ରଘୁବର ଦାସ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ

Above Post Content

ଭୁବନେଶ୍ୱର: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ରଘୁବର ଦାସ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ । ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଦେଇଛନ୍ତି ଏହି ନିଯୁକ୍ତିଏବେ ଓଡ଼ିଶାର ରାଜ୍ୟପାଳ ଭାବେ ପ୍ରଫେସର ଗଣେଶୀ ଲାଲ କାର୍ଯ୍ୟ କରୁଛନ୍ତି । ତାଙ୍କ ସ୍ଥାନ ନେବେ ରଘୁବର । ପ୍ରଫେସର ଗଣେଶୀ ଲାଲ ୨୦୧୮ରେ ଓଡ଼ିଶାର ରାଜ୍ୟପାଳ ହୋଇଥିଲେ । ତାଙ୍କ କାର୍ଯ୍ୟକାଳ ୨୦୨୩ ମେ ମାସରେ ଶେଷ ହୋଇଥିଲା । ଏହାପରେ ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଥିଲା । ହେଲେ ରାଷ୍ଟ୍ରପତି ମୁର୍ମୁ ରାଜ୍ୟର ନୂଆ ରାଜ୍ୟପାଳ ଭାବେ ଶ୍ରୀ ଦାସଙ୍କ ନାଁ ଉପରେ ମୋହର ମାରିଛନ୍ତି । ରାଷ୍ଟ୍ରପତି ଭବନରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ରଘୁବର ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବରେ ଅବସ୍ଥାପିତ ହେବେ ।

୫ଥର ଝାଡ଼ଖଣ୍ଡ ବିଧାନସଭାକୁ ହୋଇଛନ୍ତି ନିର୍ବାଚିତ

After 2nd paragraph post ads
Middle post content

ରଘୁବର ୫ଥର ଝାଡ଼ଖଣ୍ଡ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସେ ଝାଡ଼ଖଣ୍ଡର ଉପମୁଖ୍ୟମନ୍ତ୍ରୀ ଓ ପରବର୍ତ୍ତୀ ସମୟରେ ଝାଡ଼ଖଣ୍ଡର ଷଷ୍ଠ ମୁଖ୍ୟମନ୍ତ୍ରୀ ଭାବରେ ଅବସ୍ଥାପିତ ହୋଇଥିଲେ । ସେ ଝାଡ଼ଖଣ୍ଡ ରାଜ୍ୟ ବିଜେପିର ସଭାପତି ଭାବରେ ଦୁଇଥର ମଧ୍ୟ କାର୍ଯ୍ୟ କରିଛନ୍ତି । ୧୯୫୫ ମେ ୩ ତାରିଖରେ ଜନ୍ମ ଗ୍ରହଣ କରିଥିବା ରଘୁବର ଭାଲୁବସା ହରିଜନ ହାଇସ୍କୁଲର ମ୍ୟାଟ୍ରିିକ ଓ ଜାମସେଦପୁର କୋ-ଅପରେଟିଭ୍ କଲେଜରୁ ସ୍ନାତକ ଶିକ୍ଷା ଶେଷ କରିଥିଲେ । ପରେ ସେ ଆଇନରେ ସ୍ନାତକ ଡ଼ିଗ୍ରୀ ହାସଲ କରି ଟାଟା କମ୍ପାନୀରେ ଯୋଗ ଦେଇଥିଲେ ।

ପ୍ରଥମ ଅଣ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବେ ହୋଇଥିଲେ ଅଧିଷ୍ଠିତ

ଆରଏସ୍‌ଏସ୍ ପୃଷ୍ଠଭୂମି ସହ ଘନିଷ୍ଠ ଭାବରେ ଜଡ଼ିତ ରଘୁବର ୧୯୭୭ରେ ଜନତା ପାର୍ଟିରେ ଯୋଗ ଦେଇଥିଲେ । ପରେ ୧୯୮୦ରେ ବିଜେପିର ପ୍ରତିଷ୍ଠାତା ସଦସ୍ୟ ରହିଥିଲେ । ଜାମସେଦପୁର (ପୂର୍ବ) ବିଧାନସଭା ଆସନରୁ ସେ ବିହାର ବିଧାନସଭାକୁ ୧୯୯୫ରେ ନିର୍ବାଚିତ ହୋଇଥିଲେ ଏବଂ ୨୦୦୪ରେ ଝାଡ଼ଖଣ୍ଡ ରାଜ୍ୟ ବିଜେପିର ସଭାପତି ରୂପେ ଅବସ୍ଥାପିତ ହୋଇଥିଲେ । ୨୦୦୫ରେ ଅର୍ଜୁୁନ ମୁଣ୍ଡାଙ୍କ ନେତୃତ୍ୱାଧୀନ ଝାଡ଼ଖଣ୍ଡ ବିଜେପି ସରକାରରେ ସେ ସହରାଞ୍ଚଳ ବିକାଶ ମନ୍ତ୍ରୀ ରୂପେ ନିଯୁକ୍ତି ପାଇଥିଲେ । ୨୦୦୯ରେ ସେ ଶିବୁ ସୋରେନଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ ହୋଇଥିଲେ । ୨୦୧୪ରେ ସେ ବିଜେପି ଜାତୀୟ କମିଟିରେ ସ୍ଥାନ ପାଇଥିଲେ । ତାଙ୍କୁ ଦଳର ରାଷ୍ଟ୍ରୀୟ ଉପସଭାପତି ପଦ ମିଳିଥିଲା । ମାତ୍ର ରାଜ୍ୟରେ ସେହିବର୍ଷ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ଝାଡ଼ଖଣ୍ଡର ପ୍ରଥମ ଅଣ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବରେ ରଘୁବର ଦାସ ଅଧିଷ୍ଠିତ ହୋଇଥିଲେ । ସେ ୨୦୧୯ ଯାଏ ଏହି ପଦରେ ରହିଥିଲେ । ଏବେ ସେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି । ବୁଧବାର ତାଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami