୧୯୮୦ର ସେଇ ସମ୍ବିଧାନ ସଂଶୋଧନ, ଯାହାପରେ ବାଂଲାଦେଶ ହିନ୍ଦୁଙ୍କ ପାଇଁ ପାଲଟିଗଲା ନର୍କ

ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ବଡ଼ଧରଣର ହିଂସା ଦୁନିଆକୁ ଇସଲାମିକ୍ ମୌଳବାଦକୁ ନୂଆ ନଜରରେ ଦେଖିବାକୁ ବାଧ୍ୟ କରିଛି । ମୁସଲିମ ଅତିବାଦୀଙ୍କ ପାଇଁ କେବଳ ଯେ, ବାଂଲାଦେଶର ହିନ୍ଦୁ ଚିନ୍ତାରେ ନାହାନ୍ତି ସେଠାକର ସରକାର ମଧ୍ୟ ଚିନ୍ତାରେ ପଡିଯାଇଛନ୍ତି । କାରଣ ହେଉଛି ବାଂଲାଦେଶ ଅର୍ଥନୈତିକ ଦୃଷ୍ଟିରୁ ପ୍ରଗତି କରୁଥିବା ବେଳେ ଇସଲାମିକ ଆତଙ୍କବାଦ ଏହାର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁଛି । ବାଂଲାଦେଶ ସରକାର ଏବେ ଦେଶର ପ୍ରଥମ ସମ୍ବିଧାନକୁ ପୁଣିଥରେ ଲାଗୁ କରିବାକୁ ଚିନ୍ତା କରୁଛନ୍ତି । ଦେଶ ସ୍ୱାଧିନ ହେବା ପରେ ୧୯୭୨ରେ ବାଂଲାଦେଶ ପ୍ରଥମ ସମ୍ବିଧାନକୁ ଗ୍ରହଣ କରିଥିଲା । ଏହି ସମ୍ବିଧାନ ଅନୁସାରେ ବାଂଲାଦେଶ ଧର୍ମନିରପେକ୍ଷ ରାଷ୍ଟ୍ର ଥିଲା । କିନ୍ତୁ ବଂଗବନ୍ଧୁ ତଥା ବାଂଲାଦେଶର ସୃଷ୍ଚିକର୍ତ୍ତା ଶେଖ ମୁଜିବୁର ରହମାନଙ୍କ ହତ୍ୟା ପରେ ସବୁକିଛି ବଦଳି ଯାଇଥିଲା ।

ବଂଗବନ୍ଧୁଙ୍କ ହତ୍ୟା ପରେ ବଦଳି ଗଲା ଚିତ୍ର

୧୯୭୫ ମସିହାରେ ସାମରିକ ବିଦ୍ରୋହ ଜରିଆରେ ମୁଜିବୁର ରହମନଙ୍କୁ ତାଙ୍କ ପରିବାର ସହିତ ହତ୍ୟା କରାଯାଇଥିଲା । ବଂଚିଯାଇଥିଲେ ତାଙ୍କ ଝିଅ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶେଖ ହସିନା । ୧୯୭୫ରେ ଶେଖ ମୁଜିବୁରଙ୍କ ହତ୍ୟା ପରଠାରୁ ୧୯୯୦ ପର୍ଯ୍ୟନ୍ତ ବାଂଲାଦେଶରେ ସାମରିକ ଶାସନ ଜାରି ଥିଲା । ଏହି ସମୟରେ ସେନା ମୁସଲିମ୍ ମୌଳବାଦୀଙ୍କୁ ସମର୍ଥନ କରୁଥିଲା । ୧୯୭୫ ମସିହାରେ ଜମାତ-ଏ-ଇସଲାମି ଭଳି ଦଳ ଉପରୁ ସାମରିକ ସରକାର ପ୍ରତିବନ୍ଧକ ହଟାଇ ଦେଇଥିଲା । ଫଳରେ ପାକିସ୍ତାନ ସମର୍ଥକ ଜମାତ୍ ଭଳି ଦଳ ପାଇଁ ରାଜନୀତିରେ ସାମିଲ ହେବା ସହଜ ହୋଇଥିଲା । ୧୯୭୯ରେ ବାଂଲାଦେଶର ସମ୍ବିଧାନର ପ୍ରସ୍ତାବନାରୁ ଧର୍ମନିରପେକ୍ଷ ଶବ୍ଦକୁ ହଟାଇ ଦିଆଯାଇଥିଲା । ଏହାର ୯ ବର୍ଷ ପରେ ୧୯୮୮ରେ ଜେନରାଲ ଏରସାଦଙ୍କ ଶାସନ କାଳରେ ବାଂଲାଦେଶ ସମ୍ବିଧାନରେ ସଂଶୋଧନ କରାଯାଇ ଏହାକୁ ଇସଲାମିକ ରାଷ୍ଟ୍ର ଭାବେ ଘୋଷଣା କରାଯାଇଥିଲା ।

ସାମରିକ ଶାସନରେ ମୁସଲିମ୍ ମୌଳବାଦୀଙ୍କୁ ମିଳିଥିଲା ଖୋଲା ପଡିଆ

୧୯୮୮ର ସମ୍ବିଧାନ ସଂଶୋଧନ ପରେ ବାଂଲାଦେଶରେ ମଦ୍ରାସ ଛତୁ ଫୁଟିଲା ଭଳି ଖୋଲିଥିଲା । ୧୯୭୫ରେ ଯେଉଁଠି ମଦ୍ରାସାଙ୍କ ସଂଖ୍ୟା ଥିଲା ୧୮୩୦ ସେହି ସଂଖ୍ୟା ୧୯୯୦ ବେଳକୁ ୫ ହଜାର ୭୯୩ ହୋଇ ଯାଇଥିଲା । ଏବେ ବାଂଲାଦେଶରେ ଘରୋଇ ମଦ୍ରାସାଙ୍କ ସଂଖ୍ୟା କେତେ ତାହାର ସୂଚନା ଖୋଦ ସରକାରଙ୍କ ପାଖରେ ମଧ୍ୟ ନାହିଁ । ମଦ୍ରାସା ଗୁଡିକରେ ହିନ୍ଦୁଙ୍କ ବିରୋଧରେ ଘୃଣାର ପାଠ ପଢାଯାଏ

ମୁଳ ସମ୍ବିଧାନକୁ ପୁଣି ଲାଗୁ କରିବା ପ୍ରତିସ୍ରୁତି ଦେଇଥିଲେ ହାସିନା ସରକାର

୧୯୭୨ ମସିହାର ମୁଳ ସମ୍ବିଧାନକୁ ପୁଣିଥରେ ଲାଗୁ କରିବାକୁ ହାସିନା ସରକାର ପ୍ରତିସ୍ରୁତି ଦେଇ କ୍ଷମତାକୁ ଆସିଥିଲେ । ଏବେ ଦୁର୍ଗାପୂଜା ସମୟରେ ହିନ୍ଦୁଙ୍କ ବିରୋଧରେ ହୋଇଥିବା ହିଂସାର ଉଗ୍ରତାକୁ ଦେଖି ଏହାର ସୂଚନା ମନ୍ତ୍ରୀ ମଧ୍ୟ ମୁଳ ସମ୍ବିଧାନ ଲାଗୁ କରିବା କଥା କହିଲେଣି । କିନ୍ତୁ ଏହା ମଧ୍ୟ ସତ ଯେ, ହାସିନ ସରକାର ମଧ୍ୟ ମୁସଲିମ୍ ମୌଳବାଦୀଙ୍କ ଚାପରେ ଅଛନ୍ତି । ତେଣୁ ମୁସଲିମ୍ ମୌଳବାଦୀଙ୍କ ଚାପର କେମିତି ମୁକାବିଲା ହାସିନା ସରକାର କରିବ ତାହା ମଧ୍ୟ ଗୋଟିଏ ବଡ ପ୍ରଶ୍ନ । ତେବେ ଏସବୁ ଭିତରେ ହିନ୍ଦୁ ବାଂଲାଦେଶରେ ଅସୁରକ୍ଷିତ ହୋଇ ପଡିଛନ୍ତି । ୧୯୭୫ ମସିହାରେ ସେମାନଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୨୫ ପ୍ରତିଶତ ଥିବା ବେଳେ ଏବେ ୮ ପ୍ରତିଶତକୁ ଖସି ଆସିଛି ।

bangabandhubangladesh constitutionbangladesh hindubangladesh PM sheikh hasinaconstitutional amendment 1980Hindus are insecure in Bangladeshhindus in bangladeshIslamic fundamentalismIslamic terrorismSheikh Mujibur Rahman the creator of Bangladeshଇସଲାମିକ ଆତଙ୍କବାଦଇସଲାମିକ୍ ମୌଳବାଦପ୍ରଧାନମନ୍ତ୍ରୀ ଶେଖ ହସିନାବଂଗବନ୍ଧୁବାଂଲାଦେଶର ସୃଷ୍ଚିକର୍ତ୍ତା ଶେଖ ମୁଜିବୁର ରହମାନବାଂଲାଦେଶରେ ହିନ୍ଦୁହିନ୍ଦୁ ବାଂଲାଦେଶରେ ଅସୁରକ୍ଷିତ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami