ଅକ୍ଷୟ ତୃତୀୟାରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ’ ପାଇଁ ହଟହଟା ବ୍ୟବସାୟୀ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନକୁ ଲୋକେ ଶୁଭ ଦିନ ବୋଲି ମାନିିଥାନ୍ତି । ଆଉ ଏହି ଦିନ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସିଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ତେଣୁ ଲୋକେ ଏହି ଦିନକୁ ଉତ୍ସାହର ସହିତ ଅପେକ୍ଷା କରି ରହିଥାନ୍ତି । ଏହି ଦିନରେ ସୁନା କାରବାର ବି ବେଶ ଭଲ ହୋଇଥାଏ । ହେଲେ ଏଥର ମାଡ଼ ହୋଇଛି ସୁନା କାରବାର । କାରଣ ଆଜି ଭୁବନେଶ୍ୱର ଜନପଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିବେ ରୋଡ ଶୋ । ଏଥିଲାଗି ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ମାଷ୍ଟର କ୍ୟାଣ୍ଟିନରୁ ବାଣିବିହାର ମଧ୍ୟରେ ଥିବା ସମସ୍ତ ଅଳଙ୍କାର ଦୋକାନକୁ ୨ ଟା ପରେ ବନ୍ଦ କରି ଦିଆଯାଇଛି । ଫଳରେ ବହୁତ ବଡ଼ କ୍ଷତି ସହିଛନ୍ତି ସୁନା ବେପାରୀ ।

ଚିନ୍ତାରେ ପକାଇଲା ମୋଦୀଙ୍କ ପ୍ରଚାର

ରାଜଧାନୀ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ରୋଡ ଶୋ ପାଇଁ ଚିନ୍ତାରେ ପଡ଼ିଲେ ବ୍ୟବସାୟୀ । କାରଣ ଅକ୍ଷୟ ତୃତୀୟାରେ ସୁନା କାରବାର ବେଶ ଭଲ ହୋଇଥାଏ । ଧନ୍‌ତେରାସ୍ ପରେ ବର୍ଷ ସାରା ଲୋକେ ଏହି ଦିନଟିକୁ ସୁନା କିଣିବା ଲାଗି ସବୁଠାରୁ ମଙ୍ଗଳମୟ ବିବେଚନା କରିଥାନ୍ତି । ହେଲେ ଭୁବନେଶ୍ୱରରେ ମୋଦୀଙ୍କ ରୋଡ୍ ଶୋ’ ପାଇଁ ବ୍ୟବସାୟରେ କ୍ଷତି ହୋଇଛିି । ମୋଦୀଙ୍କ ରୋଡ ଶୋ ପାଇଁ ମାଷ୍ଟରକ୍ୟାଣ୍ଟିନଠାରୁ ବାଣୀବିହାର ପର୍ଯ୍ୟ ନ୍ତ ଜନପଥରେ ଯାତାୟତ ଉପରେ କମିଶନରେଟ ପୋଲିସ୍ ଲଗାଇଛି କଟକଣା । ରୋଡ ଶୋ ସରିବା ପର୍ଯ୍ୟନ୍ତ ଏହି ପଥ ସାଧାରଣ ଲୋକଙ୍କ ପାଇଁ ଗୋଟେ ପ୍ରକାର ମନା । ଅକ୍ଷୟ ତୃତୀୟାରେ ପ୍ରଧାନମନ୍ତ୍ରୀ ଜନପଥରେ ନିର୍ବାଚନୀ ରୋଡ୍ ଶୋ’ ଲାଗି କମିଶନରେଟ ପୋଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଅପରାହ୍ନ ୨ଟା ପରେ ମାଷ୍ଟରକ୍ୟାଣ୍ଟିନ୍‌-ବାଣୀବିହାର ରାସ୍ତା ସିଲ୍

ଅପରାହ୍ନ ୨ଟାରୁ ଜନପଥର ମାଷ୍ଟରକ୍ୟାଣ୍ଟିନ୍‌ଠାରୁ ବାଣୀବିହାର ରାସ୍ତାକୁ ସିଲ୍ କରାଯାଇଛି । ଏପରିକି ଜନପଥକୁ ଲାଗିଥିବା ଗଳି ରାସ୍ତାଗୁଡିକୁ ମଧ୍ୟ ସିଲ୍ କରାଯାଇଛି । ତେଣୁ ଏଭଳି ପରିସ୍ଥିତିରେ ରାଜଧାନୀରେ ସୁନା ଦୋକାନୀଙ୍କ ଉପରେ ଚଡକ ପଡିଛି । ଦିନ ୨ ଟା ପରେ କଟକଣା ଲଗାଯାଇଥିବାରୁ ସୁନା କାରବାର ବେଶ ପ୍ରଭାବିତ ହୋଇଛି । କାରଣ ରାଜଧାନୀ ଭୁବନେଶ୍ୱରର ଅଧିକାଂଶ ପ୍ରମୁଖ ସୁନା ଗହଣା ଦୋକାନଗୁଡିକ ମାଷ୍ଟରକ୍ୟାଣ୍ଟିନଠାରୁ ବାଣୀବିହାର ମଧ୍ୟରେ ଜନପଥ ପାର୍ଶ୍ୱରେ ରହିଛି । ଏହାଛଡା ଧନ୍‌ତେରାସ୍ ଏବଂ ଅକ୍ଷୟ ତୃତୀୟାରେ ସନ୍ଧ୍ୟା ସମୟରେ ହିଁ ଅଧିକ ସୁନା କାରବାର ହୋଇଥାଏ । ସୁରକ୍ଷା ବ୍ୟବସ୍ଥା ନେଇ ଯେଭଳି କଟକଣା ଜାରି କରାଯାଇଛି ସେଥିରେ ଗ୍ରାହକମାନେ ସୁନା ଦୋକାନକୁ ଯିବା ସମ୍ଭବପର ନୁହେଁ । କଟକଣା ଯୋଗୁ ଅକ୍ଷୟ ତୃତୀୟାରେ ବ୍ୟବସାୟ କ୍ଷତି ସହିଛନ୍ତି ସୁନା ବ୍ୟବସାୟୀ ।

gold shopkeepers worriedjanapatha jewellery shopprime ministers road show
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami