ପାକିସ୍ତାନରେ ଗୋଟିଏ ସମୟରେ ହିନ୍ଦୁଙ୍କ ଗୁରତ୍ୱ ଓ ଭାଗିଦାରୀ ସାବ୍ୟସ୍ତ କରିବାକୁ ଜୋରଦାର ଢଙ୍ଗରେ ଏକ ରାଜନୈତିକ ପାର୍ଟି ଆରମ୍ଭ ହୋଇଥିଲା । ଏହି ଦଳର ଆରମ୍ଭ କରିଥିବା ବ୍ୟକ୍ତିଥିଲେ ପାକିସ୍ତାନର ଜଣେ ଶକ୍ତିଶାଳୀ ହିନ୍ଦୁ ନେତା । ସେ ମଧ୍ୟ ଗୋଟିଏ ରାଜ୍ୟର ରାଜା ଥିଲେ । କିନ୍ତୁ ଏହି ରାଜନୈତିକ ପାର୍ଟି ଯେତିକି ଜୋରଦାର ଢଙ୍ଗରେ ଆରମ୍ଭ ହୋଇଥିଲା ସେତିକି ଚୁପଚାପ ବନ୍ଦ ମଧ୍ୟ ହୋଇଯାଇଥିଲା । ଆସନ୍ତୁ ଜାଣିବା କ’ଣ ଥିଲା ସେହି ଦଳର ନାମ ଓ କାହିଁକି ସେହି ଦଳ ପାକିସ୍ତାନର ହିନ୍ଦୁଙ୍କୁ ନିଜ ପଟକୁ ଆଣି ପାରିନଥିଲା ।
1990ରେ ଆରମ୍ଭ ହୋଇଥିଲା ପାକିସ୍ତାନର ଏକମାତ୍ର ହିନ୍ଦୁ ପାର୍ଟି
1990 ମସିହାରେ ହିନ୍ଦୁଙ୍କ ସ୍ୱାର୍ଥ ରକ୍ଷା କଥା କହି ଉମରକୋଟର ହିନ୍ଦୁ ରାଜା ରାଣା ଚନ୍ଦ୍ର ସିଂହ ଗୋଟିଏ ଦଳ ହିନ୍ଦୁ ରାଷ୍ଟ୍ରୀୟ ଦଳ ଆରମ୍ଭ କରିଥିଲେ । ଉମରକୋଟ୍ ଯାହା ବିଭାଜନ ପୂର୍ବରୁ ଅମରକୋଟ ଭାବେ ପରିଚିତ ଥିଲା ତାହାର ରାଜପୁତ ରାଜା ଥିଲେ ରାଜା ରାଣା ଚନ୍ଦ୍ର ସିଂହ । ଉମରକୋଟ୍ ରାଜ୍ୟ ପାକିସ୍ତାନରେ ସାମିଲ ହେବା ପୂର୍ବରୁ 22 ହଜାର କିଲୋମିଟର ଅଂଚଳରେ ବ୍ୟପ୍ତ ଥିଲା । ରାଣା ଚନ୍ଦ୍ର ସିଂହ ପାକିସ୍ତାନ ରାଜନୀତିରେ ସକ୍ରୀୟ ଥିଲେ । ପାକିସ୍ତାନ ଗଠନ ପରେ ସେ ମୁସଲିମ୍ ଲିଗରେ ସାମିଲ ହୋଇ ମନ୍ତ୍ରୀ ମଧ୍ୟ ହୋଇଥିଲେ । ପରେ ସେ ପାକିସ୍ତାନ ପିପୁଲ’ସ ପାର୍ଟି ଗଠନରେ ଭୂମିକା ନିର୍ବାହ କରିଥିଲେ । ଉମରକୋଟରୁ ସେ 7 ଥର ପାକିସ୍ତାନ ସଂସଦକୁ ନିର୍ବାଚିତ ହୋଇଥିଲେ । ସେ ମଧ୍ୟ ପାକିସ୍ତାନ ପିପୁଲ’ସ ପାର୍ଟିର ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲ୍ଲୀ ଭୁଟ୍ଟୋଙ୍କ ଘନିଷ୍ଟ ମିତ୍ର ଥିଲେ । ତେବେ ପରେ ତାଙ୍କର ପିପିପିରୁ ମୋହ ଭଙ୍ଗ ହୋଇଥିଲା ଓ 1990ରେ ସେ ହିନ୍ଦୁ ରାଷ୍ଟ୍ରୀୟ ଦଳ ଗଠନ କରିଥିଲେ.
ଦଳର ପ୍ରତୀକ କ’ଣ ଥିଲା ?
ହିନ୍ଦୁ ରାଷ୍ଟ୍ରୀୟ ଦଳର ପତାକାର ରଙ୍ଗ ଶିବାଜୀଙ୍କ ପତାକା ଭଳି ଥିଲା ଓ ସେଥିରେ ଓମ୍ ସହିତ ତ୍ରୀଶୂଳ ଚିହ୍ନ ଥିଲା । ପାକିସ୍ତାନରେ ଥିବା ହିନ୍ଦୁଙ୍କ ପ୍ରତିନିଧିତ୍ୱ କରିବା ଏହି ଦଳର ଲକ୍ଷ୍ୟ ଥିଲା । କିନ୍ତୁ କେବେ ମଧ୍ୟ ଏହି ଦଳ ସେହି ଲକ୍ଷ୍ୟ ହାସଲ କରି ପାରିନଥିଲା ।
ଦଳ ବିଫଳ ହେବାର କାରଣ କ’ଣ ଥିଲା ?
ରାଣା ଚନ୍ଦ୍ର ସିଂହ ଦଳର ଗଠନ ତ’ କରିଥିଲେ କିନ୍ତୁ ଏହାର ଅଧିକାଂଶ ପଦାଧିକାରୀ ତାଙ୍କର ବନ୍ଧୁ ପରିଜନ ଥିଲେ । ଦଳରେ ଉଚ୍ଚ ଜାତିର ବର୍ଚ୍ଚସ୍ୱ ଥିଲା । ଛୋଟ ଜାତିର ହିନ୍ଦୁଙ୍କର ଏଥିରେ ପ୍ରତିନିଧିତ୍ୱ ପ୍ରାୟତଃ ନଥିଲା । ତେଣୁ ସବୁ ହିନ୍ଦୁ ଏହି ଦଳ ସହିତ ଯୋଡ଼ି ହୋଇ ପାରିନଥିଲେ । ପିପିପି ଦଳିତ ହିନ୍ଦୁଙ୍କୁ ଜାତୀୟ ଆସେମ୍ଲିକୁ ପଠାଇ ହିନ୍ଦୁ ଭୋଟ୍ ହାତେଇ ପାରିଥିଲା । ପାକିସ୍ତାନ ହିନ୍ଦୁ ରାଷ୍ଟ୍ରୀୟ ଦଳ କୌଣସି ନିର୍ବାଚନରେ କିଛି ମଧ୍ୟ ପ୍ରଭାବ ଦେଖାଇ ପାରିନଥିଲା ।ସବୁଠାରୁ ବଡ଼ କଥା ହେଲା ରାଜନିତୀରେ ତିଷ୍ଟି ରହିବା ପାଇଁ ଏହାର ପ୍ରତିଷ୍ଠାତା ମଧ୍ୟ ପରେ ପିପିପିରେ ସାମିଲ ହୋଇଥିଲେ । ଏବେ ପାକିସ୍ତାନର ହିନ୍ଦୁ ଦଳ କେବଳ ନାମକୁ ମାତ୍ର ଅଛି । ଏହାର କୌଣସି ରାଜନୈତିକ ଆଧାର ନାହିଁ ।