ମଶାଙ୍କୁ ଭଣ୍ଡାଇ ମାରୁଥିବା ଯନ୍ତ୍ର, ଥରେ ଲଗାଇବା ପରେ ଆଉ କରିବାକୁ ପଡେନା ଖର୍ଚ୍ଚ

“ହକର” ମଶାଙ୍କୁ ଭଣ୍ଡାଇ ମାରୁଥିବା ଯନ୍ତ୍ର

ବିଶ୍ୱରେ ୩୫ଶହରୁ ଅଧିକ ପ୍ରଜାତିର ମଶା ରହିଛନ୍ତି । ମଶାଙ୍କ କାରଣରୁ ଡେଙ୍ଗୁ, ମେଲେରିଆ ଭଳି ମାରାତ୍ମକ ରୋଗ ହୋଇଥାଏ । ମଶା କାମୁଟଡିବା କାରଣରୁ ହେଉଥିବା ରୋଗରେ ପ୍ରତିବର୍ଷ ବିଶ୍ୱରେ ୭ ଲକ୍ଷ ପ୍ରାଣ ହରାଇଥାନ୍ତି । ମଶା ଦାଉରୁ ରକ୍ଷା ପାଇବା ପାଇଁ ଆମେ ଅନେକ ଉପାୟ ଅବଲମ୍ବନ କରିଥାଉ । କିନ୍ତୁ ଖୋଲାରେ, ଯେମିତି ସ୍ୱରେଜ୍ ଟାଙ୍କି କିମ୍ବା ମଇଳା ପାଣି ଜମିଥିବା ସ୍ଥାନରେ ଅଧିକ ସଂଖ୍ୟାରେ ମଶା ଜମା ହୋଇଥାନ୍ତି । ଏମିତି ସ୍ଥାନରେ କ’ଣ କରାଯାଇ ପାରିବ ?

ଯଦି ମଶାଙ୍କ ଉତ୍ପତି ସ୍ଥାନରେ ହିଁ ସେମାନଙ୍କୁ ମାରି ଦିଆଯାଏ ତେବେ କ’ଣ ହେବ ? ଉତ୍ତର ହେଉଛି ରୋଗ ବ୍ୟାପିବ ନାହିଁ । ସବୁଠାରୁ ଭଲ କଥା ହେଉଛି କୌଣସି ପ୍ରକାରର ହାନିକାରକ କେମିକାଲର ପ୍ରୟୋଗ ବିନା ହିଁ ଏମିତି କରିବା ସମ୍ଭବ । ଏଥିପାଇଁ କେରଳର ମ୍ୟାଥୁସ୍ କେ. ମ୍ୟାଥୁ ଏକ ବିଶେଷ ଆବିଷ୍କାର କରିଛନ୍ତି । ଯାହାର ନାମ ହେଉଛି ’ହକର’ । ହକର ଏଭଳି ଏକ ବିଶେଷ ଯନ୍ତ୍ର ଯାହ ଖୋଲା ସ୍ଥାନରେ ମଶାଙ୍କୁ ମାରିଥାଏ

କେରଳର କୋଟ୍ଟାୟମର କାଞ୍ଜିରପଲ୍ଲୀର ନିକଟସ୍ଥ କପ୍ପଟୁର ବାସିନ୍ଦା ମ୍ୟାଥୁସ ଗ୍ରାଜୁଏସନ କରିଛନ୍ତି । ସେ ରହୁଥିବା ଅଞ୍ଚଳରେ ମଶାଙ୍କ ପାର୍ଦୁଭାବ ଅଧିକ । ଗୋଟିଏ କୃଷକ ପରିବାରରୁ ଆସିଥିବା ମ୍ୟାଥୁସ ପିଲାବେଳୁ ମଶାଙ୍କ କାରଣରୁ ଉତ୍ପନ ସମସ୍ୟାକୁ ଅଙ୍ଗେ ନିଭାଇଛନ୍ତି । ସେ ସବୁବେଳେ ଭାବୁଥିଲେ ଯେ, କ’ଣ ଏଭଳି କୌଣସି ଉପାୟ ନାହିଁ ଯାହାଦ୍ୱାରା ଖୋଲା ସ୍ଥାନରେ ଥିବା ମଶାଙ୍କଠାରୁ ମଧ୍ୟ ମୁକ୍ତି ମିଳିପାରିବ? ଖୋଲା ସ୍ଥାନରେ ବା ଘର ବାହାରେ ଥିବା ମଶାଙ୍କୁ ମାରିବା ପାଇଁ କେମିକାଲ ସିଂଚନ କରାଯାଇଥାଏ । କିନ୍ତୁ ତାହା ବିଶାକ୍ତ ହୋଇଥାଏ । ମ୍ୟାଥୁ ଏଭଳି ଗୋଟିଏ ଉପାୟ କଥା ଚିନ୍ତା କରୁଥିଲେ ଯେଉଁଥିରେ କେମିକାଲର ବ୍ୟବହାର ହେଉନଥିବ । ଏହି ଚିନ୍ତାରୁ ଜନ୍ମ ନେଇଥିଲା ‘ହକର

ଏମିତି ଆସିଥିଲା ଆଇଡିଆ

ମ୍ୟାଥୁସଙ୍କ ଅନୁସାରେ ଥରେ ସେ ଘରେ ବସିଥିବା ବେଳେ ଗୋଟିଏ ମଶା ତାଙ୍କ ହାତକୁ କାମୁଡି ଦେଇଥିଲା । ସେ ମଶାକୁ ଆର ହାତରେ ମାରିଥିଲେ । ମାଡ ଖାଇ ମଶା ଟେବୁଲ ଉପରେ ପଡିଗଲା । କିନ୍ତୁ କିଛି ସମୟ ପରେ ମଶା ଉଡିବାକୁ ଆରମ୍ଭ କରିଥିଲା । ପ୍ରକୃତରେ ମଶା ମରିନଥିଲା । ସେ ବେହୋସ ହୋଇଥିଲା । ହୋସକୁ ଆସିବା ପରେ ମଶା ବାହାରକୁ ଯିବା ପାଇଁ ରାସ୍ତା ଖୋଜିବାକୁ ଲାଗିଲା । ମଶା ତାଙ୍କ ଟାଇଲି ଘର ଛାତ ଆଡକୁ ଉଡ଼ିଥିଲା । ଟାଇଲିରେ ଗୋଟିଏ କାଚ ଲାଗିଥିଲା । କାଚରୁ ସୂର୍ଯ୍ୟ କିରଣ ଆସୁଥିଲା । ଫଳରେ ମଶାକୁ ଲାଗିଲା ଯେ, ତାହା ଖୋଲା ସ୍ଥାନ ଏବଂ ସେଇ ରାସ୍ତା ଦେଇ ବାହାରକୁ ଯାଇ ହେବ ।

Solar Mosquito Trapper by Matthews K Matthews

ଏହି ଘଟଣାରୁ ମ୍ୟାଥୁ ଜାଣିପାରିଥିଲେ ଯେ, ମଶା ଆଲୋକ ଆଡକୁ ଆକର୍ଷିତ ହୋଇଥାନ୍ତି ।ଆଉ ମଧ୍ୟ ସେମାନେ କାଚ ଭଳି ପାରଦର୍ଶୀ ବସ୍ତୁକୁ ଚିହ୍ନି ପାରନ୍ତି ନାହିଁ । ଏହାପରେ ସେ ଗୋଟିଏ ବାୟୋ ଗ୍ୟାସ୍ ପ୍ଲାଣ୍ଟରେ ମଶାଙ୍କୁ ଦେଖିବାକୁ ପାଇଥିଲେ । ସେହି ପ୍ଲାଣ୍ଟ ଦୁଇଟି ପଥର ଦ୍ୱାରା ଘୋଡାଇ ହୋଇ ରହିଥିଲା । ଦୁଇ ପଥର ମଧ୍ୟରେ ଥିବା ଛିଦ୍ର ଦେଇ ମଶା ଯିବା ଆସିବା କରୁଥିଲେ । ମ୍ୟାଥୁସ ଜାଣି ପାରିଥିଲେ ଯେ, ମଶା ଗରମ ସହନ କରି ପାରନ୍ତି ନାହିଁ । ଯେଉଁଠାରେ ଥଣ୍ଡା ସହିତ ଆଦ୍ରତା ଥାଏ ସେଠାରେ ମଶା ରୁହନ୍ତି । ପ୍ରଜନନ କରନ୍ତି ।

ଏହା ପରେ ମ୍ୟାଥୁସ ମଶା ଧରିବା ଯନ୍ତ୍ର ତିଆରି କରିବା କଥା ଚିନ୍ତା କରିଥିଲେ । ଏଥିପାଇଁ ସେ ସେହି ବାୟୋଗ୍ୟାସ୍ ପ୍ଲାଣ୍ଟକୁ ଏକ୍ସପେରିମେଣ୍ଟ୍ ଭାବେ ନେଇଥିଲେ । ଗ୍ୟାସ ପ୍ଲାଣ୍ଟ ଉପରେ ଥିବା ପଥର ମଝିରେ, ଖାଲି ସ୍ଥାନ ଉପରେସେ ଏକ ପାରଦର୍ଶୀ ଗ୍ଲାସ୍ ଲଗାଇଥିଲେ । ସେଥିରେ ମଶାଙ୍କ ପ୍ରବେଶ ପାଇଁ ଛୋଟିଆ ରାସ୍ତାଟିଏ ରଖିଥିଲେ । କିଛି ସମୟ ପରେ ସେହି ଗ୍ଲାସରେ ମଶା ଭର୍ତ୍ତି ହେବାକୁ ଲାଗିଥିଲେ । ଏହାପରେ ସେ ମଶାଙ୍କ ପ୍ରବେଶ ପାଇଁ ଥିବା ଛିଦ୍ରକୁ ଆହୁରି ଛୋଟ କରିଥିଲେ । କିନ୍ତୁ ଛିଦ୍ର ଛୋଟ ହେବା ପରେ ମଧ୍ୟ ମଶାଙ୍କ ପ୍ରବେଶ ଜାରି ରହିଥିଲା । ମଶା ସେହି ଛୋଟ ଛିଦ୍ରକୁ ଖୋଜି ଗ୍ଲାସ ମଧ୍ୟକୁ ପ୍ରବେଶ କରୁଥିଲେ । ମ୍ୟାଥୁସ ଜାଣିପାରିଥିଲେ ଯେ, ବାୟୋ ଗ୍ୟାସ୍ ପ୍ଲାଣ୍ଟରୁ ବାହାରୁଥିବା ଗନ୍ଧ ହିଁ ମଶାଙ୍କୁ ଟାଣୁଛି ।

୨୦୦୨ରେ ମ୍ୟାଥୁ ନିଜ ଯନ୍ତ୍ରର ପ୍ରଥମ ପ୍ରୋଟେଟାଇପ୍ ତିଆରି କରିଥିଲେ । କିନ୍ତୁ ବିପୁଳ ତଥା ବାଣିଜ୍ୟକ ଉତ୍ପାଦନ ପାଇଁ ତାଙ୍କ ପାଖରେ ପାଣ୍ଠିର ଅଭାବ ଥିଲା । ତଥାପି ମ୍ୟାଥୁସ ହାର ମାନିନଥିଲେ । ଅନେକ ବର୍ଷର ପ୍ରଚେଷ୍ଟା ପରେ ଜନ୍ମ ନେଇଥିଲା ‘ହକର’

ହକର କେମିତି କାମ କରେ ?

ହକରକୁ ସେପ୍ଟିକ୍ ଟ୍ୟାଙ୍କ, ବାୟୋ ଗ୍ୟାସ୍ ଟ୍ୟାଙ୍କ, ସ୍ୱରେଜ୍ ଟ୍ୟାଙ୍କ ଭଳି ସ୍ଥାନରେ ବ୍ୟବହାର କରାଯାଇ ପାରେ । ଏହାର ନିମ୍ନ ଭାଗ ପଲିମରଉପରିଭାଗ ପାରଦର୍ଶୀ ପ୍ଲାଷ୍ଟିକରେ ତିଆରି । ଏଥିରେ ଗୋଟିଏ ଟ୍ୟୁବ୍ ଲାଗିଥାଏ । ଯାହାକୁ ଯେକୌଣସି ଟାଙ୍କିରେ ଫିଟ୍ କରାଯାଇ ପାରିବ । ଏହି ଟ୍ୟୁବ୍ ଜରିଆରେ ଟ୍ୟାଙ୍କରୁ ବାୟୋଗ୍ୟାସ ହକରର ନିମ୍ନ ଭାଗରେ ପହଂଚିଥାଏ । ଏହି ଭାଗରୁ ଗ୍ୟାସ୍ ବାହାରକୁ ବ୍ୟାପେ ଓ ମଶା ଆକର୍ଷିତ ହୋଇଥାନ୍ତି । ଗ୍ୟାସ ଗନ୍ଧ ପାଇଁ ମଶା ପ୍ରଥମେ ଯନ୍ତ୍ରର ନିମ୍ନ ଭାଗକୁ ପ୍ରବେଶ କରିଥାନ୍ତି । ଏହାପରେ ସେମାନେ ଉପରଭାଗକୁ ଯାଇଥାନ୍ତି । କାରଣ ସେଠାରୁ ପାରଦର୍ଶୀ ପ୍ଲାଷ୍ଟିକରୁ ଆଲୋକ ମିଳିଥାଏ । ଯେତେବେଳେ ମଶା ଉପରକୁ ଯାନ୍ତି ସେତେବେଳେ ସେମାନେ ଗୋଟିଏ ଚ୍ୟାମ୍ବରରେ ଫସିଯାନ୍ତି । ଏହି ଚ୍ୟାମ୍ବର ସୂର୍ଯ୍ୟ କିରଣରେ ଗରମ ହୋଇଯାଏ । ଗରମରେ ମଶା ପ୍ରାଣ ହରାନ୍ତି । ମ୍ୟାଥୁଙ୍କ ଅନୁସାରେ ଥରେ ଏହି ମେସିନର ଇନଷ୍ଟଲେସନ୍ ପରେ ଏଥିରେ କୌଣସି ଖର୍ଚ୍ଚ କରିବାକୁ ପଡେ ନାହିଁ । କାରଣ ଏଥିରେ କୌଣସି ପ୍ରକାରର ଗ୍ୟାସ୍ କିମ୍ବା କେମିକାଲ ବ୍ୟବହାର କରିବାକୁ ପଡିନଥାଏ ।

ହକରର ଇନଡୋର ମଡେଲ ମଧ୍ୟ ଖୁବଶୀଘ୍ର ବଜାରକୁ ଆସିବାକୁ ଯାଉଛି । ଯାହାକୁ ଘରେ ଲଗା ଯାଇପାରିବ । ମ୍ୟାଥୁସ୍ ଏହାର ପ୍ୟାଟେଣ୍ଟ୍ ପାଇଁ ଆବେଦନ କରିଛନ୍ତି । ଏହା ସହିତ ସେ ଗୋଟିଏ ମାଛି ମରା ଯନ୍ତ୍ର ମଧ୍ୟ ତିଆରି କରୁଛନ୍ତି । ଯାହା ଆଗକୁ ତାଙ୍କ କମ୍ପାନୀ ଲଂଚ୍ କରିବ ।

HawkerKeralaMatthews k Matthewsmosquito repellantmosquito trappersolar mosquito trapperକେରଳକୌଣସି ଖର୍ଚ୍ଚ କରିବାକୁ ପଡେ ନାହିଁବାୟୋ ଗ୍ୟାସ୍ ପ୍ଲାଣ୍ଟମଶା ଧରିବା ଯନ୍ତ୍ରମଶାଙ୍କୁ ଭଣ୍ଡାଇ ମାରୁଥିବା ଯନ୍ତ୍ରମାଛି ମରା ଯନ୍ତ୍ରମ୍ୟାଥୁସ୍ କେ. ମ୍ୟାଥୁହକରହକରର ଇନଡୋର ମଡେଲ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami