେ ଦିନର ଘୋଡ଼ା ଉପରେ ସବାର ହୋଇ ୨୦୧୪ରେ ମୋଦି କ୍ଷମତାକୁ ଆସିଥିଲେ । ମୋଦି ଆସିଲେ ପେଟ୍ରୋଲ ଦର କମିବ, ମୋଦି ଆସିଲେ ଡାଲି, ତେଲ ଦର କମିବ । ଏମିତି ପ୍ରତିଶ୍ରୁତିର ପାହାଡ ଛିଡା କରି ମୋଦି ସରକାର କ୍ଷମତାକୁ ଆସିଥିଲେ । କିନ୍ତୁ ମୋଦିଙ୍କ ଦ୍ୱିତୀୟ ପାଳିରେ ଲାଗୁଛି ସବୁ ପ୍ରତିଶ୍ରୁତି କେବଳ ପ୍ରତାରଣା ହୋଇଯାଇଛି । ଯେଉଁମାନେ ଦିନେ କହୁଥିଲେ ମୋଦି କ୍ଷମତାକୁ ଆସିଲେ ପେଟ୍ରୋଲ ଲିଟର ପିଛା ୩୫ ଟଙ୍କା ପଡିବ ସେମାନେ ଏବେ ନିଜ ପୁରୁଣା ଟ୍ୱିଟକୁ ଖୋଜି ଖୋଜି ଡିଲିଟ୍ କରୁଛନ୍ତି । ଏହି ଟ୍ୱିଟ୍ ଡିଲିଟ୍ କରିବା ବ୍ୟକ୍ତିଙ୍କ ତାଲିକାରେ ଅଛି ବାବା ରାମଦେବଙ୍କ ନାମ ।
କାର୍ତ୍ତିକରେ ପରିବା ଦେଖିଲେ ପାଟିରୁ ବାହାରୁଛି ହେ ରାମ !
ବାବା ରାମଦେବ ସେତେବେଳେ କ’ଣ କହିଥିଲେ ଏବେ ଲୋକଙ୍କ ପାଇଁ ମାଇନା ରଖେ ନାହିଁ । କାରଣ ଏବେ ସେମାନଙ୍କ ହାଣ୍ଡିଶାଳରେ ପଡିଛି ଚଡକ । ଗ୍ୟାସଠାରୁ ଡାଲି ସବୁ ଏବେ ମହଙ୍ଗା । କାର୍ତ୍ତିକ ମାସ ଆସ୍ଥାର ମାସ । ପବିତ୍ର କାର୍ତ୍ତିକରେ ହିନ୍ଦୁ ଆମିଶ ଭୋଜନକୁ ତ୍ୟାଗ କରିଥାନ୍ତି । ଏହି ମାସରେ ସାଧାରଣତଃ ପରିବା ବଜାରରେ ଅଧିକ ଭିଡ ହୋଇଥାଏ । କିନ୍ତୁ ଏବେ ପରିବା ବଜାରରେ ସେତେ ଗହଳି ନାହିଁ । ଆଉ ଯଦି ବି ଗହଳି ଅଛି ତେବେ ଲୋକଙ୍କ ବ୍ୟାଗର ଓଜନ କମ । କାର୍ତ୍ତିକ ମାସ ଆସିବା ସହିତ ସବୁଜ ପନିପରିବା ଦର ଆକାଶ ଛୁଇଁଛି । ଯାହାର ସିଧା ପ୍ରଭାବ ଗରିବ, ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ପରିବାରଙ୍କ ଉପରେ ପଡିଛି ।
ପରିବା ବଜାରର ଦର ଅନେକଙ୍କୁ ପରିବା ବଜାରରୁ ଦୁରେଇ ରହିବାକୁ ବାଧ୍ୟ କରୁଛି । ବାଇଗଣ ୭୦ରୁ କମ ନାହିଁ । କେଉଁଠି କେଉଁଠି ବାଇଗଣ ୧୦୦ ଟଙ୍କାରେ ବିକ୍ରି ହେଉଛି । କଲରା ଅତିକମରେ ୬୦ । ଟମାଟ ୬୦ ଉପରେ । କଂଚା ଲଙ୍କା ଶହେ ଗ୍ରାମକୁ ୧୦ରୁ ୧୫ ଟଙ୍କା । ଶାଗ ବିଡା ୨୦ ଟଙ୍କା । ପିଆଜ ୫୦ ଉପରେ ।
ହୋଟେଲ ଖାଇବା ଲୋକଙ୍କୁ ବାଧିବ
ଇଏ ତ’ ଗଲା ଘରେ ରୋଷେଇ କରି ଖାଉଥିବା ଲୋକଙ୍କ କଥା । ସୋମବାର ଥିଲା ସେଇ ଲୋକଙ୍କ ପାଇଁ ଖରାପ ଦିନ ଯେଉଁମାନେ ଘର ଛାଡି ବାହାରେ ରୁହନ୍ତି । ହୋଟେଲ ସେମାନଙ୍କ ପାଇଁ ଭରସା । ଏବେ ହୋଟେଲରେ ଖାଦ୍ୟ ରେଟ୍ ବଢିବା ପକ୍କା । କାରଣ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ ଏକାଥରକେ ୨୬୬ ଟଙ୍କା ବଢିଛି ।