କାଠରେ ହନୁମାନ ଚାଳିଶା ପୁସ୍ତକ

Above Post Content

କରୋନାର ଦ୍ୱିତୀୟ ଲହରକୁ ନେଇ ସମସ୍ତେ ଆତଙ୍କିତ ଓ ଶଙ୍କିତ । ଏହି ରୋଗ କବଳରୁ ମୁକ୍ତି ପାଇଁ ସମସ୍ତେ ଏବେ ତ୍ରାହି ତ୍ରାହି ଡାକ ଦେଉଛନ୍ତି । ଏହି ମହାମାରୀକୁ ଦୂରେଇ ଦେବା ପାଇଁ ଆମ ଦେଶର ଅନେକ ସ୍ଥାନରେ ପୂଜାପାଠ କରାଯାଉଥିବା ମଧ୍ୟ ନଜିର ରହିଛି । ଗଞ୍ଜାମ ଜିଲ୍ଲାର ଅରୁଣ ସାହୁ ନାମକ ଜଣେ ଯୁବକ କରୋନାରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ହନୁମାନ ଚାଳିଶା ପାଠ କରୁଥିଲେ । ଏହି ସମୟରେ କାଠରେ ହନୁମାନ ଚାଳିଶା ପୁସ୍ତକ ପ୍ରସ୍ତୁତ କରିବା ପାଇଁ ତାଙ୍କ ମୁଣ୍ଡରେ ଏକ ବୁଦ୍ଧି ଜୁଟିଲା । ଭାବନା, ସାଧନା ଓ ଭକ୍ତିକୁ ଆୟୁଧ କରି ସେ କାଠରେ ହନୁମାନ ଚାଳିଶା ପ୍ରସ୍ତୁତ କଲେ । ଗୋସ୍ୱାମୀ ତୁଳସୀ ଦାସଙ୍କ ରଚିତ ହନୁମାନ ଚାଳିଶାର ପ୍ରତିଟି ଦୋହା ଏବଂ ଚୌପାଇକୁ କାଠରେ ସୁନ୍ଦର ଭାବେ ଖୋଦେଇ କରିବାରେ ସେ ସଫଳ ହେଲେ ।  ଗମ୍ଭାରୀ କାଠରେ ନିର୍ମିତ ଏହି ହନୁମାନ ଚାଳିଶାର ଦୈଘ୍ୟ ୧୦.୫ ଇଂଚ, ପ୍ରସ୍ଥ ୯.୦ମୋଟେଇ ୨.୫ ଇଂଚ ।  ଏଥିରେ ମୋଟ ୫ଟି ପୃଷ୍ଠା ରହିଥିବାବେଳେ ଦୁଇଟି ମଲାଟ ରହିଛି । ମଲାଟ ଉପରେ ବିରାଜିତ ହନୁମାନଙ୍କ ପ୍ରତିକୃତି ଏହାର ମୁଖ୍ୟ ଆକର୍ଷଣ ସାଜିଛି । କାଠ, ନିହାଣ ଓ ପତଳା ଆରିର (ବ୍ଲେଡ୍‌) ବ୍ୟବହାର କରି ସେ ଏହାକୁ ଅବିକଳ କାଗଜରେ ପ୍ରସ୍ତୁତ ହନୁମାନ ଚାଳିଶା ପୁସ୍ତକର ରୂପ ଦେଇଛନ୍ତି । ବର୍ତମାନ ସେ ଦୁଇଟି କାଠ ଖୋଦିତ ହନୁମାନ ଚାଳିଶା ତିଆରି କରିଛନ୍ତି । ପ୍ରଥମଟିକୁ ପ୍ରସ୍ତୁତ କରିବାକୁ ତାଙ୍କୁ ଏକ ମାସ ସମୟ ଲାଗିଥିବା ବେଳେ ଦ୍ୱିତୀୟଟି ପ୍ରସ୍ତୁତ କରିବାକୁ ୨୫ ଦିନ ସମୟ ଲାଗିଛି । ସେ ଏହି ଦୁଇଟି କାଠ ଖୋଦିତ ହନୁମାନ ଚାଳିଶାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ପଠାଇବାକୁ ଲକ୍ଷ୍ୟ ରଖିଛନ୍ତି । ଗିନିଜ୍ ବୁକ୍ ଅଫ୍ ୱାଲ୍ଡ ରେକର୍ଡରେ ଏହାକୁ ସାମିଲ କରିବା ପାଇଁ ସେ ଆବେଦନ କରିଥିବା ଅରୁଣ କହିଛନ୍ତି ।

Middle post content
Arun Sahu Scripted Hanuman Chalisa on Wood
After 2nd paragraph post ads

ଅରୁଣଙ୍କ ଘର ହିଞ୍ଜିଳିକାଟୁ ବ୍ଲକ୍ କଂଚୁଡୁ ପଂଚାୟତ କଂଟେଇକୋଳି ଗ୍ରାମରେ । ସେ ତାଙ୍କ ପିତା ଭାସ୍କର ସାହୁଙ୍କଠାରୁ କାଠକାମ ଶିଖିଥିଲେ । ଇତିମଧ୍ୟରେ ସେ କାଠରେ ଧଉଳି ଶାନ୍ତିସ୍ତୂପ, ତାଜମହଲ, ଇଫେଲ୍ ଟାୱାର, ଓଡ଼ିଶା ବିଧାନସଭାର ପ୍ରତିକୃତି ଆଦି ନିର୍ମାଣ କରିଛନ୍ତି । ଏଥିରୁ କିଛି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ମଧ୍ୟ ପାଇଛି । ତେବେ  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ୩୨ ବର୍ଷୀୟ ଅରୁଣଙ୍କୁ ପିଲାଟି ଦିନରୁ ଏଥିପ୍ରତି ଇଚ୍ଛା ନଥିଲା । ପ୍ରତିଦିନ ଅରୁଣଙ୍କ ପିତା ଏହି କାମ କରୁଥିବା ସମୟରେ ସେ ଏହାକୁ ଦେଖି ଖେଳନା ବୋଲି ଭାବୁଥିଲେ । ପିଲାଟି ଦିନରୁ  ରାଜ୍ୟ ତଥା ଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଓ ଦର୍ଶନୀୟ ସ୍ଥାନ ବୁଲିବା ଏବଂ ସେହି ସବୁ ସ୍ଥାନ ବିଷୟରେ ଜାଣିବାକୁ ତାଙ୍କ ମନରେ ପ୍ରବଳ ଆଗ୍ରହ ଥିଲା । ହେଲେ ପରିବାରର ଆର୍ଥିକ ସ୍ଥିତି ତାଙ୍କୁ ବାପାଙ୍କ କାମରେ ସହଯୋଗ କରିବାକୁ ବାଧ୍ୟ କରିଥିଲା । ଯୁକ୍ତ ୨ ପାଠ ପଢ଼ି ସାରିବା ପରେ ସେ ଏହି କାମରେ ଲାଗି ପଡ଼ିଥିଲେ । ଯାହା ଦେଖିବାକୁ ଇଚ୍ଛା ହୁଏ ସେ କାଠରେ ତାହା ନିର୍ମାଣ କରନ୍ତି ଓ ନିଜ ପାଖରେ ସାଇତି ରଖନ୍ତି । ଏଭଳି କରି ନିଜର ଆଶା ଓ ଅଭିଳାଷକୁ ସେ ପୂରଣ କରିଥିବା କଥା କହନ୍ତି ଅରୁଣ । ଘରର ସେ ମଝିଆ ପୁଅ ହୋଇଥିବାବେଳେ ତାଙ୍କ ବଡ଼ ଭାଇ ମଧ୍ୟ କାଠକାମ କରନ୍ତି । ପୂରା ପରିବାରର ବେଉସା କହିଲେ କାଠକାମକୁ ହିଁ ବୁଝାଏ । ହନୁମାନ ଚାଳିଶା ପାଠ କରିବା ସମୟରେ ସେ ଦେଖିଥିବା ସ୍ୱପ୍ନକୁ ବାସ୍ତବ ରୂପ ଦେବାରେ ଆଜି ସକ୍ଷମ ହୋଇଛନ୍ତି । ତାଙ୍କର ଏଭଳି କଳାକୃତି ଦେଖି ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ତାଙ୍କର ଏହି କଳାକୃତି କେବଳ ଗଞ୍ଜାମ ଜିଲ୍ଲାରେ ନୁହେଁ ସାରା ଓଡ଼ିଶା ପାଇଁ ଏହା ଗର୍ବ ଓ ଗୌରବର ବିଷୟ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami