ଫେକ୍ ନ୍ୟୁଜ୍ ଏବଂ ସମାଜ ଉପରେ ଏହାର ପ୍ରଭାବ
ଗାଜିଆବାଦରେ ଜଣେ ବରିଷ୍ଠ ନାଗରିକଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ଫେକ୍ ନ୍ୟୁଜ୍ ପ୍ରସାରିତ କରିବା ଅଭିଯୋଗରେ ଉତ୍ତରପ୍ରଦେଶ ପୋଲିସ ଅନେକ ଲୋକଙ୍କ ବିରୋଧରେ ଏତଲା ଦାଏର କରିଛି । ଆକ୍ରମଣର ଶିକାର ବୃଦ୍ଧଙ୍କୁ ଜୟ ଶ୍ରୀରାମ ନାରା ଦେବାକୁ ବାଧ୍ୟ କରାଯାଇଥିଲା ବୋଲି ସୋସିଆଲ ମିଡିଆରେ ଅଭିଯୋଗ ହୋଇଥିଲା । ସାମ୍ପ୍ରଦାୟିକତା ସୃଷ୍ଟି ଅଭିଯୋଗରେ ଏବେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ । ତେବେ ପ୍ରଶ୍ନ ହେଉଛି ଫେକ୍ ନ୍ୟୁଜ୍ କ’ଣ ? ଓ କାହିଁକି ଆଇନ ଏହାକୁ ନେଇ ଏତେ କଠୋର ।
୧) ଫେକ୍ ନ୍ୟୁଜ୍ କ’ଣ ?
ଯେମିତିକି ନାମରୁ ସ୍ପଷ୍ଟ ଫେକ୍ ନ୍ୟୁଜର କାମ ହେଉଛି କୌଣସି ଗୋଟିଏ ସଂସ୍ଥା, ଧର୍ମ, କ୍ଷେତ୍ର କିମ୍ବା ଭାଷାକୁ ବଦନାମ କରିବା ପାଇଁ ଏହା ଚଳାଯାଇଥାଏ । ଖବର ନାମରେ ମିଛକୁ ସମ୍ବାଦପତ୍ରରେ ଛାପିବା କିମ୍ବା ଟିଭିରେ ପ୍ରସାରିତ କରିବା ହେଉଛି ଫେକ୍ ନ୍ୟୁଜ୍ । କିନ୍ତୁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ମଧ୍ୟ ଏଭଳି ମିଛ ଖବରକୁ ଜୋରସୋରରେ ପ୍ରଚାର କରାଯାଉଛି ।
୨) କେମିତି ପ୍ରସାରିତ ହୁଏ?
ଭ୍ରାମକ ଖବରର ବିଶେଷତା ହେଉଛି ଯେ, ଏହା ଶୁଦ୍ଧ ମିଥ୍ୟା ହୋଇଥିଲେ ମଧ୍ୟ ସତ ଲାଗେ । ଅନେକ ସମୟରେ ଏଥିରେ ଭୁଲ ତଥ୍ୟ ଓ ବୟାନ ରହିଥାଏ । ଅନେକ ସମୟରେ ବଡ଼ ନେତାଙ୍କ ବୟାନକୁ ଏମିତି ପେସ୍ କରାଯାଏ ଯେ, ତାର ଅର୍ଥ ବଦଳିଯାଏ । ଏହା ମଧ୍ୟ ଫେକ୍ ନ୍ୟୁଜ୍ ଶ୍ରେଣୀରେ ଆସିଥାଏ । କେବଳ ରାଜନୀତି ନୁହେଁ ଜୀବନର ଅନେକ ପ୍ରସଙ୍ଗରେ ଏଭଳି ମିଥ୍ୟା ଖବର ନଜରକୁ ଆସିଥାଏ । ଉଦାହରଣ ଭାବେ କୋଭିଡ୍ ଟିକାକୁ ନିଆଯାଉ । ଟିକା ଆସିବା ବେଳେ ପ୍ରଚାର ହେଲା ଯେ, ଟିକା ନେଲେ ପୁରୁଷ ନମ୍ପୂସକ ହୋଇଯିବେ ଓ ମହିଳା ବନ୍ଧ୍ୟା ।
୩) 2010ରୁ ଫେକ୍ ନ୍ୟୁଜକୁ ନେଇ ଚର୍ଚ୍ଚା ଆରମ୍ଭ ହେଲା
ସେତେବେଳେ ଆମେରିକୀୟ ନିର୍ବାଚନରେ ଫେକ୍ ନ୍ୟୁଜ ପ୍ରସାରଣର ତୁଳନା ମାସ୍ ହିଷ୍ଟ୍ରିଆ ସହିତ ହୋଇଥିଲା । ଅର୍ଥାତ କୌଣସି ଖବରକୁ ପଢି ଏକକାଳୀନ ସମସ୍ତେ ଆତଙ୍କିତ ହୋଇ ପଡନ୍ତି । ଫେକ୍ ନ୍ୟୁଜ୍ କାରଣରୁ କୌଣସି ସଂସ୍ଥା କିମ୍ବା ଧର୍ମୀୟ ସଂଗଠନ, ଗୋଟିଏ ଧର୍ମାବଳମ୍ବିଙ୍କ ବିରୋଧରେ ଆଉ ଗୋଟିଏ ଧର୍ମର ଲୋକଙ୍କ ମଧ୍ୟରେ ଆକ୍ରୋଶ ବ୍ୟାପିଥାଏ । ଅନେକ ସମୟରେ ଫେକ୍ ନ୍ୟୁଜ୍ କାରଣରୁ ଦଙ୍ଗା ମଧ୍ୟ ହୋଇଥାଏ ।
୪) ଜୋରରେ ବ୍ୟାପିଥାଏ ଫେକ୍ ନ୍ୟୁଜ୍
ଫେକ୍ ନ୍ୟୁଜ୍ ସତ ଖବରଠାରୁ ଦ୍ରୁତ ବେଗରେ ପ୍ରସାରିତ ହୋଇଥାଏ । ଏହାକୁ ନେଇ ଏକ ଅଧ୍ୟୟନ ମଧ୍ୟ ହୋଇ ସାରିଛି । ମାସାଚ୍ୟୁସେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଏକ ଅଧ୍ୟଯନରୁ ଜଣା ପଡିଛି ଯେ, ଫେକ୍ ନ୍ୟଜର କଣ୍ଟେଣ୍ଟକୁ ଏମିତି ତିଆରି କରାଯାଇଥାଏ ଯେ, ଏହା ଜଙ୍ଗଲ ନିଆଁ ଭଳି ବ୍ୟାପିଥାଏ ।
ଅଧ୍ୟୟନରୁ ଜଣା ପଡିଛି ଯେ, ଫେକ୍ ନ୍ୟୁଜକୁ ଲୋକ ଅଜାଣତରେ ସତ ବୋଲି ଭାବି ପ୍ରଚାର କରିଥାନ୍ତି । ଏଭଳି ଖବରକୁ ନକଲି ପ୍ରୋଫାଇଲରୁ ଭାଇରାଲ କରାଯାଇନଥାଏ । ବାସ୍ତବରେ ଲୋକ ମିଛ ଖବରକୁ ସତ ବୋଲି ଭାବି ଏହାକୁ ବଢେଇ ଚଢେଇ ପ୍ରଚାର କରିଥାନ୍ତି । ଏହି ଅଧ୍ୟୟନ ଅନୁସାରେ ଟ୍ୱିଟରରେ ସତ ଖବର ତୁଳନାରେ ଫେକ୍ ନ୍ୟୁଜ୍ 70 ପ୍ରତିଶତ ଅଧିକ ଶେୟାର ହେବାର ଆଶଙ୍କା ରହିଛି ।
୫) ମିଥ୍ୟା ଖବର ଓ ଫେକ୍ ନ୍ୟୁଜ୍ କ’ଣ ସମାନ ?
ରିସର୍ଚ୍ଚ ଲେଖକ ଫେକ୍ ନ୍ୟୁଜ୍ ବଦଳରେ ସତ କିମ୍ବା ମିଛ ଖବରର ଉପଯୋଗ ଅଧିକ ଠିକ୍ ହେବ ବୋଲି କହିଛନ୍ତି । ତେବେ ଫେକ୍ ନ୍ୟୁଜ୍ ଜାଣିଶୁଣି ପ୍ରଚାର କରାଯାଇଥିବା ଭୁଲ କିମ୍ବା ମିଥ୍ୟା ଖବର ପାଇଁ ବ୍ୟବହାର ହୋଇଥାଏ । ଆମେ ଜାଣିନେ ଯେ କିଏ ଓ କାହିଁକି କୌଣସି ଗୋଟିଏ ମିଛ କଥାକୁ ଜୋରସୋରରେ ପ୍ରଚାର କରୁଛି । ତେଣୁ ଏଭଳି ଖବରକୁ ଅଧ୍ୟୟନରେ ଫେକ୍ ବଦଳରେ ସତ କିମ୍ବା ମିଛ ଖବର ବୋଲି କୁହାଯାଇଛି ।
୬) ଅଧ୍ୟୟନରେ କେଉଁଭଳି ଖବରର ତର୍ଜମା ହୋଇଥିଲା ?
ଏଥିରେ ପ୍ରାୟ 1.26 ଲକ୍ଷ ଷ୍ଟୋରି ଥିଲା, ଯାହା 2006ରୁ 2017 ମଧ୍ୟରେ 45 ଲକ୍ଷ ଥର ପ୍ରାୟ 30 ଲକ୍ଷ ଲୋକଙ୍କ ଦ୍ୱାରା ଟ୍ୱିଟ୍ କରାଯାଇଥିଲା । 6ଟି ଏଭଳି ୱେବସାଇଟର ଦ୍ୱାରା ଏହି ଖବରକୁ ଯାଂଚ୍ କରାଯାଇଥିଲା ଯେଉଁମାନେ ଫେକ୍ ନ୍ୟୁଜର ଫ୍ୟାକ୍ଟ୍ ଚେକ୍ କରିଥାନ୍ତି ।
୭) ମିଥ୍ୟା ଖବର ଅଧିକ ଭାଇରାଲ କାହିଁକି ହୋଇଥାଏ ?
ଖୁବ ରୋଚକ ଢଙ୍ଗରେ ଏହି ସବୁ ଖବରକୁ ସେୟାର କରାଯାଇଥାଏ । ତେଣୁ ଲୋକ ନଜାଣି ମଧ୍ୟ ଏହି ଖବରକୁ ସେୟାର କରିଥାନ୍ତି । ଫେକ୍ ଖବରକୁ ପ୍ରସାରିତ କରୁଥିବା ଅନେକ ଏହା ମଧ୍ୟ ଜାଣିନଥାନ୍ତି ଯେ, ସେମାନେ ଗୋଟିଏ ମିଛ ଖବରକୁ ସତ ମାନି ଆଗକୁ ବଢାଉଛନ୍ତି ।
୮) ଏହାର କୌଣସି ରାଜନୈତିକ ପ୍ରଭାବ ଥାଏ କି ?
ମିଥ୍ୟା ଖବର ବହୁତ ଦୂର ଓ ବ୍ୟାପକସ୍ତରରେ ବ୍ୟାପିଥାଏ । ସାଧାରଣ ଫେକ୍ ନ୍ୟୁଜ୍ ତୁଳନାରେ ରାଜନୈତିକ ଫେକ୍ ନ୍ୟୁଜ୍ ତିନିଗୁଣ ଅଧିକ ବେଗରେ ବ୍ୟାପିଥାଏ । ଅଧିକରୁ ଅଧିକ ଲୋକ ସୋସିଆଲ ମିଡିଆ ସହିତ ଜଡିତ ହେଉଥିବାରୁ ରାଜନୀତି ଉପରେ ଫେକ୍ ନ୍ୟୁଜର ପ୍ରଭାବ ଅଧିକ ପଡିବ ।