ପାକିସ୍ତାନ ଏବଂ ଶ୍ରୀଲଙ୍କା ରାସ୍ତାରେ ନେପାଳ । ସୁନେଲୀ ସ୍ବପ୍ନ ଦେଖାଇ, ନେପାଳକୁ ଫସାଇବ କି ଚୀନ ? ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ପଦ ସମ୍ଭାଳିବା ପରେ ପ୍ରଥମଥର ଚୀନ ଗସ୍ତ କରିବେ । ଆସନ୍ତା ୨୨ ତାରିଖରେ ଆମେରିକାରୁ ଯାଇ ଚୀନରେ ପହଞ୍ଚିବେ । ଦୁଇ ଦେଶ ମଧ୍ୟରେ କଣ ଆଲୋଚନା ହେବ ତାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା । ଚୀନ ଗସ୍ତ ପଛରେ ତିନୋଟି ମୁଖ୍ୟ କାରଣ ରହିଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି ।
ପ୍ରଥମ କାରଣ ହେଉଛି– ନିକଟରେ ଚୀନ ନୂଆ ନକ୍ସା ଜାରି କରିଥିବାବେଳେ କଳାପାଣିକୁ ଭାରତର ବୋଲି ଦର୍ଶାଇଛି । ସେପଟେ କଳାପାଣିକୁ ନେଇ ନେପାଳ ସହ ଭାରତର ବିବାଦ ମଧ୍ୟ ସମାଧାନ ହୋଇନାହିଁ । ଏଭଳି ସମୟରେ ନେପାଳ ପ୍ରଧାନମନ୍ତ୍ରୀ ଗସ୍ତ କରୁଛନ୍ତି । ଆଉ ଏହାକୁ ନେଇ ଆଲୋଚନା ମଧ୍ୟ ହୋଇପାରେ । ହୁଏତ ନେପାଳକୁ ନିଜ ପାଲରେ ପକାଇବାକ ପାଇଁ ଚୀନ କଳାପାଣି କାର୍ଡ୍ ଖେଳିପାରେ । କଳାପାଣିକୁ ବିବାଦୀୟ ଅଂଚଳ ବୋଲି କହିପାରେ ।
ଦ୍ବିତୀୟ କାରଣ– ଚୀନର ବିଆରଆଇ ନେପାଳରେ ଫସି ରହିଥିବାବେଳେ ଚୀନର ବିରୋଧୀ କୁହାଯାଉଥିବା ଆମେରିକାର ଏମସିସି କାର୍ଯ୍ୟକାରୀ ହେବାକୁ ଯାଉଛି । ଆମେରିକା ଓ ଭାରତ ଚୀନର ନୂଆ ସିଲ୍କ ରୁଟ୍ ଜବାବରେ ମସଲା ରୁଟ୍ ଆରମ୍ଭ କରୁଛନ୍ତି । ଜି-୨୦ ବୈଠକରେ ଏଥିରେ ଏକରକମ ମୋହର ବାଜିଛି । ଏମିତିରେ ଚୀନ ବିବ୍ରତ ଅଛି । ତାକୁ ଲାଗୁଛି ବିଆରଆଇରୁ ନେପାଳ ମଧ୍ଯ ଦୁରେଇ ଯାଇପାରେ । ଏହାଭିତରେ ଚୀନ ଏହି ବିଆରଆଇର ସମୀକ୍ଷା କରୁଛି । ବୁଝାଇବା ସହ ପୁଣିଥରେ ଆଲୋଚନା କରିବା ପାଇଁ ଚାହୁଁଛି ।
ଚୀନ ନେପାଳରେ କୋଟି କୋଟି ଡଲାର ନିବେଶ କରିଛି । କିନ୍ତୁ ବହୁତ କମ ନିଯୁକ୍ତି ସୃଷ୍ଟି କରିଛି । ଚୀନକୁ ଅତ୍ୟନ୍ତ ଖରାପ ଲାଗୁଛି କି, ନେପାଳରେ ଭାରତ ଏବଂ ଆମେରିକାର ପ୍ରଭାବ ବଢ଼ିଛି । କିନ୍ତୁ ବିଆରଆଇରେ କିଛି ପ୍ରଗତି ହୋଇନାହିଁ । ଯେଉଁଥି ପାଇଁ ନିକଟରେ ଚୀନର ରାଷ୍ଟ୍ରଦୂତ ଚେଙ୍ଗ୍ ସୋ ଅସନ୍ତୋସ ବ୍ୟକ୍ତ କରିବା ସହ ଭାରତ ଉପରେ ବର୍ଷିଥିଲେ । ତେବେ BRIକୁ ନେଇ ନେପାଳ ଏବଂ ଚୀନ ମଧ୍ୟରେ ମଧ୍ୟ ବିବାଦ ଦେଖିବାକୁ ମିଳିଛି । ନେପାଳରେ ଭାରତ ଏବଂ ଆମେରିକାର ପ୍ରଭାବ ରହିଛି । ଉଭୟ ଭାରତ ଏବଂ ଆମେରିକା ସହ ନେପାଳର ଭଲ ବନ୍ଧୁତା ରହିଛି । ଯାହାକୁ ସହ୍ୟ କରିପାରୁନାହିଁ ଚୀନ । ଯେଉଁଥି ପାଇଁ ଚୀନ ଚାହୁଁଛି ନେପାଳରେ BRI ଆଗକୁ ବଢ଼ାଇବା । କିନ୍ତୁ କାଠମାଣ୍ଡୁ ଏଥିପାଇଁ ପ୍ରସ୍ତୁତ ନୁହେଁ । ଋଣ ମାଧ୍ୟମରେ ଚୀନ ନେପାଳରେ BRIକୁ ବୃଦ୍ଧି କରିବାକୁ ଚାହୁଁଥିବାବେଳେ ନେପାଳ ସିଧାସଳଖ କହିଛି କି ଅନୁମୋଦନ ଦରକାର । କାଳେ ଶ୍ରୀଲଙ୍କା ଭଳି ଜାଲରେ ଫସିଯିବାର ଭୟରେ ନେପାଳ ଏଭଳି କହୁଛି । ଭାରତ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ନେପାଳ ଚାଇନାରୁ ସାମଗ୍ରୀ ଆମଦାନୀ କରିବାକୁ ଚାହୁଁଛି । କିନ୍ତୁ ବେଜିଂ ଦୀର୍ଘ ଦିନ ପର୍ଯ୍ୟନ୍ତ ସୀମାକୁ ବନ୍ଦ କରି ରଖିଥିଲା ।
ଚୀନ ନେପାଳକୁ ଫସାଇବା ପାଇଁ ଜାଲ ବିଛାଇଥିବାବେଳେ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ମତ ମଧ୍ୟ ଦେଉଛନ୍ତି । ନେପାଳର ବିଶେଷଜ୍ଞମାନେ କହିଛନ୍ତି କି, ଚୀନ ନେପାଳରେ ନିଜର ବହୁ ପରିମାଣର ପୁଞ୍ଜି ବିନିଯୋଗ କରିଛି ସତ କିନ୍ତୁ ଏଠାକାର ଲୋକେ ନିଯୁକ୍ତି କମ ପାଇଛନ୍ତି । ଯେଉଁଥିରୁ ଚୀନ ଅଧିକ ଲାଭ ପାଉଥିବାବେଳେ ନେପାଳର ଏକପ୍ରକାର କ୍ଷତି ମଧ୍ୟ ହେଉଛି । ରାଜନୈତିକ ଲାଭ ପାଇଁ ନେପାଳ ଚୀନ ସହ ସମ୍ପର୍କ ବଢ଼େଇବା ଉଚିତ୍ ନୁହେଁ । କୁହାଯାଉଛି କି, ଚୀନ ନେପାଳ ପ୍ରଧାନମନ୍ତ୍ରୀଙ୍କ ସହ ଆମେରିକାର ଏମସିସି ମୁଦା ଉଠାଇପାରେ । ଏମସିସି ବିରୋଧରେ ନେପାଳରେ କିଛି ମାସ ପର୍ଯ୍ୟନ୍ତ ଚୀନ ସ୍ବର ଉଠାଇଥିଲା କିନ୍ତୁ ଏହା ସଫଳ ହୋଇନାହିଁ । ଏପରିକି ଋଣ ଛାଡ଼ ପାଇଁ ମଧ୍ୟ ଚୀନ ସରକାରଙ୍କ ସହ ଆଲୋଚନା କରିପାରନ୍ତି ନେପାଳ ପ୍ରଧାନମନ୍ତ୍ରୀ ।