ସାଇବର ସିକ୍ୟୁରିଟି ଫାର୍ମ କେସପରସ୍କାଇ ଅନୁସାରେ ଫ୍ରି ପବ୍ଲିକ୍ ୱାଇଫାଇ ଅସୁରକ୍ଷିତ ହୋଇଥାଏ । ଜଣେ ସାଧାରଣ ବ୍ୟବହାରକାରୀ ଏହା ଜାଣି ପାରେନାହିଁ ଓ ଅନେକ ସମୟରେ ଏହାର ବ୍ୟବହାର ପାଇଁ ଅଥେନଟିକେସନ୍ ମଧ୍ୟ ଆବଶ୍ୟକ ହୋଇ ନଥାଏ । ଏହାହିଁ ହ୍ୟାକର୍ସଙ୍କୁ ସୂଚନା ଚୋରି କରିବା ପାଇଁ ସୁଯୋଗ ଦେଇଥାଏ । ଅଥେନଟିକେସନ୍ ଆବଶ୍ୟକ ନହେଉଥିବାରୁ ହ୍ୟାକର୍ସ ସହଜରେ ଲୋକଙ୍କ ସୂଚନା ଚୋରି କରିଥାନ୍ତି ।
ୱାଇଫାଇ ସୁରକ୍ଷିତ ନହୋଇଥିବାରୁ ହ୍ୟାକର ଲୋକଙ୍କ ଫୋନକୁ ଏଭଳି ମାଲୱାର ପଠାଇଥାନ୍ତି ଯାହା ପରେ ଫୋନରେ ହେଉଥିବା ଗତିବିଧିର ସୂଚନା ହ୍ୟାକର୍ସଙ୍କ ନିକଟକୁ ପଠାଇଥାଏ । ତେଣୁ ଫ୍ରି ୱାଇଫାଇ ବ୍ୟବହାର ବେଳେ ସତର୍କତା ଅବଲମ୍ବନ କରିବାକୁ ସୁରକ୍ଷା ବିଶେଷଜ୍ଞ ପରାମର୍ଶ ଦେଇଥାନ୍ତି ।
ଫ୍ରି-ୱାଇଫାଇ ବ୍ୟବହାର ବେଳେ ଏହାକୁ ଧ୍ୟାନରେ ରଖନ୍ତୁ
୧. କିଛି ମଧ୍ୟ ସେୟାର କରନ୍ତୁ ନାହିଁ
ଏକ୍ସପର୍ଟଙ୍କ ଅନୁସାରେ ଫ୍ରି ୱାଇଫାଇ ବ୍ୟବହାର କରିବା ବେଳେ କୌଣସି ପ୍ରକାରର ଫଟୋ, ଫୋଲ୍ଡର କିମ୍ବା ଅନ୍ୟକିଛି ସେୟାର କରନ୍ତୁ ନାହିଁ । ଏଭଳି କଲେ ହ୍ୟାକର୍ସଙ୍କ ପାଖରେ ଏହି ତଥ୍ୟ ପହଂଚିଯିବାର ଆଶଙ୍କା ରହିଛି । ସବୁଠାରୁ ବଡ଼ କଥା ହେଉଛି ଫ୍ରି ୱାଇଫାଇ ବ୍ୟବହାର କରୁଥିବା ବେଳେ କୌଣସି ପ୍ରକାରର ବ୍ୟାଙ୍କ୍ ଟ୍ରଞ୍ଜାକ୍ସନ କରନ୍ତୁ ନାହିଁ ।
୨. VPN କନେକ୍ସନ୍ ବ୍ୟବହାର କରନ୍ତୁ
ଯଦି ମୋବାଇଲ କିମ୍ବା ଲାପଟପରେ ଫ୍ରି ୱାଇଫାଇ ବ୍ୟବହାର କରି କୌଣସି ଜରୁରୀ କାର୍ଯ୍ୟ କରୁଛନ୍ତି ତେବେ ଭିପିଏନ କନେକ୍ସନ୍ ନିଶ୍ଚିନ୍ତ ଭାବେ ବ୍ୟବହାର କରନ୍ତୁ । ଏଥିପାଇଁ ଗୁଗଲ ପ୍ଲେ ଷ୍ଟୋରରେ ଅନେକ ଭିପିଏନ୍ ଆପ୍ ରହିଛି । ୱାଇଫାଇ କନେକ୍ସନ ବ୍ୟବହାର କରିବା ପୂର୍ବରୁ ଭିପିଏନ୍ ଆପ୍ ଡାଉନ୍ ଲୋଡ୍ କରନ୍ତୁ ଓ ତାକୁ ଅନ୍ କରନ୍ତୁ । ଏହି ଆପ୍ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ତଥ୍ୟ ଚୋରାଇବା ହ୍ୟାକର୍ସଙ୍କ ପାଇଁ କଷ୍ଟସାଧ୍ୟ ହୋଇଯିବ ।
୩. ଫ୍ରି କନେକ୍ସନକୁ ସବୁବେଳେ ଅନ୍ ରହିବାକୁ ଦିଅନ୍ତୁ ନାହିଁ
ଧ୍ୟାନ ରଖନ୍ତୁ ଯେମିତି ଫ୍ରି ୱାଇଫାଇ ଆପଣଙ୍କ ଫୋନରେ ସବୁବେଳେ ଅନ୍ ହୋଇ ନରହେ । ଯେତେବେଳେ ଆପଣଙ୍କ କାମ ସରିବ ସେତେବେଳେ ତୁରନ୍ତ ଫ୍ରି ୱାଇଫାଇକୁ ଡିସକନେକ୍ଟ କରିଦିଅନ୍ତୁ । ଏହା ସହିତ ଫାୟାରୱାଲକୁ ଅନ୍ କରି ରଖନ୍ତୁ । ଫଳରେ ହ୍ୟାକିଂର ବିପଦ କମ୍ ହେବ ।