ଶବଙ୍କ ଶେଷ ସାଥୀ ୪ ବନ୍ଧୁ

ମୁତ୍ୟୁ ହିଁ ଏକମାତ୍ର ସତ୍ୟ ।  ଧନୀ ହେଉ କି ଗରିବ, ସମସ୍ତଙ୍କୁ ଦିନେ ଛାଡ଼ିବାକୁ ପଡ଼ିବ ଏ ସୁନ୍ଦର ପୃଥିବୀ । ତେଣୁ ଶବକୁ ଶେଷ ସମ୍ମାନ ଦେବା ଆମ ସମସ୍ତଙ୍କର ନୈତିକ କର୍ତବ୍ୟ । ମାତ୍ର କରୋନାର ଦ୍ୱିତୀୟ ଲହରି ଏତେ ଉତ୍କଟ ଆକାର ଧାରଣ କରିଛି ଯେ ବନ୍ଧୁ ପରିଜନ ତ ଦୂରର କଥା, ନିଜ ପରିବାର ଲୋକ ବି ଆତ୍ମୀୟଙ୍କ ଶବ ପାଖରେ ଛିଡ଼ା ହେବାକୁ ଭୟ କରୁଛନ୍ତି । କେବଳ ମୁଖାଗ୍ନି ଦେବାକୁ ନୁହେଁ, ବରଂ ଶବ ସତ୍କାର ପରେ ଅସ୍ଥି ସଂଗ୍ରହ କରିବାକୁ ବି କୁଣ୍ଠିତ ହେଉଛନ୍ତି । ଏ ସବୁ ପ୍ରତିକୂଳକ ପରିସ୍ଥିତି ସତ୍ୱେ କରୋନା ମୃତକଙ୍କ ଶେଷ ସାଥୀ ହେବାକୁ ଆଗେଇ ଆସିଛନ୍ତି ସୁନ୍ଦରଗଡ଼ ଅଂଚଳର ୪ ବନ୍ଧୁ

ପେଷାରେ କିଏ ଔଷଧ ବ୍ୟବସାୟୀ ତ  ଆଉ କିଏ ଷ୍ଟେସନାରୀ ଓ ପରିବହନ ବ୍ୟବସାୟୀ । ପୁଣି କିଏ ଲଜିଂ ଓ ରେସ୍ତୋରାଁ ବ୍ୟବସାୟରେ ନିଜକୁ ପ୍ରତିଷ୍ଠିତ କରାଇ ପାରିଛନ୍ତି । ସମସ୍ତେ ଭିନ୍ନ ଭିନ୍ନ ପେଷାରୁ ଆସିଥିଲେ ବି ନିଶା ସେମାନଙ୍କର ଶବ ସତ୍କାର । ଆଜକୁ ୧୫ ବର୍ଷରୁ ଅଧିକ ସମୟ ହେବ ଜିଲ୍ଲାର କୌଣସି ସ୍ଥାନରେ ନିରାଶ୍ରିତଙ୍କ ଶବ ଦେଖିଲେ ସେମାନେ ସତ୍କାର କରିବାକୁ ଆଗେଇ  ଆସନ୍ତି । ହେଲେ କରୋନା ଯୋଗୁ ଏବେ ଏହି ନିଶା କର୍ତବ୍ୟ ଓ ଦାୟିତ୍ୱରେ ପରିଣତ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାରେ କୌଣସି କରୋନା ରୋଗୀର ମୃତ୍ୟୁ ହେଲେ ଖୋଜା ପଡୁଛନ୍ତି ଏହି ଚାରି ବନ୍ଧୁ ସିଦ୍ଧାନ୍ତ କୁମାର ପଣ୍ଡା, ଶିଶିର କୁମାର ବେହେରା, ମନୋଜ କୁମାର ତ୍ରିପାଠୀ, କମଲେଶ ନଥାନୀ । ଘରୋଇ ସଙ୍ଗରୋଧରେ କରୋନା ରୋଗୀର ମୃତ୍ୟୁ ହେଉ କି ଡାକ୍ତରଖାନାରେ କରୋନା ମୃତକ, ଶବ ସତ୍କାର କରିଛନ୍ତି ଏହି ୪ ସାଙ୍ଗ । ସବୁଠାରୁ ବଡ଼ କଥା ହେଲା ଏଥିପାଇଁ ଏମାନେ କେବେ କରୋନା ଯୋଦ୍ଧା ଟ୍ୟାଗ୍‌ର ଆବଶ୍ୟକତା ଲୋଡ଼ି ନାହାନ୍ତି କି ଜିଲ୍ଲା ପ୍ରଶାସନଠାରୁ  ଆର୍ଥିକ ସହାୟତା ଦରକାର କରିନାହାନ୍ତି । ଇତିମଧ୍ୟରେ ୪ ବନ୍ଧୁ ୩୦୦ରୁ ଅଧିକ କରୋନା ମୃତକଙ୍କ ସତ୍କାର କରି ସାରିଲେଣି । କେବଳ ସେତିକି ନୁହେଁ କରୋନା ରୋଗୀଙ୍କ  ଶବ ସତ୍କାର ପରେ ପାଉଁଶକୁ ବି ଉପଯୁକ୍ତ ସମ୍ମାନ ଦେଇ ଏହାକୁ କଳସରେ ସଂଗ୍ରହ କରି ରଖି ଧୂପ ଦେଉଛନ୍ତି ।

ଏ ବାବଦରେ ସିଦ୍ଧାନ୍ତ କୁମାର ପଣ୍ଡା କୁହନ୍ତି, ୨୦୨୦ କରୋନା ଆରମ୍ଭରୁ ହିଁ ଆମେ ୪ ବନ୍ଧୁ ଏହି କାମରେ ଅଛୁ । ପ୍ରଥମ ଲହର ବେଳେ ୭୮ ଜଣଙ୍କ ସତ୍କାର କରିଥିଲାବେଳେ ଏବେ ୨୪୦ରୁ ଅଧିକ ମୃତକଙ୍କ ସତ୍କାର କରି ସାରିଲୁଣି । ଏଥିପାଇଁ ଆମେ ଜିଲ୍ଲାପ୍ରଶାସନଠାରୁ ଟଙ୍କା ଟିିଏ ବି  ଆର୍ଥିକ ସହାୟତା ନେଉନୁ । ଏହା କେବଳ ଆମର ସେବା ନୁହେଁ, କର୍ତବ୍ୟ ମଧ୍ୟ । ପ୍ରତିଦିନ ସକାଳ ୮ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଏହି କାମ ଚାଲେ । ଏବେ ଲକ୍‌ଡାଉନ୍ ଥିବାରୁ ଆମକୁ ଅଧିକ ସମୟ ମିଳୁଛି । ସକାଳୁ ଆସି ଜୁଇ ସଜାଡ଼ିବାଠାରୁ  ପାଉଁଶ ସଂଗ୍ରହ, ଶବକୁ ଉପଯୁକ୍ତ ସମ୍ମାନ ଦେବାକୁ ଯାଇ ହାଡ଼, ପାଉଁଶକୁ କଳସରେ ରଖିବା, ନାମ, ଠିକଣା, ଫୋନ୍ ନମ୍ବର ଲେଖିବା, ମୃତକଙ୍କ ପଞ୍ଜିକରଣ କରିବା , ସଙ୍ଗରୋଧରେ ରହି ମୃତ୍ୟୁ ହେଉଥିବା ଶବକୁ ଉଦ୍ଧାର କରିବା ଭଳି ଯାବତୀୟ କାମ କରୁଛୁ ।  ୭୦ରୁ ଅଧିକ ମୃତକଙ୍କୁ ନିଜେ ମୁଖାଗ୍ନି  ମଧ୍ୟ ଦେଲୁଣି । ଏବେ ବି ୪୦ରୁ ଅଧିକ ଶବର ଅସ୍ଥିକୁ ତାଙ୍କ ପରିବାର ଲୋକେ ନେଇ ନାହାନ୍ତି । ଜିଲ୍ଲା ପ୍ରଶାସନର ଅନୁମତିରେ ଏସବୁକୁ ଆମେ ଜୁନ୍ ୨ରେ ଆହ୍ଲାବାଦ ଯାଇ ସାମୂହିକ ବିସର୍ଜନ କରିବାକୁ ଚିନ୍ତା କରିଛୁ । ଜିଲ୍ଲା ମୁଖ୍ୟାଳୟକୁ ଛାଡ଼ି ଆମେ ୧୦୦ କିଲୋମିଟର ପରିଧି ଭିତରେ ଯଦି କରୋନା ମୃତକଙ୍କ ସୂଚନା ପାଉଛୁ, ତେବେ ସେଠାରେ ଯାଇ ମଧ୍ୟ ଶବ ସତ୍କାର କରୁଛୁ । ହିନ୍ଦୁ ରୀତିନୀତି ହିସାବରେ ମୃତକଙ୍କ ସତ୍କାରରେ ସାମିଲ ହେଲେ ଯେଉଁ ସବୁ ନୀତି ନିୟମ ମାନିବାକୁ ପଡେ ସେ ସବୁ ବି  ମାନୁଛୁ ।

ଏ ସବୁ ଭିତରେ ଏପ୍ରିଲ ୧୪ ତାରିଖରୁ ଅଦ୍ୟାବଧି ନିଜ ପରିବାରଠାରୁ ଦୂରେଇ ରହିଛନ୍ତି ୪ ବନ୍ଧୁ । ପିପିଇ କିଟ୍ ପିନ୍ଧି ପ୍ରତିଦିନ କରୋନା ଶବ ସତ୍କାର କରୁଥିବା ବେଳେ ସଂକ୍ରମଣ ଭୟରେ ଏମାନେ ପରିବାରକୁ ଯାଉନାହାନ୍ତି । ସଙ୍ଗରୋଧ ହୋଇ ନିଜେ ବାହାରେ ରହି ପ୍ରଶାସନକୁ ଏଭଳି ବିପତିରେ ସାହାଯ୍ୟର ହାତ ବଢ଼ାଇଛନ୍ତି । ଏସବୁକୁ ଛାଡ଼ିଦେଲେ ସେମାନେ ଲୋକଙ୍କୁ ମାଗଣାରେ ଅକ୍ସିଜେନ ସିଲିଣ୍ଡର ମଧ୍ୟ ଯୋଗାଉଛନ୍ତି ।

୩୦୦ରୁ ଅଧିକ କରୋନା ମୃତକଙ୍କ ସତ୍କାର4 friends SundargarhcorpseCovid second waveCovid warriorfree funeral servicesfree oxygen cylinderfuneralHindu ritualslast companionlast ritesmanoj kumar tripathymore than 300 dead bodies last ritesPPE kitsidhant kumar pandasishir kumar beheraSundargarh districtକମଲେଶ ନଥାନୀକରୋନା ଯୋଦ୍ଧା ଟ୍ୟାଗ୍‌କରୋନାର ଦ୍ୱିତୀୟ ଲହରିଜିଲ୍ଲା ପ୍ରଶାସନପିପିଇ କିଟ୍ମନୋଜ କୁମାର ତ୍ରିପାଠୀମାଗଣାରେ ଅକ୍ସିଜେନ ସିଲିଣ୍ଡରଶବ ସତ୍କାରଶିଶିର କୁମାର ବେହେରାସିଦ୍ଧାନ୍ତ କୁମାର ପଣ୍ଡାସୁନ୍ଦରଗଡ଼ ଅଂଚଳର ୪ ବନ୍ଧୁହିନ୍ଦୁ ରୀତିନୀତି ହିସାବରେ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami