୫ ବର୍ଷରେ ରାହୁଲଙ୍କ ଘନିଷ୍ଠ ୧୧ ନେତା ଛାଡ଼ିଛନ୍ତି ଦଳ

Above Post Content

ନୂଆଦିଲ୍ଲୀ: ଦୀର୍ଘ ୫ ବର୍ଷ ଭିତରେ କଂଗ୍ରେସ ଛାଡ଼ିଲେଣି ୧୧ ଜଣ ବଡ଼ ବଡ଼ ନେତା । ସେମାନେ ସମସ୍ତେ ଏକଦା ରାହୁଲ ଗାନ୍ଧିଙ୍କ ଘନିଷ୍ଠ ଥିଲେ । ହେଲେ ପରେ ଜଣେ ଜଣେ କରି ରାହୁଲଙ୍କ ନୀତିକୁ ବିରୋଧ କରି ଦଳ ଛାଡ଼ିଛନ୍ତି । ୨୦୧୪ ଲୋକସଭା ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପରଠାରୁ ଦଳରେ ଆରମ୍ଭ ହୋଇଥିବା ସାଂଗଠନିକ ସଙ୍କଟ ଏବେ ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି । ୨୦୧୯ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦଳର ୧୧ ଜଣ ବଡ଼ ନେତା ଦଳ ଛାଡ଼ିଲେଣି ।

ଅନେକ ରାହୁଲଙ୍କ ନୀତିକୁ ବିରୋଧ କରି ଛାଡ଼ିଛନ୍ତି ଦଳ

After 2nd paragraph post ads
Middle post content

ଗତକାଲି ମହାରାଷ୍ଟ୍ରର ବରିଷ୍ଠ ନେତା ମିଲିନ୍ଦ ଦେୱଡ଼ା କଂଗ୍ରେସ ଛାଡ଼ି ଶିବସେନାରେ ସାମିଲ ହୋଇଛନ୍ତି । ଗୁଜରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ ମେ ୨୦୨୨ରେ ରାହୁଲ ଗାନ୍ଧିଙ୍କ ନୀତିକୁ ବିରୋଧ କରି ଦଳ ଛାଡ଼ିଥିଲେ । ପରେ ବିଜେପିରେ ସାମିଲ ହୋଇଥିଲେ । ୨୦୨୨ ଫେବ୍ରୁଆରିରେ ଦଳର ଅନ୍ୟତମ ଟାଣୁଆ ନେତା ଅଶ୍ୱିନୀ କୁମାର ମଧ୍ୟ ଦଳୀୟ ନୀତିରେ ଅତିଷ୍ଠ ହୋଇ ଦଳ ଛାଡ଼ିଥିଲେ । ଏକଦା କଂଗ୍ରେସର ଅନ୍ୟତମ ପ୍ରଭାବଶାଳୀ ନେତା ଭାବେ ପରିଗଣିତ ହେଉଥିବା କପିଲ ଶିବଲ ୨୦୨୨ ମେରେ ଦଳରୁ ଇସ୍ତଫା ଦେଇଥିଲେ । ଏହାପରେ ସେ ସମାଜବାଦୀ ପାର୍ଟି ସମର୍ଥନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଦଳର ଅନ୍ୟତମ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ମଧ୍ୟ ୨୦୨୨ରେ କଂଗ୍ରେସର ହାତ ଛାଡ଼ି ଦେଇଥିଲେ । ଏହା ଦଳ ପାଇଁ ବଡ଼ ଝଟ୍‌କା ଥିଲା । ସେ ତାଙ୍କ ଇସ୍ତଫାରେ ରାହୁଲ ଗାନ୍ଧିଙ୍କ ଅପରିପକ୍ୱତା ପ୍ରସଙ୍ଗ ଉଠାଇ ଦଳକୁ ଘେରିଥିଲେ । ପଂଜାବର ଅନ୍ୟତମ ଟାଣୁଆ ନେତା ସୁନୀଲ ଜାଖର ମଧ୍ୟ ୨୦୨୨ରେ ଦଳ ଛାଡ଼ିଥିଲେ । ରାଜ୍ୟରେ ଦଳର ମୁଖ୍ୟ ରହିଥିବା ଜାଖର କଂଗ୍ରେସ ନେତୃତ୍ୱର ବିଭିନ୍ନ ପଦକ୍ଷେପକୁ ତ୍ରୁଟିପୂର୍ଣ୍ଣ ଦର୍ଶାଇ ଦଳ ଛାଡ଼ିଥିଲେ ଏବଂ ପରବର୍ତ୍ତୀ ସମୟରେ ବିଜେପିରେ ସାମିଲ ହୋଇଥିଲେ ।

କଂଗ୍ରେସକୁ ଦେଇଥିଲେ ବଡ଼ ଝଟକା

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆର୍ପିଏନ୍ ସିଂହ ମଧ୍ୟ ୨୦୨୨ରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ୨୦୨୦ରେ କଂଗ୍ରେସକୁ ବହୁତ ବଡ଼ ଝଟ୍‌କା ଲାଗିଥିଲା ଯେତେବେଳେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ସିନ୍ଧିଆ ମଧ୍ୟପ୍ରଦେଶରେ କଂଗ୍ରେସ ସରକାରର ପତନ ଘଟାଇ ତାଙ୍କ ସମର୍ଥକଙ୍କ ସହ କଂଗ୍ରେସ ଛାଡ଼ିଥିଲେ । ସେହିଭଳି ୨୦୨୧ରେ ଉତ୍ତରପ୍ରଦେଶର ବରିଷ୍ଠ ନେତା ଜିତିନ ପ୍ରସାଦ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ସେ ୟୁପି କଂଗ୍ରେସର ବଡ଼ ଚେହେରା ଥିଲେ । ଅଳ୍ପେଶ ଠାକୁର କଂଗ୍ରେସର ପୂର୍ବ ବିଧାୟକ ଥିଲେ ଏବଂ ଜୁଲାଇ ୨୦୧୯ରେ ସେ କଂଗ୍ରେସ ଛାଡ଼ି ଦେଇଥିଲେ । ପରବର୍ତ୍ତୀ ସମୟରେ ସେ ବିଜେପିରେ ସାମିଲ ହୋଇଥିଲେ । ସେହିଭଳି କେରଳର ବରିଷ୍ଠ କଂଗ୍ରେସ ନେତା ଏକେ ଏଣ୍ଟୋନିଙ୍କ ପୁଅ ଅନୀଲ ଏଣ୍ଟୋନି ମଧ୍ୟ ଗତବର୍ଷ ଜାନୁଆରିରେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami