ପୁତିନ-ଜିନପିଙ୍ଗଙ୍କ ସହ ମୁହାଁମୁହିଁ ହେବାକୁ ବାଇଡେନ୍ ପ୍ରସ୍ତୁତ, ଭାରତ ସାଥ୍ ଦେବ କି ?

Above Post Content

ୟୁକ୍ରେନ ଉପରେ ଋଷ ଆକ୍ରମଣକୁ ନେଇ ବିଶ୍ୱବ୍ୟାପି ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଆମେରିକା ଏହାକୁ ନେଇ ଋଷ ବିରୋଧରେ ମୋର୍ଚ୍ଚା ଖୋଲିଥିଲା ଓ ମୋର୍ଚ୍ଚାବନ୍ଦୀ ଏବେ ମଧ୍ୟ ଜାରି ରହିଛି । ୟୁରୋପର ଅନେକ ଦେଶ ଆମେରିକାକୁ ସମର୍ଥନ କରୁଥିବା ବେଳେ ବାଇଡେନ୍ ପ୍ରଶାସନ ଭାବିଥିଲା ଯେ, ଭାରତ ଏହି ମାମଲାରେ ସେମାନଙ୍କ ପକ୍ଷ ନେବ । କିନ୍ତୁ ଭାରତ ଏହି ମାମଲାରେ ଦୁଇ ପକ୍ଷଙ୍କୁ ଶାନ୍ତି ପାଇଁ ଅପିଲ କରି ନିରବ ରହିଥିଲା । ଏହାଦ୍ୱାରା ଭାରତ ଜଣାଇ ଦେଇଥିଲା ଯେ, ତା’ର ବୈଦେଶିକ ନୀତି ସ୍ୱାଧୀନ । ଆମେରିକା ଏହାକୁ ପ୍ରଭାବିତ କରି ପାରିବ ନାହିଁ । ଚୀନ୍ ପଟୁ ଭାରତକୁ ଥିବା ବିପଦ କାରଣରୁ ନୂଆଦିଲ୍ଲୀ ମସ୍କୋକୁ ଅସନ୍ତୁଷ୍ଟ କରିବାକୁ ଚାହୁଁନାହିଁ । ତେଣୁ ଖୋଲାଖୋଲି ଆମେରିକାକୁ ସମର୍ଥନ କରୁନାହିଁ । ଏହାକୁ ଏବେ ଆମେରିକା ବୁଝି ପାରିଛି । ଆମେରିକା ଏବେ ଚୀନ୍ ସହିତ ଭାରତର ତିକ୍ତ ସମ୍ପର୍କକୁ ଦୃଷ୍ଟିରେ ରଖି ଋଷ ସହ ନୂଆଦିଲ୍ଲୀ ସମ୍ପର୍କକୁ ନେଇ କିଛି ରିହାତି ଦେବାକୁ ଚାହୁଁଛି ।

ଆମେରିକାର ସହଯୋଗୀଙ୍କ ସହ ମେଣ୍ଟ ମଜବୁତ କରୁଛନ୍ତି ବାଇଡେନ୍

After 2nd paragraph post ads

କ୍ଷମତାକୁ ଆସିବା ପରେ ବାଇଡେନଙ୍କ ପ୍ରାଥମିକତା ଥିଲା ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚୀନକୁ ଜବତ କରିବା । ଏଥିପାଇଁ ସେ ଏହି କ୍ଷେତ୍ରର ପ୍ରମ୍ମୁଖ ରାଷ୍ଟ୍ରଙ୍କ ସହିତ ସମ୍ପର୍କକୁ ମଜବୁତ କରୁଥିଲେ । କେବଳ ଏତିକି ନୁହେଁ ଚୀନ୍ ବିରୋଧରେ ଋଷକୁ ନିଜ ପକ୍ଷକୁ ଆଣିବା ପାଇଁ ମଧ୍ୟ ଉଦ୍ଯମ କରିଥିଲେ । ଜୁନ୍ ୨୦୨୧ରେ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟି ସେ ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ଅଫର ମଧ୍ୟ ଦେଇଥିଲେ । କିନ୍ତୁ ୟୁକ୍ରେନ୍ ଉପରେ ଆକ୍ରମଣ ପରେ ସବୁ ସମୀକରଣ ବଦଳି ଯାଇଥିଲା । ଏବେ ଋଷ-ଆମେରିକା ମୁହାଁମୁହିଁ ହୋଇଥିବା ବେଳେ ମସ୍କୋ ଓ ବେଜିଂ ନିକଟତର ହୋଇଛନ୍ତି । ତେବେ ବାଇଡେନ୍ ଜାଣିଛନ୍ତି ଋଷ ନୁହେଁ ଚୀନ୍ ହିଁ ଆଗାମୀ ଦିନରେ ଆମେରିକାର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହେବ । ତେଣୁ ସେ ଚୀନକୁ ମଣ କରିବା ପାଇଁ ଭାରତ ଭଳି ସହଯୋଗୀ ରାଷ୍ଟ୍ରଙ୍କୁ ନିଜ ପଟକୁ ଆଣିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଆଗାମୀ ଏସିଆନ୍ ବୈଠକରେ ଯେତେବେଳେ ବାଇଡେନ୍ ମୋଦିଙ୍କୁ ଭେଟିବେ ସେତେବେଳେ ଚୀନକୁ ନେଇ ଆଲୋଚନା ହେବା ନିଶ୍ଚିତ ।

Middle post content

ଚୀନ ଓ ଋଷକୁ ଏକାଠି ଘେରିବା ପାଇଁ ବାଇଡେନଙ୍କ ଯୋଜନା

ଆମେରିକା ରାଷ୍ଟ୍ରପତି ଚୀନ୍ ଓ ଋଷକୁ ଏକାଠି ଘେରିବା ପାଇଁ ରଣନୀତି ତିଆରି କରୁଛନ୍ତି । ତେବେ ଏଥିପାଇଁ ସେ ୟୁରୋପ ଓ ଏସିଆର ସହଯୋଗୀ ରାଷ୍ଟ୍ରଙ୍କ ସହଯୋଗ ଚାହାନ୍ତି । ଏନେଇ ଆମେରିକା ଉଦ୍ୟମ ମଧ୍ୟ ଆରମ୍ଭ କରିଛି । ବାଇଡେନଙ୍କ ରଣନୀତି ଏହି ବିଚାର ଉପରେ ଆଧାରିତ ଯେ, ଋଷ ଓ ଚୀନ୍ ମେଣ୍ଟ ବିରୋଧରେ ତା’ର ସବୁଠାରୁ ବଡ଼ ଶକ୍ତି ହେଉଛି ମିତ୍ରରାଷ୍ଟ୍ରଙ୍କ ସହିତ ମେଣ୍ଟ । ଏହି କାରଣରୁ ବାଇଡେନ୍ ଏସିଆନ୍ ଓ କ୍ୱାଡ୍ ରାଷ୍ଟ୍ରଙ୍କ ସହିତ ସମ୍ବନ୍ଧକୁ ଅଧିକ ପ୍ରଗାଢ କରୁଛନ୍ତି ଦକ୍ଷୀଣ କୋରିଆରେ ୟୁନ୍ ସୁକଙ୍କ ସରକାର ଆସିବା ପରେ ସିଓଲ ଆମେରିକା ପଟକୁ ଅଧିକ ଢଳିଛି । ଜାପାନ୍ ଓ ଦକ୍ଷୀଣ କୋରିଆ ମଧ୍ୟରେ ଥିବା ମତଭେଦକୁ ଦୁର କରିବା ପାଇଁ ଆମେରିକ ମଧ୍ୟ ଉଦ୍ୟମ କରୁଛି । ଆମେରିକା ଚାହୁଁନି ଯେ, ତା’ର ମିତ୍ର ଦେଶଙ୍କ ମଧ୍ୟରେ ମତଭେଦ ରହୁ । ଏସିଆରେ ଜନ୍ମନେଉଥିବା ଏହି ନୂଆ ମେଣ୍ଟ ଚୀନର ଦାଦାଗିରି ବିରୋଧରେ ଉଦ୍ଧିଷ୍ଟ ।

କ୍ୱାଡର ସଦସ୍ୟ ଭାରତ, ଜାଣନ୍ତୁ କ’ଣ ପଡ଼ିବ ପ୍ରଭାବ

ସି ଜିନପିଙ୍ଗଙ୍କ ଦାଦାଗିରିରେ ଅତିଷ୍ଠ ଭାରତ ମଧ୍ୟ କ୍ୱାଡ୍ ବୈଠକରେ ଅତି ଉତ୍ସାହର ସହ ଭାଗ ନେଉଛି । ଲଦ୍ଦାଖରେ ଡ୍ରାଗନ ଅନୁପ୍ରବେଶ କରୁଛି । ଗଲୱାନ୍ ଘାଟିରେ ଭାରତୀୟ ସୈନିକ ଚୀନ୍ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ବାଇଡେନଙ୍କ ଏହି ରଣନୀତି ଭାରତ ପାଇଁ ଲାଭଦାୟକ । କେବଳ ଏତିକି ନୁହେଁ ପ୍ରତିରକ୍ଷା କ୍ଷେତ୍ରରେ ଋଷ ଉପରେ ଭାରତର ନିର୍ଭରତା କାରଣରୁ ଆମେରିକା ମଧ୍ୟ ଭାରତ-ଋଷ ସମ୍ପର୍କ ମାମଲାରେ ଟିକିଏ ନରମ ଆଭିମୁଖ୍ୟ ଗ୍ରହଣ କରିଛି । ଏହି କାରଣରୁ ଏବେ ଭାରତକୁ ଋଷ ଉପରେ ନିର୍ଭରତାକୁ କମ କରିବାକୁ ସମୟ ମିଳିଛି । ଆମେରିକା ଚୀନ୍ ସହ ମୁହାଁମୁହିଁ ହେବାରେ ମେଣ୍ଟ ଗଠନ ଉପରେ ଗୁରୁତ୍ୱ ଦେଉଛି । ଯାହା ଭାରତ ପାଇଁ ସୁଯୋଗ । ମୋଟାମୋଟି ଭାବେ ଦେଖିବାକୁ ଗଲେ ୟୁକ୍ରେନ୍ ଯୁଦ୍ଧ ପରେ ଚୀନ୍ ଓ ଋଷ ଆକ୍ରାମକ ମୁଦ୍ରାରେ ଅଛନ୍ତି । ଆଉ ଆମେରିକା ନୂଆ ମେଣ୍ଟ ଗଠନ କରିବାକୁ ଉଦ୍ୟମ ଆରମ୍ଭ କରିଛି । ଏବେ ଏହା ମୋଦି ସରକାର ଉପରେ ନିର୍ଭର କରେ ଯେ, ଭାରତ ଏଥିରୁ କେମିତି ଫାଇଦା ଉଠାଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami