ବାଂଲାଦେଶ ଅର୍ଥନୀତି VS ଭାରତ ଅର୍ଥନୀତି
ବାଂଲାଦେଶର ସ୍ୱାଧିନତାକୁ ୫୦ ବର୍ଷ ହୋଇଛି । ୧୯୭୧ରେ ପାକିସ୍ତାନଠାରୁ ଅଲଗା ହୋଇ ବାଂଲାଦେଶ ସ୍ୱାଧୀନ ହୋଇଥିଲା । ସେହି ବର୍ଷ ବାଂଲାଦେଶ ମଧ୍ୟ ଏକ ଭୟଙ୍କର ବାତ୍ୟାର ସମ୍ମୁଖୀନ ହୋଇଥିଲା । ଯୁଦ୍ଧରୁ ଜନ୍ମ ନେଇଥିବା ବାଂଲଦେଶର ଅର୍ଥନୈତିକ ସ୍ୱାସ୍ଥ୍ୟ ମଧ୍ୟ ଖରାପ ଥିଲା । କିନ୍ତୁ ଏବେ ସମୟ ବଦଳିଛି । ବର୍ତ୍ତମାନ ବାଂଲାଦେଶ ଅର୍ଥନୀତି ଭାରତୀୟ ଅର୍ଥନୀତିକୁ ପଛରେ ପକାଇ ଆଗକୁ ଦୌଡୁଛି । ଏମିତିରେ ଭାରତ ଭଳି ବିଶାଳ ଦେଶକୁ ବାଂଲାଦେଶଠାରୁ କ’ଣ ସବୁ ଶିଖିବାର ଅଛି ?
ସ୍ୱାଧିନତା ସମୟରେ ବାଂଲାଦେଶର ଅବସ୍ଥା ଥିଲା ଏମିତି
ମାର୍ଚ୍ଚ ୧୯୭୧ରେ ବାଂଲାଦେଶ ଅସ୍ଥିତ୍ୱକୁ ଆସିବା ସମୟରେ ପାକିସ୍ତାନ ସମର୍ଥକ ଆମେରିକାର ତତ୍କାଳୀନ ବୈଦେଶିକ ମନ୍ତ୍ରୀ ହେନେରି କିସିଙ୍ଗର ଏହି ଦେଶକୁ ବାସ୍କେଟ୍ ବଲ ବୋଲି କହିଥିଲେ । ସେହି ସମୟରେ ୟୁନିସେଫ୍ ଦାନରେ ବାଂଲାଦେଶ ଚାଲୁଥିଲା କହିଲେ ଭୁଲ ହେବନାହିଁ । ପ୍ରତିବର୍ଷ ବାଂଲାଦେଶର ବିଭିନ୍ନ ନଦୀରେ ଆସୁଥିବା ବନ୍ୟା ପାଇଁ ଏହି ଦେଶ ଅଭିଶପ୍ତ ଥିଲା ।
ଏବେ ଅର୍ଥନୀତିର କାୟକଳ୍ପ
୨୦୨୧ର ବାଂଲାଦେଶ ୧୯୭୧ର ବାଂଲାଦେଶକୁ ଢେର ପଛରେ ଛାଡି ଆସିଛି । ଏବେ ଏହି ଦେଶ ବାକି ଦେଶଙ୍କ ପାଇଁ ଉଦାହରଣ । ବାଂଲାଦେଶରେ ମୁଣ୍ଡପିଛା ଆୟରେ ଗତ ବର୍ଷ ତୁଳନାରେ ୯ ପ୍ରତିଶତ ବୃଦ୍ଧି ଆସିଛି । ଏବେ ବାଂଲାଦେଶରେ ମୁଣ୍ଡପିଛା ଆୟ ୨୨୨୭ ଡଲାର । ଅନ୍ୟପକ୍ଷରେ ପାକିସ୍ତାନରେ ମୁଣ୍ଡପିଛା ଆୟ ହେଉଛି ୧୫୪୩ ।
ପାକିସ୍ତାନ ଓ ବାଂଲାଦେଶ
୧୯୭୦ରେ ପାକିସ୍ତାନ ବାଂଲାଦେଶଠାରୁ ୭୦ ପ୍ରତିଶତ ଅଧିକ ଧନୀ ଥିଲା । ଆଜିର ସମୟରେ ବାଂଲାଦେଶ ପାକିସ୍ତାନଠାରୁ ୪୫ ପ୍ରତିଶତ ଅଧିକ ଧନି । ଜଣେ ନିରାଶ ପାକିସ୍ତାନୀ ଅର୍ଥନିତୀଜ୍ଞ ତ’ ଏମିତି ବି ଦୁଃଖରେ କହି ସାରିଲେଣି ଯେ, ହୁଏତ ୨୦୩୦ରେ ପାକିସ୍ତାନକୁ ବାଂଲାଦେଶ ଆଗରେ ଆର୍ଥିକ ସହାୟତା ପାଇଁ ହାତ ପକାଇବାକୁ ପଡିପାରେ । ଏବେ ବାଂଲାଦେଶ ଅର୍ଥନୀତି ଉର୍ଦ୍ଧ୍ୱଗାମୀ ହୋଇଥିବା ବେଳେ ପାକିସ୍ତାନ ଅର୍ଥନୀତି ନିମ୍ନଗାମୀ ।
ଭାରତ ଓ ବାଂଲାଦେଶ
ବାଂଲାଦେଶର ଏହି ସଫଳତାରୁ ଭାରତ କିଛି ଶିଖିବାର ଅଛି କି ? ଏହା ବର୍ତ୍ତମାନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ । ଦୁଇ ଦେଶ ମଧ୍ୟରେ ଫରକ ବେସ ଅଧିକ । ଭାରତ ଏକ ବିଶାଳ ଦେଶ, ଯାହାର ଦକ୍ଷୀଣ ଏସିଆ ଅର୍ଥନୀତି ଉପରେ ପ୍ରଭାବ ରହିଛି । କିନ୍ତୁ ଆଜି ମୁଣ୍ଡପିଛା ଆୟ ଦୃଷ୍ଟିରେ ଭାରତ ବାଂଲାଦେଶଠାରୁ ପଛରେ । ୨୦୨୦-୨୧ରେ ଭାରତରେ ମୁଣ୍ଡପିଛା ଆୟ କେବଳ ୧୯୪୭ ଡଲାର ଥିଲା । ବ୍ଲୁମବର୍ଗର ଏକ ନିବନ୍ଧ ଅନୁସାରେ ଆଜି ଭାରତର ଅନେକ ରାଜ୍ୟଙ୍କଠାରୁ ବାଂଲାଦେଶ ଅଧିକ ଧନୀ ।