ଚୀନକୁ ଡରୁଛି ମାଇକ୍ରୋସଫ୍ଟ,ସର୍ଚ୍ଚ ଇଞ୍ଜିନ ରୁ ଟ୍ୟାଙ୍କ୍ ମ୍ୟାନ୍ ଗାଏବ

ଇଞ୍ଜିନରୁ ଗାଏବ ହୋଇଯାଇଥିଲା ‘ଟ୍ୟାଙ୍କ୍ ମ୍ୟାନ୍’

ଗୁଗୁଲ, ଟ୍ୱିଟର, ଫେସବୁକ୍ । ଏହି ସବୁ କମ୍ପାନୀଙ୍କ ମଧ୍ୟରେ ଦୁଇଟି ସମାନତା ରହିଛି । ପ୍ରଥମତଃ ଏହି କମ୍ପାନୀ ସବୁ ଆମେରିକରୁ ଆସନ୍ତି । ଦ୍ୱିତୀୟତଃ ଏମାନେ ସ୍ୱାଧିନ ଅଭିବ୍ୟକ୍ତି ଉପରେ କାଳେ ଅଧିକ ଗୁରୁତ୍ୱ ଦିଅନ୍ତି  । ଭାରତ ସରକାରଙ୍କ ସହିତ ନୂଆ ଆଇଟି ନିୟମକୁ ନେଇ ଟ୍ୱିଟରର ଏବେ ଯୁଦ୍ଧ ଚାଲିଛି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏମାନଙ୍କ ମଧ୍ୟରୁ ଅନେକ ଚୀନର ଅପରେଟ୍ କରନ୍ତି ନାହିଁ । ଆଉ ଯିଏ ଅପରେଟ୍ କରେ ସିଏ ଚୀନର କଠୋର ନିୟମକୁ ଲାଲ ସଲାମ ପକାଇ ମାନିଚଳେ । ଯାହାର ତାଜା ଉଦାହରଣ ହେଉଛି ମାଇକ୍ରୋସଫ୍ଟର ଚୀନ ଚାପ ଆଗରେ ଚେପା ହେବା । ଆଉ ଏହା ଘଟିଛି ତିଆନମ୍ୟାନ୍ ସ୍କୋୟାର ଗଣହତ୍ୟାର ୩୨ ବର୍ଷ ପୂରଣ ଦିନ

ମାଇକ୍ରୋସଫ୍ଟର ସର୍ଚ୍ଚ ଇଂଜିନ୍ ବିଙ୍ଗର ସେହିଦିନ (ଶୁକ୍ରବାର) ଯେଉଁମାନେ ‘ଟ୍ୟାଙ୍କ୍ ମ୍ୟାନ୍’ ସର୍ଚ୍ଚ କରିଥିବେ ସେମାନଙ୍କୁ କିଛି ମଧ୍ୟ ମିଳିନଥିବ । କାରଣ ଟ୍ୟାଙ୍କ୍ ମ୍ୟାନର ଚିତ୍ର ଡାଉନ୍ ହୋଇଯାଇଥିଲା । ଆଉ ଉତ୍ତର ଆସୁଥିଲା ଟ୍ୟାଙ୍କ ମ୍ୟାନ୍ ପାଇଁ କୌଣସି ରିଜଲ୍ଟ ନାହିଁ ।  ମାଇକ୍ରୋସଫ୍ଟ ପରେ ଏହାକୁ ମାନବୀୟ ତ୍ରୁଟି ବୋଲି କହିଥିଲା । କିନ୍ତୁ ଅନେକ ଏହାକୁ ମାନିବାକୁ ରାଜି ନଥିଲେ । ସେମାନଙ୍କ କହିବା ହେଉଛି ମାଇକ୍ରୋସଫ୍ଟ ବ୍ୟବସାୟକୁ ଦୃଷ୍ଟିରେ ରଖି ଚୀନ ସରକାରଙ୍କୁ ଅସନ୍ତୁଷ୍ଠ କରିବାକୁ ଚାହୁଁନଥିଲା । ତେଣୁ ବିଙ୍ଗ୍ ଟ୍ୟାଙ୍କ୍ ମ୍ୟାନକୁ ସର୍ଚ୍ଚ କରିପାରୁନଥିଲା । ଅବଶ୍ୟ ଚୌତରଫା ସମାଲୋଚିତ ହେବା ପରେ ବିଙ୍ଗରେ ଟ୍ୟାଙ୍କ୍ ମ୍ୟାନଙ୍କ ଅବିର୍ଭାବ ହୋଇଥିଲା । ଏବେ ଆପଣଙ୍କ ମନରେ ଆସୁଥିବ ଏହି ଟ୍ୟାଙ୍କ୍ ମ୍ୟାନ୍ କିଏ ? ଯାହାକୁ ନେଇ ଚୀନର କମ୍ୟୁନିଷ୍ଟ୍ ସରକାର ଏତେ ସମ୍ବେଦନଶୀଳ ।

ଟ୍ୟାଙ୍କ୍ ମ୍ୟାନ୍ କିଏ ?

୧୯୮୯ରେ ଚୀନ ରାଜଧାନୀ ବେଜିଂରେ ଛାତ୍ର ସଡକ ଉପରକୁ ଆସିଥିଲେ । ସେମାନେ ଅଧିକ ଗଣତାନ୍ତ୍ରିକ ଅଧିକାର ଚାହୁଁଥିଲେ । ଛାତ୍ରଙ୍କ ଆନ୍ଦୋଳନକୁ ଚୀନର କମ୍ୟୁନିଷ୍ଟ୍ ପାର୍ଟି ପ୍ରଥମେ ଗୁରୁତ୍ୱ ଦେଇନଥିଲା । କିନ୍ତୁ ଅନ୍ତର୍ଜାତୀୟ ମିଡିଆ ଏହାକୁ କଭର କରିବା ଆରମ୍ଭ କରିଥିଲା । ନିଜ ଭାବମୂର୍ତ୍ତ ନଷ୍ଟ ହେଉଥିବା ଦେଖି ଚୀନ୍ ଆନ୍ଦୋଳନକୁ ଦମନ କରିବା ପାଇଁ ସେନାକୁ ରାସ୍ତାକୁ ଓହ୍ଲାଇଥିଲା । ବେଜିଂର ତିଆନମେନ୍ ସ୍କୋୟାର ଥିଲା ଆନ୍ଦୋଳନର କେନ୍ଦ୍ର ସ୍ଥଳ । ସେଠାରେ ଛାତ୍ର ଏକାଠି ହୋଇଥିଲେ । ଛାତ୍ରଙ୍କୁ ସାଧାରଣ ନାଗରିକଙ୍କ ସମର୍ଥନ ମଧ୍ୟ ମିଳିବାକୁ ଲାଗିଲା ।

ତିଆନମେନ୍ ସ୍କୋୟାରରେ ଟ୍ୟାଙ୍କ ସହିତ ଚୀନ୍ ସେନା ଆନ୍ଦୋଳନ ଦବାଇବା ପାଇଁ ଉଦ୍ୟମ କରୁଥିଲା । ଟ୍ୟାଙ୍କ୍ ମ୍ୟାନ୍ ନାମରେ ପ୍ରସିଦ୍ଧ ଏହି ଚିତ୍ରରେ ଜଣେ ବ୍ୟକ୍ତିଙ୍କୁ ବ୍ୟାଗ୍ ସହିତ ଟ୍ୟାଙ୍କ ଆଗରେ ଛିଡା ହୋଇଥିବା ଦେଖିବାକୁ ମିଳେ । କୁହାଯାଏ ଯେ, ଆନ୍ଦୋଳନକାରୀଙ୍କୁ ହଟାଇବା ପାଇଁ ଟ୍ୟାଙ୍କ୍ ଯାଉଥିବା ବେଳେ ବଜାରକୁ ଆସିଥିବା ଜଣେ ବ୍ୟକ୍ତି ନିଜ ଜୀବନକୁ ଖାତିର ନକରି ଟ୍ୟାଙ୍କ ଆଗରେ ଛିଡା ହୋଇ ପଡିଥିଲେ । ସେ ଟ୍ୟାଙ୍କକୁ ରାସ୍ତା ଦେଇନଥିଲେ । ଏହି ବ୍ୟକ୍ତି କିଏ ତାହା ଆଜି ପର୍ଯ୍ୟନ୍ତ ବି ରହସ୍ୟ । କିନ୍ତୁ ଏହି ଚିତ୍ର ହିଁ ଆନ୍ଦୋଳନର ଛବି ବନି ଯାଇଥିଲା । ଯାହା ପରେ ଟ୍ୟାଙ୍କ୍ ମ୍ୟାନ୍ ନାମରେ ଜଣା ଯାଇଥିଲା ।

Beijing Tiananmen SquareBing search engineBing tank manChinaCommunist party of ChinaMicrosoftMicrosoft Bingmicrosoft blocked tank mantank manTank man imageTiananmen Squareଚୀନର କମ୍ୟୁନିଷ୍ଟ୍ ସରକାରଛାତ୍ର ଆନ୍ଦୋଳନଟ୍ୟାଙ୍କ୍ ମ୍ୟାନ୍ଟ୍ୟାଙ୍କ୍ ମ୍ୟାନ୍ କିଏତିଆନମ୍ୟାନ୍ ସ୍କୋୟାରବିଙ୍ଗରେ ଟ୍ୟାଙ୍କ୍ ମ୍ୟାନବେଜିଂର ତିଆନମେନ୍ ସ୍କୋୟାରମାଇକ୍ରୋସଫ୍ଟମାଇକ୍ରୋସଫ୍ଟର ସର୍ଚ୍ଚ ଇଂଜିନ୍ ବିଙ୍ଗ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami