ସମଗ୍ର ବିଶ୍ୱର ଆର୍ଥିକ ସ୍ଥିତି ଦୋହଲାଇ ଦେଇଛି କରୋନା ମହାମାରୀ । ଏଥିରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଜୀବନଜୀବିକା । ଉଜୁଡ଼ି ଯାଇଛି ଅନେକ ସଂସାର । ବ୍ୟବସାୟରେ କ୍ଷତି ସହି ଅନେକ ମାନସିକ ଚାପ ମଧ୍ୟରେ ଗତି କରୁଛନ୍ତି । କିନ୍ତୁ ଏଭଳି ଏକ ସଙ୍ଗୀନ ସ୍ଥିତିରେ ଆମ ସମାଜରେ ଏପରି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ପେଟ ପାଟଣା ପାଇଁ ସଂଘର୍ଷ ଜାରି ରଖିବା ସହିତ ଅନ୍ୟମାନଙ୍କ ପାଇଁ ମଧ୍ୟ ରୋଜଗାରର ସୁଯୋଗ ଆଣି ଦେଇଛନ୍ତି । ଏଭଳି ଜଣେ ମହିଳା ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ମଙ୍ଗଳାନଗରର ମମତା ସାହୁ । ଜଣେ ସଫଳ ବ୍ୟବସାୟୀ ହୋଇ ସୁଦ୍ଧା ମହାମାରୀ କରୋନା ଯୋଗୁ ମମତା ବେଶ କ୍ଷତି ସହିଛନ୍ତି କିନ୍ତୁ ଏ ସବୁ ମଧ୍ୟରେ ସେ ଭାଙ୍ଗି ପଡ଼ି ନାହାନ୍ତି ବରଂ ଧୈର୍ଯ୍ୟର ସହିତ ପରିସ୍ଥିତିକୁ ମୁକାବିଲା କରିଛନ୍ତି ।
କଟକରେ ଜନ୍ମ ଗ୍ରହଣ କରିଥିଲେ ମମତା । ପିଲାଦିନୁ ପାଠପଢ଼ା ସହିତ ଘରର ହିସାବ କିତାବ ରଖୁଥିଲେ । ଛୋଟ ବେଳୁ ତାଙ୍କର ଲକ୍ଷ୍ୟ ଥିଲା ବଡ଼ ହେଲେ ସେ ଜଣେ ସଫଳ ବ୍ୟବସାୟୀ ହୋଇ ଲାଭକ୍ଷତିର ହିସାବ ମାପିବେ । ସେହି ଇଚ୍ଛା ତାଙ୍କୁ ଆଜି ଜଣେ ସଫଳ ମହିଳା ବ୍ୟବସାୟୀ ଭାବେ ପରିଚୟ ଦେଇଛି । କରୋନାର ଭୟଙ୍କର ସ୍ଥିତିରେ ବ୍ୟବସାୟରୁ କ୍ଷତି ସହିଲେ ବି ତାଙ୍କ ମନୋବଳକୁ ଦୋହଲାଇ ପାରିନାହିଁ ବରଂ ସେ ଅପେକ୍ଷା କରି ରହିଛନ୍ତି ଏକ ସୁନେଲି ସକାଳକୁ । ବାପାଙ୍କ ଭଲ ଚାକିରି ଯୋଗୁ ମମତାଙ୍କ ପିଲା ଦିନ ବେଶ ହସଖୁସିରେ କଟିଥିଲା । ମା’ଙ୍କ ହାତରେ ହାତ ମିଶାଇ ସେ ଘରର ସବୁ ଦାୟିତ୍ୱ ବୁଝୁଥିଲେ । ସ୍ନାତକ ପଢ଼ିଲା ପରେ ପରିବାର ଲୋକେ ମମତାଙ୍କୁ ନୟାଗଡ଼ ଜିଲ୍ଲାର ଭଗବାନ ସାହୁଙ୍କ ସହିତ ବିବାହ କରାଇ ଦେଇଥିଲେ । ସେତେବେଳେ ଭଗବାନ ଜଣେ ବ୍ୟାଙ୍କ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ଶାଶୁଘର ସବୁ ଦାୟତ୍ୱ ବୁଝୁଥିଲେ ମମତା । ହଠାତ୍ ଭଗବାନ ଚାକିରି ଛାଡ଼ି ନିଜସ୍ୱ ବ୍ୟବସାୟ ଆରମ୍ଭ କରିଥିଲେ । ଏହାର କିଛି ଦିନ ପରେ ମମତା ମଧ୍ୟ ସ୍ୱାମୀଙ୍କୁ ସହଯୋଗ କରିବାକୁ ନିଜର ଏକ ବ୍ୟବସାୟ କରିବା ପାଇ ନିଷ୍ପତି ନେଲେ । ସ୍ୱାମୀଙ୍କ ଠାରୁ ଆର୍ଥିକ ସହଯୋଗ ପାଇ ସେ ହାତ ତିଆରି ପାମ୍ପଡ଼, ବଡ଼ି ଆଦି କରି ୨୦୧୮ରେ ମମତା ଏଂଟରପ୍ରାଇଜେସ୍ କମ୍ପାନୀ ଖୋଲିଥିଲେ । ବ୍ୟବସାୟ ସମ୍ଭାଳିବାକୁ ୧୫ରୁ ଅଧିକ ମହିଳା ଓ ପୁରୁଷ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲେ । ସେ ସମୟରେ ବଜାରରେ ମମତାଙ୍କ କମ୍ପାନୀର ବଡ଼ି, ପାମ୍ପଡ଼ ଚାହିଦା ଏତେ ମାତ୍ରରେ ବଢ଼ିଯାଇଥିଲା ଯେ, ଏମ୍ଏସ୍ଏମ୍ଇ ପକ୍ଷରୁ ସେ ଅନେକ ସ୍ଥାନରେ ଷ୍ଟଲ ପକାଇ ଭଲ ରୋଜଗାର କରୁଥିଲେ । ମମତାଙ୍କୁ ବ୍ୟବସାୟରେ ସମ୍ପୂର୍ଣ୍ଣ ଭାବେ ସହଯୋଗ କରନ୍ତି ତାଙ୍କ ସ୍ୱାମୀ । ମମତାଙ୍କ କାର୍ଯ୍ୟ ପାଇଁ ଅନେକ ସଂସ୍ଥା ପକ୍ଷରୁ ତାଙ୍କୁ ପୁରସ୍କୃତ ମଧ୍ୟ କରାଯାଇଛି । ଘରକାମ, ପରିବାରର ଭଲମନ୍ଦ ବୁଝିବା, ସ୍ୱାମୀଙ୍କ ଯତ୍ନ, ପିଲାଙ୍କ ପାଠପଢ଼ାଇବା,ସବୁକ୍ଷେତ୍ରରେ ସେ ତତ୍ପର । ସେ ନିଜ ଝିଅକୁ ଉଚ୍ଚଶିକ୍ଷିତା କରିବା ସହ ଏକ ଭଲ ଜାଗରେ ତାକୁ ବାହା ଦେଇଛନ୍ତି ।
ଏହି ସମୟରେ ତାଙ୍କ ବ୍ୟବସାୟକୁ ଅଟକାଇ ଦେଇଥିଲା କରୋନାର ପ୍ରଥମ ଲହର । ହାତତିଆରି ସାମଗ୍ରୀ କଳେ ଲୋକଙ୍କ ସ୍ୱାସ୍ଥ୍ୟ ଲାଗି ସମସ୍ୟା ହେବ ଏହାକୁ ଭାବି ସେ ଏହି ବ୍ୟବସାୟକୁ ବନ୍ଦ କରିଦେଇଥିଲେ । ତଥାପି ସେ ଅଟକି ନ ଥିଲେ। ପିପିଲିର ହସ୍ତଶିଳ୍ପକୁ ନେଇ ଏବେ ସେ ନୂଆ ବ୍ୟବସାୟ ଆରମ୍ଭ କରିଛନ୍ତି । ଘରସଜ୍ଜାଠାରୁ ଆରମ୍ଭ କରି ମହିଳାମାନଙ୍କ ବ୍ୟାଗ୍, ଚାନ୍ଦୁଆ, ଫୁଲଦାନି ଆଦି ସେ ପ୍ରସ୍ତୁତ କରୁଛନ୍ତିି । ତାଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀଗୁଡ଼ିକ ଅତି ସୁଲଭ ମୂଲ୍ୟରେ ମିଳୁଥିବାରୁ ଲୋକେ ଏଗୁଡ଼ିକୁ କିଣିବାକୁ ଆଗ୍ରହ ଦେଖାଉଛନ୍ତି । ଚାନ୍ଦୁଆ କାମ ପାଇଁ ମମତା ଆଠ ଜଣ ମହିଳାଙ୍କୁ ନିଯୁକ୍ତି ଦେଇଛନ୍ତି । ଓଡ଼ିଶାର ଏହି ହସ୍ତକଳା ପରମ୍ପରା ଲାଗି କେବଳ ଯେ, ପିପିଲିରେ ଅଧିକ ଚାହିଦା ତାହା ନୁହେଁ, ବରଂ ଏହାକୁ କିଣିବା ପାଇଁ ମମତାଙ୍କ ପାଖକୁ ରାଜ୍ୟ ବାହାରୁ ବରାଦ ମଧ୍ୟ ଆସିଥାଏ । ଏହି ବ୍ୟବସାୟ ପାଇଁ ମମତା କିଛି ପିଲାଙ୍କୁ ଭୁବନେଶ୍ୱରରେ ନିଯୁକ୍ତି ଦେଇଛନ୍ତି, ଯେଉଁମାନେ ତାଙ୍କ ବ୍ୟବସାୟର ମାର୍କେଟିଂ କରିଥାନ୍ତି ।
ସଂପ୍ରତି କରୋନାକୁ ଦୃଷ୍ଟି ଦେଇ ସେ ବିନା କର୍ମଚରୀରେ ଘରେ କାମ କରୁଛନ୍ତି । ମମତାଙ୍କ ବିଷୟରେ ସବୁଠାରୁ ଭଲ କଥା ହେଲା, ଲୋକଙ୍କୁ ଶୁଦ୍ଧ ମସଲା ଯୋଗାଇବା ଲାଗି ସେ ନିଜେ ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ ଆଦି ପ୍ରସ୍ତୁତି କରି ପ୍ୟାକେଜିଂ କରିଥାନ୍ତି । କୋଭିଡ୍ର ଦ୍ୱିତୀୟ ଲହର ଅତି ଭୟଙ୍କର ହୋଇଥିବାବେଳେ ସେ କୋଭିଡ୍ ନିୟମକାନୁନ ମାନି ଘରେ ଚାନ୍ଦୁଆ ପ୍ରସ୍ତୁତ କରୁଛନ୍ତି ।