![Above Post Content](https://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ମାତ୍ରେ ନିର୍ବାଚନ ଆୟୋଗର ମଡେଲ ଆଚରଣ ବିଧି ଲାଗୁ ହୋଇଛି । ଏହା ଅଧୀନରେ ସାରା ଦେଶରେ ଏକ ଅଭିଯାନ ଚଳାଇ ହୋର୍ଡିଂ, ବ୍ୟାନର ଏବଂ ରାଜନୈତିକ ଦଳର ପୋଷ୍ଟର ହଟାଯିବ । କେବଳ ଏତିକି ନୁହେଁ ସରକାରୀ ଯୋଜନାର ହୋର୍ଡିଂ ମଧ୍ୟ ହଟାଯିବ । ଆଚରଣ ବିଧି ଉଲ୍ଲଂଘନ ବାବଦରେ ସିଧାସଳଖ ନିର୍ବାଚନ ଆୟୋଗଙ୍କୁ ଜଣାଯାଇପାରିବ । ଅଭିଯୋଗ ଠିକ ଥିଲେ ଆୟୋଗ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଆଚରଣ ବିଧି ଲାଗୁ ପରେ ସରକାରୀ କର୍ମଚାରୀମାନେ ଆଚରଣ ସଂହିତାର ସୁଯୋଗ ନେଇ ଲୋକଙ୍କ କାର୍ଯ୍ୟ କରିବାକୁ ମନା କରନ୍ତି । ଅନ୍ୟପକ୍ଷରେ ଲୋକମାନଙ୍କର ମଧ୍ୟ ଭୁଲ ଧାରଣା ରହିଛି ଯେ ଆଚରଣ ବିଧି କେବଳ ରାଜନୈତିକ ଦଳ ଏବଂ ନେତାଙ୍କ ପାଇଁ ପ୍ରଯୁଜ୍ୟ । ଯଦି ଆପଣ ମଧ୍ୟ ଏହିପରି ଭାବୁଛନ୍ତି ତେବେ ସାବଧାନ ରୁହନ୍ତୁ । ଏହା ରାଜନୈତିକ ଦଳ,ସରକାରଙ୍କ ସହିତ ସାଧାରଣ ନାଗରିକଙ୍କ ପାଇଁ ମଧ୍ୟ ପ୍ରଜୁଯ୍ୟ ।
କେବଳ ରାଜନୈତିକ ଦଳ କିମ୍ବା ନେତା ନୁହଁନ୍ତି, ଯଦି ଜଣେ ସାଧାରଣ ଲୋକ ମଧ୍ୟ ଆଚରଣ ବିଧି ଉଲ୍ଲଂଘନ କରନ୍ତି, ତେବେ ତାଙ୍କୁ ଜେଲ ମଧ୍ୟ ଯିବାକୁ ପଡିପାରେ । ତଥାପି, ଏହା ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ଏହି ସମୟ ମଧ୍ୟରେ ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ ହୁଏ ନାହିଁ । ତେଣୁ, ଯଦି କୌଣସି ସରକାରୀ ଅଧିକାରୀ ଆପଣଙ୍କ କାମ କରିବାକୁ ମନା କରନ୍ତି, ତେବେ ନିୟମ କ’ଣ ତାହା ଜାଣିବା ଜରୁରୀ । ଏହା ଜାଣି ରଖନ୍ତୁ ଯେ, ଆପଣଙ୍କ ଜୀବନ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆଚରଣ ସଂହିତା କାର୍ଯ୍ୟକାରୀ ହେବା ପରେ ବି କୌଣସି ପରିସ୍ଥିତିରେ ବନ୍ଦ ହେବ ନାହିଁ । ମଡେଲ୍ ଆଚରଣ ସଂହିତା କାର୍ଯ୍ୟକାରୀ ହେବା ପରେ ଆପଣ କ’ଣ କରିପାରିବେ ଏବଂ କ’ଣ କରିବା ଉଚିତ ନୁହେଁ ଆସନ୍ତୁ ଜାଣିବା ।
ଆଚରଣ ସଂହିତା କାର୍ଯ୍ୟକାରୀ ହେବା ପରେ ମଧ୍ୟ କେଉଁ କାର୍ଯ୍ୟ ବନ୍ଦ ହେବ ନାହିଁ?
![After 2nd paragraph post ads](https://risingodisha.in/wp-content/uploads/2023/08/728.jpg)
ମଡେଲ ଆଚରଣ ସଂହିତା ଲାଗୁ ହେବା ପରେ ମଧ୍ୟ ଆପଣ ପେନସନ ପାଇବା ପାଇଁ ସରକାରୀ କାର୍ଯ୍ୟାଳୟକୁ ଯାଇପାରିବେ । କୌଣସି ଅଧିକାରୀ ଏହାକୁ ପ୍ରତ୍ୟାଖ୍ୟାନ କରିପାରିବେ ନାହିଁ । ଏହି ସମୟରେ ଆଧାର କାର୍ଡ ଏବଂ ଜାତି ପ୍ରମାଣପତ୍ର ତିଆରି କରିବାର କାର୍ଯ୍ୟ ମଧ୍ୟ ଜାରି ରହିବ । ବିଦ୍ୟୁତ୍, ଜଳ ଏବଂ ପରିଷ୍କାର ପରିଚ୍ଛନ୍ନ କାର୍ଯ୍ୟଗୁଡିକ ସୁରୁଖୁରୁରେ ଜାରି ରହିବ । ସେହି ସମୟରେ, ଆପଣ ଚିକିତ୍ସା ପାଇଁ ଆର୍ôଥକ ସହାୟତା ମଧ୍ୟ ନେଇ ପାରିବେ । ରାସ୍ତା ମରାମତି ପାଇଁ ପ୍ରଶାସନ କାର୍ଯ୍ୟ ଜାରି ରଖି ପାରିବ । ଏହା ବ୍ୟତୀତ କୌଣସି ଚାଲୁଥିବା ପ୍ରକଳ୍ପ କାର୍ଯ୍ୟକୁ ମଧ୍ୟ ବନ୍ଦ କରାଯାଇ ପାରିବ ନାହିଁ । କୌଣସି ଅଧିକାରୀ ଆଚରଣ ସଂହିତା ବାହାନା କରି ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ କରିପାରିବେ ନାହିଁ । ଯଦି ଆପଣ ଘର ପ୍ଲାନ୍ ପାଇଁ ଆବେଦନ କରିସାରିଛନ୍ତି ତେବେ ଏହା ଅନୁମୋଦିତ ହେବ,ତେବେ ଏଥିପାଇଁ ନୂତନ ଆବେଦନ ଗ୍ରହଣ କରାଯିବ ନାହିଁ ।
ମଡେଲ୍ ଆଚରଣ ସଂହିତା ଅନୁଯାୟୀ କେଉଁ କାର୍ଯ୍ୟ ସଂପୂର୍ଣ୍ଣ ବନ୍ଦ ହୋଇଯିବ?
![Middle post content](https://risingodisha.in/wp-content/uploads/2023/08/website-1-e1691833471554.jpg)
ନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରେ ଏବଂ ଆଚରଣ ବିଧି କାର୍ଯ୍ୟକାରୀ ହେବା ମାତ୍ରେ କୌଣସି ନେତା କିମ୍ବା ଅଧିକାରୀ କୌଣସି ପ୍ରକଳ୍ପ ଉଦ୍ଘାଟନ କରିପାରିବେ ନାହିଁ କିମ୍ବା ଶିଳାନ୍ୟାସ କରି ପାରିବେ ନାହିଁ । ଏହା ସହିତ ନୂତନ କାର୍ଯ୍ୟ ପାଇଁ ଅନୁମୋଦନ ମଧ୍ୟ ଦିଆଯିବ ନାହିଁ । ଯେଉଁ ଅଂଚଳରେ ଆଚରଣ ସଂହିତା କାର୍ଯ୍ୟକାରୀ ହେବ, ସେଠାରେ ସରକାରଙ୍କ ସଫଳତାର ହୋର୍ଡିଂ ରହିବ ନାହିଁ । ପୂର୍ବରୁ ଲାଗିଥିବା ହୋର୍ଡିଂଗୁଡିକ ଅପସାରିତ ହେବ । ସଂପୃକ୍ତ ନିର୍ବାଚନମଣ୍ଡଳୀକୁ କୌଣସି ସରକାରୀ ପରିଦର୍ଶନ ହେବ ନାହିଁ । ସରକାରୀ ଗାଡିରେ ସାଇରନ୍ ଲଗାଯିବ ନାହିଁ । ସରକାରୀ ଭବନରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ରାଜନୈତିକ ବ୍ୟକ୍ତିତ୍ୱଙ୍କ ଫଟୋ ରଖିବା ଉପରେ ପ୍ରତିବନ୍ଧକ ଲଗାଯିବ । କୌଣସି ବ୍ୟକ୍ତି କିମ୍ବା ନେତା ପ୍ରିଣ୍ଟ କିମ୍ବା ଇଲେକ୍ଟ୍ରୋନିକ୍ ବା ଅନ୍ୟାନ୍ୟ ଗଣମାଧ୍ୟମରେ ସରକାରଙ୍କ ସଫଳତା ବିଷୟରେ ବିଜ୍ଞାପନ ଦେଇ ପାରିବେ ନାହିଁ । ଏହି ସମୟ ମଧ୍ୟରେ ସାଧାରଣ ଲୋକମାନେ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିବା ସମୟରେ ସାବଧାନ ହେବା ଉଚିତ । ଆପଣଙ୍କର ଗୋଟିଏ ପୋଷ୍ଟ ଆପଣଙ୍କୁ ଜେଲକୁ ପଠାଇବା ପାଇଁ ଯଥେଷ୍ଟ । କୌଣସି ପୋଷ୍ଟ ସେୟାର କରିବା ପୂର୍ବରୁ କିମ୍ବା ଲେଖିବା ପୂର୍ବରୁ ଭଲ ଭାବରେ ବୁଝନ୍ତୁ ଯେ, ତାହା ଆଚରଣ ସଂହିତା ନିୟମର ଉଲ୍ଲଂଘନ କରୁଛି କି ନାହିଁ ।
କେଉଁ କ୍ଷେତ୍ରରେ ଜଣେ ସାଧାରଣ ଲୋକ ମଧ୍ୟ ଜେଲ ଯାଇପାରନ୍ତି?
ଯଦି କୌଣସି ସାଧାରଣ ବ୍ୟକ୍ତି ଏହି ସମସ୍ତ ନିୟମ ଉଲ୍ଲଂଘନ କରନ୍ତି, ତେବେ ମଡେଲ ଆଚରଣ ସଂହିତା ଅନୁଯାୟୀ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସରଳ ଭାବରେ କହିବାକୁ ଗଲେ, ଯଦି ଆପଣ କୌଣସି ନେତାଙ୍କ ଅଭିଯାନ ସହିତ ଜଡିତ ଅଛନ୍ତି, ତେବେ ଆପଣଙ୍କୁ ଏହି ନିୟମଗୁଡ଼ିକ ବିଷୟରେ ସଚେତନ ହେବାକୁ ପଡିବ । ଯଦି କୌଣସି ରାଜନେତା ଆପଣଙ୍କୁ ଏହି ନିୟମ ବିରୁଦ୍ଧରେ କାର୍ଯ୍ୟ କରିବାକୁ କୁହନ୍ତି, ତେବେ ଆପଣ ତାଙ୍କୁ ଆଚରଣ ସଂହିତା ବିଷୟରେ କହି ତାହା କରିବାକୁ ମନା କରିପାରିବେ । ଯଦି ଆପଣ ଏପରି କିଛି କରନ୍ତି ଯାହାକି ଆଚରଣ ବିଧି ଉଲ୍ଲଂଘନ କରୁଥାଏ,ତେବେ କମିଶନ ତୁରନ୍ତ ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । ଏମିତିକି ଆପଣଙ୍କୁ ଜେଲ ଯିବାକୁ ପଡିପାରେ ।
ପ୍ରାର୍ଥୀ ଏବଂ ଦଳ ପାଇଁ ନିୟମ କ’ଣ ?
ଲୋକସଭା ନିର୍ବାଚନ ୨୦୨୪ ପାଇଁ ନିର୍ବାଚନ ଆଚରଣ ବିଧି କାର୍ଯ୍ୟକାରୀ ହେବା ପରେ ସରକାର ଭୋଟରଙ୍କୁ ପ୍ରଭାବିତ କରିବାକୁ କୌଣସି ଘୋଷଣା କରିପାରିବେ ନାହିଁ । ରାଜ୍ୟଗୁଡିକରେ ନିର୍ବାଚନ ତାରିଖ ଘୋଷଣା ହେବା ସହିତ ସରକାରୀ କର୍ମଚାରୀମାନେ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ନିର୍ବାଚନ ଆୟୋଗର କର୍ମଚାରୀ ହୁଅନ୍ତି । ଆଚରଣ ସଂହିତା ହେଉଛି ନିର୍ବାଚନ ଆୟୋଗ ଦ୍ୱାରା ପ୍ରସ୍ତୁତ ନିୟମ, ଯାହାକୁ ପ୍ରତ୍ୟେକ ଦଳ ଏବଂ ସବୁ ପ୍ରାର୍ଥୀ ପାଳନ କରିବା ଆବଶ୍ୟକ । ଯଦି ଏହାକୁ ଉଲ୍ଲଂଘନ କରାଯାଏ ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ପ୍ରାର୍ଥୀଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବାରଣ କରାଯାଇପାରେ । ଏଫଆଇଆର ଦାଖଲ ପରେ ପ୍ରାର୍ଥୀଙ୍କୁ ଜେଲ ପଠାଯାଇପାରିବ ।
![Below Post Content](https://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)