ଅଭାବୀ ମହିଳାଙ୍କୁ ସ୍ୱାବଲମ୍ବୀ କରୁଛନ୍ତିି ମାନସୀ

Above Post Content

କୋଣାର୍କର ମାନସୀ ପୃଷ୍ଟି । ଜଣେ ଉଚ୍ଚଶିକ୍ଷିତା ମହିଳା । ପିଲାଟି ଦିନରୁ କିଛି ନିଆରା କରିବାର ଝୁଙ୍କ ରହିଥିଲା ମନରେ । ଏହି ଇଚ୍ଛାଶକ୍ତି ହିଁ ଆଜି ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇପାରିଛି । ବିଗତ ୧୦ ବର୍ଷ ହେଲା ଅଭାବୀ ମହିଳାମାନଙ୍କୁ ହସ୍ତଶିଳ୍ପ ପ୍ରସ୍ତୁତି ତାଲିମ ଦେଇ ସ୍ୱାବଲମ୍ବୀ କରିଆସୁଛନ୍ତି । ପୁରି କରୋନା ମହାମାରୀ ସମୟରେ ୨୦୨୦ ମାର୍ଚ୍ଚରୁ ଏଯାବତ୍ ୧୧ ଲକ୍ଷ ମାସ୍କ ପ୍ରସ୍ତୁତ କରିସାରିଲେଣି । ତାଙ୍କ ପ୍ରସ୍ତୁତି ମାସ୍କ ମିଶନ ଶକ୍ତି ଜରିଆରେ ଲୋକଙ୍କ ପାଖରେ ପହଂଚୁଥିବାବେଳେ ନିଜ ଅଂଚଳରେ ନିଃଶୁଳ୍କ ବିତରଣ ମଧ୍ୟ କରୁଛନ୍ତି । ୨୦୧୩  ମସିହାରେ ଓରମାସ୍ ସହାୟତାରେ ୭ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୩୫ ଜଣ ମହିଳାଙ୍କୁ ନେଇ ମାନସୀ ଗଢ଼ିଛନ୍ତି ଓଁ ଗାୟତ୍ରୀ ଜୁଟ୍ କ୍ଲଷ୍ଟର । କଲିକତା ତଥା ଅନ୍ୟାନ୍ୟ ସହରରୁ କଂଚା ମାଲ ଆଣି ଏସ୍‌ଏଚ୍‌୍‌ଜି ମହିଳାଙ୍କ ଦ୍ୱାରା ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ପ୍ରକାରର ଝୋଟ ବ୍ୟାଗ୍ । ମାନସୀ ପ୍ରସ୍ତୁତ କନ୍‌ଫରେନ୍ସ ବ୍ୟାଗ୍‌, ଲାପ୍‌ଟପ୍ କ୍ୟାରି ବ୍ୟାଗ୍‌, ଟିଫିନ୍‌, ୱାଟର ବଟଲ କ୍ୟାରି ବ୍ୟାଗ୍‌, ମହିଳାଙ୍କ ଭ୍ୟାନିଟ୍‌, ମନିପର୍ସ, ଫୋଲ୍‌ଡର ଓ ସପିଂ ବ୍ୟାଗ୍‌ର ଚାହିଦା କେବଳ ଓଡ଼ିଶାରେ ନୁହେଁ ରାଜ୍ୟ ବାହାରେ ବି ରହିଛି । ଦେଶର ବିଭିନ୍ନ ସହରରେ ଆୟୋଜିତ ହେଉଥିବା ବଡ଼ ବଡ଼ ହସ୍ତଶିଳ୍ପ ମେଳାରେ ତାଙ୍କର କ୍ଲଷ୍ଟର ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ସାମଗ୍ରୀ ଷ୍ଟଲ୍ ପଡ଼ିବା ସହିତ ଲୋକଙ୍କ ଚାହିଦା ସାଉଂଟିଛି ।  ଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡିଆ ଇଂଟରନ୍ୟାସନାଲ ଟ୍ରେଡ୍ ଫେୟାରରେ ମାନସୀଙ୍କ ଜୁଟ୍ ସାମଗ୍ରୀ ଷ୍ଟଲ୍ ୫ ଥର ସାମିଲ ହୋଇ ସଫଳତା ପାଇଛି । ଏତଦ୍‌ବ୍ୟତୀତ ସରସ ମେଳା, ତୋଷାଳି ହସ୍ତଶିଳ୍ପ ମେଳା, ଆଦିବାସୀ ମେଳା, ଖଦି ଗ୍ରାମ୍ୟଦ୍ୟୋଗ ହସ୍ତଶିଳ୍ପ ମେଳାରେ ପ୍ରତିବର୍ଷ ଭାଗ ନେଇ ବିପଣନ ସଫଳତା ପାଇଛନ୍ତି ମାନସୀ ।

Middle post content

୨୦୧୩ ମସିହାରେ ପ୍ରଥମେ ଓଏଲ୍‌ଏମ୍‌ରୁ ୩ ଲକ୍ଷ ୪୫ ହଜାର ଟଙ୍କା ଋଣ ଆଣି କାମ ଆରମ୍ଭ କରିଥିଲେ । ଏହି ଏସ୍‌ଏଚ୍‌ଜି କ୍ଲିଷ୍ଟର ସମ୍ପ୍ରତି ୨୦ଟି ସିଲେଇ ମେଶିନ୍‌, କଟିଙ୍ଗ୍ ଟେବୁଲ ଅନ୍ୟାନ୍ୟ ଯନ୍ତ୍ରାଂଶ ତଥା କଂଚାମାଲକୁ ମିଶାଇ ୧୫ ଲକ୍ଷ ଟଙ୍କା ପୁଞ୍ଜିନିବେଶରେ ପହଂଚିଛି । ମିଶନ ଶକ୍ତିଓରମାସ୍ ସହଯୋଗରେ ତାଙ୍କର କ୍ଲଷ୍ଟରର ସଦସ୍ୟମାନଙ୍କ ବ୍ୟତିରେକ ଶତାଧିକ ମହିଳାଙ୍କୁ ମାଗଣା ତାଲିମ ଦେଇ ସ୍ୱାବଲମ୍ବୀ କରିଛନ୍ତି । ଜଣେ ମହିଳା ନିଜର କାର୍ଯ୍ୟଦକ୍ଷତା ଆଧାରରେ ଏହି କ୍ଲଷ୍ଟରରେ ବ୍ୟାଗ୍ ପ୍ରସ୍ତୁତ କରି ମାସକୁ ୭ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି । ଯେଉଁମାନେ ଅଧିକ ସମୟ ଦେଉଛନ୍ତି ତଦନୁଯାୟୀ ଅଧିକ ରୋଜଗାର ମଧ୍ୟ କରୁଛନ୍ତି । ମିଶନ ଶକ୍ତି ଓ ଉତ୍କଳିକା ଜରିଆରେ ବର୍ଷକୁ ପ୍ରାୟ ୫୦ ଲକ୍ଷ ଟଙ୍କାର ହସ୍ତଶିଳ୍ପ ସାମଗ୍ରୀ ବିକ୍ରି ହେଉଥିଲା । କରୋନା  ମହାମାରୀ ଯୋଗୁ ସାମଗ୍ରୀ ବିକ୍ରି ବାଧାପ୍ରାପ୍ତ ହୋଇଛି । ଏପରି ଏକ ଘଡ଼ିସନ୍ଧି ମୁହୂର୍ତରେ ଅଭାବୀ ମହିଳାମାନଙ୍କୁ କର୍ମଯୋଗାଣ ନିମନ୍ତେ ୧୧ ଲକ୍ଷ କପଡ଼ା ମାସ୍କ ପ୍ରସ୍ତୁତ କରି ବିକ୍ରି କରିଛି ମାନସୀଙ୍କ ଅନୁଷ୍ଠାନ । ଛାତ୍ର ଜୀବନରୁ ମା’ ମୀନାକ୍ଷୀ ପୃଷ୍ଟିଙ୍କ ସହିତ ରାଜ୍ୟ ତଥା ରାଜ୍ୟ ବାହାରର ବଡ଼ ବଡ଼ ହସ୍ତଶିଳ୍ପ ମେଳାରେ ସାମିଲ ହେବାର ଅନୁଭୂତି ମାନସୀଙ୍କୁ ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତି ଦିଗରେ ପ୍ରୋତ୍ସହିତ କରିଥିଲା । ବିଜ୍ଞାନରେ ସ୍ନାତକ ପାସ୍ କରିବା ପରେ ୨୦୦୯ ମସିହାରେ ଭୁବନେଶ୍ୱରର ଏକ ଅନୁଷ୍ଠାନରୁ ଡ୍ରେସ୍ ଡିଜାଇନ୍‌ରେ ଡିପ୍ଲୋମା କରିଥିଲେ ମାନସୀ । ୨୦୧୦ ମସିହାରେ ବିବାହ ପରେ ସ୍ୱାମୀଙ୍କ କର୍ମକ୍ଷେତ୍ର ହାଇଦ୍ରାବାଦରେ ଏକ ଏକ୍ସପୋର୍ଟ ହାଉସ୍ ମର୍ଚ୍ଚାଂଟାଇନିଂରେ ଡ୍ରେସ୍ ଡିଜାଇନର ଭାବେ ମାସକୁ ୩୦ ହଜାର ଟଙ୍କା ପାରିଶ୍ରମିକରେ ଚାକିରି କରିଥିଲେ । ୨୦୧୨ ମସିହାରେ ଯେତେବେଳେ ସେ ହାଇଦ୍ରାବାଦ ଛାଡ଼ିଲେ ମାସିକୁ ୫୦ ହଜାର ଟଙ୍କା ଦରମା ପାଉଥିଲେ ।  ନିଜ ଜନ୍ମମାଟିରେ କିଛି କରିବାର ମହାତାକାଂକ୍ଷା ତାଙ୍କୁ ଆଜି ଏହି ଜାଗାରେ ପହଂଚାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami