ମହାରାଷ୍ଟ୍ରରେ ଶିବସେନାର ବିଭାଜନ ଘଟାଇ ବିଜେପି ସେଠାରେ ସରକାର ଗଠନ କରିବାରେ ସଫଳ ହୋଇଥିଲା । ନିକଟ ଅତିତରେ ପାଇଥିବା ଏହି ସଫଳତା ବିଜେପିକୁ ଉତ୍ସାହିତ କରିଥିଲା । ଫଳରେ ଦେଶବ୍ୟାପି ବିଜେପିର ଅପରେସନ୍ ଲୋଟସ ବା ପଦ୍ମ ଅଭିଯାନ ଆରମ୍ଭ ହୋଇଥିଲା । ଟାର୍ଗେଟରେ ଥିଲେ ଝାଡ଼ଖଣ୍ଡ ଓ ବିହାର । ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ସରକାରର ପତନ ଘଟାଇବା ସହ ବିହାରରେ ନୀତିଶଙ୍କୁ ଗାଦିଚ୍ୟୁତ କରିବା ଲକ୍ଷ୍ୟରେ ମିଶନ ଚାଲିଥିଲା । କିନ୍ତୁ ମଙ୍ଗଳବାର ଦିନ ବିଜେପିର ଅପରେସନ୍ ଲୋଟସକୁ ଜବରଦସ୍ତ ଝଟକା ଲାଗିଛି । ପଲଟିମାର ରାଜନୀତିରେ ମାହିର ନୀତିଶ ୟୁଟର୍ଣ୍ଣ ନେଇ ମହାମେଣ୍ଟ ସହିତ ହାତ ମିଳାଇଛନ୍ତି । ଆଉ ବିହାରରେ ମହାରାଷ୍ଟ୍ର ପାର୍ଟ-ଟୁ ବିଜେପି ସ୍ୱପ୍ନକୁ ଦେଇଛନ୍ତି ଝଟକା ।
ଅପରେସନ୍ ଲୋଟସ ଝାଡ଼଼ଖଣ୍ଡରେ ବର୍ତ୍ତମାନ ପାଇଁ ସ୍ଥଗିତ
ବିହାର ଘଟଣାକ୍ରମ ପରେ ସୋସିଆଲ ମିଡିଆରେ ଗୋଟିଏ ମିମ୍ ଭାଇରାଲ ହେଉଛି । ଯେଉଁଥିରେ ଗ୍ୟାଙ୍ଗସ୍ ଅଫ୍ ୱାସେପୁରର ଗୋଟିଏ ଦୃଷ୍ୟକୁ ଦେଖା ଯାଇଛି । ଦୃଷ୍ୟରେ ମନୋଜ ବାଜପାୟୀ ତରବର ହୋଇ ନିଜ ସାଥି ସହିତ ଜିପରେ ବସି ଦୌଡୁଛନ୍ତି । ମିମର ଉପରେ ଲେଖା ଯାଇଛି ଇଡି ଓ ସିବିଆଇ ପଶ୍ଚିମବଙ୍ଗରୁ ବିହାର ଦୌଡୁଛନ୍ତି । ଏହି ମିମ୍ ହିଁ ବିଜେପିର ବିଫଳତା ଓ ବିକଳତାର କାହାଣୀ କହୁଛି । ବିହାରରେ ନୀତିଶଙ୍କୁ ଗାଦିଚ୍ୟୁତ କରିବାରେ ବିଫଳ ହୋଇଥିବା ବିଜେପି କିଛିଦିନ ପାଇଁ ଅନ୍ତତଃ ଝାଡ଼ଖଣ୍ଡ ଯିବ ନାହିଁ ବୋଲି କୁହାଯାଉଛି । ମହାରାଷ୍ଟ୍ରରେ ଅପରେସନ୍ ଲୋଟସ ପରେ ଝାଡ଼ଖଣ୍ଡ କଂଗ୍ରେସରେ ଅସନ୍ତୋଷକୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା ଯେ, କିଛି କଂଗ୍ରେସ ବିଧାୟକ ବିଜେପି ତମ୍ବୁକୁ ଯାଇ ପାରନ୍ତି । ସୂଚନାଯୋଗ୍ୟ ଯେ,ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା ସରକାରର ଅନ୍ୟତମ ବଡ଼ ଅଂଶିଦାର ହେଉଛି କଂଗ୍ରେସ । କଂଗ୍ରେସ ସଦସ୍ୟ ଯଦି ଦଳ ଛାଡନ୍ତି ତେବେ ସୋରେନ୍ ସରକାର ଭୁଷୁଡି ପଡ଼ିବା ଥୟ ।
ନିକଟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଓ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଓଘର ଗସ୍ତ କାଳରେ ସିଏମ ହେମନ୍ତଙ୍କ ବଡ଼ିଲାଙ୍ଗୁଏଜକୁ ନେଇ ମଧ୍ୟ ଢେର ଚର୍ଚ୍ଚା ହୋଇଥିଲା । ଏହି ସାକ୍ଷାତକାର ପରେ ଝାଡ଼ଖଣ୍ଡରେ ସରକାର ପରିବର୍ତ୍ତନ କିମ୍ବା ସାଥି ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା ।
ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ସୋରେନଙ୍କ ଦଳ ବିରୋଧୀ ଦଳଙ୍କ ପ୍ରାର୍ଥୀଙ୍କୁ ଭୋଟ୍ ନଦେଇ ଏନଡିଏ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେଇଥିଲା ।ଏହାକୁ ନେଇ କିଏ କାହା ସହିତ ଯିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହାପରେ ପଶ୍ଚିମବଙ୍ଗରେ କଂଗ୍ରେସର ତିନି ଜଣ ବିଧାୟକଙ୍କୁ ୫୦ ଲକ୍ଷରୁ ଅଧିକ ଟଙ୍କା ସହିତ ଗିରଫ କରାଯାଇଥିଲା । ମାମଲା ସାମ୍ନାକୁ ଆସିବା ପରେ କଂଗ୍ରେସ ପକ୍ଷରୁ ଇରଫାନ ଅନସାରୀଙ୍କ ସମେତ ତିନି ଜଣ ବିଧାୟକଙ୍କ ବିରୋଧରେ ମାମଲା ରୁଜ୍ଜୁ ହୁଏ । କଂଗ୍ରେସ ସେତେବେଳେ ଅଭିଯୋଗ କରିଥିଲା ଯେ, ଏହି ତିନି ବିଧାୟକ ଟଙ୍କା ନେଇ ସରକାରକୁ ଅସ୍ଥିର କରିବାକୁ ଷଡ଼ଯନ୍ତ୍ର କରୁଥିଲେ । ଏହାକୁ ନେଇ କଂଗ୍ରେସ ପଟୁ ବିଜେପି ଉପରେ ଗମ୍ଭୀର ଆରୋପ ଲଗାଯାଇଥିଲା । କଂଗ୍ରେସର କହିବା ଥିଲା ଯେ, ବିଧାୟକଙ୍କୁ କ୍ୟାସ୍ ଅଫର କରାଯାଇଥିଲା । ଧରା ପଡିଥିବା ବିଧାୟକ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସଂପର୍କରେ ଥିଲେ ବୋଲି କଂଗ୍ରେସ ଅଭିଯୋଗ କରିଥିଲା । କ୍ୟାସ୍ କାଣ୍ଡ ପରେ ଧିରେ ଧିରେ ଝାଡ଼ଖଣ୍ଡରେ ଅନ୍ତତ ପକ୍ଷରେ ବର୍ତ୍ତମାନ ପାଇଁ ସରକାର ପରିବର୍ତ୍ତନର ଚର୍ଚ୍ଚା ଉପରେ ବିରାମ ଲାଗିଛି । ବିହାର ଘଟଣାକ୍ରମ ମଧ୍ୟ ବିଜେପିର ଉତ୍ସାହ ଉପରେ ପାଣି ପକାଇ ଦେଇଥିବ । ତେଣୁ ବର୍ତ୍ତାମାନ ପାଇଁ ସୋରେନ୍ ସରକାର ସୁରକ୍ଷିତ ଅଛନ୍ତି ବୋଲି କୁହାଯାଇପାରେ ।